• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନବମ ଓ ଦଶମ ଶ୍ରେଣୀରେ ଲାଗୁ ହେଲା ସଂସ୍କାର ମୂଳକ ପଦକ୍ଷେପ ।

  • ଉଭୟ ଶ୍ରେଣୀରେ ୪ଟି ଲେଖାଏଁ ଫର୍ମେଟିଭ ଓ ୨ଟି ଟର୍ମ ଏଣ୍ଡ ପରୀକ୍ଷା ହେବ ।

  • ଅର୍ଥାତ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍‌ରେ ଅନୁଷ୍ଠିତ ହେବ ଦୁଇଟି ବୋର୍ଡ ପରୀକ୍ଷା । 

ନବମ ଓ ଦଶମ ଶ୍ରେଣୀରେ ଲାଗୁ ହେଲା ସଂସ୍କାର ମୂଳକ ପଦକ୍ଷେପ । ଉଭୟ ଶ୍ରେଣୀରେ ୪ଟି ଲେଖାଏଁ ଫର୍ମେଟିଭ ଓ ୨ଟି ଟର୍ମ ଏଣ୍ଡ ପରୀକ୍ଷା ହେବ । ଅର୍ଥାତ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍‌ରେ ଅନୁଷ୍ଠିତ ହେବ ଦୁଇଟି ବୋର୍ଡ ପରୀକ୍ଷା । ଏ ବର୍ଷ କରୋନା ଯୋଗୁଁ ଆଦୌ ପରୀକ୍ଷା ହୋଇ ନପାରିବାରୁ ଯେଭଳି ସମସ୍ୟା ଉପୁଜିଥିଲା । ସେଥିରୁ ବୁଦ୍ଧି ଶିଖି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ, ସିବିଏସ୍ଇ ଭଳି ଢାଞ୍ଚା ଆପଣାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ବିଳମ୍ବରେ ହେଲେ ବି ଚେତିଲା ବୋର୍ଡ । ସିବିଏସ୍ଇ ଭଳି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଏଥର ମାଟ୍ରିକ୍‌ରେ ଦୁଇ ଦୁଇଟି ବୋର୍ଡ ପରୀକ୍ଷା କରିବ । ନବମ ଶ୍ରେଣୀ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛି ପରୀକ୍ଷା ପଦ୍ଧତି । କରୋନା ମହାମାରୀ ପାଇଁ ଚଳିତ ଶିକ୍ଷା ବର୍ଷରେ ଏଭଳି ସଂସ୍କାର ମୂଳକ ପଦକ୍ଷେପ ନେଇଛି ବୋର୍ଡ । ଶିକ୍ଷା ବର୍ଷ ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ଶେଷ ହେବ । ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି । ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଏବଂ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ୍ । ପ୍ରତି ଟର୍ମରେ ଦୁଇଟି ଲେଖାଏଁ ୨୦ ମାର୍କ ବିଶିଷ୍ଟ ଫର୍ମେଟିଭ ଆସେସମେଣ୍ଟ ବା ବିଷୟ ଭିତ୍ତିକ ମୂଲ୍ୟାୟନ ରହିବ ।

ସେପ୍ଟମ୍ବର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ, ଜାନୁଆରୀ ଦ୍ୱିତୀୟ ଏବଂ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଫର୍ମେଟିଭ୍ ଆସେସ୍ମେଣ୍ଟ କରାଯିବ । ସେହିପରି ଉଭୟ ନବମ ଓ ଦଶମରେ ଦୁଇଟି ଟର୍ମ ଏଣ୍ଡ ପରୀକ୍ଷା ହେବ । ପ୍ରଥମ ଟର୍ମ ଏଣ୍ଡ ପରୀକ୍ଷା ନଭେମ୍ବର ଏବଂ ଦ୍ୱିତୀୟ ଟର୍ମ ଏଣ୍ଡ ଏପ୍ରିଲରେ ହେବାକୁ ସ୍ଥିର କରାଯାଇଛି । କେବଳ ଦଶମ ଶ୍ରେଣୀର ଦୁଇଟି ଯାକ ଟର୍ମ ପରୀକ୍ଷା ବୋର୍ଡ ପରିଚାଳନା କରିବ । ଏପରିକି ଖରାପ ପରିସ୍ଥିତିରେ ଘରେ ରହି ପରୀକ୍ଷା ଦେଇ ପେପର ସବମିଟ୍ କରିବା ବ୍ୟବସ୍ଥା ବି ରହିଛି ।

ଦୁଇ ବର୍ଷ ହେବ କରୋନା ପାଇଁ ପରୀକ୍ଷା ପ୍ରଭାବିତ ହୋଇଛି । ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୭.୮୯ ପ୍ରତିଶତ ଥିବାବେଳେ ବିନା ପରୀକ୍ଷାରେ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ପିଲା ଅସନ୍ତୋଷ ପ୍ରକାଶ କରିଥିଲେ । ଏଥର କିନ୍ତୁ ଏଭଳି ସମସ୍ୟାର ମୁକାବିଲା ଲାଗି ନବମ ଶ୍ରେଣୀରୁ ହିଁ ମୂଲ୍ୟାୟନକୁ ବ୍ୟବସ୍ଥିତ ଢଙ୍ଗରେ କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ । ଯଦି ମହାମାରୀ ଲାଗି ବୋର୍ଡ ପରୀକ୍ଷା ବାତିଲ ହୁଏ ତେବେ ନିଜ ସ୍କୁଲ୍‌ରେ ପିଲା ଦେଇଥିବା ଯେକୌଣସି ପରୀକ୍ଷା ରେଜଲ୍ଟ ଆଧାରରେ ମୂଲ୍ୟାୟନ ହୋଇପାରିବ । ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରଭାବିତ ହେବ ନାହିଁ । ଏଭଳି ନିଷ୍ପତ୍ତି ଫଳରେ ଏବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।

ସ୍କୁଲ୍‌ଗୁଡ଼ିକ ପରୀକ୍ଷା କରିବା ପରେ ବୋର୍ଡ ୱେବସାଇଟ୍‌ରେ ତାକୁ ଅପ୍‌ଲୋଡ କରିବେ । ଯାହାଫଳରେ ପିଲାମାନଙ୍କର ନବମ ଓ ଦଶମ ଶ୍ରେଣୀର ରେକର୍ଡ ରହିପାରିବ । ସେହିପରି ପରୀକ୍ଷା ଆଦୌ ହୋଇନପାରିଲେ ସ୍କୁଲ୍‌ର ୫ ବର୍ଷର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମାର୍କ ଦିଆଯିବାର ବ୍ୟବସ୍ଥା କରିଛି ବୋର୍ଡ । ଏବେ ଦେଖିବାର କଥା, ଯୁକ୍ତ ଦୁଇ ଲାଗି ଏଭଳି ବ୍ୟବସ୍ଥା କେବେ ଲାଗୁ ହେଉଛି ।