• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାରେ ହୋଇଥିବା ବହୁ କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଠକେଇ ମାମଲାରେ କେବେସୁଦ୍ଧା ଟଙ୍କା ଫେରି ପାଇବେ କ୍ଷତିଗ୍ରସ୍ତ ଜମାକାରୀ ? ଏ ମାମଲାରେ ଆଉ କେତେଦିନ ପରେ ଯୁକ୍ତିଯୁକ୍ତ ନିଷ୍କର୍ସରେରେ ପହଞ୍ଚିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ? ରାଜ୍ୟର ବହୁ ଚର୍ଚ୍ଚିତ ଚିଟଫଣ୍ଡ ଠକେଇ ମାମଲାରେ ଶୁଣାଣି କରି ସିବିଆଇକୁ ତାଗିଦ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଆଜିର ଶୁଣାଣି ବେଳେ ସୁପ୍ରିମକୋର୍ଟ ଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାକୁ ଅତି ଗୁରୁତର ସହ ନେଇଛନ୍ତି । କହିଛନ୍ତି, ଜମାକାରୀମାନେ ସେମାନଙ୍କ ଟଙ୍କା ଫେରି ପାଇବାକୁ ଚାହୁଁଛନ୍ତି । କିନ୍ତୁ ଜମା ଟଙ୍କା ପାଇବାକୁ ସେମାନେ ୧୦/୧୫ ବର୍ଷ ଅପେକ୍ଷା କରିପାରିବେନି ।

ସିବିଆଇ ଏ ମାମଲାକୁ ଅତି ହାଲକା ଭାବେ ନନେବାକୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । ଏପରିକି ସିବିଆଇ ଓ ଇଡି ଯେଉଁଠି ତଦନ୍ତ ଭାର ନେଉଛନ୍ତି, ସେଠି ବିଳମ୍ବ ହେଉଥିବା ଟିପ୍ପଣୀ ରଖିଛନ୍ତି । ତାସହ ସିବିଆଇ ଆଜି ସୁଦ୍ଧା କି ପଦକ୍ଷେପ ନେଇଛି, ସେ ସମ୍ପର୍କରେ ଆସନ୍ତା ଶନିବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ... ।

ଏପଟେ ବିଭିନ୍ନ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇ ବର୍ଷ ବର୍ଷ ଧରି ଜମାକାରୀମାନେ ଟଙ୍କା ନପାଇ ନିରାଶ ହେଉଥିବା ବେଳେ ତଦନ୍ତକାରୀ ସଂସ୍ଥାକୁ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ବୟାନବାଜି । କଂଗ୍ରେସ କହିଛି, କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାରେ କଳି କରି ଦିଲ୍ଲୀରେ କୋଳାକୋଳି ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ପୁଣି ମାତିଲେଣି ଚିଟ୍‌ଫଣ୍ଡ ଲୁଟେରା, ଅନ୍‌ଲାଇନ୍‌ରେ ଟାସ୍କ ଦେଇ ଲୁଟୁଛନ୍ତି

କେନ୍ଦ୍ର ଚିଟଫଣ୍ଡ ଠକେଇ ମାମଲାରେ ବୁଝାମଣା କରି ଲୋକଙ୍କୁ ଭୁଆଁ ବୁଲାଉଥିବାରୁ କ୍ଷତିଗ୍ରସ୍ତ ନ୍ୟାୟ ପାଉ ନାହନ୍ତି ବିଜେଡି । ଏ ପ୍ରସଙ୍ଗରେ ସିବିଆଇର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି ବୋଲି ମନ୍ତବ୍ୟ ରଖିଛି । ସେପଟେ ଜମାକାରୀଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଗଠନ କରିଥିବା କର୍ପସ ଫଣ୍ଡ କାହିଁକି ଦେଉନାହାନ୍ତି ଏବଂ କ୍ରାଇମବ୍ରାଞ୍ଚ୍ EOW ଜବତ କରିଥିବା ବିଭିନ୍ନ କମ୍ପାନୀର ସମ୍ପତ୍ତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେପି ... ।

ଏହା ପୂର୍ବରୁ ଗତବର୍ଷ ଅକ୍ଟୋବରରେ ମଧ୍ୟ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଜଣାଇବାକୁ ଉଭୟ ଓଡ଼ିଶା ସରକାର ଓ ସିବିଆଇକୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ରାଜ୍ୟରେ ପ୍ରାୟ ୪୪ଟି କମ୍ପାନୀ ଲୋକଙ୍କୁ ଲୋଭନୀୟ ସ୍କିମ୍ ଜରିଆରେ ୫୦ ହଜାର କୋଟିରୁ ଅଧିକ ଟଙ୍କା ନେଇଥିବା ବେଳେ ଏ ଠକେଇ ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କୁହାଯାଉଛି । ୨୦୧୪ରେ ଏହି ସମସ୍ତ ୪୪ କମ୍ପାନୀ ବିରୋଧରେ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେବା ପରେ ଏଯାଏଁ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ... ।