ନୃଶଂସତାର ସବୁ ସୀମା ଟପିଲା ପୁତୁରା । ଦାଦାକୁ ହାଣି ନିର୍ମମ ଭାବେ ହତ୍ୟା କଲା । ଗଣ୍ଡିରୁ ମୁଣ୍ଡକୁ ଅଲଗା କରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା । ଏଭଳି ଏକ ଚାଞ୍ଚଲ୍ୟକର ଲୋମହର୍ଷଣକାରୀ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତଳ କଇଁସାରି ଗାଁରେ । ମୃତକ ହେଲେ ଗାଁର ହରି ଦେହୁରୀ । ତାଙ୍କ ପୁତୁରା କବି ଦେହୁରୀ ହତ୍ୟା କରିବା ପରେ ଦାଦାର କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି ।
ଅଧିକ ପଢ଼ନ୍ତୁ: ଜାଗାବାଡି ବିବାଦକୁ କେନ୍ଦ୍ର କରି ବିଲଡରଙ୍କୁ ହତ୍ୟା !
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କବି ଦେହୁରୀ ଓ ଦାଦା ହରି ଦେହୁରୀଙ୍କ ମଧ୍ୟରେ ବିବାଦ ରହିଥିଲା । ଗତକାଲି କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ କବି ଦେହୁରୀ ଏକ ଧାରୁଆ ଅସ୍ତ୍ରରେ ନିଜ ଦାଦାକୁ ହାଣି ହତ୍ୟା କରିଥିଲା । ଏହାପରେ ଅଭିଯୁକ୍ତ ଦାଦାର କଟା ମୁଣ୍ଡ ସହ ଶୁଆକାଟୀ ଫାଣ୍ଡିରେ ପହଞ୍ଚିଥିଲା ।
ଏହି ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନି । ଅନ୍ୟପଟେ ପୁତୁରା ଦାଦାକୁ ମାରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।