Advertisment

ଅବାକ୍ ଦୁନିଆ, ହତବାକ୍ ଦେଶ, ସ୍ତବ୍ଧ ଓଡ଼ିଶା : ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର

ଭୀଷଣ, ଭୟଙ୍କର, ହୃଦୟବିଦାରକ । ରେଳ ଦୁର୍ଘଟଣାରେ ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା . . . ବାଲେଶ୍ୱର ବାହାନଗାରେ ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର। ଏହା ଏଭଳି ରେଳଦୁର୍ଘଟଣା, ଯାହା କିଏ ଆଗରୁ ଦେଖିଛି, ନା ଦେଖିବାକୁ ଚାହିଁବ । ବିଭିନ୍ନ ହସପିଟାଲରେ ଏବେ ବି ହଜାରେରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ସେଭିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଶୁକ୍ରବାର କାଳ ରାତି ଉଜାଡ଼ି ଦେଇଛି ଅନେକଙ୍କ ସ୍ୱପ୍ନ । ଛାରଖାର କରିଦେଇଛି ବହୁ ପରିବାରର ଖୁସି।...

author-image
Prangyan Parimita
ଅଦ୍ୟତନ ହୋଇଛି
Odisha Train Mishap

Odisha Train Mishap

ଖୁସିର ଟ୍ରାକ ଉପରେ ହଜାରେ ସ୍ୱପ୍ନକୁ ଧରି ଦୌଡ଼ୁଥିଲା ରେଲ୍ ଗାଡ଼ି । ଛୁଟି କଟେଇବାକୁ କିଏ ବାପା-ମାଆଙ୍କ ସହ ମାମୁ ଘର ବାହାରି ଥିଲା, ତ କିଏ ଛୁଟି କାଟିn ଫେରୁଥିଲା ନିଜ ଘର...କାହାକୁ ବା ଜଣାଥିଲା ସଂଜ ଢଳୁ ଢଳୁ ବାହାନଗାରେ ଭୟଙ୍କର ମୃତ୍ୟୁର ରାତି ଧରି ଅପେକ୍ଷାରେ ଥିଲା ସମୟ । ତିନି ତିନିଟି ଟ୍ରେନ୍ ଭିତରେ ଭୟାନକ ଟକ୍କର ପରେ କାଲି ରାତିରେ ବାହାନଗାର ଦୃଶ୍ୟ ଖୁବ୍‌ ହୃଦୟବିଦାରକ ।

Advertisment

ହାତରୁ ବାଦାମ ପୁଡ଼ିଆ ଖସି ପଡ଼ିବା ଭଳି ମୁହୂର୍ତ୍ତକରେ ଖୁସି ଖସି ଯାଇଥିଲା...ବଦଳରେ ଚାରିଆଡୁ ଶୁଭୁଥିଲା ଆର୍ତ୍ତ ଚିତ୍କାରର ହାହାକାର...ଦୁର୍ଘଟଣାର ଭୟଙ୍କର ଶବ୍ଦ ଓ ଖବର ଆଖିପିଛୁଳାକେ ବ୍ୟାପିଯିବା ପରେ ସଂଗେ ସଂଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆରମ୍ଭ ହୋଇଯାଇଥିଲା ଅପରେସନ୍। ରାତିର ଅନ୍ଧାର...କେବେ ଆଖି ଦେଖି ନଥିବା ଦୁର୍ଘଟଣା...ଆଉ ଦିଆସିଲି ଖୋଳ ଭଳି ଏଣେତେଣେ ବିଛାଡ଼ି ହୋଇପଡ଼ିଥିବା, ପରସ୍ପର ଉପରେ ଚଢି ମାଡ଼ି ଯାଇଥିବା ବଗି, ଏବଂ ସେ ଭିତରୁ ଜୀବନ ସହ ଜୁଝୁଥିବା, କ୍ଷଣିକ ଭିତରେ ଆଖି ବୁଜି ସାରିଥିବା ମୃତାହତଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା ।

ଅବାକ୍ ଦୁନିଆ... ହତବାକ୍ ଦେଶ... ସ୍ତବ୍ଧ ଓଡ଼ିଶା। ଭାରତ ଇତିହାସର ସବୁଠୁ ବଡ଼ ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ରାତାରାତି ଲାଗିପଡ଼ିଥିଲା ସବୁଠୁ ବଡ଼ ରେସ୍କ୍ୟୁ ଟିମ୍ । କାଳ ରାତିର ଅନ୍ଧାର ହଟି ସିନ୍ଦୁରା ଫାଟିଲା ବେଳକୁ ଫୁଟି ବାହାରିଥିଲା ପାଖାପାଖି କିଲୋମିଟର ଯାଏ ଦୁର୍ଘଟଣାର ଭୟାବହତାକୁ ଦର୍ଶାଉଥିବା ଏକକୁ ଆରେକ ବଳି ଦୟନୀୟ, ପ୍ରଳୟ ଭଳି ଚିତ୍ର...ଘନଘନ ଆମ୍ବୁଲାନସର ସାଇରନ୍, ଗ୍ୟାସ କଟରରେ କାଟି ବଗିରୁ ମୃତାହତଙ୍କ ଉଦ୍ଧାର ବେଳର ଶବ୍ଦ ଓ ହଜାର ହଜାର ଲୋକଙ୍କ କୋଳାହଳରେ ଫାଟି ପଡ଼ୁଥିଲା ପରିବେଶ ।

Advertisment

ଦୁର୍ଘଟଣାର ଦୃଶ୍ୟ ଏମିତି ନା କିଏ କେବେ ଦେଖିଥିଲା, ନା କେବେ ଦେଖିବାକୁ ଚାହିଁବ। କରମମଣ୍ଡଳ ଏକ୍ସପ୍ରେସର ଏ ପ୍ୟାଣ୍ଟ୍ରି କାର ହିଁ ବଖାଣୁଥିଲା, କେମିତି ପ୍ରସ୍ତୁତ ଥିବା ରାତିଖାଦ୍ୟ ବି ଖୁଆଇ ଦେଇ ନଥିଲା ନିଷ୍ଠୁର ବିଧି। ଖାଇବା ଆଗରୁ କିଏ ସବୁଦିନ ପାଇଁ ଶୋଇଯାଇଥିଲା, ତ କିଏ ହସପିଟାଲରେ ଜୁଝୁଥିଲା ଜୀବନ ଓ ମରଣ ସହ ।..

ତେବେ ୯ଟି ଏନଡିଆରଏଫ୍ ଟିମ୍ ସମେତ ୫ଟି ଓଡ୍ରାଫ୍ ୟୁନିଟ୍, ୨୪ ଫାୟାର ସର୍ଭିସ୍ ଓ ଇମର୍ଜେନ୍ସି ୟୁନିଟ୍, ରାଜ୍ୟ ପୋଲିସ ସାଙ୍ଗକୁ ସ୍ଥଳ ସେନା ପକ୍ଷରୁ ରାତି ସାରା ଚାଲିଥିବା ଉଦ୍ଧାର କାର୍ଯ୍ୟ ଦିନର ଆଲୁଅରେ ଆହୁରି ତ୍ୱରାନ୍ୱିତ ହେଲା । ପୋଲିସ ଡିଜିଙ୍କଠୁ ନେଇ ରାଜ୍ୟ ସରକାର ରେଲୱେ ବିଭାଗର ବରିଷ୍ଠ ଅଧିକାରୀ ବି ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।....

କେବଳ ସେତିକି ନୁହେଁ ଏଣେ ଅତି କଠିନ ପରିସ୍ଥିତିରେ ବଗିରୁ ମୃତାହତଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିଲା ତ ସେପଟେ ମୃତାହତଙ୍କୁ ହସ୍ପିଟାଲ ନେବା କାମରେ ଲାଗିଥିଲେ ୨ ଶହ ଆମ୍ବୁଲାସ, ତୁରନ୍ତ ଚିକିତ୍ସା ପାଇଁ ଶହେ ମେଡିକାଲ ଟିମ୍, ୪୫ ମୋବାଇଲ୍ ହେଲ୍ଥ ଟିମ୍, ୫୦ଡାକ୍ତର ଏବଂ ଦୁର୍ଘଟଣାରେ ଫସିଯାଇଥିବା ଯାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ୩୦ ବସ୍। ଏମିତିକି ଅପରେସନରେ ପଶ୍ଚିମବଙ୍ଗର ମେଡିକାଲ ଟିମ୍ ବି ସାମିଲ ହୋଇଥିଲେ।...

ଏସବୁ ଭିତରେ ଦୀର୍ଘ ୧୬ ଘଣ୍ଟାର ଅପରେସନ୍ ପରେ ଆଜି କେବଳ ବଗିରୁ ମୃତାହତଙ୍କ ଉଦ୍ଧାର କାର୍ଯ୍ୟ ସରିଛି । ହେଲେ ଏକ କିଲୋମିଟର ବ୍ୟାପୀ ଅଞ୍ଚଳରେ ଉଜୁଡ଼ା ଟ୍ରାକ୍ ଓ ଭଙ୍ଗା ବଗିସବୁ ଏବେ ବି ତାସ ପତ୍ତା ପରି ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି ।...

Train Accident Train Mishap
Advertisment
Advertisment