• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଦୀଘା ଜଗନ୍ନାଥ ମନ୍ଦିରରକୁ 'ଧାମ' କୁହାଯିବା ନେଇ ସାରା ରାଜ୍ୟରେ ପ୍ରବଳ ବିରୋଧ କରାଯାଉଛି । ଜଗନ୍ନାଥପ୍ରେମୀ, ବୁଦ୍ଧିଜୀବୀ, ରାଜନେତା, ସବୁ ମହଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ହୀନ କାର୍ଯ୍ୟକୁ କଡ଼ା ନିନ୍ଦା କରାଯାଉଥିବା ବେଳେ ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ । ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି ବୋଲି ପ୍ରେସ୍ ରିଲିଜ୍‌ ଜରିଆରେ ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା ।

ମୁକ୍ତି ମଣ୍ଡପ ମତକୁ ଆଧାର କରି ଗଜପତି ମହାରାଜା କହିଛନ୍ତି, ପୁରୀ ହେଉଛି ମହାପ୍ରଭୁଙ୍କ ପବିତ୍ର ଆଦ୍ୟ ଓ ନିତ୍ୟ ପୀଠ । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କର ଶାସ୍ତ୍ରିୟ ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳ ଧାମ ଭାବରେ ନାମିତ କରାଯାଇ ପାରିବ ନାହିଁ ।  ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ ବାରଣ । ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରି ପୂଜା କରିବା ଉଚିତ ନୁହେଁ । ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀବିଗ୍ରହଙ୍କୁ ସମର୍ପିତ ନୈବେଦ୍ୟକୁ ‘ମହାପ୍ରସାଦ’ କହିବା ଶାସ୍ତ୍ରସମ୍ମତ ନୁହେଁ ।

ଅଧିକ ପଢ଼ନ୍ତୁ:  ଦୀଘାର ସବୁ ଜାଗାରୁ ହଟିନି 'ଜଗନ୍ନାଥ ଧାମ', କେବେ ଚେତିବେ ମମତା ?

କହିରଖୁଛୁ କି, ଅକ୍ଷୟ ତୃତୀୟ ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାଠାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ । ମମତାଙ୍କ ନିମନ୍ତ୍ରଣ କ୍ରମେ ପୁରୀରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସମେତ କିଛି  ସେବାୟତ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । କିନ୍ତୁ ଏହି ମନ୍ଦିରକୁ ନେଇ ଏତେ ବିବାଦ ହେବାର କାରଣ ହେଲା, ଏହାକୁ 'ଜଗନ୍ନାଥ ଧାମ' ବୋଲି କୁହାଯିବା ଏବଂ ବଳକା ନବକଳେବର ଦାରୁରେ ଦୀଘା ଦିଅଁ ନିର୍ମାଣ ନେଇ ଚର୍ଚ୍ଚା ହେବା ।

ଭାରତରେ ୪ଟି ଧାମ, ସେଥିମଧ୍ୟରୁ ପୁରୀରେ ଅବସ୍ଥିତ ଶ୍ରେଷ୍ଠ ଜଗନ୍ନାଥ ଧାମ । ଅନ୍ୟ କୌଣସି ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ଏହାସତ୍ତ୍ୱେ ଦୀଘା ମନ୍ଦିରକୁ ଧାମ କୁହାଯାଉଥିବାରୁ ଏହାକୁ ନେଇ ଓଡ଼ିଶାରେ ବିରୋଧ ଓ ବିବାଦ ତେଜିଛି । ଏହି ବିବାଦ ପରେ ପଶ୍ଚିମବଙ୍ଗ ସରକାର ଦୀଘା ମନ୍ଦିରର ଗୋଟିଏ ସ୍ଥାନରୁ ଜଗନ୍ନାଥ ଧାମ ଲେଖିଥିବା ଫଳକ ହଟାଇଥିଲେ ହେଁ ଏବେ ବି ମନ୍ଦିର ୱେବସାଇଟ୍‌ରେ 'ଧାମ' ଲେଖାରହିଛି ।

ଅଧିକ ପଢ଼ନ୍ତୁ: ଶ୍ରୀକ୍ଷେତ୍ରକୁ ଗୌଣ କଲେ ମମତା ! ଚାଲିଛି କି ବଡ଼ ପଡ଼ଯନ୍ତ୍ର ?

ଓଟିଭି ବିଜ୍ଞାପନ