କିଏ କୁହେ ଶବ ଶୁଭ ,କିଏ କହେ ଶବ ଅଶୁଭ । ଶବ ଦେଖିଲେ ଆପଣ କେଇଟା ମୁହୂର୍ତ୍ତ ଅଟକି ଯା'ନ୍ତି । କିନ୍ତୁ, କୌଣସି ଜାଗାରେ ଅଚିହ୍ନା ଶବ ମିଳିଲେ ଖୋଜା ହୁଏ ଜଣେ ମହିଳାଙ୍କୁ । ଏଭଳି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚିତ । ଆସନ୍ତୁ ଜାଣିବା କିଏ ସେହି ମହିଳା ଏବଂ ସେ କାହିଁକି ଅଜଣା ଶବର ସାଥୀ ବା ମଶାଣି ଦୂତ ପାଲଟିଛନ୍ତି ।
ଆମେ ଯେଉଁ ନାରୀଙ୍କ ବିଷୟରେ କହୁଛୁ ଆପଣ ତାଙ୍କୁ ନାରାୟଣୀ କହିଲେ ବି ଅତ୍ୟୁକ୍ତି ହେବ ନାହିଁ । କାହିଁକିନା ଯାହାକୁ ସମାଜ ଆଡ଼ ଆଖିରେ ଅନାଏନି ତାକୁ ସେ କୋଳାଇ ନିଅନ୍ତି । ସେଥିପାଇଁ ବରଗଡ଼ର ସଂଘମିତ୍ରା ପଟେଲଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ମୃତ୍ୟୁ ସମୟରେ ଯାହାର କେହି ନଥା'ନ୍ତି ତାଙ୍କ ପାଇଁ ସଂଘମିତ୍ରା ଥା'ନ୍ତି ।
Also Read
ଅଧିକ ପଢ଼ନ୍ତୁ: ଅନନ୍ୟ ପ୍ରେମ, ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କରି କଲେ ପ୍ରାଣ ପ୍ରତିଷ୍ଠା
ସାମାଜିକ ବାସନ୍ଦ, କଟକଣାକୁ ବେଖାତିର କରି ସେ ଆଗକୁ ପାଦ ବଢାଇଛନ୍ତି । ଆଉ ଯାହା କରିବା ପାଇଁ ମଣିଷ ଡରନ୍ତି ତାକୁ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଦିନେ ସେ ଝିଅଟିଏ ହୋଇ ବି ନିଜ ମାଆଙ୍କ ଶବରେ ମୁଖାଗ୍ନି ଦେଇଥିଲେ । ଆଉ ସେବେଠାରୁ ଶପଥ ନେଇଥିଲେ, ତାଙ୍କ ଜୀବନ ଥିବାଯାଏଁ କୌଣସି ଅଚିହ୍ନା ଶବ ଏ ସମାଜରେ ହତାଦର ହେବନି ।
ଅଜଣା ଶବର ସତ୍କାର ପାଇଁ ସବୁବେଳେ ସଂଘମିତ୍ରାଙ୍କୁ ଖୋଜା ପଡ଼ିଥାଏ । ଆଉ ସେ ଶବକୁ ମୋକ୍ଷର ଦ୍ଵାର ଦେଖାଇବା ପାଇଁ ଉଠାଇ ନିଅନ୍ତି । ପରେ ନିଜେ ହିଁ ସେହି ଅଜଣା ମଣିଷକୁ ମୁଖାଗ୍ନି ଦେଇଥାନ୍ତି ସଂଘମିତ୍ରା ।
ସବୁଠାରୁ ବଡ଼କଥା ହେଉଛି ସଂଘମିତ୍ରାଙ୍କ ଏହି କାମରେ ତାଙ୍କ ପରିବାର ଲୋକମାନେ ସହଯୋଗ କରିଥା'ନ୍ତି । ସେ ସମାଜ ପାଇଁ ଏକ ମହତ୍ କାମ କରୁଛନ୍ତି କହି ଆହୁରି ପ୍ରେରଣା ଯୋଗାଇ ଦିଅନ୍ତି । ସଂଘମିତ୍ରାଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଓ ପୋଲିସ ପ୍ରଶାସନ ଖୁବ ପ୍ରଶଂସା କରନ୍ତି । ଜଣେ ନାରୀଟିଏ ହୋଇବି ସେ କରୁଥିବା ମହତ୍ କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ ।