ଆଜି ଆମ ପାଖରେ ସୁଖ ସୁବିଧାର ଯେଉଁସବୁ ବି ଜିନିଷ ଅଛି ତାହା ସବୁ ବିଜ୍ଞାନର ଦାନ। ବନ୍ଦ ଘରେ ଆଲୋକର ବ୍ୟବସ୍ଥା ଠାରୁ ଆରମ୍ଭ କରି ଆକାଶରେ ଉଡିବା ପର୍ଯ୍ୟନ୍ତ ସବୁ ବିଜ୍ଞାନର ଖେଳ। ବିଜ୍ଞାନ ମନୁଷ୍ୟକୁ ଦୁଃଖରୁ ଦୂରେଇ ନେଇ ସୁଖ ଦେଇଛି, ଅଜ୍ଞାନକୁ ଦୂର କରିବା ପାଇଁ, ଅସୁବିଧାକୁ ସୁବିଧାରେ ପରିଣତ କରିବା ପାଇଁ ବିଜ୍ଞାନର ମହତ ଭୂମିକା ରହିଛି।
ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତି ବର୍ଷ ୨୮ ଫେବୃଆରୀରେ ‘ଜାତୀୟ ବିଜ୍ଞାନ ଦିବସ’ ପାଳନ କରାଯାଏ। ଏହିଦିନଟି ଲୋକଙ୍କ ଭିତରେ ବିଜ୍ଞାନ ପ୍ରତି ଭଲ ପାଇବାକୁ ଜାଗ୍ରତ କରିବା ପାଇଁ ପାଳନ କରାଯାଏ। ବିଜ୍ଞାନ ଆମକୁ କିପରି ପ୍ରତିଦିନ ସାହାଯ୍ୟ କରୁଛି ସେ ବିଷୟରେ ଅବଗତ କରାଯାଏ।
Also Read
ଜାତୀୟ ବିଜ୍ଞାନ ଦିବସ ୨୮ ଫେବୃଆରୀରେ ପାଳନ କରାଯିବାର କାରଣ ହେଉଛି, ଏହିଦିନ ମହାନ ଭାରତୀୟ ଭୌତିକ ବିଜ୍ଞାନୀ ସିଭି ରମଣ 'ରମଣ ପ୍ରଭାବ' ଆବିଷ୍କାର କରିଥିଲେ। ଏଥିପାଇଁ ତାଙ୍କୁ ୧୯୩୦ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ମଧ୍ୟ ଦିଆଯାଇଥିଲା।
ଉଦ୍ଦେଶ୍ୟ:
ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ମହାନ ଭାରତୀୟ ବୈଜ୍ଞାନିକ ସିଭି ରମଣଙ୍କୁ ତାଙ୍କ ଅବଦାନ ପାଇଁ ମନେ ପକେଇବା। ଏହା ସହିତ ଏହି ଦିନ ଦେଶର ବିଭିନ୍ନ ବୈଜ୍ଞାନିଜ ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ ଏବଂ ବିଜ୍ଞାନର ମହତ୍ତ୍ୱ ଉପରେ ବୁଝାଯାଇଥାଏ।
ଆରମ୍ଭ:
ଜାତୀୟ ବିଜ୍ଞାନ ଦିବସ ପ୍ରଥମେ ୨୮ ଫେବୃଆରୀ ୧୯୯୭ ରେ ପାଳନ କରାଯାଇଥିଲା। ସେବେଠାରୁ ଏହି ଦିନ ପ୍ରତିବର୍ଷ ୨୮ ଫେବୃଆରୀରେ ପାଳନ ହେଉଛି।
ଥିମ୍:
ପ୍ରତ୍ୟେକ ବର୍ଷ ଏହି ଦିବସକୁ କିଛି ନା କିଛି ଥିମ୍ ସହିତ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ହେଉଛି “ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ”।
ସିଭି ରମଣଙ୍କ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
- ସିଭି ରମଣଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଚନ୍ଦ୍ରଶେଖର ଭେଙ୍କଟ ରମଣ।
- ସେ ୭ ନଭେମ୍ବର ୧୮୮୮ ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ।
- ପ୍ରେସିଡେନ୍ସି କଲେଜରୁ ସିଭି ରମଣ ତାଙ୍କର ଉଚ୍ଚଶିକ୍ଷା ପ୍ରାପ୍ତ କରିଥିଲେ।
- ୧୯୦୭ ରୁ ୧୯୩୩ ମଧ୍ୟରେ ସେ କୋଲକାତାରେ ଇଣ୍ଡିଆନ୍ ଆସୋସିଏସନ୍ ଫର୍ କଲ୍ଟିଭେସନ୍ ଅଫ୍ ସାଇନ୍ସରେ କାର୍ଯ୍ୟ କରୁଥିବାବେଳେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିଥିଲେ।
- ୧୯୩୦ ରେ ତାଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।