ମା’ ଏକ ଶବ୍ଦ ନୁହେଁ, ଏହା ଏକ ଶିହରଣ। ରକ୍ତର ପ୍ରତି ବିନ୍ଦୁର ଗୋଟିଏ ଗୋଟିଏ ପୁଲକ। ଏହା ଏମିତି ଏକ ସଂପର୍କ ଯାହା ସବୁ ସଂପର୍କରୁ ଊର୍ଦ୍ଧରେ। ମା’ର ତ୍ୟାଗର ମୂଲ୍ୟକୁ କୌଣସି ସନ୍ତାନ ବି ପୂରଣ କରି ପାରେନା। ଏହା ଏଇଥିପାଇଁ ଏତେ ମୂଲ୍ୟବାନ ସଂପର୍କ ଜଣେ ମା’ର ନିଜ ସନ୍ତାନ ପ୍ରତି ଥିବା ଅସୀମ ପ୍ରେମ, ସମର୍ପଣ ଆଗରେ ଆଉ କିଛି ବି ଗୁରୁତ୍ୱପୂର୍ଣ୍ଣ ହୋଇ ନଥାଏ।
ପିଲାଟି ଜନ୍ମ ହେବା ଦିନଠାରୁ, ମା’ ତା’ର ସୁରକ୍ଷା କବଚ ହୋଇ ରହିଥାଏ। ସେଥିପାଇଁ ତ କୁହାଯାଏ- ରକ୍ଷା କରିବା ପାଇଁ ଈଶ୍ୱର ସବୁବେଳେ ଆସିପାରିବେ ନାହିଁ, ତେଣୁ ପାଖରେ ମା’କୁ ଦେଇଛନ୍ତି। ମା’ ନିଜ ପିଲାର ବ୍ୟକ୍ତିତ୍ୱକୁ ଏମିତି ତିଆରି କରେ ଯେ ସେ ଯେପରି ଜୀବନର ସମସ୍ତ ଅସୁବିଧାକୁ ମୁକାବିଲା କରିପାରିବ। ଏନେଇ ମା’ର ଏହି ତ୍ୟାଗକୁ ମନେପକେଇବା ନେଇ ପ୍ରତିବର୍ଷ ପାଳନ ହେଉଛି ‘ମାତୃ ଦିବସ’।
Also Read
ତାରିଖ:
ମାତୃ ଦିବସ ବିଶ୍ୱର ଅନେକ ଦେଶରେ ପାଳନ କରାଯାଏ। ଏହା କିନ୍ତୁ ସବୁ ଦେଶରେ ସମାନ ଦିନରେ ପାଳନ କରାଯାଏ ନାହିଁ। ଅନେକ ଦେଶରେ ଏହା ମେ ମାସର ଦ୍ୱିତୀୟ ରବିବାରରେ ପାଳନ କରାଯାଏ। ଏହିପରି ଗୋଟିଏ ଦେଶ ହେଉଛି ଭାରତ। ଚଳିତ ବର୍ଷ ମେ ୮କୁ ସମସ୍ତ ଭାରତୀୟ ମାତୃ ଦିବସ ଭାବେ ପାଳନ କରୁଛନ୍ତି।
ଇତିହାସ ଓ ଏହାର ମହତ୍ତ୍ୱ:
ସବୁ ମା’ଙ୍କ ପାଇଁ ମାତୃ ଦିବସ ଏକ ବିଶେଷ ଦିନ, ଯାହାର ଅବଦାନକୁ ଅନେକ ସମୟରେ ଅଣଦେଖା କରାଯାଏ। ଏହି ଦିନ ହେଉଛି ନିଜ ସଫଳତାରେ ମା’ର ଅବିସ୍ମରଣୀୟ ଏବଂ ନିସ୍ୱାର୍ଥପର ଅବଦାନକୁ ସ୍ୱୀକାର କରିବା। ଏନେଇ ସେମାନଙ୍କ ପାଖରେ କୃତଜ୍ଞତା ପ୍ରକାଶ କରିବାର ଏହି ଦିନ।
ମା’ମାନଙ୍କ ପାଇଁ ଭାରତୀୟ ସଂସ୍କୃତି ସର୍ବଦା ଏକ ବିଶେଷ ସ୍ଥାନ ଦେଇଆସୁଥିବାବେଳେ ‘ମାତୃ ଦିବସ’ ପାଳନ କରିବାର କଳ୍ପନା ପ୍ରଥମେ ୧୯୦୦ ମସିହାରେ ଆସିଥିଲା। କୁହାଯାଏ ଯେ ୧୯୦୮ ମସିହାରେ ଆମେରିକାର ଆନ୍ନା ଜାର୍ଭିସ୍ ନାମକ ଜଣେ ମହିଳା, ଯାହାଙ୍କ ମା’ ୩ ବର୍ଷ ପୂର୍ବେ ଦେହାନ୍ତ ହୋଇଥିଲେ, ତାଙ୍କ ସ୍ମୃତିରେ ମାତୃ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। କିଛି ବର୍ଷ ମଧ୍ୟରେ ଆମେରିକାର ଅନ୍ୟାନ୍ୟ କ୍ଷେତ୍ରରେ ଏହି ଦିନକୁ ପାଳନ କରାଗଲା। ୧୯୧୪ରେ, ଆମେରିକାର ରାଷ୍ଟ୍ରପତି ୱୁଡରୋ ୱିଲ୍ସନ୍ ଏହାକୁ ଏକ ଜାତୀୟ ଛୁଟି ଘୋଷଣା କରିଥିଲେ।
କିପରି ହୁଏ ପାଳନ:
ଯେହେତୁ ଏହି ଦିନଟିକୁ ସାରା ବିଶ୍ୱରେ ପାଳନ କରାଯାଉଛି, ଲୋକମାନେ ନିଶ୍ଚିତ କରିବାକୁ ଚେଷ୍ଟା କରନ୍ତି ଯେ ସେମାନଙ୍କ ମା’ ଖୁସିରେ ଅଛନ୍ତି ଏବଂ ତାଙ୍କ ଜୀବନକୁ ଖୁବ ଉପଭୋଗ କରୁଛନ୍ତି। ଏନେଇ ପିଲାମାନେ ତାଙ୍କ ମା’ଙ୍କୁ ଉପହାର ଦେଇ ଆଶ୍ଚର୍ଯ୍ୟ କରନ୍ତି କିମ୍ବା ରାତ୍ରିଭୋଜନ ପାଇଁ ବାହାରକୁ ନେଇ ଯାଆନ୍ତି କିମ୍ବା ଘରେ ତାଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟ ତିଆରି କରନ୍ତି।