• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶୋଉଛି ପ୍ରଶାସନ, ଚେଉଁଛନ୍ତି ମାଫିଆ । ରାତିର ଅନ୍ଧାରରେ ବେଧଡ଼କ ପଥର ଚୋରି । ଦିନ ବେଳା ଶୂନ୍‌ଶାନ୍ ଖାଁ ଖାଁ ଲାଗୁଥିବା ପଥର ଖାଦାନ ଇଲାକା, ସଞ୍ଜ ନଇଁବା ମାତ୍ରେ ଚଳଚଞ୍ଚଳ ହୋଇଉଠୁଛି । ରାତି ତମାମ୍ ଜେସିବିରେ ପାହାଡ଼ ଖୋଳା ଚାଲିଛି । ଡମ୍ପର୍ ଓ ଟ୍ରକ୍‌ରେ ଲୁଚାଚୋରାରେ ଶହ ଶହ ଟ୍ରିପ୍ ପଥର ଓ ନାଲିମାଟି ବୁହା ହେଉଛି । ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ର ବାଗୁଡ଼ି ପଥର ଖାଦାନ କଥା ।

ଏହି ଅଞ୍ଚଳରେ ମୋଟ ୬୩ଟି ଖାଦାନ ଥିବାବେଳେ, ୨ ବର୍ଷ ହେଲା ୧୪୪ ଧାରା ଲାଗୁ ହେବା ସହିତ କୌଣସି ଖାଦାନରେ ପଥର ଖନନ ପାଇଁ ଅନୁମତି ଦେଇନାହାନ୍ତି ସରକାର । ହେଲେ ରାତି ହେଲେ କଟକଣାର ଧଜ୍ଜିଆ ଉଡ଼ୁଛି, ପଥର ମାଫିଆଙ୍କ ବେଧଡ଼କ ରାଜୁତି ଚାଲୁଛି । ଏହା ଫଳରେ କେବଳ ଯେ, ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି ତା’ନୁହେଁ, ପାହାଡ଼ ବ୍ଲାଷ୍ଟିଂ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ପାହାଡ଼ ଉପରେ ଗୋଟିଏ ଗାଁ ଥିବାରୁ ପଥର ଧସିଆସି ଘର ଉପରେ ପଡ଼ୁଥିବା ଏବଂ ପୂର୍ବରୁ ଏଥିପାଇଁ ଜୀବନ ମଧ୍ୟ ଯାଇଥିବା ଲୋକେ କହିଛନ୍ତି ।

କଥାରେ ଅଛି ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ? ବ୍ୟବସ୍ଥାର ଉଦାସୀନତା ପଛରେ ଏହାହିଁ ପ୍ରକୃତ କାରଣ କି ? ରାତିରେ ପଥର ଚୋରି ହେଉଥିବା ସମସ୍ତେ ଜାଣୁଥିଲେ ବି, ଏହାକୁ ରୋକିବାକୁ କାହିଁକି ସାହସ କରୁନି ପ୍ରଶାସନ ? ଚାଲିଛି କି ମାଫିଆ-ଅଧିକାରୀ ମଧୁଚନ୍ଦ୍ରିକା ? କିଛି ଲିଜ୍ ଧାରୀ ନିୟମ ଠାରୁ ଅଧିକ ପଥର ଖନନ କରୁଥିବା ଅଭିଯୋଗ ହେବା ପରେ, ୨୦୨୦ ମସିହାରୁ ଏଠି ୧୪୪ ଧାରା ଲାଗୁ ହେବା ସହିତ ସବୁ ଖାଦାନରେ ପଥର ଖନନ ଉପରେ କଟକଣା ଲାଗିଛି । ବେଆଇନ ପଥର ଚାଲାଣ ଅଭିଯୋଗରେ କିଛି ମାଫିଆଙ୍କ ଉପରେ ଫାଇନ୍ ଲାଗିଛି ଏବଂ ସୋର ଥାନାରେ ୩ ଜଣଙ୍କ ନାଁରେ ମାମଲା ବି ରହିଛି ।

ହେଲେ ଜରିମାନା ନଦେଇ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେଠି କୋର୍ଟରେ ଆଇନଗତ ଲଢ଼େଇ ଚାଲିଥିବା ବେଳେ, ଏଠି ଗ୍ରାଉଣ୍ଡରେ ଲୁଟ୍ ଚାଲିଛି । ସ୍ଥାନୀୟ ବିଧାୟକ ମଧ୍ୟ ଦାବି କରିଛନ୍ତି ଯେ, ପ୍ରଶାସନ ଏହାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଅନ୍ୟପକ୍ଷରେ ଆଗ ଅପେକ୍ଷା ଏନ୍‌ଫୋର୍ସମେଣ୍ଟକୁ ଆହୁରି କଡ଼ାକଡ଼ି କରାଯାଇଥିବା ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ।

ଖାଲି ରାଜସ୍ୱ କ୍ଷତି କି ସ୍ଥାନୀୟ ଲୋକଙ୍କ ପ୍ରତି ବିପଦ କଥା ନୁହେଁ, କୁଲଡିହା ଅଭୟାରଣ୍ୟକୁ ଲାଗି ରହିଥିବା ବାଗୁଡ଼ି ଓ ଖଞ୍ଜାମାହାଲ ଖାଦାନରୁ ବେଆଇନ ପଥର ଖନନ, ସେଠାକାର ଜୈବ ବିବିଧତା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି ।