Advertisment

ସେ ଏମିତି ମା'; ୯୦ ବର୍ଷରେ ବି ସେବା କରୁଛନ୍ତି, ହେଲେ ଥକି ନାହାନ୍ତି

ପରିଣତ ବୟସରେ ପହଞ୍ଚିଛନ୍ତି ଡି. ଶୁଭଲକ୍ଷ୍ମୀ। ଯେଉଁ ବୟସରେ ଅନ୍ୟ କେହି ଶାଯ୍ୟାଶାୟୀ ହୋଇଥାନ୍ତି ତ ଆଉ କେହି ଘରେ ବସି ପୁଅ ବୋହୂଙ୍କ ସେବା ଶୁଶ୍ରୁଷା ପାଉଥାନ୍ତି ସେହି ବୟସରେ ସେ କରୁଛନ୍ତି ପୁଅ ଓ ସ୍ୱାମୀଙ୍କର ସେବା। ଦିନେ ବି ଥକି ପଡି ନାହାନ୍ତି। ତେବେ ଆସନ୍ତୁ ଜାଣିବା ସେହି ମା’ର କାହାଣୀ…

author-image
Pramod Behera
ଅଦ୍ୟତନ ହୋଇଛି
Mother’s Day, meet D. Subhalaxmi

Mother’s Day, meet D. Subhalaxmi

ମା’ ଏକ ଶଦ୍ଧ ନୁହେଁ ଏକ ପ୍ରତିକ କହିଲେ ଅତ୍ୟୁକ୍ତି ହେବ ନାହିଁ। ମା’ ଏମିତି ଏକ ସଂପର୍କ ଯାହା ସବୁ ସଂପର୍କରୁ ଉର୍ଦ୍ଧ୍ୱରେ। ଗୋଟେ ମା’ର ତ୍ୟାଗର ମୂଲ୍ୟକୁ କୌଣସି ସନ୍ତାନ ବି ପୂରଣ କରିପାରେନି। ତା’ର ନିଜ ସନ୍ତାନ ଓ ପରିବାର ପ୍ରତି ଥିବା ଅସୀମ ପ୍ରେମ ଓ ସମର୍ପଣ ଆଗରେ ଆଉ କିଛି ବି ଗୁରୁତ୍ୱପୂର୍ଣ୍ଣ ହୋଇ ନଥାଏ।

Advertisment

ଆମେ ଏବେ ଏମିତି ଏକ ମା’ର କାହାଣୀ କହିବୁ ଯିଏ ପରିଣତ ବୟସରେ ବି ଥକି ନ ପଡି ଅସୀମ ପ୍ରେମ ଓ ସେବା ଯୋଗାଇ ଆସିଛନ୍ତି ପୁଅ ଓ ସ୍ୱାମୀଙ୍କୁ। ସେ ହେଲେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ ଅନ୍ତର୍ଗତ ବ୍ରାହ୍ମଣି ଗାଁର ଡି. ଶୁଭଲକ୍ଷ୍ମୀ।

ଡି. ଶୁଭଲକ୍ଷ୍ମୀଙ୍କୁ ବୟସ ଛୁଇଲାଣି ୯୦। ହେଲେ ଏବେ ବି ତାଙ୍କର ସତେଜ ସ୍ୱଭାବ। ପରିଣତ ବୟସରେ ବି ଥକି ପଡି ନାହାନ୍ତି ସେ। ଘରେ ଆଉ କେହି ମହିଳା ସଦସ୍ୟ ନଥିବାରୁ ଘରର ସବୁ କାମ ସେ ନିଜେ ହିଁ କରିଥାନ୍ତି। ଦୁଇ ପୁଅ ଓ ସ୍ୱାମୀଙ୍କ ସହ ତାଙ୍କର ପରିବାର।

Advertisment

ତେବେ ଦୁଃଖର ବିଷୟ ହେଉଛି, ପରିଣତ ବୟସରେ ଶୁଭଲକ୍ଷ୍ମୀ ପରିବାରରେ ହସ ଖୁସିରେ ଜୀବନ ଜିଇବା ବଦଳରେ ଏକ ବଡ ଦାୟିତ୍ୱ ମୁଣ୍ଡେଇ ଚାଲିଛନ୍ତି। ଯେତେ କଷ୍ଟ ହେଲେ ମଧ୍ୟ ସେ ଏହାକୁ ଅତି ସହଜରେ କରି ଚାଲିଛନ୍ତି। ଗୋଟିଏ ପଟେ ୯୫ବର୍ଷ ବୟସ୍କ ସ୍ୱାମୀ ଶଯ୍ୟାଶାୟୀ ଥିବାବେଳେ ଅନ୍ୟପଟେ ଗୋଟିଏ ପୁଅ ଦୀର୍ଘ ଦିନ ହେଲା ପକ୍ଷପାତରେ ଆକ୍ରାନ୍ତ। ତେବେ ଏତେ ସବୁ ସତ୍ତ୍ୱେ ଦିନେ ବି ଥକି ନପଡି ଏବେ ଶୁଭଲକ୍ଷ୍ମୀ ସ୍ୱାମୀ ଓ ପୁଅର ସେବାରେ ନିଜକୁ ସମର୍ପି ଦେଇଛନ୍ତି।

ପକ୍ଷପାତ କାରଣରୁ ବଡ ପୁଅ ନା ଠିକ୍ ସେ ଚାଲି ପାରେ ନା ନିଜ କାମ କରିପାରେ। ତେଣୁ ଏ ବୟସରେ ବି ସେ ତାଙ୍କର ସାହାରା ସାଜିଛନ୍ତି। ପୁଅର ସବୁ କାମ ସେ ନିଜ ହାତରେ କରୁଛନ୍ତି। ଖାଲି ପୁଅ ନୁହେଁ ସ୍ୱାମୀଙ୍କର ବି ସେ ମା’ ଭଳି ସେବା କରନ୍ତି। ତାଙ୍କୁ ତେଲ ଲଗେଇ ଗାଧୋଇ ଦିଅନ୍ତି, ନିଜ ହାତରେ ଖୁଆଇ ଦିଅନ୍ତି, ହାତ-ମୁହଁ ଧୋଇ ଦିଅନ୍ତି ଆଉ ପୋଛି ବି ଦିଅନ୍ତି। ଏତେ ସବୁ ପରେ ବି ତାଙ୍କ ମନରେ ଟିକେ ଦୁଃଖ ନାହିଁ। ସେ ହସି ହସି ନିଜ ଜୀବନକୁ ଜୀଇ ଯାଆନ୍ତି।

ଡି.ଶୁଭଲକ୍ଷ୍ମୀଙ୍କ ପରିବାର କହିଲେ ସ୍ୱାମୀଙ୍କ ସହ ଦୁଇ ପୁଅ। ସେମାନେ ଜୟପୁର ବ୍ଲକ୍‌ ଅନ୍ତର୍ଗତ ବ୍ରାହ୍ମଣି ଗାଁରେ ରୁହନ୍ତି। ପୂର୍ବରୁ ସ୍ୱାମୀ ଜମିରେ ଚାଷ କରି ପରିବାର ପରିପୋଷଣ କରୁଥିଲେ। ବୟସାଧିକ କାରଣରୁ ସେ ଏବେ ଶଯ୍ୟାସାୟୀ। ସେପଟେ ତିନି ଜଣ ପୁଅ ମଧ୍ୟରୁ ବଡ ପୁଅ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏବେ ଆଉ ଦୁଇ ପୁଅଙ୍କ ମଧ୍ୟରୁ ଜଣେ ଦୀର୍ଘ ୧୦ ବର୍ଷରୁ ଅଧିକ ଦିନ ହେବ ପକ୍ଷପାତ ରୋଗରେ ଆକ୍ରାନ୍ତ।

ଏତେ ସବୁ ଦୁଃଖ କଷ୍ଟରେ ବି ଦିନେ ଥକି ନ ପଡି ଶୁଭଲକ୍ଷ୍ମୀ ସ୍ୱାମୀ ଓ ପୁଅର ସେବା କରି ଚାଲିଛନ୍ତି, ଯାହାକି ଶ୍ରେଷ୍ଠ ମାତୃତ୍ୱର ନିଛକ ନିଦର୍ଶନ। ସାନ ପୁଅ ବିଭିନ୍ନ ସ୍ଥାନକୁ ଯାଇ କୁଲି କାମ କରି ପରିବାର ପରିପୋଷଣ କରୁଛନ୍ତି, ଯାହାକି ୪ ପ୍ରାଣୀ କୁଟୁମ୍ବକୁ ନିଅଣ୍ଟ।

(ରିପୋର୍ଟ: ଜୟପୁରରୁ ଟି. ଗୌରୀ ଶଙ୍କର)

Mother’s Day 2022
Advertisment
Advertisment