• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁଇ ନାବାଳିକା ଭଉଣୀଙ୍କୁ ହତ୍ୟା । ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରେ ଦୁଇ ଦଳିତ ଭଉଣୀଙ୍କ ମୃତଦେହ ଗାଁ ବାହାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ବୁଧବାର ଅପରାହ୍ନରେ ୩ ଜଣ ଯୁବକ ଦୁଇ ଝିଅଙ୍କୁ ଅପହରଣ କରି ମାରି ଟଙ୍ଗାଇ ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମା’ । ସେ କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ପଡୋଶୀ ଗାଁ ଲାଲପୁରର ବାସିନ୍ଦା ।

ନିଗସାନ ଥାନା ଅନ୍ତର୍ଗତ ତାମୋଲିନ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତଦେହ ମିଳିବା ପରେ ଲୋକମାନେ ରାସ୍ତା ଅବରୋଧ କରି ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି । ତେବେ ଏହି ସମୟରେ ଏସପି ସଞ୍ଜୀବ ସୁମନଙ୍କ ସହ ଲୋକଙ୍କ ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଛୋଟୁଙ୍କୁ ଗିରଫ କରିଛି । ଅଭିଯୁକ୍ତର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଖୋଜୁଛି ପୋଲିସ୍ ।

ପୋଲିସ୍‌ ସହ ଯୁକ୍ତିତର୍କ

ତେବେ ଏହି ଘଟଣା ପରେ ଶତାଧିକ ଲୋକ ନିଗସାନ ରାସ୍ତା ଅବରୋଧ କରିଛନ୍ତି । ସୂଚନା ପାଇବା ପରେ ଏସପି ସଞ୍ଜୀବ ସୁମନ ପୋଲିସ ଫୋର୍ସ ସହ ଘଟଣାସ୍ତଳରେ ପହଞ୍ଚିଥିଲେ । ଉତ୍ତେଜିତ ଜନତାଙ୍କୁ ବୁଝାଇବା ସହ 'ନେତାଗିରି ନକରିବାକୁ କହିଥିଲେ । ଏସପିଙ୍କ ଏପରି କଥା ଶୁଣି ଲୋକମାନେ ରାଗିଯାଇଥିଲେ । ଫଳରେ ପୋଲିସ୍‌ ଓ ଜନତାଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ପୋଲିସ ଭିଡ଼ ଭିତରୁ ମୃତଦେହ ବାହାର କରି ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଇଛି ।

କ’ଣ କହିଲେ ମୃତକଙ୍କ ମା’

ଏହି ଘଟଣା ସଂପର୍କରେ ମୃତ ନାବାଳିକାଙ୍କ ମାଆ ଦେଇଥିବା ବୟାନ୍‌ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସେ କହିଛନ୍ତି, ଗତକାଲି ଅପରାହ୍ନରେ ତାଙ୍କର ୧୫ ଓ ୧୭ ବର୍ଷିୟ ଦୁଇ ଝିଅ ସହ ଘର ବାହାରେ ବସିଥିଲେ । କିଛି ସମୟ ପରେ ଝିଅମାନଙ୍କୁ ବାହାରେ ଛାଡି ସେ ଶାଢ଼ୀ ବଦଳାଇବା ପାଇଁ ଘର ଭିତରକୁ ଚାଲିଯାଇଥିଲେ ଏବଂ ସେହି ସମୟରେ ବାଇକ୍ ଆସି ତିନିଜଣ ଯୁବକ ପହଞ୍ଚିଲେ ।

'ତିନିଜଣଙ୍କ ମଧ୍ୟରୁ ଦୁଇ ଜଣ ଦୁଇ ଝିଅକୁ ଟାଣି ନେଇଥିଲେ ଗାଡ଼ିରେ ବସାଇଥିଲା । ଅନ୍ୟ ପିଲାଟି ବାଇକ୍ ଷ୍ଟାଟ୍‌ କରି ଝିଅଙ୍କୁ ଧରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।' ପୂର୍ବରୁ  ତିନି ଜଣ ଯୁବକ ଗାଁକୁ ପ୍ରତିଦିନ ଆସୁଥିବା କହିଛନ୍ତି ତାଙ୍କ ମା । ତିନିଜଣ ଲାଲପୁରର ବାସିନ୍ଦା ବୋଲି ସେ କହିଛନ୍ତି । ତେବେ ଝିଅଙ୍କୁ ରକ୍ଷା କରିବା ପାଇଁ ଦଉଡ଼ିଥିଲେ ବି ବଞ୍ଚାଇ ପାରିନଥିଲେ ବୋଲି ସେ କାନ୍ଦି କାନ୍ଦି କହିଛନ୍ତି ।

ମୃତକଙ୍କ ପରିବାରର ଅଭିଯୋଗ କ୍ରମେ ବର୍ତ୍ତମାନ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେପଟେ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହକୁ ପୋଷ୍ଟମୋଟମ ପାଇଁ ପଠାଇ ଦେଇଛି ପୋଲିସ୍‌ । ଏବେ ଜଣେ ଧରାପଡ଼ିଥିବା ବେଳେ ଆଉ ଦୁଇ ସହଯୋଗୀଙ୍କୁ ଖୋଜୁଛି ପୋଲିସ୍‌ ।