ଦୁର୍ଗା ପୂଜା ବା ନବରାତ୍ରୀ ହିନ୍ଦୁମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ନବରାତ୍ରୀ ଅବସରରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଏ। ନବରାତ୍ରୀ ଅର୍ଥ ନଅ ରାତି, ଯେଉଁଥିରେ ନଅ ପ୍ରକାରର ଦୁର୍ଗାଙ୍କୁ ପୂଜା କରାଯାଏ। ଭାରତ ବ୍ୟତୀତ ଏହା ନେପାଳରେ ମଧ୍ୟ ପାଳନ କରାଯାଏ। ଦୁର୍ଗା ପୂଜା କୁ ନେଇ ବିଭିନ୍ନ ଲୋକଙ୍କର ବିଭିନ୍ନ ବିଶ୍ୱାସ ରହିଛି।
ତେବେ ଶାରଦୀୟ ନବରାତ୍ରୀ ପିତୃ ପକ୍ଷର ଶେଷ ଦିନ ଅର୍ଥାତ୍ ସର୍ବ ପିତୃ ଅମାବାସ୍ୟାର ପରଦିନରୁ ଆରମ୍ଭ ହୁଏ। ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀଙ୍କୁ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗାଙ୍କ ପୂଜା କରାଯାଏ। ତେବେ ଆସନ୍ତୁ ଜାଣିନେବା ଏହି ନବଦୁର୍ଗାଙ୍କ ମହତ୍ୱ ବିଷୟରେ।
ଶୈଳପୁତ୍ରୀ:

Also Read
ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ। ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ। ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି।
ବ୍ରହ୍ମଚାରିଣୀ:

ନବରାତ୍ରର ଦ୍ୱିତୀୟ ଦିବସରେ ବ୍ରହ୍ମଚାରିଣୀ ସ୍ୱରୂପରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ। ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ କରି ଆରାଧନା କରିଥାନ୍ତି।
ଚିତ୍ରଘଣ୍ଟା:

ନବରାତ୍ରର ତୃତୀୟ ଦିନରେ ଦେବୀ ଚିତ୍ରଘଣ୍ଟା ପୂଜା ପାଆନ୍ତି। ଏହି ରୂପକୁ ଚନ୍ଦ୍ରଘଣ୍ଟା ମଧ୍ୟ କୁହାଯାଏ। ଏହା ଦେବୀଙ୍କ ଉଗ୍ରରୂପ। ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ ହୋଇଥାଏ। ଏହିଦିନ ମଣିପୁର ଚକ୍ରରେ ଧ୍ୟାନ ରଖି ଆରାଧନା କରାଯାଏ।
କୁଷ୍ମାଣ୍ଡା:

ପୌରାଣିକ ମତେ ଦେବୀଙ୍କ ହସରୁ ଏ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି। ଏହି ରୂପରେ ଦେବୀ ଅଷ୍ଟଭୂଜା ହୋଇ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି। ନବରାତ୍ରର ଚତୁର୍ଥ ଦିନରେ ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ରଖି କୁଷ୍ମାଣ୍ଡାଙ୍କୁ ଆରାଧନା କରିଥାନ୍ତି।
ସ୍କନ୍ଦମାତା:

ନବରାତ୍ର ପଞ୍ଚମ ଦିନରେ ଦେବୀଙ୍କୁ ସ୍କନ୍ଦମାତା ସ୍ୱରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମା’ ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ରୂପ ଧାରଣ କରି ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଏହି ରୂପରେ ମା’ ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି। ଏହି ଦିନ ବିଶୁଦ୍ଧି ଚକ୍ରରେ ଧ୍ୟାନ କଲେ ଶୁଭ ଫଳ ମିଳିଥାଏ।
କାତ୍ୟାୟନୀ:

ନବରାତ୍ରର ଷଷ୍ଠ ଦିବସରେ ଦେବୀଙ୍କୁ କାତ୍ୟାୟନୀ ରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ରହିଥିଲା। ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁ ନଥିବା କନ୍ୟାମାନେ ଏହି ଦିନ ଆଜ୍ଞାଚକ୍ର ଧ୍ୟାନ କରି ଦେବୀ ଉପାସନା କଲେ ପତି ମିଳିଯାଆନ୍ତି ବୋଲି ବିଶ୍ୱାସ ରହିଛି।
କାଳରାତ୍ରୀ:

ନବରାତ୍ରର ସପ୍ତମ ଦିନରେ ଦେବୀଙ୍କୁ କାଳରାତ୍ରୀ ରୂପେ ପୂଜା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ। ଏହି ରୂପରେ ଦେବୀଙ୍କ ତିନି ଆଖି, ଶରୀରର ରଙ୍ଗ ଅନ୍ଧକାର ଭଳି ଗାଢ଼ କଳା, ଚତୁର୍ଭୁଜା ଦେବୀ ଗଧ ଉପରେ ବସି ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ଏହି ଦିନ ଭକ୍ତମାନେ ଦେବୀଙ୍କୁ ବିନ୍ଦୁ ଚକ୍ରରେ ଧ୍ୟାନ ରଖି ଆରାଧନା କରିଥାନ୍ତି
ମହାଗୌରୀ:

ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ରଙ୍ଗ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ଧ୍ୟାନ ପାଇଁ ସହସ୍ରାହାର ଚକ୍ରର ବ୍ୟବହାର କରାଯାଏ।
ସିଦ୍ଧିଦାତ୍ରୀ:

ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ର ସମ୍ପୂର୍ଣ୍ଣ ହୋଇଥାଏ।