• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତିର ରାଜଧାନୀରେ ଅସୁରକ୍ଷିତ ଖୋଦ୍ ଜନତାଙ୍କ ସୁରକ୍ଷାଦାତା । ସ୍ମାର୍ଟ ସିଟିର ପୋଷ୍ ଏରିଆରେ ମହିଳା ପୋଲିସ ଅଧିକାରୀଙ୍କୁ ବି ଟାର୍ଗେଟ୍ କରିବାକୁ ପଛାଉ ନାହାନ୍ତି ଅସାମାଜିକ । ହକି ବିଶ୍ୱକପର ଅବ୍ୟବହିତ ପୂର୍ବରୁ ସମଗ୍ର ଭୁବନେଶ୍ୱର ମହାନଗରୀ ଚଳଚଞ୍ଚଳ ରହିଛି, ଠିକ୍ ସେତିକିବେଳେ କମିଶନରେଟ୍ ପୋଲିସ ଆଗରେ କଂଟା ହୋଇ ଛିଡ଼ା ହୋଇଛି ମହିଳା ସୁରକ୍ଷା ପ୍ରସଙ୍ଗ । ତା ପୁଣି ଜଣେ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ରାତି ଅଧରେ ହୋଇଥିବା ଅସାମାଜିକଙ୍କ ଆକ୍ରୋଶ ମାମଲା ।

ଘଟଣା ଏମିତି, ଗତ ସୋମବାର ରାତି ପ୍ରାୟ ସାଢ଼େ ଗୋଟେ, ଭୁବନେଶ୍ୱର ମହିଳା ଥାନାର ସବ୍ ଇନସ୍‌ପେକ୍ଟର ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଆଚାର୍ଯ୍ୟବିହାର ସାଇନ୍ସ ପାର୍କ ପାର୍ଶ୍ୱ ରାସ୍ତା ଦେଇ ରିଜର୍ଭ ଅଫିସସ୍ଥିତ କ୍ୱାର୍ଟରକୁ ଫେରୁଥିଲେ । ଏତିକି ବେଳେ ରିଜର୍ଭ ଅଫିସ ପଟୁ ଆସୁଥିଲା ଏକ ଇନୋଭା କାର । ଶୁଭଶ୍ରୀଙ୍କ ଅଭିଯୋଗ, ଡିପର ଲାଇଟ୍ ଅନ୍ ଅଫ୍ କରି ତାଙ୍କ ବାମ ପଟକୁ ମାଡ଼ି ଆସିଥିଲା ଗାଡ଼ିଟି । ଆଉ ସେ ପୋଲିସ ୟୁନିଫର୍ମରେ ଥିବା ଦେଖି, ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେଇଥିଲେ ଗାଡ଼ିରେ ଥିବା ୩ ବ୍ୟକ୍ତି । ସେ ତାଙ୍କ ଗାଡ଼ିକୁ ଆଗକୁ ନେବା ପରେ ଇନୋଭା ଗାଡ଼ିଟି ରାସ୍ତାରେ ୟୁଟର୍ଣ୍ଣ ମାରି ପୁଣି ତାଙ୍କୁ ପିଛା କରିଥିଲା । ଏପରିକି ଗାଡ଼ିରେ ଥିବା ୩ ଜଣଙ୍କ ଭିତରୁ ଜଣେ ଖଣ୍ଡା ଧରି ଚିତ୍କାର କରିଥିବା କଥା ମଧ୍ୟ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ସଂପୃକ୍ ମହିଳା SI ।

ଏପଟେ ଘଟଣା ପରେ ରାଜଧାନୀରେ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ରାଜଧାନୀର ସଚେତନ ନାଗରିକ କହିଛନ୍ତି, ଯଦି ଜଣେ ମହିଳା ପୋଲିସ ଅଧିକାରୀ ରାଜଧାନୀର ଛାତି ଉପରେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ ? ରାଜଧାନୀର ପ୍ରମୁଖ ଅଞ୍ଚଳରେ ଜଣେ ପୋଲିସ ଅଧିକାରୀଙ୍କୁ ଆକ୍ଷେପ ଓ ଆକ୍ରମଣ ଉଦ୍ୟମ ପାଇଁ ଦୁର୍ବୃତ୍ତଙ୍କ ସାହସ ହେଲା କେମିତି ?

ରାତି ଅଧରେ ବୁଲୁଥିବା ଏଭଳି ଅସାମାଜିକଙ୍କ ଉପରେ କଣ ପୋଲିସ ପାଟ୍ରୋଲିଂର ନଜର ପଡୁନି । ସେପଟେ ହକି ବିଶ୍ୱକପ୍ ପାଇଁ କମିଶନରେଟ୍ ପୋଲିସ ସାରା ଭୁବନେଶ୍ୱର ଉପରେ ସ୍ୱତନ୍ତ୍ର ନଜର ରଖିଥିବା ଏବଂ ନୂଆବର୍ଷ ଅବସରରେ ରାତି ବେଳା ପାଟ୍ରୋଲିଂ କଡ଼ାକଡ଼ି ଚେତାବନୀ ପରେ ବି ଅସାମାଜିକମାନେ ଏତେ ନିର୍ଭୟ ହେଲେ କେମିତି ? ସେପଟେ ଭୁବନେଶ୍ୱର ଡିସିପି କହିଛନ୍ତି, ଏ ଘଟଣାକୁ ଅତି ଗୁରୁତର ସହ ନେଇଛି କମିଶନରେଟ୍ ପୋଲିସ । କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ଏମାନେ ଖୁବଶୀଘ୍ର ଧରାୁପଡ଼ିବେ । ଅଭିଯୁକ୍ତଙ୍କୁ ଧରିବା ଲାଗି ସିସିଟିଭି ଫୁଟେଜ୍ ଯାଞ୍ଚ୍ କରାଯାଉଛି ।

ଦୁଇ ଦିନ ତଳେ ରାଜ୍ୟ ରାଜଧାନୀରେ ଘଟିଥିବା ଏ ଘଟଣା ଓଡ଼ିଶା ପାଇଁ ଆଦୌ ଅସ୍ୱାଭାବିକ ନୁହେଁ । କାରଣ ୨୦୨୦ରେ ବର୍ଦ୍ଦିରେ ଥିବା ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ଥିଲା । ଉଦ୍‌ବେଗର ବିଷୟ, ଏହାର ବର୍ଷକ ପରେ, ଅର୍ଥାତ ୨୦୨୧ରେ ଓଡ଼ିଶା ଏ କ୍ଷେତ୍ରରେ ୧ ନମ୍ବରରେ ପହଞ୍ଚିଥିବା ଖୋଦ୍ NCRB ତଥ୍ୟ କହୁଛି ।