• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀଲଙ୍କାରେ ସାଂଘାତିକ ସ୍ଥିତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ଦେଶଛାଡି ମାଳଦ୍ୱୀପ ପଳାଇବା ପରେ ଆହୁରି ଉଗ୍ର ହୋଇଛି ଆନ୍ଦୋଳନ । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଙ୍ଘେଙ୍କ ବାସଗୃହ ଓ ଅଫିସରେ ଧସେଇ ପଶିଛନ୍ତି ହଜାର ହଜାର ଲୋକ । ସେହିପରି ପାର୍ଲାମେଣ୍ଟ ନିକଟରେ ବି ଆନ୍ଦୋଳନକାରୀ ରୁଣ୍ଡ ହୋଇଛନ୍ତି । ଚରମ ବିଶୃଙ୍ଖଳା ଭିତରେ ପ୍ରଧାନମନ୍ତ୍ରୀ ବିକ୍ରମେସିଙ୍ଘେଙ୍କୁ କାମଚଳା ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି ବାଚସ୍ପତି । ଏହାପରେ ସ୍ଥିତି ନିୟନ୍ତ୍ରଣ ଲାଗି ବିକ୍ରମସଙ୍ଘେ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି ।

 କଲମ୍ବୋ ସମେତ ଦେଶର ପଶ୍ଚିମାଞ୍ଚଳରେ ଅନିର୍ଦ୍ଦିଷ୍ଟକାଳୀନ କର୍ଫ୍ୟୁ ଲଗାଯାଇଛି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଫାଙ୍କାରେ ଗୁଳିଚାଳନା ଓ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ଅରାଜକତା ଏଡେଇବା ଲାଗି ବିକ୍ଷୋଭକାରୀଙ୍କୁ ଗିରଫ କରିବା ଲାଗି କାମଚଳା ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତାଙ୍କ ବାସଭବନକୁ ସେନା ଘେରି ରହିଥିବା ବେଳେ ହେଲିକପ୍ଟରରେ ପାଟ୍ରୋଲିଂ କରାଯାଉଛି ।

ତେଣେ ଦେଶରେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ତାସହିତ ସର୍ବଦଳୀୟ ଅନ୍ତରୀଣ ସରକାର ଗଠନ ଲାଗି ଜୋରଦାର ପ୍ରୟାସ ଚାଲିଛି । ଅନ୍ତରୀଣ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସେ ପଦରୁ ହଟିଯିବେ ବୋଲି ବିକ୍ରମସିଙ୍ଘେ ଘୋଷଣା କରିସାରିଛନ୍ତି । ତେବେ ରାଷ୍ଟ୍ରପତି ଚୌକିରୁ ବିକ୍ରମସିଙ୍ଘେଙ୍କୁ ଦୂରେଇ ରଖାଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି, ନହେଲେ ସେମାନେ ଆନ୍ଦୋଳନକୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଅନ୍ୟପକ୍ଷରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ସେନା ଓ ପୋଲିସ ପକ୍ଷରୁ ଲୋକଙ୍କୁ କୁହାଯାଇଛି । ତେଣେ ଦେଶର ସମ୍ବିଧାନ ଅନୁସାରେ ହିଁ କ୍ଷମତା ହସ୍ତାନ୍ତର ସମ୍ଭବ ବୋଲି ସାମ୍ବିଧାନିକ ବିଶେଷଜ୍ଞ ମତ ଦେଇଛନ୍ତି ।

ଆଜି ପଦ ଛାଡିବେ ବୋଲି କହିଥିଲେ ମଧ୍ୟ ଦେଶ ଛାଡିବା ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ଇସ୍ତଫା ଦେଇନାହାନ୍ତି । ତାଙ୍କ ପରିବାର ସୁରକ୍ଷିତ ଭାବେ ବିଦେଶରେ ପହଞ୍ଚିଲେ ସେ ଇସ୍ତଫା ଦେବେ ବୋଲି କହିଥିଲେ । ଲୋକଙ୍କ ରୋଓ ଗିରଫଦାରୀ ଏଡେଇବା ଲାଗି ସେ ଏଭଳି ଆଳ କରିଥିବା କୁହାଯାଉଛି । ବିମାନ ବନ୍ଦର ଦେଇ ଖସି ଯିବାରେ ବିଫଳ ହେବା ପରେ ଗୋଟାବାୟ ନିଜକୁ ସେନାର ସର୍ବୋଚ୍ଚ କାମାଣ୍ଡର ଦର୍ଶାଇବା ସହ ଏକ ବିମାନ ଯୋଗାଇ ଦେବାକୁ ଦାବି କରିଥିଲେ ।

ସେନା ତାଙ୍କ ଦାବି ଗ୍ରହଣ କରିବା ପରେ ସେଇ ସ୍ୱତନ୍ତ୍ର ବିମାନରେ ନିଜ ପତ୍ନୀ ଓ ଦୁଇ ବଡି ଗାର୍ଡଙ୍କ ସହ ମାଳଦ୍ୱୀପ ରାଜଧାନୀ ମାଲେରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ସୁରକ୍ଷା କର୍ଡନ ମଧ୍ୟରେ ଅଜ୍ଞାତ ସ୍ଥାନକୁ ନିଆଯାଇଛି । ତେବେ ମାଳଦ୍ୱୀପ ତାଙ୍କର ଚୂଡ଼ାନ୍ତ ରହଣୀ ସ୍ଥାନ ନୁହେଁ ବୋଲି ସୂଚନା ମିଳିଛି । ସେଠାରୁ ସେ ଅନ୍ୟଦେଶକୁ ଯିବେ ବୋଲି କୁହାଯାଉଛି । ଏପଟେ ଗୋଟାବାୟାଙ୍କୁ ମାଳଦ୍ୱୀପ ଖସି ଯିବାରେ ସହାୟତା କରିଥିବା ଚର୍ଚ୍ଚାକୁ କଲମ୍ବୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜୋରଦାର ଢଙ୍ଗରେ ଖଣ୍ଡନ କରାଯାଇଛି ।