Advertisment

ଗଂଜାମ ବିଜେଡିରେ ଅନ୍ତଃକନ୍ଦଳ ଦଳକୁ ମହଙ୍ଗା ପଡୁଛି

ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳର ଫାଇଦା ବିଜେପି ନେଇଥିବା ଜଣାଯାଇଛି। ବିଜେଡି ନେତା ହର ସାହୁ ବନାମ ଲତିକା ପ୍ରଧାନଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧର ଫାଇଦା ମିଳିଛି ବିରୋଧୀଙ୍କୁ। ସେହିପରି ଟିକେଟ୍ ବଣ୍ଟନରେ ମଧ୍ୟ ଅନେକ ପୁରୁଖା ନେତାଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଗଲା।

author-image
Swadheen Kumar Raut
ଅଦ୍ୟତନ ହୋଇଛି
In the Ganjam BJD, infighting become obstacle

In the Ganjam BJD, infighting become obstacle

ରାଜ୍ୟରେ ଶଙ୍ଖଗଡ଼ ଭାବେ ପରିଚିତ ଗଂଜାମ ଜିଲ୍ଲା। ଏହି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ କରିଛନ୍ତି। ବିଜେଡି ଗଠନ ହେବାଠାରୁ ଆଜିଯାଏଁ କେବଳ ଶଙ୍ଖ ଚିହ୍ନର ହିଁ ଦବଦବା ରହି ଆସିଛି ଗଂଜାମରେ। ୧୩ଟି ବିଧାନସଭା ଏବଂ ୩ ଟି ଲୋକସଭାର କ୍ଷେତ୍ର ଆସୁଥିବା ଗଂଜାମରେ ଦୀର୍ଘ ୨୧ ବର୍ଷ ଧରି ବିଜେଡି ହିଁ ବିଜୟ ବାନା ଉଡାଇଆସୁଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ କେବଳ ସାନଖେମୁଣ୍ଡିକୁ ଛାଡିଦେଲେ ବାକି ୧୨ଟି ଆସନରେ ବିଜେଡିର ବିଧାୟକମାନେ ବିଜୟୀ ହେଇଛନ୍ତି।

Advertisment

ଗତ ପଂଚାୟତ ନିର୍ବାଚନରେ ୨ଟି ଆସନ ଛାଡିଦେଲେ ବାକି ୬୭ଟି ଆସନରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ହେଲେ ପୌର ବେଳକୁ କଥା ଟିକେ ବଦଳି ଯାଉଛି। ପଂଚାୟତ ନିର୍ବାଚନରେ ସବୁ ଗଡ଼ ଶଙ୍ଖ ଦଖଲ କରିଥିବା ବେଳେ ପୌର ନିର୍ବାଚନରେ ପ୍ରଦର୍ଶନ ଟିକେ ଖରାପ ରହିଛି। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ବିଜେଡି ପ୍ରତି ସହରୀ ଭୋଟର ଟିକେ ବିମୁଖ।

ପ୍ରଥମେ ହିଞ୍ଜିଳି କଥା ବିଚାରକୁ ନିଆଯାଉ। ହିଞ୍ଜିଳିକାଟୁ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଲଗାତର ୨୧ ବର୍ଷ ଧରି ବିଜୟୀ ହୋଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଶାସନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଜିଲ୍ଲାର ଜଣେ ବରିଷ୍ଠ ରାଜନେତା ହିଞ୍ଜିଳିରେ ଦଳୀୟ କର୍ମୀଙ୍କ ଭଲ ମନ୍ଦ କଥା ବୁଝିଥାନ୍ତି। ଏହାଛଡ଼ା କୌଣସି ରାଜନୈତିକ ବ୍ୟକ୍ତିଙ୍କ ଅପେକ୍ଷା ହିଞ୍ଜିଳିରେ ବରିଷ୍ଠ ଅମଲାଙ୍କ ହସ୍ତକ୍ଷେପ ଅଧିକ ଥିବା ଚର୍ଚ୍ଚା ହୁଏ।

Advertisment

ଏଠାରେ ଏବେ ପୂର୍ବତନ ପ୍ରଶାସକ ଶରତ ମହାପାତ୍ର ମଙ୍ଗ ଧରିଥିବା କୁହାଯାଉଛି। ଏକଦା ହିଞ୍ଜିଳିର ଇନ୍‌ଚାର୍ଜ ଭାବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳର ସଂଗଠନ କଥା ବୁଝୁଥିଲେ। ପ୍ରଦୀପଙ୍କ ପରେ ଏଠାରେ ଏକ ପ୍ରକାର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଏହା ସତ୍ୱେବି ଗତ ପୌର ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଏତେ ଖରାପ ହୋଇନି। ଏଠାରେ ଦଳ ୧୫ଟି ଆସନରେ ବିଜୟୀ ହୋଇଥିବା ବେଳେ ୪ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଏବଂ ଗୋଟିଏ ଲେଖାଏଁ ଆସନ ଉଭୟେ କଂଗ୍ରେସ ଏବଂ ବିଜେପି ହାତକୁ ଯାଇଥିଲା। ଏହାଛଡ଼ା ଚେୟାରମ୍ୟାନ ପଦ ମଧ୍ୟ ହାତେଇଛି ବିଜେଡି। ତେବେ ଏହି ନିର୍ବାଚନରେ ବିଜେପିର ଭୋଟ ସେୟାରିଂ ବଢିଛି, ଯାହାକି ବିଜେଡି ପାଇଁ ଚିନ୍ତାର କାରଣ ହୋଇପାରେ। ଏହାଛଡ଼ା ଗତ ସାଧାରଣ ନିର୍ବାଚନରେ ବିଜେପି ପୋଷ୍ଟାଲ୍‌ ବାଲାଟ୍‌ରେ ଭଲ ପ୍ରଦର୍ଶନ କରିଥିଲା

ସେହିପରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ବାଚନମଣ୍ଡଳୀ ଦିଗପହଣ୍ଡିର କଥା। ଏଠାରେ ବିଜେଡିକୁ ହରାଇ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬ ଟି କାଉନସିଲର ପଦ ମଧ୍ୟ ହାତେଇଛି। ବିଜେଡି ଏଠାରେ କେବଳ ୫ଟି ଆସନରେ ବିଜୟୀ ହୋଇଛି। ବିଜେଡି ଭିତରେ ଥିବା ଅନ୍ତଃକନ୍ଦଳ ଯୋଗୁଁ ଏଭଳି ଦଶା ହୋଇଛି। ନିର୍ବାଚନ ପୂର୍ବରୁ ଭି. ରବି ନାରାୟଣ ରାଜୁ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇ ଚେୟାରମ୍ୟାନ୍‌ ପ୍ରାର୍ଥୀ ହେବା ଦଳକୁ ମହଙ୍ଗା ପଡିଲା।

ବିଜେଡିର ପୁରୁଣା କର୍ମୀ ଅସନ୍ତୁଷ୍ଟ ହେଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ନିର୍ବାଚନୀ ମଙ୍ଗ ଧରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ବିପ୍ଲବଙ୍କ ରାଜନୈତିକ କ୍ୟାରିୟର ପାଇଁ ଏହି ପରାଜୟ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିପାରେ।

ଜିଲ୍ଲାର ସଦରମହକୁମା ଛତ୍ରପୁର। ବିଜେଡି ବନାମ ବିଜେଡି। ଗୋଟିଏ ପଟେ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନ ତ ଅନ୍ୟପଟେ ସୁବାସ ବେହେରା। ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା ବ୍ଲକ୍‌ ଚେୟାର୍‌ମ୍ୟାନ୍‌ ନିର୍ବାଚନରେ। ହଠାତ୍ କୋଭିଡ୍ ଟେଷ୍ଟ୍‌ ହେଲା ତା’ ପରେ କିଛି ସମିତିସଭ୍ୟ ପଜିଟିଭ୍ ଅଛନ୍ତି କହି ଚେୟାର୍‌ମ୍ୟାନ୍‌ ପଦବୀ ପାଇଁ ହେଉଥିବା ନିର୍ବାଚନ ବନ୍ଦ କରିଦିଅଗଲା। ପରେ ବନ୍ଦୀ ନାଟକ, ଧମକ ଚମକ ଭଳି ହାଇଡ୍ରାମା ପରେ ନିର୍ବାଚନ ହେଲା।

ଶେଷରେ ଅସନ୍ତୁଷ୍ଟ ବିଜେଡି ହାତକୁ ଗଲା ବ୍ଲକ୍‌ ଚେୟାର୍‌ମ୍ୟାନ୍‌ ପଦ। ସେହିପରି ପୌର ନିର୍ବାଚନ। ଏଠାରେ ଏନ୍‌ଏସି ଚେୟାରମ୍ୟାନ୍‌ ଭାବେ ବିଜେପିର ଶର୍ମିଷ୍ଠା ପ୍ରଧାନ ବିଜୀୟ ହୋଇଥିବା ବେଳେ କାଉନ୍‌ସିଲର୍‌ ନିର୍ବାଚନରେ କିନ୍ତୁ ବିଜେଡି ଭଲ ପ୍ରଦର୍ଶନ କରି ୧୦ଟି ସିଟ୍ ହାତେଇଛ। ଅନ୍ୟପକ୍ଷରେ ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ଗଞ୍ଜାମ ଏନ୍‌ଏସି ଚେୟାରମ୍ୟାନ୍‌ ପଦବୀ ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢୀଙ୍କ ହାତକୁ ଯାଇଥିବା ବେଳେ ରମ୍ଭା ଏନ୍‌ଏସି ଚେୟାର୍‌ମ୍ୟାନ୍‌ ପଦବୀ ବିଜେପିର ମାନସୀ ସ୍ୱାଇଁଙ୍କ ହାତକୁ ଯାଇଛି। ତେବେ ବିଜେଡି ମଧ୍ୟରେ ଲାଗି ରହିଥିବା ଅନ୍ତଃକନ୍ଦଳ ଯୋଗୁଁ ମାନସୀ ବିଜୟୀ ହେଲେ।

କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଏନ୍‌ଏସି। ଲତିକା ପ୍ରଧାନ ଏଠାକାର ବିଧାୟିକା। ପ୍ରଥମ ଥର ଏମ୍‌ଏଲ୍‌ଏ ଲତିକା। ଏଠାରେ ଚେୟାରମ୍ୟାନ୍ ଭାବେ ବିଜେପରି ସୂର୍ଯ୍ୟନାରାୟଣ ନାୟକ ବିଜୟୀ ହୋଇଥିବା ବେଳେ ବିଜେଡି ୪ଟି ଏବଂ ବିଜେପି ୮ଟି ଆସନରେ ବିଜୟୀ ହୋଇଛି। ସେହିପରି ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ତେବେ ଏଠାରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳର ଫାଇଦା ବିଜେପି ନେଇଥିବା ଜଣାଯାଇଛି। ବିଜେଡି ନେତା ହର ସାହୁ ବନାମ ଲତିକା ପ୍ରଧାନଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧର ଫାଇଦା ମିଳିଛି ବିରୋଧୀଙ୍କୁ। ସେହିପରି ଟିକେଟ୍ ବଣ୍ଟନରେ ମଧ୍ୟ ଅନେକ ପୁରୁଖା ନେତାଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଗଲା। ପୁରୁଷୋତ୍ତମପୁର ଏନ୍‌ଏସିରେ ମଧ୍ୟ ଏଥର ଚେୟାରମ୍ୟାନ୍ ପଦ ହାତେଇଛନ୍ତି ଜଣେ ସ୍ୱାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ।

ଏହା ପୂବର୍ରୁ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିତ ଗଂଜାମ ଜିଲ୍ଲାରୁ ପ୍ରଦୀପ ପାଣିଗ୍ରାହୀ, ଉଷା ଦେବୀ, ସୂର୍ଯ୍ୟନାରାୟାଣ ପାତ୍ର, ବିକ୍ରମ ଆରୁଖ ପ୍ରମୁଖ ମନ୍ତ୍ରୀ ହେଉଥିଲେ। ବର୍ତ୍ତମାନ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେବଳ ଭଞ୍ଜନଗର ବିଧାୟକ ବିକ୍ରମ ଆରୁଖ ମନ୍ତ୍ରୀ ଅଛନ୍ତି। ଦିଗପହଣ୍ଡି ନିର୍ବାଚନ ମଣ୍ଡଳିରୁ ବିଧାୟକ ହୋଇଥିବା ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଅଛନ୍ତି।

ତେବେ ଭଞ୍ଜନଗର ପଟୁ ଜଣେ ମନ୍ତ୍ରୀ ଥିବା ବେଳେ ବ୍ରହ୍ମପୁର ପଟୁ କେହି ମନ୍ତ୍ରୀ ନାହାଁନ୍ତି। ତେବେ ପ୍ରଦୀପ ପାଣିଗ୍ରାହୀ ଦଳରୁ ତଡ଼ା ଖାଇବା ପରେ ବର୍ତ୍ତମାନ ବ୍ରହ୍ମପୁର ଅଞ୍ଚଳରୁ ଜଣକୁ ମନ୍ତ୍ରୀ କରାଯାଇ ବିଗିଡିଥିବା ସନ୍ତୁଳନ ଠିକ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଦଳରେ ଥିବା ଗୋଷ୍ଠୀ କନ୍ଦଳ ଶୀଘ୍ର ସମାପ୍ତ କରା ନଗଲେ ଏହା ଆଗାମୀ ସାଧାରଣ ନିର୍ବାଚନରେ ଅଡୁଆ ସୃଷ୍ଟି କରିପାରେ।

Article
Advertisment
Advertisment