Advertisment

ଅଧା ରାସ୍ତାରେ ଛାଡିଦେଲେ ସ୍ୱାମୀ; ଅଟୋ ଚଳାଇ ସ୍ୱାବଲମ୍ବୀ ହେଲେ ମଧୁମିତା

ଜୀବନର ଅଧା ବାଟରେ ସିନା ଛାଡିଦେଲେ ସ୍ୱାମୀ, ହେଲେ ଭାଙ୍ଗି ପଡି ନଥିଲେ ମଧୁମିତା। ନିଜ ଦୁଇ ପିଲାଙ୍କୁ ଧରି ଜୀଇବାକୁ ନେଇଥିଲେ ନିଷ୍ପତ୍ତି। ପିଲାଙ୍କୁ ମଣିଷ କରିବାକୁ ସାଜିଯାଇଥିଲେ ଅଟୋ ଚାଳକ। ତେବେ ମାତୃ ଦିବସ ଉପଲକ୍ଷେ ଆସନ୍ତୁ ଜାଣିବା ଏହି ମା’ର କାହାଣୀ।

author-image
Pramod Behera
ଅଦ୍ୟତନ ହୋଇଛି
To manage family Madhumita became Auto Driver

To manage family Madhumita became Auto Driver

ସରକାରଙ୍କ କୌଣସି ଯୋଜନାରେ ନୁହଁ ବରଂ ନିଜ ଉଦ୍ୟମରେ ରୋଜଗାର କରି ଜଣେ ମହିଳା ସ୍ୱାବଲମ୍ବଶୀଳ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ହେଉଛନ୍ତି ବାଲେଶ୍ୱରର ମଧୁମିତା ବିନ୍ଧାଣୀ। ସେ ହେଲେ ବାଲେଶ୍ୱର ସହରର ପ୍ରଥମ ମହିଳା ଅଟୋ ଚାଳକ ଭାବେ ଜଣାଶୁଣା। ଡାକ ନାଁ ଦୁଃଖିନୀରାଣୀ। ଜୀବନର ମଝି ରାସ୍ତାରେ ତାଙ୍କ ସ୍ୱାମୀ ହାତ ଛାଡିଦେଇଥିଲେ। ଏହା ପରେ ସେ ନିଜର ଦୁଇଟି ପିଲାଙ୍କୁ ପାଠ ପଢାଇ ମଣିଷ କରିବା ପାଇଁ ବାଲେଶ୍ୱର ଚାଲିଆସିଲେ।

Advertisment

ପ୍ରଥମେ ଏହି ଦୁଃଖ ତାଙ୍କୁ ବାଧିଥିଲା। ଭାବିପାରି ନଥିଲେ କ’ଣ କରିବେ? କିପରି ପିଲାଙ୍କୁ ମଣିଷ କରିବେ? କିନ୍ତୁ ପରେ ସବୁ ଠିକ୍ ହୋଇଯାଇଥିଲା। ମଧୁମିତା ନିଷ୍ପତି ନେଲେ ଅଟୋ କିଣିବେ, ପୁରୁଷଙ୍କ ଭଳି କାନ୍ଧରେ କାନ୍ଧ ମିଳାଇ କାମକରି ପିଲାଙ୍କୁ ଉଚ୍ଚ ଶିକ୍ଷିତ କରାଇବେ। ତେବେ ଆସନ୍ତୁ ବିଶ୍ୱ ମାତୃତ୍ୱ ଦିବସ ଅବସରରେ ଜାଣିବା ଏହି ମା’ଙ୍କ ବିଷୟରେ।

କିପରି ଚଳେ ପରିବାର:

ବାଲେଶ୍ୱର ସହରରେ ରାତିପାହି ସକାଳ ହେଲେ ଅଟୋଧରି ବାହାରି ପଡନ୍ତି ମଧୁମିତା। ସକାଳ ସାଢେ ୬ଟା ସୁଦ୍ଧା ନିଜ ଅଟୋରେ ପ୍ରତିଦିନ ସହରରେ ଥିବା କନ୍‌ଭେଣ୍ଟ ସ୍କୁଲକୁ ପିଲାଙ୍କୁ ବୁହନ୍ତ। ପିଲାଙ୍କୁ ସ୍କୁଲରେ ଛାଡିବା ପରେ ସେ କାହାକୁ ମେଡିକାଲ୍‌କୁ ତ ଆଉ କାହାକୁ ନିଜର ଗନ୍ତବ୍ୟ ସ୍ଥଳକୁ ନେଇ ଛାଡନ୍ତି।

Advertisment

୨୦୧୬ ମସିହାରୁ ସେ ବାଲେଶ୍ୱରକୁ ଆସିବା ପରେ ଅଟୋ କିଣି ପୁରୁଷଙ୍କ ଭଳି ଡ୍ରାଇଭିଂ କରି ଜୀବନ ଜିଅନ୍ତି ମଧୁମିତା। କନ୍‌ଭେଣ୍ଟ ସ୍କୁଲ୍‌ ପିଲାଙ୍କୁ ନେବା ଆଣିବାରେ ମାସକୁ ହାରାହାରି ୧୦ ହଜାର ଟଙ୍କା ରୋଜଗାର କରନ୍ତି। ଏହା ସହିତ ଅନ୍ୟାନ୍ୟ ଭଡାକରି ମାସକୁ ହାରାହାରୀ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି। ଏଇଥିରେ ଚଳେ ତାଙ୍କ ଘର।

ମହିଳା ହୋଇ ଅଟୋ ଚଳାଉଥିଲେ ବି ନିଜକୁ କେବେ ଦୁଃଖି ବୋଲି ଭାବନ୍ତି ନାହିଁ ସେ। ବାଲେଶ୍ୱର ସହରରେ ସେ ହେଉଛନ୍ତି ପ୍ରଥମ ମହିଳା ଅଟୋ ଚାଳକ, ଯିଏ ଅନ୍ୟ ମହିଳାମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ। ତେବେ ଅଟୋ ଚଳାଇ ରୋଜଗାର କରୁଥିବେ ବି ତାଙ୍କ ମନରେ କୌଣସି ଦ୍ୱିଧା ନାହିଁ ବୋଲି ସେ କୁହନ୍ତି।

ରୋଗୀଙ୍କୁ ମାଗଣାରେ କରନ୍ତି ସେବା:

ସୂର୍ଯ୍ୟ ଠିକ ସେ ନ ଉଠିଲା ପୂର୍ବରୁ ଘରୁ ବାହାରି ଯାଆନ୍ତି ଦୁଃଖିନୀରାଣୀ। ଆରମ୍ଭ ହୋଇଯାଏ ତାଙ୍କର କର୍ମମୟ ଜୀବନ। ଅଟୋ ଚାଳନାରୁ ସମୟ ପାଇଲେ ଅଟୋକୁ ପରିଷ୍କାର କରିବାରେ ଲାଗିପଡନ୍ତି ସେ । ଜଣେ ମହିଳା ଅଟୋ ଚାଳକ ଭାବେ ସେ କେବଳ ରୋଜଗାର କରନ୍ତିନି, ବରଂ ଅନେକ ସମୟରେ ରୋଗୀଙ୍କୁ ମାଗଣାରେ ମେଡିକାଲ୍‌କୁ ନେବା ଓ ମହିଳାଙ୍କୁ ସୁରକ୍ଷା ଦେବାରେ ମଧ୍ୟ କୁଣ୍ଠାବୋଧ କରନ୍ତିନି ମଧୁମିତା। ତାଙ୍କର ଏହି ମହାନତା ପାଇଁ ସେ ଅନ୍ୟ ସାଥୀ ଅଟୋ ଚାଳକଙ୍କ ପ୍ରିୟପାତ୍ର।

କିପରି କିଣିଲେ ଅଟୋ:

ମଧୁମିତାଙ୍କ ନିଜ ଘର ମୟୁରଭଞ୍ଜ ଜିଲ୍ଲା ବଡସାହିରେ। ସେଇଠି ସେ ବିଜୟ କୁମାର ବିନ୍ଧାଣୀଙ୍କୁ ବିବାହ କରିଥିଲେ। ସ୍ୱାମୀଙ୍କ ସହ ମନମାଳିନ୍ୟ ପରେ ସେ ଏବେ ଅଲଗା। ସ୍ୱାମୀ ନ ପଚାରିବାରୁ ସେ ନିଜେ କାମଧନ୍ଦା କରିଥିଲେ। ଦୁଇବର୍ଷ ଧରି ୭୨ ହଜାର ଟଙ୍କା ସଞ୍ଜୟ ପରେ ବ୍ୟାଙ୍କ୍‌ରୁ ୩ ଲକ୍ଷ ଟଙ୍କା ଋଣକରି ଅଟୋ କିଣିଥିଲେ। ଏବେ ଯାହା ରୋଜଗାର କରୁଛନ୍ତି ସେଥିରୁ ପ୍ରତିମାସରେ ୭ ହଜାର ଟଙ୍କାର କିସ୍ତି ସୁଝୁଛନ୍ତି। ବାକି ଟଙ୍କାରେ ଘର ଚଳୁଛି।

ପାଉଛନ୍ତି ଅନେକ ସମ୍ମାନ:

ମାତ୍ର ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢିଛନ୍ତି ମଧୁମିତା ହେଲେ ହେଲେ ବୁଝିଛନ୍ତି ପାଠର ମହତ। ତେଣୁ ନିଜ ପୁଅକୁ ହଷ୍ଟେଲରେ ରଖି ସିବିଏସ୍‌ଇରେ ପ୍ଲସ୍‌ ଟୁ ଏବଂ ଝିଅକୁ ଷଷ୍ଠ ଶ୍ରେଣୀରେ ପାଠ ପଢାଉଛନ୍ତି। ବାଲେଶ୍ୱର ସହରରେ ଜଣେ ମହିଳା ଅଟୋ ଚାଳକ ହିସାବରେ ତାଙ୍କୁ ସମସ୍ତ ଅଟୋଚାଳକ ଭାଇମାନେ ସମ୍ମାନ କରନ୍ତି। ତାଙ୍କ ଭଳି ଅନ୍ୟ ମହିଳାମାନେ ମଧ୍ୟ ନିଜର ପାରିବାରିକ ସମସ୍ୟାରେ ଭାଙ୍ଗି ନପଡି ଏଭଳି ବୃତ୍ତିକୁ ଆପଣାଇ ନେବା ଉଚିତ୍ ବୋଲି କହିଛନ୍ତି ମଧୁମିତା।

ପ୍ରକାଶଥାଉ ଯେ ପାରିବାରିକ ସମସ୍ୟା କାରଣରୁ ସ୍ୱାମୀ ଛାଡିଦେବା ପରେ ସେ ଭାଙ୍ଗି ନପଡି ପ୍ରଥମେ ଚାକିରୀ ଅନ୍ୱେଷଣରେ ଆସି ବାଲେଶ୍ୱରର ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିଲେ। ଏଥିରେ ସନ୍ତୁଷ୍ଟ ନ ହୋଇ ନିଜ ଗୋଡରେ ନିଜେ ଠିଆହେବା ପାଇଁ ଅଟୋ କିଣିବାକୁ ନିଷ୍ପତ୍ତି ନେଲେ। ଏବେ ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି।

(ରିପୋର୍ଟ: ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସ)

Mother’s Day 2022
Advertisment
Advertisment