• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

୧୮୫୧ ମସିହା, ଜୁଲାଇ ୨୩ ତାରିଖରେ, ୧୨ଟି ଦେଶକୁ ନେଇ ପ୍ୟାରିସ୍‌ଠାରେ ଇଣ୍ଟର୍‌ନ୍ୟାସ୍‌ନାଲ୍ ସାନିଟାରୀ କନ୍‌ଫରେନ୍ସର (ISC) ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଧିରେଧିରେ ଏଥିରେ ଅନ୍ୟ କିଛି ଦେଶ ଯୋଡି ହୋଇଥିଲେ ଏବଂ ପାଖାପାଖି ୮୭ ବର୍ଷ, ମାନେ ୧୯୩୮ ପର୍ଯ୍ୟନ୍ତ ଏଥିରେ ଅନେକଗୁଡିଏ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯାହାକି ମୂଖ୍ୟତଃ "କଲେରା"ର କାରଣ ଓ ନିରାକରଣ ସହ ଯଡିତ ଥିଲା। କଲେରା ବା ହଇଜା ମହାମାରୀ ଊନବିଂଶ ଶତାବ୍ଦୀରେ ସବୁଠାରୁ ଅଧିକ ଚିନ୍ତାର କାରଣ ଥିଲା। କିନ୍ତୁ ସେ ସମୟ ବେଳକୁ ରୋଗର କାରଣ, ନିରାକରଣ, ଚିକିତ୍ସାକୁ ନେଇ ଉପଯୁକ୍ତ ବୈଜ୍ଞାନିକ କାରଣ, ଯୁକ୍ତି ଓ ଉପାୟର ଅଭାବ ଯୋଗୁଁ ସଠିକ ଆନ୍ତର୍ଜାତିକ ଚୁକ୍ତିନାମାରେ ପହଞ୍ଚିବା ସମ୍ଭବ ହେଉ ନଥିଲା।

୪୧ ବର୍ଷ ବ୍ୟାପି ଅନେକ ସମ୍ମିଳନୀ ପରେ, ୧୮୯୨ରେ ଭେନିସ୍ ଠାରେ ଏକ ଅନ୍ତର୍ଜାତୀୟ ଚୁକ୍ତି ସ୍ୱାକ୍ଷର ହେଲା, ଯାହା କେବଳ ସୁଇସ୍ କେନାଲ୍‌ ଦେଇ ଚଳାଚଳ କରୁଥିବା ଜାହାଜର ସାନିଟାରୀ ନିୟନ୍ତ୍ରଣ ସହ ଜଡ଼ିତ ଥିଲା। ଏହାର ମୂଖ୍ୟ ଲକ୍ଷ୍ୟ ଜାହାଜ ବା ବାଣିଜ୍ୟ ଦ୍ୱାରା ହଇଜାର ସ°କ୍ରମଣ ରୋକିବା ଥିଲା। ଏହାର ପାଞ୍ଚ ବର୍ଷ ପରେ, ୧୮୯୭ରେ ଭେନିସ୍ ସମ୍ମିଳନୀରେ ଯୋଗ ଦେଇଥିବା ୧୯ଟି ଦେଶ ମଧ୍ୟରୁ ୧୬ଟି ମଧ୍ୟରେ "ବୁବୋନିକ୍ ପ୍ଲେଗ୍"କୁ ନେଇ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏଥିରେ ଡେନ୍‌ମାର୍କ, ସ୍ୱିଡେନ୍-ନରୱେ ଏବଂ ଆମେରିକା ସ୍ୱାକ୍ଷର କରି ନଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ISC ତା'ର କାର୍ଯ୍ୟ ପରିସରକୁ ବିସ୍ତାରିତ କରି ୧୯୦୨ରୁ ୧୯୩୮ ମଧ୍ୟରେ ୟେଲୋ ଫିଭର୍, ବ୍ରୁସେଲୋସିସ୍, କୁଷ୍ଠରୋଗ, ଯକ୍ଷ୍ମାରୋଗ ଏବଂ ଟାଇଫଏଡ୍ ଆଦି ଉପରେ କାମ କରିବା ଆରମ୍ଭ କରି ଦେଇଥିଲା।

ଏହା ପରେ ୧୯୦୨ରେ Pan American Sanitary Bureau ଓ ୧୯୦୭ରେ Office International d'Hygiene Publique ପ୍ରତିଷ୍ଠା ହେଲା। ୧୯୨୦ରେ League of Nations ଗଠିତ ହେଲା ପରେ Health Organisation of League of Nations ପ୍ରତିଷ୍ଠା କରାଗଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ United Nations ସବୁ ସ୍ୱାସ୍ଥ୍ୟ ସ°ଗଠନଗୁଡିକୁ ନିଜ ପରିସର ଅନ୍ତର୍ଭୁକ୍ତ କରି ୭ ଅପ୍ରେଲ ୧୯୪୮ ମସିହାରେ World Health Organisation ପ୍ରତିଷ୍ଠା କରିଥିଲା।

WHO ବା ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ହେଉଛି ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ପାଇଁ ମିଳିତ ଜାତିସଂଘର ଏକ ସ୍ୱତନ୍ତ୍ର ଏଜେନ୍ସି। ବିଶ୍ୱ ଜନସାଧାରଣ ଦ୍ୱାରା ସ୍ୱାସ୍ଥ୍ୟର ସର୍ବୋଚ୍ଚ ସ୍ତରର ପ୍ରାପ୍ତି ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହାର ମୁଖ୍ୟ କାର୍ଯ୍ୟାଳୟ ସ୍ୱିଜର୍‌ଲ୍ୟାଣ୍ଡର ଜେନେଭାଠାରେ ଅବସ୍ଥିତ। ଏହାର ୬ଟି ଆଞ୍ଚଳିକ ଓ ୧୫୦ଟି ଫିଲ୍ଡ ଅଫିସ୍‌ ଅଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଓ ତା' ଅଧୀନରେ ଥିବା ଅନ୍ୟ ଆନୁସଙ୍ଗିକ ସ°ଗଠନମାନଙ୍କ ପୃଷ୍ଠପୋଷକତାରେ ପ୍ରତିବର୍ଷ WHOର ପ୍ରତିଷ୍ଠା ଦିବସ ୭ ଅପ୍ରେଲ ବା 7th Aprilକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସଚେତନତା ପାଇଁ World Health Day ହିସାବରେ ପାଳନ କରାଯାଏ।

World Health Day ହେଉଛି WHOର ଏଗାରଟି Global Health Campaign ମଧ୍ୟରୁ ଗୋଟିଏ। ଅନ୍ୟଗୁଡିକ ଯଥାକ୍ରମେ World Tuberculosis day (ବିଶ୍ୱ ଯକ୍ଷ୍ମା ଦିବସ), World Immunization Week (ବିଶ୍ୱ ଟୀକାକରଣ ସପ୍ତାହ), World Malaria Day(ବିଶ୍ୱ ମ୍ୟାଲେରିଆ ଦିବସ), World No Tobacco Day(ବିଶ୍ୱ ତମାଖୁ ମୁକ୍ତ ଦିବସ), World Blood Donor Day(ବିଶ୍ୱ ରକ୍ତଦାତା ଦିବସ), World AIDS Day(ବିଶ୍ୱ ଏଡ୍‌ସ୍ ଦିବସ), World Chagas Disease Day(ବିଶ୍ୱ ଚାଗାସ୍‌ ଡିଜିଜ ଦିବସ), World Patient Safety Day(ବିଶ୍ୱ ରୋଗୀ ସୁରକ୍ଷା ଦିବସ), World Antimicrobials Awareness Week(ବିଶ୍ୱ ଆଣ୍ଟିମାକ୍ରୋବିଆଲ ସଚେତନତା ସପ୍ତାହ), World Hepatitis Day(ବିଶ୍ୱ ହେପାଟାଇଟିସ୍ ଦିବସ) ।

୭ ଅପ୍ରେଲ, ୧୯୪୮ ମସିହାରେ ହିଁ ଅନୁଷ୍ଠିତ ହୋଇଥିବା ପ୍ରଥମ ଅଧିବେଶନରେ ଏହି ଦିନଟିକୁ ପ୍ରତିବର୍ଷ World Health Day ବା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଏହି ଅବସରରେ ବିଶ୍ୱ ଜନସ୍ୱାସ୍ଥ୍ୟ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ ପାଇଁ WHO ଗୋଟିଏ Theme ବାଛିଥାଏ ଏବଂ ବିଶ୍ଵବ୍ୟାପୀ WHO ସହିତ ଜଡିତ ବିଭିନ୍ନ ଅନୁଷ୍ଠାନ ଅନ୍ତର୍ଜାତୀୟ, ଆଞ୍ଚଳିକ ଓ ସ୍ଥାନୀୟ କାର୍ଯ୍ୟକ୍ରମ ମାନ ଆୟୋଜନ କରନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ ସ°ସ୍ଥା World Health Day Theme ସ୍ୱୀକୃତିପ୍ରାପ୍ତ ବିଭିନ୍ନ ମିଡିଆ ରିପୋର୍ଟ ଓ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରନ୍ତି।

ସେହି ପରିପ୍ରେକ୍ଷୀରେ ଚଳିତ ବର୍ଷ ୨୦୨୨ ପାଇଁ World Health Day ପାଇଁ WHOର theme ହେଉଛି "Our Planet, Our Health"। ଯେତେବେଳେ ଆମର ସମ୍ପୂର୍ଣ୍ଣ ପୃଥିବୀ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଙ୍ଗ, ଜୈବ-ବିଭିଧତା ନଷ୍ଟ, ଭୀଷଣ ଜଳ ସଙ୍କଟ ଓ ଯୁଦ୍ଧ- ପରମାଣୁ ସମସ୍ୟା ମଧ୍ୟରେ ଅଛି ଏବଂ ସମ୍ପୂର୍ଣ୍ଣ ମାନବଜାତିର ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ସ୍ପଷ୍ଟ ଦେଖାଯାଉଛି ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଇଁ ଏପରି ଗୋଟିଏ theme ବାଛିବା ଯେତିକି ଆବଶ୍ୟକ ସେତିକି ପ୍ରଶ°ସନୀୟ ମଧ୍ୟ।

ସାଧାରଣତଃ ବିଶ୍ୱ ସ୍ୱାସ୍ଥ୍ୟ ଦିବସର themeଗୁଡିକ ମାନବ ସ୍ୱାସ୍ଥ୍ୟ ଓ କଲ୍ୟାଣ ଲକ୍ଷ୍ୟ ନେଇ ବଛା ଯାଇଥାଏ। କିନ୍ତୁ ଏ ବର୍ଷ କେବଳ ମାନବ ସ୍ୱାସ୍ଥ୍ୟ ନୁହେଁ ବର° ଆମ ପୃଥିବୀର ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। କୋଭିଡ୍-୧୯ ମହାମାରୀ ଗତ ଦୁଇ ବର୍ଷ ମଧ୍ୟରେ ଆମକୁ ବିଜ୍ଞାନ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥାର ସାମର୍ଥ୍ୟ ଦେଖାଇଦେବା ସହ ଆମ ସମାଜରେ ଥିବା ଅସମାନତାକୁ ମଧ୍ୟ ଦର୍ଶାଇ ଦେଇଛି। ଏହି ମହାମାରୀ ଆମର ସମାଜର ପ୍ରତ୍ୟେକ ସ୍ତର ଓ କ୍ଷେତ୍ରକୁ ଦୂର୍ବଳ କରିଦେଇଛି। ତେଣୁ ବର୍ତ୍ତମାନ ସମୟରେ ଆମେ ଏମତି ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ହିତକାରୀ ଯୋଜନା ଉପରେ ଜୋର୍ ଦେବା କଥା, ଯାହା ଆଗାମୀ ପିଢ଼ି ପାଇଁ କେବଳ ଶାରୀରିକ କିମ୍ବା ମାନସିକ ସୁସ୍ଥତା ନୁହେଁ ବର° ସାମାଜିକ ସୁସ୍ଥତା ଓ ସୁରକ୍ଷା ମଧ୍ୟ ଆଣିଦେବ। ଆଉ ଏ ସବୁ ସୁସ୍ଥ ପୃଥିବୀ କିମ୍ବା ପରିବେଶ ବିନା ଅସମ୍ଭବ। WHO ଏହି କଥା ଉପରେ ଜୋର୍ ଦେବାକୁ ଯାଇ ନିଜ ବିଶ୍ୱ ସ୍ୱାସ୍ଥ୍ୟ ଦିବସ theme ଉପରେ ଦେଇଥିବା ରିପୋର୍ଟରେ କହିଛି ଯେ, "ଜୀବାଶ୍ମ ଇନ୍ଧନ ଜାଳିବା ଦ୍ୱାରା ବିଶ୍ୱର ୨୨% ଲୋକ ଅସ୍ୱାସ୍ଥ୍ୟକର ବାୟୁରେ ନିଶ୍ୱାସ ନେଉଛନ୍ତି।

ପ୍ଲାଷ୍ଟିକ ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଇଛି ଯେ ଏହା ଏବେ କେବଳ ଗଭୀର ସମୁଦ୍ର, ସର୍ବୋଚ୍ଚ ପର୍ବତ କିମ୍ବା ଆମ ଖାଦ୍ୟ ଶୃଙ୍ଖଳା ନୁହେଁ ବର° ଏବେ ମାଇକ୍ରୋ-ପ୍ଲାଷ୍ଟିକ ପାର୍ଟିକିଲ୍ ଆମ ରକ୍ତ ନମୁନାରେ ମଧ୍ୟ ମିଳୁଛି। ତୀବ୍ର ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, କମ୍ ବର୍ଷା, ଜଳାଭାବ, ଜମିର ଉର୍ବରତା ନଷ୍ଟ ଆଜି ମଣିଷକୁ ପଳାୟନ/migration ପାଇଁ ବାଧ୍ୟ କରୁଛି। ଏକଦା ଜୈବ-ବିଭିଦତା ଓ ଶସ୍ୟର ଭଣ୍ଡାର ଥିବା ଅଞ୍ଚଳଡିକରେ ଏବେ ଜଙ୍ଗଲ କ୍ଷୟ, କମ୍ ବର୍ଷା କାରଣରୁ ଅପ୍ରାକୃତିକ ମରୁଡି ଓ ନୂତନ ମରୁଭୂମି ସୃଷ୍ଟି ହେଉଛି, ଯାହା କୁପୋଷଣ, growth retardation ଓ ବନ୍ଧ୍ୟାତ୍ୱ ପରି ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ାଇବା ସହ ମଣିଷର ଅସାମାଜିକ ଆଚରଣରେ ବୃଦ୍ଧି ଆଣୁଛି। ସେହିପରି ପୃଥିବୀ ପୃଷ୍ଠର ଲଗାତାର ବଢୁଥିବା ତାପମାତ୍ରା କାରଣରୁ ପୂର୍ବାପେକ୍ଷା ମଶା ମାନଙ୍କର ରୋଗ ବିସ୍ତାର କରିବା ଶକ୍ତି ବଢୁଥିବା ଦେଖାଯାଇଛି।

ଅତ୍ୟଧିକ କୃତ୍ରିମ ରାସାୟନିକ ଦ୍ରବ୍ୟ, ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଣାଳୀ, ବିଭିନ୍ନ କିସମର ପାନୀୟ ପଦାର୍ଥ ବିଶ୍ୱସ୍ତରରେ ମେଦବହୁଳତା, ମଧୁମେହ ଓ ହୃଦରୋଗରେ ବୃଦ୍ଧି ଆଣିଛି। ଆଜି ସମସ୍ତ ବିଶ୍ୱର ଏକ ତୃତୀୟାଂଶ କର୍କଟ ଓ ହୃଦ୍‌ରୋଗ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ କାରଣରୁ ଦେଖାଯାଉଛି।"

ଉନ୍ନବିଂଶ ଓ ଏକବିଂଶ ଶତାବ୍ଦୀରେ ନିଆଯାଇଥିବା ଅନେକ ସାମାଜିକ, ବୈଜ୍ଞାନିକ ଓ ଅର୍ଥନୈତିକ ପଦକ୍ଷେପ ପୃଥିବୀରେ ଆଧୁନିକରଣ ଆଣିବା ସହ ସାମାଜିକ, ଆର୍ଥିକ ଓ ଶକ୍ତିଭିତ୍ତିକ ଅସମାନତା ମଧ୍ୟ ଆଣି ଦେଇଛି, ଯେଉଁଥିରେ ଅନେକ ଲୋକ ଦାରିଦ୍ର୍ୟ ଓ ଅସ୍ଥିରତା ମଧ୍ୟରେ ଜୀବନ ବିତାଉଛନ୍ତି। ଅନେକ ସମୟରେ ଏହି ଅସମାନତା ମାନବ ସମାଜର ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଚିକିତ୍ସାରୁ ମଧ୍ୟ ବଞ୍ଚିତ ରଖୁଛି। WHOର ଆକଳନ ଅନୁସାରେ ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୧୩ ନିୟୁତ ମୃତ୍ୟୁ ଜଳବାୟୁ ସଙ୍କଟ ପରି ପରିବେଶଗତ କାରଣରୁ ହେଉଛି।

ତେଣୁ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମି°କୁ କେବେ ବି ଆମେ ସ୍ୱାସ୍ଥ୍ୟ ସଙ୍କଟ ତାଲିକାରୁ ବାଦ୍ ଦେଇ ପାରିବାନି। ତେଣୁ ମହାମାରୀ, ପ୍ରଦୂଷିତ ଗ୍ରହ, ସାମାଜିକ ଅସମାନତା, କର୍କଟ, ହୃଦରୋଗ ଭଳି ଜଟିଳ ସମସ୍ୟା ଦେଇ ଗତି କରୁଥିବା ମଣିଷ ଓ ପୃଥିବୀ ଗ୍ରହକୁ ସୁସ୍ଥ ରଖିବା ପାଇଁ, ସମସ୍ତ ବିଶ୍ୱର ଦୃଷ୍ଟି ଆକର୍ଷଣ କରି ୨୦୨୨ରେ WHO "Our Planet, Our Health" ପରି theme ଟିଏ ବାଛିଚି। WHO ମତରେ ଏ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ପରିବେଶ ସୁରକ୍ଷା ନିୟମ, ନୂତନ ଜଙ୍ଗଲ ସୃଷ୍ଟି, ଦୀର୍ଘସ୍ଥାୟୀ ଅର୍ଥନୈତିକ ଯୋଜନା, ସୁସ୍ଥ ବଜେଟ୍‌ ବ୍ୟବସ୍ଥା, ଆଇନଗତ ଓ କର୍ପୋରେଟ୍ ସ°ସ୍କାର ହିଁ ବିଶ୍ୱବାସୀଙ୍କୁ ବ୍ୟକ୍ତିଗତ ଓ ସାମାଜିକ ସୁରକ୍ଷା ଦେଇପାରିବ।

ଏସବୁ ପାଇଁ ପ୍ରତ୍ୟେକ ରାଷ୍ଟ୍ରର ସରକାରଙ୍କ ସମର୍ଥନ ଓ ପ୍ରୋତ୍ସାହନ ମଧ୍ୟ ଆବଶ୍ୟକ। WHOର ଲକ୍ଷ୍ୟ, ଏହି Our Planet, Our Health theme ମାଧ୍ୟମରେ ବିଶ୍ୱସ୍ତରରେ ସୁସ୍ଥ ସମାଜ ଗଠନ ଓ ପରିବେଶ ସୁରକ୍ଷା ଦ୍ୱାରା ଗୋଟାଏ ସୁସ୍ଥ ମାନବ ସମଜ ଗଠନର ଆନ୍ଦୋଳନକୁ ପ୍ରତ୍ସାହିତ କରିବା।