• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଟକ ଦୁର୍ଗାପୂଜାରେ ଗୋଟେ ଅଲଗା ପରିଚୟ ରହିଛି । କହିବାକୁ ଗଲେ ଆମ ରାଜ୍ୟରେ ଦୁର୍ଗାପୂଜା ମାନେ କଟକର ଦୁର୍ଗାପୂଜା । ବଙ୍ଗାଳିମାନେ ଆସି କଟକରେ ପ୍ରଥମେ ଦୁର୍ଗାପୂଜା ଆରମ୍ଭ କରିଥିଲେ ପ୍ରାୟ ୫ ଶହ ବର୍ଷ ପୂର୍ବେ । ଆଉ ଏଇ ୫ ଶହ ବର୍ଷ ଭିତରେ କଟକ ଦୁର୍ଗାପୂଜାର ରୂପ ବଦଳିଛି, ବଦଳିଛି କଳେବର । ନିରାଡ଼ମ୍ବର ଆୟୋଜନଠାରୁ ଆରମ୍ଭ କରି ଆଜି ଚାନ୍ଦି ମେଢ଼ ସୁନା ମେଢ଼ ପ୍ରସିଦ୍ଧି ଲାଭ କରିଛି । କଟକରେ ଏବେ ୩୧ଟି ମଣ୍ଡପରେ ମାଆଙ୍କ ଚାନ୍ଦି ମେଢ଼ କରାଯାଉଛି ।

ଦୁର୍ଗାପୂଜା ଆୟୋଜନ ପାଇଁ କଟକ ବେଶ୍ ଚଳଚଞ୍ଚଳ । ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୂର୍ତ୍ତି ଗଢ଼ିବାଟାରୁ ଆରମ୍ଭ କରି ମେଢ଼ ତିଆରି ଯାଏ, ସବୁ କିଛି ଜୋରସୋରରେ ଆଗେଇ ଚାଲିଛି । କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ଦୁର୍ଗାପୂଜାକୁ ନେଇ କଟକର ସ୍ୱତନ୍ତ୍ର ପରିଚୟ ରହିଛି ।

ପ୍ରାୟ ୫ ଶହ ବର୍ଷ ପୂର୍ବେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । କୁହାଯାଏ ପ୍ରଥମେ ବାଲୁବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ୧୫୦୯ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା । ଶ୍ରୀ ଚୈତନ୍ୟ ଦେବ ଏଠାରେ ଘଟ ସ୍ଥାପନ କରି ଦୁର୍ଗାପୂଜା ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ସହିତ କିଛି ବାନାର୍ଜୀ ବ୍ରାହ୍ମଣ ପରିବାର ଆସି ଏଠାରେ ରହି ପୂଜା କରିଥିଲେ । ଆଜି ପର୍ଯ୍ୟନ୍ତ ତାହା ବଜାୟ ରହିଛି।

ବାଲୁ ବଜାର ବିନୋଦ ବିହାରୀ ମଣ୍ଡପର ସ୍ୱତନ୍ତ୍ରତା ହେଲା-ଏଠାରେ ଯେଉଁ ବ୍ରାହ୍ମଣ ପୂଜା କରନ୍ତି, ସେ ହିଁ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରନ୍ତି । ଏବେ ବି ଚାଲି ଆସିଛି ସେହି ନିଆରା ପରମ୍ପରା ।

ସେହିପରି କଟକ ମାଛୁଆବଜାର ସର୍ପାଦୁର୍ଗା ମଣ୍ଡପରେ ୧୭୫୨ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା । କଲିକତାର ଜମିଦାର ସ୍ୱରୂପ ଚନ୍ଦ୍ର ଦାସ ଏଠାରେ ପୂଜା ଆରମ୍ଭ କରିଥିଲେ । ଏଠାକାର ଭସାଣରେ ରହିଛି ନିଆରା ପରମ୍ପରା । ଭସାଣରେ ମାଆ ଦୁର୍ଗାଙ୍କୁ କୋକେଇରେ ସଜେଇବା ଭଳି ଖଇ କଉଡି ବିଞ୍ଚି ବିସର୍ଜନ କରାଯାଇଥାଏ ।

ଆଉ ଏକ ପୁରୁଣା ପୂଜା ମଣ୍ଡପ ହେଲା କଟକ ବକ୍ସିବଜାର ଦୁର୍ଗାପୂଜା ସମିତିର ବୀଣାପାଣି କ୍ଲବ୍ ମଣ୍ଡପ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ ୧୮୮୮ ମସିହାରେ ଏଠାରେ ପୂଜା ଆରମ୍ଭ କରିଥିଲେ । ଚୌଧୁରୀ ବଜାର ଓ ଶେଖ୍ ବଜାର ପୂଜା ମଣ୍ଡପ ବି ବେଶ ପୁରୁଣା । ୧୮୭୫ ମସିହାରେ ପ୍ରଥମେ ହରପାର୍ବତୀ ଓ ପରେ ୧୯୦୨ ମସିହାରୁ ଏଠାରେ ଦୁର୍ଗା ପୂଜା ପାଇ ଆସୁଛନ୍ତି । କଟକର ଚୌଧୁରୀ ବଜାର ପୂଜା ମଣ୍ଡପ ପ୍ରଥମେ ମାଆଙ୍କ ପାଇଁ ଚାନ୍ଦି ମେଢ଼ କରିଥିଲେ । ତା’ପରେ ଶେଖ୍ ବଜାରରେ ମଧ୍ୟ କରାଯାଇଥିଲା ଚାନ୍ଦି ମେଢ଼ ।

ସମୟ ସହିତ ବଦଳିଛି ପୂଜା ଆୟୋଜନର ଧାରା । କେବଳ ଜରି ଓ କାଗଜ ସାଜସଜ୍ଜାରୁ ଆରମ୍ଭ ହୋଇ ଆଜି ତାହା ପହଞ୍ଚିଛି ଚାନ୍ଦି ମେଢ଼, ସୁନା  ମେଢ଼ରେ । ମେଢ଼ କେମିତି ଆକର୍ଷଣୀୟ ହେବ, ତାକୁ ନେଇ ଆଜି ବିଭିନ୍ନ ପୂଜା କମିଟି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ହେଉଛି । ଏବର୍ଷ କଟକରେ ମୋଟ ୧୭୦ ପୂଜା ମଣ୍ଡପରେ ମାଆ ଦୁର୍ଗା ପୂଜା ପାଇବେ । ୩୧ଟି ମଣ୍ଡପରେ ଚାନ୍ଦି ମେଢ଼ ହେବ ।

  • Reported by:
  • PRAVAT BISOI