• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁଆର ମୁହଁରେ ପଡିଛି କାନ୍ଦବୋବାଳି । କିଏ କାହାକୁ ବୁଝାଇବ ? କେମିତି ବୁଝାଇବ ? କିଛି ଜଣାପଡୁନି । ସେହି ଦୃଶ୍ୟ ଦେଖିଲେ ଆପଣଙ୍କର ବି ଛାତି ଫାଟିଯିବ । କିଛି ସମୟ ପାଇଁ ଆପଣ ବି ସ୍ତବ୍ଧ ହୋଇଯିବେ । ଝିଅ କାନ୍ଦୁଛି, ମାଆ କାନ୍ଦୁଛି, ପରିବାର ବି କାନ୍ଦୁଛି । ଯାହାକୁ ଦେଖିବେ ତା ଆଖିରେ ଲୁହର ବର୍ଷା ହେଉଛି । ସମସ୍ତେ ସମସ୍ତଙ୍କୁ ଦେଖୁଛନ୍ତି ହେଲେ କେହି କାହାକୁ ବୁଝାଇବାକୁ ପ୍ରସ୍ତୁତ ନାହାନ୍ତି । କିଏ ବାପାଲୋ.. କହି କହି ଭୂଇଁରେ ଲୋଟୁଛି ତ ଆଉ କିଏ ଭାଇଲୋ କହିକି ମୁଣ୍ଡ ପିଟୁଦେଉଛି ।

ଏମାନଙ୍କ କଷ୍ଟ ଏତେ ଯେ, ଆମେ ଶବ୍ଦରେ ବର୍ଣ୍ଣନା ବି କରିପାରୁନୁ । ପାଖରେ ସଜଡା ହୋଇଛି କୋକେଇ । ଆଉ ସବୁଦିନ ପାଇଁ ଶୋଇଯାଇଛନ୍ତି ଉଦୟ । ସେପଟେ ଖଇ କଉଡି ବି ବନ୍ଧା ସରିଛି । ମୁଖାଗ୍ନି ପାଇଁ ଛଣଚାପରେ ନିଆଁ ମଧ୍ୟ ଲାଗିଲାଣି । ବାସ୍‌ ଆଉ ମାତ୍ର କେଇ ମିନିଟ୍‌ ପରେ ସବୁ ଶେଷ । ତେବେ ଶେଷ ଥର ପାଇଁ ଉଦୟଙ୍କୁ ଦେଖିବାକୁ ଏମିତି ଛାତିଫଟେଇ କାନ୍ଦୁଛନ୍ତି ପରିବାର ଲୋକ ।

କେନ୍ଦ୍ରାପଡା ବାଣବିସ୍ଫୋରଣରେ ଉଦୟଙ୍କ ପ୍ରାଣ ଯିବା ପରେ ଗାଁରେ ପହଞ୍ଚିଛି ଶବ । ଆଉ ଶବ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ ଓ ପରିବାର । ସେ ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦିବେ । ଉଦୟଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛି ପୂରା ପରିବାର । ସ୍ତ୍ରୀକୁ କହିଯାଇଥିଲେ ମୁଁ କାମକୁ ଯାଉଛି, ରାତିରେ ଫେରିବି । ତେବେ ରାତିରେ ନୁହେଁ ବରଂ ଦିନରେ ଘରକୁ ଫେରିଥିଲେ ଉଦୟ । ହେଲେ ଶବ ହୋଇ ଫେରିଲେ ।

ସତରେ ଦୈବ ଯଦି ଏମିତି ଦୁଃଖ ଦେବ ତାକୁ କିଏ ରୋକିବ ? ସେପଟେ ଉଦୟ ଦିନମଜୁରିଆ ଭାବରେ କାମ କରୁଥିବାରୁ ତାଙ୍କର ପରଲୋକ ପରେ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି ପରିବାର ଲୋକେ ।

(ରିପୋର୍ଟ- ମନୋଜ ଆଚାର୍ଯ୍ୟ, ସାଲେପୁର)