• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ପରୀକ୍ଷା ସମୟ ପାଖେଇ ଆସିଲା ମାନେ ପ୍ରତ୍ୟେକ ଛାତ୍ର-ଛାତ୍ରୀଙ୍କର ଚିନ୍ତା, ଉଦ୍‌ବେଗ ବଢିଯାଏ। ଆଉ ଏସବୁ ଅନେକ ସମୟରେ ଠିକ ପରୀକ୍ଷା ପୂର୍ବରୁ ମୁଣ୍ଡ ବିନ୍ଧା, ପତଳା ଝାଡା, ଜ୍ୱର, ପେଟ କାଟିବା, ଅନିଦ୍ରା ଓ ଗୋଡ଼ହାତ ଘୋଳାବିନ୍ଧା ଭଳି ସମସ୍ୟା ସୃଷ୍ଟି କରିଥାଏ। କିଛି କିଛି ପିଲାଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଓ ମୂର୍ଚ୍ଛା ହେବା ସମସ୍ୟା ମଧ୍ୟ ଦେଖାଯାଇଥାଏ। କିନ୍ତୁ ଥରେ ଭାବିକି ଦେଖିଲ ପିଲାଏ, ଠିକ୍ ପରୀକ୍ଷା ପୂର୍ବରୁ ଯଦି ତୁମେମାନେ ଏମତି ସ୍ୱାସ୍ଥ୍ୟ ବା ଦେହ ଖରାପ କରି ବସିବ ତା'ହେଲେ ତମର ବର୍ଷ ସାରାର ପରିଶ୍ରମର କ'ଣ ମୂଲ୍ୟ ରହିବ?

ସେଥିପାଇଁ ପରୀକ୍ଷା ପୂର୍ବରୁ ସବୁଠାରୁ ମୁଖ୍ୟ କଥା ହେଲା ନିଜ ମାନସିକ ସ୍ଥିତିକୁ ଠିକ୍ ରଖିବା, ଯାହା ଆମର ଶରୀରକୁ ମଧ୍ୟ ଠିକ୍ ରଖିବ ଓ ଆମକୁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ।

ପିଲାମାନେ, ତୁମେ କେତୋଟି ଛୋଟ ଛୋଟ କଥାକୁ ଧ୍ୟାନ ରଖିଲେ ପରୀକ୍ଷା ପୂର୍ବରୁ ନିଶ୍ଚୟ ନିଜକୁ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖିପାରିବ ଓ ପରୀକ୍ଷାରେ ନିଜ ପରିଶ୍ରମ ଓ ମନମୁତାବକ ଫଳ ପାଇପାରିବ। ତା' ହେଲେ ଚାଲ ସେଇ ଛୋଟ ଛୋଟ କଥାଗୁଡିକ କ'ଣ ସେ ଉପରେ ଆଲୋଚନା କରିବା:

ପଢିବା ପାଇଁ ବାତାବରଣ:

ତୁମକୁ ଯେଉଁ ଜାଗାରେ ବସି ପଢିବାକୁ ସବୁଠାରୁ ସହଜ ଓ ଭଲ ଲାଗୁଛି ସେଇ ଜାଗାଟିକୁ ବାଛ। କିଛି ଜଣ ନିଚ୍ଛାଟିଆ, ଏକାନ୍ତରେ ବସି ପଢନ୍ତି ତ କିଏ ଲାଇବ୍ରେରୀରେ କି ପାର୍କରେ କିମ୍ବା ଛାତ ଉପରେ, କିଏ ଟେବଲ-ଚେୟାରରେ ତ କିଏ ସପ କିମ୍ବା ଜରି ପାରି। ତୁମେ ନିଜକୁ ଯେଉଁଠି ସବୁଠୁ ସହଜ ଓ ସୁରକ୍ଷିତ ମନେକର ସେଇଠି ବସି ପଢ। ଜରୁରୀ ନୁହେଁ ପଢିବା ବେଳେ "ପିନ୍-ଡ୍ରପ୍‌ ସାଇଲେନ୍ସ" ରହିବା ଦରକାର। ତୁମେ ମ୍ୟୁଜିକ୍‌ କିମ୍ବା ରେଡ଼ିଓ କିମ୍ବା କୌଣସି ଖେଳର କମେଣ୍ଟ୍ରି ଶୁଣିଶୁଣି ମଧ୍ୟ ନିଜ ପଢା ପୂରାକରି ପାରିବ। ମନ ପସନ୍ଦର ଜାଗା ନ ହେଲେ ତୁମ ମନ ଅଶାନ୍ତ, ବିଚଳିତ, ଚିଡ୍‌ଚିଡା ଲାଗିବା ସହ ସ୍ମୃତି ଶକ୍ତି ଉପରେ କୁପ୍ରଭାବ ପକାଇବ। ପଢିବା ପାଇଁ ସଠିକ୍ ଜାଗା ବାଛିବା ହିଁ ଜଣେ ଛାତ୍ରର ପଢାକୁ ଶୃଙ୍ଖଳିତ ଓ ଉପଯୋଗୀ କରିଥାଏ।

ନିଜ ପାଇଁ ସମୟ ବାହାର କର ଓ ମନ ଖୁସି ରଖ:

ପରୀକ୍ଷଣରେ ଦେଖାଯାଇଛି ଯେ ଏକାଗ୍ର ଚିତ୍ତ ବା ଠିକ୍ ମନ-ଧ୍ୟାନ ଦେଇ ଯଦି ଜଣେ ଦିନକୁ ୮-୧୦ ଘଣ୍ଟା ବି ପାଠ ପଢେ, ତାହା ଯଥେଷ୍ଟ। ପଢିବା ପାଇଁ ଦିନ-ରାତି ବହି ପୃଷ୍ଠାକୁ ଚାହିଁ ରହିବା ଦରକାର ନାହିଁ। ପରୀକ୍ଷା ପୂର୍ବରୁ ନିଜ ମନକୁ ପ୍ରଫୁଲ୍ଲିତ ରଖିବା ମଧ୍ୟ ନିହାତି ଜରୁରୀ। କାରଣ ଗୋଟିଏ ପ୍ରଫୁଲ୍ଲିତ ମନ ହିଁ ନୂତନ ପାଠକୁ ଭଲରେ ଗ୍ରହଣ କରିପାରେ ଓ ସ୍ମୃତିଶକ୍ତି ମଧ୍ୟ ଉନ୍ନତ ହୁଏ। ତେଣୁ ପାଠପଢା ମଝିରେ ନ୍ୟୁଜ୍‌ପେପର୍‌, ମାଗାଜିନ୍, ଅନ୍ୟ ବହି ପଢିବା ଭଲ।

ମଝିରେ ୧୦-୧୫ ମିନିଟର ବିରାମ ନେଇ ନିଜ ପସନ୍ଦର କାର୍ଟୁନ୍ କିମ୍ବା କମେଡି ଶୋ ଦେଖିବା, ଘରପାଖ ପାର୍କରେ ଚାଲିବା, ଛୋଟପିଲାଙ୍କ ଖେଳ ଦେଖିବା, ଚିତ୍ର ଆଙ୍କିବା, ଗୀତ ଶୁଣିବା, ବଗିଚାରେ ପାଣି ଦେବା ଭଳି ରିଫ୍ରେସିଙ୍ଗ୍ କାମ ତୁମ ମନକୁ ଖୁସି ରଖିବା ସହ ପାଠର ନୂତନ ଅଧ୍ୟାୟ ଆରମ୍ଭ କରିବା ଓ ବୁଝିବା ଶକ୍ତି ଉନ୍ନତ କରିବ।

ମନ କଥା କହିବା ଓ ସାହାଯ୍ୟ ନେବା:

ଏବେବି ଯଦିଓ ଆମ ସହରମାନଙ୍କରେ ଛାତ୍ରମାନଙ୍କ ମାନସିକ ସୁସ୍ଥତା ଓ ସଠିକ୍ ମାର୍ଗଦର୍ଶନ ପାଇଁ କାଉନ୍‌ସେଲିଂର ସଠିକ ବ୍ୟବସ୍ଥା ନାହିଁ, କିନ୍ତୁ ବଡବଡ ମେଟ୍ରୋ ସିଟିଜ୍ ଓ ବିଦେଶରେ ଛାତ୍ରମାନଙ୍କର ଏ ପ୍ରକାର ସାହାଯ୍ୟ ନେବା ସାଧାରଣ। ତମେମାନେ ବି ଯଦି ଅତ୍ୟଧିକ ବିଚଳିତ, ଚିନ୍ତିତ ଅନୁଭବ କର କିମ୍ବା ତୁମକୁ ଅଧିକ ଡର ଲାଗୁଥାଏ, ଦୁଶ୍ଚିନ୍ତା ଆସେ, ଅସ୍ଥିର ଲାଗେ ତା' ହେଲେ ନିଜ ବାପା-ମା' କିମ୍ବା ସାଙ୍ଗମାନଙ୍କ ସହ କଥାହୋଇ ସାହାଯ୍ୟ ନିଅ। ପରୀକ୍ଷା ସମୟରେ ସବୁଠାରୁ ଜରୁରୀ ହେଉଛି ତୁମର ସୁସ୍ଥ ମାନସିକ ସ୍ଥିତି। ମନ ଭଲଥିଲେ ହିଁ ପଢୁଥିବା ପାଠ ମନେରହିବ ଓ ପରୀକ୍ଷାରେ ଭଲ ରେଜଲ୍ଟ କରିହେବ।

ରାତି ଅନିଦ୍ରାରୁ ବଞ୍ଚିତ ରୁହ:

ଅନେକ ପିଲା ରାତି ଅନିଦ୍ରା ରହି ଏକାନ୍ତରେ, ଅଳ୍ପ ଆଲୋକରେ ପଢନ୍ତି, କିନ୍ତୁ ପରୀକ୍ଷା ପୂର୍ବରୁ ଏପରି କରିବା ମାନସିକ ସ୍ୱାସ୍ଥ୍ୟ, ସ୍ମୃତିଶକ୍ତି ଓ ଶରୀର ପାଇଁ ବିପଦଜନକ ହୋଇପାରେ। ଆଖିବ୍ୟଥା, ଦୃଷ୍ଟି ଶକ୍ତି ପ୍ରଭାବିତ ହେବା, ମୁଣ୍ଡ ବିନ୍ଧିବା ଓ ଭାରି ଲାଗିବା, ଚିଡା ଲାଗିବା, ଅଇ ଉଠେଇବା ଓ ବାନ୍ତି ହେବା, ପେଟ ଫମ୍ପେଇବା, ବଦହଜମି ଓ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଦିଏ। ଅନେକ ସମୟରେ ଡେରି ରାତିରେ ପଢିଥିବା ପାଠ ସକାଳକୁ ମନେ ରୁହେ ନାହିଁ।

ରାତିରେ କମ୍ ସମୟ ଶୋଇଥିବା କାରଣରୁ ଦିନରେ ଥକ୍କା ଲାଗିବା, ମାନ୍ଦା ଲାଗିବା, ହାଇ ଆସିବା, ଚିଡା ଲାଗି ପଢିବାକୁ ଇଚ୍ଛା ନ ହେବା ଆଦି ସମସ୍ୟା ଲାଗି ରୁହେ। ତେଣୁ ରାତିରେ ୬-୭ ଘଣ୍ଟାର ଭଲ ନିଦ୍ରା ଯାଇ ପାହାନ୍ତାରୁ ଉଠି ପଢିବା ଉଭୟ ମନ ଓ ଶରୀର ପାଇଁ ହିତକର। ସେହିପରି ରାତିରେ ନିଦ୍ରାଯିବା ଆଗରୁ ୩୦ ମିନିଟ୍‌ ଦିନସାରା ପଢିଥିବା ପାଠଗୁଡିକୁ ମନେ ପକାଇଲେ/ revise ସେସବୁ ପାଠ ଭଲ ମନେ ରୁହେ।

ଖାଦ୍ୟ ପାନୀୟର ନିୟମ:

ଅଧିକ ସମୟ ଖାଲି ପେଟରେ ରହିବା ଏବଂ ଏକାଥରେ ବହୁତ ଗୁଡା ଖାଇବା, ଉଭୟ ଶରୀର ପାଇଁ କ୍ଷତିକାରକ। ହାଲୁକା ଘର-ତିଆରି ଖାଦ୍ୟକୁ ଅଳ୍ପ ଅଳ୍ପ ମାତ୍ରାରେ ୨ -୩ ଘଣ୍ଟାରେ ଥରେ ଖାଇବା ଭଲ। ବହୁତ ଜଣ ନିଜକୁ ସଜାଗ ଓ ଅନିଦ୍ରା ରଖିବା ପାଇଁ ବିସ୍କିଟ୍, ଚିପ୍ସ, ୱାଫର୍ସ ପରି ୟାଡୁସ୍ୟାଡୁ ଜିନିଷ ଖାଉଥା'ନ୍ତି ଯାହାକି ମେଦବହୁଳତା, ଉଚ୍ଚ ରକ୍ତଚାପ, ବଦହଜମି, ବାନ୍ତି ଓ ଅବସାଦର କାରଣ ମଧ୍ୟ ହୋଇପାରେ। ତେଣୁ ମୁଡ୍ ଫ୍ରେସ୍‌ ପାଇଁ ଘରତିଆରି ଜଳଖିଆ, ବାଦାମ- ଚଣା ଭଜା, ଗଜା ମୁଗ-ବୁଟ, ଡ୍ରାଇ ଫ୍ରୁଟ୍ସ ଓ ନଟ୍ସ ପାଖରେ ରଖନ୍ତୁ।

ସେମିତି ବହୁତ ପିଲା ନିଦକୁ ଦୂର କରିବା ପାଇଁ ବାରମ୍ବାର ଚା ଓ କଫି ପିଅନ୍ତି, କିନ୍ତୁ ଏହା ପରୀକ୍ଷା ପୂର୍ବରୁ ପିଲାମାନଙ୍କର ଡିହାଇଡ୍ରେସନ୍‌ର କାରଣ ହୋଇପାରେ। ଚା' କିମ୍ବା କଫି ନ ପିଇ ତୁମେମାନେ ଅନ୍ୟ ହେଲ୍ଥ ଡ୍ରିଙ୍କ୍ସ, ସୁପ୍, ଜିଞ୍ଜର-ତୁଳସୀ ଟି ଆଦି ନେଇପାରିବେ। ଆଉ ନିଜକୁ ହାଇଡ୍ରେଟେଡ୍ ରଖିବା ପାଇଁ ବାରମ୍ବାର ଗ୍ଲାସ୍‌ ଗ୍ଲାସ୍‌ ପାଣି ପିଇବା ଦରକାର ନାହିଁ। ପ୍ରତି ଘଣ୍ଟାରେ କିଛି ଢୋକ ପାଣି ଯଥେଷ୍ଟ। ସେମିତି ବିଲକୁଲ ଖାଇବା ପିଇବା ଛାଡି ପଢିଲେ ବି ଶରୀରରେ ଆବଶ୍ୟକତା ଅନୁସାରେ ଶର୍କରା ଓ ଶକ୍ତିର ଅଭାବ କାରଣରୁ ଚିଡାଲାଗି ପାଠପଢାରେ ମନ ଲାଗେନି ଏବଂ ପଢିଥିବା ପାଠ ମନେ ମଧ୍ୟ ରୁହେ ନାହିଁ।

ନୂତନ ବହି ବା ଅଥର କିମ୍ବା ନୂତନ ଶିକ୍ଷକ ବାଛନ୍ତୁ ନାହିଁ:

ହଠାତ କରି ପରୀକ୍ଷା ପୂର୍ବରୁ ନୂଆ ଅଥରଙ୍କ ନୂଆ ବହି, କିମ୍ବା ନୂଆ ଟିଚର ବାଛନ୍ତୁ ନାହିଁ। ପରୀକ୍ଷା ପୂର୍ବରୁ ବିଚଳିତ ଓ ଅଶାନ୍ତ ମନରେ ନୂତନ ଶୈଳୀ ସହ ପରିଚିତ ହୋଇ ବୁଝିବା କଷ୍ଟକର ହୋଇପଡେ ଓ ଛାତ୍ରଟିଏର ମନୋବଳ ଭାଙ୍ଗି ପାରେ।

ବାପା-ମା'ଙ୍କ ପାଇଁ:

ପରୀକ୍ଷା ଥିଲେ ଯେ କେବଳ ଛାତ୍ରଛାତ୍ରୀମାନେ ଅସ୍ଥିର, ବିଚଳିତ ହୁଅନ୍ତି ତା'ନୁହେଁ ବର° ବାପା-ମା'ମାନେ ମଧ୍ୟ ସମାନ ରୂପରେ ଚିନ୍ତାରେ ରୁହନ୍ତି। କିଛିକିଛି କ୍ଷେତ୍ରରେ ତ ସେମାନେ ଅଧିକ ଅଧୈର୍ଯ୍ୟ ଦେଖାନ୍ତି। କିନ୍ତୁ ସେମାନଙ୍କ ଏ ପ୍ରକାର ବ୍ୟବହାର ପିଲାମାନଙ୍କ ମାନସିକ ସ୍ଥିତିକୁ ଆହୁରି ଅଧିକ ପ୍ରଭାବିତ କରେ। ଅନେକ ଜାଗାରେ ପିଲାମାନେ ଏପରି ସ୍ଥିତିରେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ।

ତେଣୁ ବାପା-ମା'ମାନେ ମନେରଖିବା ଉଚିତ ଯେ ଶିକ୍ଷା କିମ୍ବା ପରୀକ୍ଷାର ଉଦ୍ଦେଶ୍ୟ କେବଳ ୯୮-୧୦୦% ସ୍କୋର୍ କରିବା ନୁହେଁ ବରଂ ସମାଜ ପାଇଁ ଜଣେ ସୁସ୍ଥ ଓ ଦାୟିତ୍ୱବାନ ନାଗରିକ ଗଢିବା ମଧ୍ୟ ହୋଇଥାଏ। ତେଣୁ ପରୀକ୍ଷାରେ ନମ୍ବର କମିଗଲେ ଛୁଆଟିକୁ ଗାଳିଗୁଲଜ, ଅପମାନିତ, ଦଣ୍ଡିତ ନ କରି ତା’ ଭିତରେ ଥିବା ଅନ୍ୟ ଗୁଣଗୁଡିକର ବିକାଶ ଉପରେ ଧ୍ୟାନ ଦିଅନ୍ତୁ। ଏହି ପରିପ୍ରେକ୍ଷୀରେ ଥରେ ଆଇନଷ୍ଟାଇନ୍ କହିଥିଲେ "Everybody is a genius. But if you judge a fish by its ability to climb a tree, it will spend its whole life believing that it is stupid.”

OTV is now on Whatsapp

Join and get latest news update delivered to you via whatsapp

Join Now