• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଜିଲା ପରୀକ୍ଷା ଘଣ୍ଟି । ମାର୍ଚ୍ଚ ୧୦ରୁ ୧୭ ଯାଏ ହେବ ମାଟ୍ରିକ ସମ୍ମେଟିଭ-ଟୁ ପରୀକ୍ଷା । ସେହି ସମୟରେ ହିଁ ମଧ୍ୟମା ଓ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ମଧ୍ୟ ହେବ । ସମେଟିଭ୍-1 ପରୀକ୍ଷା ପାଇଁ ଚଳିତ ଥର ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲପ୍ କରିଥିଲେ । ସେହିପରି ମଧ୍ୟମାରେ ୨, ୯୧୪ ଓ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୭, ୧୮୧ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲପ କରିଥିଲେ ।

ସମେଟିଭ-1ରେ ଯେଉଁମାନେ ଫର୍ମ ଫିଲପ୍ କରିଥିଲେ, ସେତିକି ପରୀକ୍ଷାର୍ଥୀ ସମେଟିଭ-2ରେ ଫର୍ମ ଫିଲପ୍ କରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଖୁବଶୀଘ୍ର ଫର୍ମ ଫିଲପ୍ ତାରିଖ ଘୋଷଣା କରାଯିବ । ସମେଟିଭ-1 ରେ ୩ ହଜାର ୨୯ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିବାବେଳେ ମଧ୍ୟମାରେ ୧୦୮ଟି କେନ୍ଦ୍ର ଏଂ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୧୪୬ ଟି କେନ୍ଦ୍ର କରାଯାଇଥିଲା, ଯାହାକି ଆଉ ପରିବର୍ତ୍ତନ କରାଯିବ ନାହିଁ ।

ମାଓ ପ୍ରଭାବିତ ଅଞ୍ଚଳରେ ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର୍ କରାଯିବ । କପି ରୋକିବା ପାଇଁ ସେଣ୍ଟ୍ରାଲ ସ୍କ୍ୱାର୍ଡ ସହ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ତରୀୟ ସ୍କ୍ୱାର୍ଡ ଗଠନ ହେବ । ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ସମାନ ରହିବ ସମେଟିଭ - 1ରେ ପ୍ରଶ୍ନପତ୍ର । ଫର୍ମାଟ ଯାହା ଥିଲା ସମେଟିଭ୍-2 ରେ ମଧ୍ୟ ସେହିଭଳି କରାଯିବ । 40 ପ୍ରତିଶତ ସମେଟିଭ-1 ଏବଂ 40 ପ୍ରତିଶତ ସମେଟିଭ-2 ସହ ଇଣ୍ଟରନାଲ ପରୀକ୍ଷାର ଫଳକୁ ନେଇ ମାଟ୍ରିକ ଫଳାଫଳ ପ୍ରକାଶ ପାଇବ ।

କରୋନା ପାଇଁ ପ୍ରାୟ ତିନି ବର୍ଷ ମାଟ୍ରିକ ପରୀକ୍ଷା ପ୍ରଭାବିତ ହୋଇଛି । ଗତ ବର୍ଷ ୭୦ ପ୍ରତିଶତ ସିଲାବସରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ଅଫ୍ ଲାଇନ୍ ମୋଡରେ ପରୀକ୍ଷା ତାରିଖ ଘୋଷଣା ପରେ ଛାତ୍ରଛାତ୍ରୀ ଆଶ୍ୱସ୍ତି ଲାଭ କରିଛନ୍ତି । କିନ୍ତୁ କୋଭିଡ୍ ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ପରୀକ୍ଷା କରିବାକୁ ମତ ରଖିଛନ୍ତି ପରୀକ୍ଷାର୍ଥୀ । ଅନ୍ୟପଟେ ଶିକ୍ଷକମାନଙ୍କ ମତ ହେଲା, ଶତପ୍ରତିଶତ ସିଲାବସ୍ରେ ପରୀକ୍ଷା ହେଉଥିବାରୁ ପିଲାମାନେ ସଠିକ୍ ମାର୍କ ପାଇପାରିବେ । କିନ୍ତୁ ଗୋଟିଏ ବିଷୟରୁ ଅନ୍ୟ ବିଷୟ ପରୀକ୍ଷା ଭିତରେ ବ୍ୟବଧାନ ଅଧିକ ରହିଥିଲେ ଭଲ ହୋଇଥାନ୍ତା ।

ମାଟ୍ରିକ୍ ସହିତ ଆଜି ନବମ ଶ୍ରେଣୀ ପରୀକ୍ଷା ତାରିଖ ବି ଘୋଷଣା କରାଯାଇଛି । ଏହା ଫେବୃଆରୀ ୨୦ରୁ ୨୫ ତାରିଖ ଯାଏଁ ଚାଲିବ ମାର୍ଚ୍ଚ ଶେଷ ସପ୍ତାହରେ ଫଳାଫଳ ପ୍ରକାଶ କରାଯିବ । ଏହାସହ ପୁର୍ଣ୍ଣ ସିଲାବସରେ ଆସନ୍ତା ଅପ୍ରେଲ ମାସରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ କୁହାଯାଇଛି ।