Advertisment

Violence Against Women in Odisha: ବଢୁଛି ମହିଳା ବିରୋଧୀ ହିଂସା... ସରକାରଙ୍କୁ ଅଡୁଆରେ ପକାଉଛନ୍ତି ବିରୋଧୀ

ରାଜ୍ୟରେ ଘଟିଚାଲିଥିବା ଦୁଷ୍କର୍ମ ତଥା ନାବାଳିକାମାନଙ୍କ ପ୍ରତି ପାଶବିକ ଅତ୍ୟାଚାର ବଢିଚାଲିଥିବାବେଳେ ସ୍ଥାନୀୟ ଗ୍ରାମ ଓ ଜିଲ୍ଲାବାସୀଙ୍କୁ ମର୍ମାହତ କରୁଛି । ଅନ୍ୟପକ୍ଷେ ସରକାରଙ୍କ ବିରୋଧରେ ବିରୋଧୀଦଳମାନଙ୍କ ମନ୍ତବ୍ୟ ଲୋକଙ୍କୁ ସୁହାଉଛି । ଯଦ୍ୱାରା ସରକାରଙ୍କ ଭାବମୂର୍ତ୍ତି ପ୍ରତି ବିପଦ ସୃଷ୍ଟି କରୁଛି ।

author-image
Dilip Sabat
ଅଦ୍ୟତନ ହୋଇଛି
ମହିଳା ବିରୋଧୀ ହିଂସା

ମହିଳା ବିରୋଧୀ ହିଂସା

ବେଲଗାମ ବିଭତ୍ସ ଲଜ୍ଜା! ହିଂସା, ହତ୍ୟାକାଣ୍ଡ, ଦୁଷ୍କର୍ମର ଧାରା ଭିତରେ କଅଁଳ ଶିଶୁମାନଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାରରେ ଲୋକେ ମର୍ମାହତ l ଦୁନିଆକୁ ଭଲକରି ଦେଖିବା, ଜାଣିବା ପୂର୍ବରୁ ନିରିହ ନିର୍ବୋଧ କନ୍ୟାରତ୍ନଙ୍କୁ ନିର୍ମମ ଅମାନୁଷିକ ଭାବେ ରାକ୍ଷସଙ୍କ  ଶିକାର ହେଉଛନ୍ତି । ଯାହାକୁ ନେଇ ଲୋକଙ୍କ ଭିତରେ ଭୟ,  ଆତଙ୍କ ଓ ଆକ୍ରୋଶର ବାତାବରଣ ସୃଷ୍ଟି ହେଉଛି । ବିରୋଧୀ ଦଳମାନେ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି, କଡା ସମାଲୋଚନା ଓ ଶାଣିତ ଆକ୍ରମଣ କରୁଛନ୍ତି । ବିରୋଧୀଙ୍କ ସ୍ୱର ଲୋକଙ୍କୁ ସୁହାଉଛି । ଯାହା ଫଳରେ ସରକାରର ଭାବମୂର୍ତ୍ତି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

Advertisment

ଲଗାତାର ଲଜ୍ଜା: ସଭ୍ୟସମାଜ ସ୍ତବ୍ଦ 

ଓଡିଶାରେ କ୍ରମାଗତ ଭାବେ ବଢିଚାଲିଥିବା ମହିଳା ବିରୋଧୀ ହିଂସା, ଦୁଷ୍କର୍ମ, ବ୍ୟଭିଚାର ଭଳିି ଅତ୍ୟନ୍ତ ଲଜ୍ଜାଜନକ ଘଟଣା ପରେ ‘ନାରୀ ସୁରକ୍ଷା’କୁ ନେଇ ଚିନ୍ତା ବଢ଼ିଛି । ଏହାରି ଭିତରେ ନାବାଳିକା ଓ କଅଁଳ ଶିଶୁମାନଙ୍କ ପ୍ରତି ନୃଶଂସ ପାଶବିକ ଅତ୍ୟାଚାର ଘଟଣା ଗୋଟାକ ପରେ ଗୋଟିଏ ସାମ୍ନାକୁ ଆସୁଛି । ୧୯ ଏପ୍ରିଲ, ହିନ୍ଦୋଳ ଥାନା ଅଂଚଳରେ ୭ବର୍ଷର କଅଁଳ ନିଷ୍ପାପ ଶିଶୁ ଗଣଦୁଷ୍କର୍ମର ଶୀକାର ହୋଇ ସଂଜ୍ଞାହୀନ ଅବସ୍ଥାରେ ଲଟାବୁଦାରୁ ଉଦ୍ଧାର ହେବା ଘଟଣାର ୨ଦିନ ପରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଂଚଳରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣଦୁଷ୍କର୍ମର ଅଭିଯୋଗ ହେଲା।

ଏହାର ୩ଦିନ ପରେ ପାଟ୍ଟପୁର ଥାନା ଖଲିଙ୍ଗିରେ ୪ ବର୍ଷର ଶିଶୁ ପ୍ରତି ଦୁଷ୍କର୍ମ ଓ ହତ୍ୟା ଭଳି ବିଭତ୍ସ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଲା । ସେପଟେ କୋରାପୁଟର ୮ ବର୍ଷୀୟ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ଆବାସିକ ବିଦ୍ୟାଳୟରେ ଦୁଷ୍କର୍ମ ଘଟଣାର ୨୦ ଦିନ ପରେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସର ବିଫଳତାକୁ ଦର୍ଶାଇ ଶତାଧିକ ଗ୍ରାମବାସୀ ରାସ୍ତାରେ ପ୍ରତିବାଦ କରିଥିଲେ । ଏପ୍ରିଲ ୧୩ ତାରିଖ ରାତି ୧୨ଟା ବେଳେ କିଛି ଯୁବକ କୋରାପୁଟ ସ୍ଥିତ ଲମତାପୁଟ ଆବାସିକ ବିଦ୍ୟାଳୟରେ ପଶି ୮ ବର୍ଷର ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଛାତ୍ରୀଙ୍କ ପରିବାର ପକ୍ଷରୁ ମାଛକୁଣ୍ଡ ଥାନାରେ ଅଭିଯୋଗ ହେଲା । ରାଜ୍ୟରେ ଲଗାତାର ଘଟିଚାଲିଥିବା ଏଭଳି ଲୋମହର୍ଷଣକାରୀ ଲଜ୍ଜାଜନକ ଘଟଣା ଅନେକଙ୍କୁ ବିଚଳିତ ଓ ମର୍ମାହତ କରିଛି ।

Advertisment

ଗଞ୍ଜାମରେ ଲଜ୍ଜା 

କେବଳ ଉପରୋକ୍ତ ଗୋଟିଏ ଦୁଇଟି ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଓଡିଶାର ବିଭିନ୍ନ ସ୍ଥାନରେ ଶିଶୁ ତଥା ନାବାଳିକାଙ୍କ ପ୍ରତି ଘୃଣ୍ୟ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଭଳି କି ରାଜ୍ୟରେ ନୂଆ ସରକାର ଆସିବାର ୫ମାସ ଭିତରେ ୭୬୯ ଜଣ କେବଳ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ପଂଜିକୃତ ହୋଇଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ୨ ଡିସେମ୍ବର ୨୦୨୪ରେ ବିଧାନସଭାରେ ଉତ୍ତର ରଖିଛନ୍ତି । ସେହିଭଳି ଦକ୍ଷିଣାଂଚଳ ରେଞ୍ଜ ଅଧୀନରେ ଥିବା ୫ଟି ପୁଲିସ ଜିଲ୍ଲାରେ ଗତ ୩ ବର୍ଷ (୨୦୨୨-୨୦୨୪)ରେ ୮୧୯ ନାବାଳିକା ଦୁଷ୍କର୍ମ ମାମଲାରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୯୯ ମାମଲା ରୁଜୁ ହୋଇଥିବା ପ୍ରମୁଖ ଗଣମାଧ୍ୟମରୁ ପ୍ରକାଶ ।

ମାମୁଁଘର ଯାତ୍ରାଦେଖା ହେଲା କାଳ 

ମାମୁଁ ଘର ଗାଁ’ରେ ହେଉଛି ଯାତ୍ରା । କେତେ ନାଚ ଗୀତ ବାଜା ବାଜଣା ବେଶ, ପଟୁଆର ଦେଖିବ । କେତେ ଯେ ଖେଳଣା ମାମୁଁ, ଅଜା, ଆଇ ସବୁ କିଣିଦେବେ । କେତେ ଭଳିକି ଭଳି ନାନାଦି ମିଠା, ପିଠା, ପଣା ସବୁ ଖାଇବ । ନୂଆ ପୋଷାକ ପିନ୍ଧିବ, ଯାତ୍ରା ଦେଖିବ...ଏଭଳି ଅନେକ ଅସୁମାରୀ ଆଶା ଓ ଆନନ୍ଦ ମନରେ ୪ ବର୍ଷର ଶିଶୁ ଅଙ୍କିତା ନିଜ ମା’ଙ୍କ ସହ ମାମୁଁଘର ଖଲିଙ୍ଗି ଆସିଥିବ । ହେଲେ କିଏ ବା ଜାଣିଥିଲା ସେ ନିର୍ବୋଧ ନିଷ୍ପାପ ଶିଶୁଟି ମଣିଷରୂପି ଏକ ପିଶାଚ ହାବୁଡରେ ପଡିଯିବ ଯିଏ ତାକୁ ଝୁଣି ଖିନ୍ ଭିନ କରି ଖାଇଯିବ ବୋଲି !

ପିଶାଚ ମୁହଁରେ ଅଙ୍କିତା 

୨୫ ତାରିଖ ଶୁକ୍ରବାର ସନ୍ଧ୍ୟାରେ ମାମୁଁଘର ଦାଣ୍ଡରେ ଖେଳୁିଥିବା ବେଳେ ଶିଶୁଟି ଅଚାନକ ନିଖୋଜ ହୋଇଯାଇଥିଲା । ଏନେଇ ପାଟ୍ଟପୁର ଥାନାରେ ଅଭିଯୋଗ ହୋଇଥିଲା । ଦୀର୍ଘ ସମୟ ଧରି ଆଖପାଖ ଚତୁର୍ଦିଗ ଖୋଜାଖୋଜି ପରେ ବିଳମ୍ବିତ ରାତିରେ ସ୍ଥାନୀୟ ଆରଆଇ ଅଫିସ ନିକଟ ନିର୍ମାଣାଧିନ ଅଙ୍ଗନୱାଡି କେନ୍ଦ୍ରରୁ ଶିଶୁଟିର କ୍ଷତବିକ୍ଷତ ମୃତଦେହ ମିଳିଥିଲା । ସ୍ଥାନୀୟ ଯୁବକ ତଥା ଶିଶୁଟିର ସମ୍ପର୍କିୟ ମାମୁଁ ଅତ୍ୟନ୍ତ ନୃଶଂସ ଓ ଅମାନୁସିକ ଭାବରେ ନିର୍ବୋଧ ଶିଶୁ ପ୍ରତି ଦୁଷ୍କର୍ମ କରିବା ସହିତ ମୁହଁ ବନ୍ଦ କରି ମାରିଦେଇଥିବା ଜଣାପଡିଲା । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

“୧୦ଟି ଫାଶୀଦେଲେ ଲକ୍ଷେ ଝିଅ ବଂଚିଯିବେ”

ଖଲିଙ୍ଗି ଘଟଣାର ସ୍ଥିତି ଅନୁସନ୍ଧାନ କରିବାକୁ ଓଡିଶା ବିରୋଧୀଦଳର ଶୀର୍ଷ ନେତୃତ୍ୱବୃନ୍ଦମାନଙ୍କ ଭିଡ ଗାଁରେ ଦେଖିବାକୁ ମିଳିଲା । ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଘଟଣାର ଦିନକ ପରେ ଖଲିଙ୍ଗି ଯାଇ ସରକାରଙ୍କୁ କଡା ସମାଲୋଚନା କଲେ- “ଏଭଳି ଘଟଣା ପ୍ରତ୍ୟେକ ଦିନ ବଢି ବଢି ଚାଲିଛି, ସରକାର କିଛି କରୁନାହାଁନ୍ତି । ଆମେ ଏତେ ପାଟିତୁଣ୍ଡ କଲୁ, ବିଧାନସଭା ଘେରାଉ କଲୁ, ଆମର ୧୪ ବିଧାୟକଙ୍କୁ ନିଲମ୍ବିତ କଲେ । ସରକାର ଏଭଳି ଘଟଣାରେ ଦୋଷୀକୁ ତୁରନ୍ତ ଫାଶୀ ବ୍ୟବସ୍ଥା କରିବା କଥା । ଏଭଳି ୧୦ଟି ଫାଶୀ ହୋଇଗଲେ ହଜାର ହଜାର ଲକ୍ଷ ଲକ୍ଷ୍ୟ ଝିଅ ବଂଚିଯିବେ ।

ବିଜେଡି ପ୍ରତିନିଧିଦଳରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ଲୋପାମୁଦ୍ରା ବକ୍ସିପାତ୍ର ଘଟଣାକୁ ଅତି ଜଘନ୍ୟ ଭାବେ ବିବେଚନା କରିଥିଲେ । “ଏଭଳି ଘଟଣା କେବଳ ଖଲିଙ୍ଗି ନୁହେଁ ସମଗ୍ର ଗଂଜାମ ଜିଲ୍ଲାକୁ ମର୍ମାହତ କରିଛି । ଗୋଟିଏ ଗାଁର ଆତ୍ମା କାନ୍ଦୁଛି । ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ବୁଢୀଠାକୁରାଣୀ ଯାତ୍ରା ବୁଲିଲେ, ଅଥଚ ସେଠାରୁ ମାତ୍ର ୨୦ କିଲୋମିଟର ଦୂର ଖଲିଙ୍ଗି ଗାଁ’ରେ ଏତେ ବଡ ସମ୍ବେଦନଶୀଳ ଘଟଣାକୁ ଆସିପାରିଲେ ନାହିଁ?” ବୋଲି ବିଜେଡି ନେତ୍ରୀ ଶ୍ରୀମତୀ ଛୁରିଆ ଅଭିଯୋଗ କଲେ । ଓଡିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରି କହିଲେ, “ଏଭଳି ଘଟଣା କେବେ କାନ ମଧ୍ୟ ଶୁଣିବ ନାହିଁ । ଦୋଷୀକୁ ଯେତେ ଦଣ୍ଡ ଦେଲେ ବି କମ ରହିବ ।”

ବିରୋଧୀଙ୍କ କଥା ଲୋକଙ୍କୁ ସୁହାଉଛି

ରାଜ୍ୟରେ ଘଟିଚାଲିଥିବା ଦୁଷ୍କର୍ମ ତଥା ନାବାଳିକାମାନଙ୍କ ପ୍ରତି ପାଶବିକ ଅତ୍ୟାଚାର ଗୋଟିଏପଟେ ବଢିଚାଲିଥିବାବେଳେ ସ୍ଥାନୀୟ ଗ୍ରାମ ଓ ଜିଲ୍ଲାବାସୀଙ୍କୁ ମର୍ମାହତ କରୁଛି । ଅନ୍ୟପକ୍ଷେ ସରକାରଙ୍କ ବିରୋଧରେ ବିରୋଧୀଦଳମାନଙ୍କ ମନ୍ତବ୍ୟ ଲୋକଙ୍କୁ ସୁହାଉଛି । ଯଦ୍ୱାରା ସରକାରଙ୍କ ଭାବମୂର୍ତ୍ତି ପ୍ରତି ବିପଦ ସୃଷ୍ଟି କରୁଛି ।  

ପୂର୍ବ ସରକାରରେ ମଧ୍ୟ ଏଭଳି ଅନେକ ଅମାନବିୟ ଲଜ୍ଜାଜନକ ଘଟଣା ଘଟିଛି, କିନ୍ତୁ ଅନେକ ଅପରାଧୀଙ୍କୁ ପୋକ୍ସୋ ଆଇନରେ ଫାଶୀ ଦଣ୍ଡବିଧାନ ମଧ୍ୟ ହୋଇଛି । ପୋକ୍ସୋ ଆଇନରେ ପ୍ରଥମ କରି ଜୁଲାଇ ୨୦୧୯ରେ ଅନୁଗୋଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଏହା ପରେ ଜଗତସିଂହପୁର, କେନ୍ଦୁଝର ଏଭଳି ଅନେକ ସ୍ଥାନରେ ମୃତ୍ୟୁ ଦଣ୍ଡବିଧାନ ହୋଇଛି । ତଥାପି ଏଭଳି ଘୃଣ୍ୟ ଘଟଣା ଘଟିଚାଲିଛି ।

ସେହିଭଳି ପୂର୍ବ ସରକାରରେ ଘଟୁଥିବା ନାବାଳିକା ଦୁଷ୍କର୍ମର ନିରାକରଣ ପାଇଁ ‘ପରୀ ରଥ’ ଭଳି ବିକଳ୍ପ ବ୍ୟବସ୍ଥା ହାତକୁ ନିଆଯାଇଥିଲା । ସରକାର ଓଡ଼ିଶା ପୁଲିସର ଉଦ୍ୟମରେ ରାଜ୍ୟରେ ଘଟୁଥିବା ନାବାଳିକା, ଶିଶୁ ଓ କିଶୋରୀମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ, ହତ୍ୟା ଓ ଅତ୍ୟାଚାରକୁ ପ୍ରଶମିତ କରିବା ପାଇଁ ଜନଚେତନା ଜାଗ୍ରତ ନିମିତ୍ତ ‘ପରୀ' ରଥ ବିଭିନ୍ନ ପ୍ରାନ୍ତରେ ଭ୍ରମଣ କଲେ । ମାତ୍ର ଏଥିରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଘଟିଲା ନାହିଁ । କାରଣ ଏହି ଅଭିଯାନ ପରେ ମଧ୍ୟ ନାନା ଦୁଷ୍କର୍ମର ଖବର ପୁନର୍ବାର ସମ୍ବାଦପତ୍ରଗୁଡ଼ିକର ପୃଷ୍ଠା ମଣ୍ଡନ କଲା । ତେଣୁ ବର୍ତ୍ତମାନର ସରକାର ସମାଜର ସାଙ୍ଘାତିକ ବ୍ୟାଧି ସାଜିଥିବା ଏଭଳି ଲଜ୍ଜାଜନକ ଘଟଣାକୁ ରୋକିବା ପାଇଁ ଚିନ୍ତାଶୀଳ ହେବା ଏବଂ କାର୍ଯ୍ୟପନ୍ଥା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

Odisha Crime Against Women Opposition Parties Women Violence
Advertisment
Advertisment