• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଓଡିଶାରୁ ସେହି ଭୟଙ୍କର ବିଶ୍ୱ ବ୍ୟାଧି ମହାମାରୀ କରୋନା ଚାଲିଯାଇଛି। ସରକାରୀସ୍ତରରେ କଟକଣା ମଧ୍ୟ ହଟିଗଲା। ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’, ସୋସିଆଲ ଡିଷ୍ଟାନ୍ସ, କ୍ୱାରେଣ୍ଟାଇନ, କଣ୍ଟେଣ୍ଟମେଣ୍ଟ ଆଦି ଶବ୍ଦର ପ୍ରୟୋଗ ମଧ୍ୟ ଆଉ ନାହିଁ। ମାସ୍କ ପିନ୍ଧିବା ମଧ୍ୟ ଆଉ ବାଧ୍ୟତାମୂଳକ ନୁହେଁ। ସବୁକିଛି ସ୍ୱାଭାବିକ ସ୍ଥିତିକୁ ଫେରିଲାଣି। ହେଲେ ସରକାର କରୋନା ସମୟରେ ସାମ୍ବାଦିକମାନଙ୍କ ଲାଗି ଯେଉଁସବୁ କଟକଣା ଲଗାଇଥିଲେ ସେଥିରେ ସ୍ୱାଭାବିକ ସ୍ଥିତି ନ ଆସିବା ଭଳି ମନେ ହୁଏ।

ସାମ୍ବାଦିକମାନେ ବିଧାନସଭା, ସଚିବାଳୟ (ଲୋକସେବା ଭବନ), ଖାରବେଳ ଭବନ, ରାଜୀବ ଭବନ ଆଦି ସରକାରୀ ମୁଖ୍ୟାଳୟକୁ ପ୍ରବେଶ କଟକଣା ସ୍ୱାଭାବିକ ହେଇ ନାହିଁ। ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରେ ଲାଗିଛି।

ବିଶ୍ୱ ଯେତେବେଳେ ମହମାରୀର ମହାସଂକଟ ଦେଇ ଗତି କରୁଥିଲା ସେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜୋନ୍ ଟ୍ରମ୍ପ୍‌ ସାମ୍ବାଦିକମାନଙ୍କ ଗହଣରେ ବ୍ୟକ୍ତିଗତଭାବେ ଉପସ୍ଥିତ ରହି ଦୈନିକ ସମ୍ମିଳନୀ କରୁଥିଲେ। ସେହି ସମୟରେ ଭାରତ ସରକାର ମଧ୍ୟ ଦୈନିକ ପ୍ରେସ୍ କନ୍‌ଫରେନ୍ସ କରି କୋଭିଡ୍‌-୧୯ ସମ୍ପର୍କୀତ ସମସ୍ୟା ଓ ବିଭିନ୍ନ ଆହ୍ୱାନ ସମ୍ପର୍କରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରୁଥିଲେ।

ସାମ୍ବାଦିକମାନେ ଦେଶବାସୀଙ୍କ ପ୍ରଶ୍ନ ସବୁକୁ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ରଖିବାର ସୁଯୋଗ ପାଇଥିଲେ। ମହାମାରୀର ଭୟଙ୍କର ସଙ୍କଟ ମଧ୍ୟରେ ଲୋକେ ଯେତେବେଳେ ‘ଗୃହବନ୍ଦୀ’ ହୋଇ ରହିଥିଲେ; ଖାଦ୍ୟ, ସ୍ୱାସ୍ଥ୍ୟ, ରୋଜଗାର ଆଦି ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟବାସୀଙ୍କ ପ୍ରଶ୍ନ ସବୁକୁ ସରକାରଙ୍କ ଉତ୍ତର ପାଇବାର ସୁଯୋଗ ପାଇଥିଲେ।

ପ୍ରଥମେ ରାଜ୍ୟ ସରକାର ‘ଗୀତଗୋବିନ୍ଦ ସଦନ’ରେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଉପସ୍ଥିତ ପାଇଁ ଅନୁମତି ଦିଆଯାଇଥିଲା। ହେଲେ ଏଥିରେ ମଧ୍ୟ ସରକାର କିଛି ସର୍ତ୍ତାବଳୀ ରଖିଲେ! ସାମ୍ବାଦିକମାନେ ନିଜ ନିଜ ପ୍ରଶ୍ନ ସବୁ ଲିଖିତ ଆକାରରେ ଦେବେ। ଏଥିପାଇଁ ସ୍ୱତନ୍ତ୍ର ଫର୍ମାଟ୍‌ ମଧ୍ୟ ରଖାଯାଇଥିଲ। ହେଲେ ଉତ୍ତର ଦିନକ ପରେ ମିଳିବ ବୋଲି କୁହାଗଲା।

ଏଭଳି ପ୍ରାୟ ୭/୮ ଦିନ ପରେ ଆଉ ସାମ୍ବାଦିକମାନଙ୍କୁ ସମ୍ମିଳନୀକୁ ପ୍ରବେଶ ଅନୁମତି ମିଳିଲା ନାହିଁ। ଯାହାକୁ କେନ୍ଦ୍ରକରି ସେହି ସମୟରେ ସାମ୍ବାଦିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଭଳି କି କୋଭିଡ୍‌-୧୯ ପ୍ରଥମ ଡୋଜ୍ ଟୀକାକରଣରେ ମଧ୍ୟ ସାମ୍ବାଦିକମାନଙ୍କ ମଧ୍ୟରେ ବାଛବିଚାର ସ୍ଥିତି ସାମ୍ନାକୁ ଆସିଲା।

ଯେଉଁ ଗଣମାଧ୍ୟମ ସଂସ୍ଥା ରାଜ୍ୟ ସରକାରକାରଙ୍କ ଅନୁମୋଦନ (ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ୱୀକୃତ) ପାଇଥିବେ କେବଳ ସେହି ସଂସ୍ଥାର ପ୍ରତିନିଧିମାନଙ୍କୁ ଟୀକା ଦିଆଗଲା। ଯାହାଫଳରେ ଏଥିରୁ ବଞ୍ଚିତ ଅନେକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରତିକ୍ରିୟା ପ୍ରକାଶ ପାଇଲା।


ଏବେ ସବୁକିଛି ସ୍ୱାଭାବିକ ସ୍ଥିତିକୁ ଆସିଲାଣି। ସରକାର କୋଭିଡ କଟକଣା ହଟାଇଦେଇଛନ୍ତି। ହେଲେ ରାଜ୍ୟ ମୁଖ୍ୟାଳୟଗୁଡିକରେ ସାମ୍ବାଦିକଙ୍କ ପ୍ରବେଶ କ୍ଷେତ୍ରରେ ସ୍ୱାଭାବିକ ସ୍ଥିତି ଫେରିନାହିଁ। କରୋନା ପୂର୍ବରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ପ୍ରବେଶ ପାଇଁ ବାର୍ଷିକ ପାସ୍ ପ୍ରଦାନ କରାଯାଉଥିଲା।

ସଂସ୍ଥା ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ସଚିବାଳୟ ପ୍ରବେଶ ପାସ୍ ଆବେଦନ କରାଯାଉଥିଲା। ସମ୍ପୃକ୍ତ ସାମ୍ବାଦିକଙ୍କ ସମ୍ପର୍କରେ ଗୁଇନ୍ଦା ବିଭାଗ ଅନୁସନ୍ଧାନ କଲା ପରେ ଗୃହ ବିଭାଗ ସଚିବାଳୟ ପ୍ରବେଶ ପାସ୍ ପ୍ରଦାନ କରୁଥିଲେ। ହେଲେ କରୋନା କଟକଣା ହଟିବା ପରେ ମଧ୍ୟ ସାମ୍ବାଦିକମାନଙ୍କୁ ଆଉ ଏହି ପାସ୍ ଦିଆଯାଉ ନାହିଁ। ଏନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି ଏବଂ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

କେବଳ ଆକ୍ରିଡେଟେଡ୍ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ମିଳିଛି। ଏଭଳି କି ବିଧାନସଭା ପ୍ରବେଶରେ ମଧ୍ୟ ସରକାର କଟକଣା ଲଗାଇଛନ୍ତି। କରୋନା ସମୟରେ ଯେଉଁ ସାମ୍ବାଦିକମାନଙ୍କୁ ପାସ୍ ଦିଆଯାଉଥିଲା କେବଳ ସେହିମାନଙ୍କୁ ଦିଆଯିବା ନେଇ ନିଷ୍ପତ୍ତି ନିଆଗଲା।

ଷୋଡଶ ବିଧାନସଭାର ଏକାଦଶ ଅଧିବେଶନର ପାସ୍ ପାଇଁ ଆବେଦନ କରିଥିବା ସାମ୍ବାଦିକମାନଙ୍କ ମଧ୍ୟରେ ନିରାଶ ଓ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସାମ୍ବାଦିକଙ୍କୁ ବିଧାନସଭା ପ୍ରବେଶ ପାଇଁ ପାସ୍ ପ୍ରଦାନ କରିବା ନିଷ୍ପତ୍ତି ପୂର୍ବରୁ ସ୍ୱତନ୍ତ୍ର ପରାମର୍ଶଦାତା କମିଟି ଦ୍ୱାରା ନିଦ୍ଧାରଣ କରାଯାଉଥିଲା। ଦୀର୍ଘ ଦିନ ହେବ ଏହି କମିଟି ଆଉ ସକ୍ରିୟ ନାହିଁ। ତେବେ ଏହି ପାସ୍ ପ୍ରଦାନ କରିବା ନିଷ୍ପତ୍ତି କେଉଁ ଆଧାରରେ ନିଆଯାଉଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସେହିଭଳି ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ମଧ୍ୟ ବାଛବିଚାରକୁ ନେଇ ଅସନ୍ତୋଷ ଲାଗିରହିଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପାଇ ନଥିବା ଅନେକ ସଂସ୍ଥାର ପ୍ରତିନିଧିମାନେ ସ୍ୱାସ୍ଥ୍ୟ ବୀମା ପାଇପାରି ନାହାନ୍ତି। ଏନେଇ ବିଭିନ୍ନ ସଂଘ ଓ ସଂଗଠନଗୁଡିକ ତରଫରୁ ଅନେକ ସମୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏଭଳି ଅନେକ ବିଷୟକୁ ଅବଲୋକନ କଲେ ଜଣାପଡୁଛି କି, ସରକାର ଓ ସାମ୍ବାଦିକଙ୍କ ମଧ୍ୟରେ ଏକ ଅଦୃଶ୍ୟ ଲକ୍ଷ୍ମଣରେଖା ସୃଷ୍ଟି ହୋଇଛି। ଏସବୁ କଟକଣାକୁ ହଟାଇ ସରକାର ସାମ୍ବାଦିକମାନଙ୍କ ପାଇଁ କରୋନାର ପୂର୍ବବର୍ତ୍ତୀ ସ୍ଥିତି ଫେରାଇଆଣିଲେ ଲୋକଙ୍କ ବିଭିନ୍ନ ସମସ୍ୟାଗୁଡିକ ସମ୍ପର୍କରେ ଗଣମାଧ୍ୟମ ସଠିକ ତଥ୍ୟ ଓ ସୂଚନା ପ୍ରକାଶ କରିପାରିବ ବୋଲି ଆଶା କରାଯାଏ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Other Stories