Advertisment

କାହା ଅନୁକମ୍ପାରେ ନାଗ ସାମ୍ରାଜ୍ୟ ? ବଡ଼ବଡ଼ିଆଙ୍କ ଗୁମର ଖୋଲିବାକୁ ଦିଲ୍ଲୀରେ ହେବ ଚୂଡ଼ାନ୍ତ ପ୍ଲାନ୍

କେଉଁଠୁ ଏତେ ପରିମାଣର ଟଙ୍କା ପାଇଥିଲେ ନାଗ-ଚାନ୍ଦ ?

author-image
Chandan Shishu
undefined

Archana Nag Case

ଫିଟିବ ନାଗଫାଶରେ ପଡ଼ିଥିବା ପ୍ରଭାବଶାଳୀଙ୍କ ଚିତ୍ର ଓ ଚରିତ୍ର। ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ସାରା ଓଡ଼ିଶା ଦେଖିବ ହନିଟ୍ରାପ୍ ମାମଲାର ନୂଆ ଚେହେରା। କାରଣ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡ଼ି କାହାକୁ ବି ଛାଡ଼ିବା ମୁଡ୍‌ରେ ନାହିଁ। ଅାସନ୍ତା ସପ୍ତାହରେ ଅର୍ଥାତ ୩୦ ତାରିଖରେ ନାଗ-ଚାନ୍ଦଙ୍କୁ ରିମାଣ୍ଡରେ ଆଣିବାକୁ ଥିବାରୁ ତାପୂର୍ବରୁ ଭୁବନେଶ୍ୱର ଶାଖାରୁ ଇଡ଼ିର ଏକ ଟିମ୍ ଯାଉଛନ୍ତି ଦିଲ୍ଲୀ ମୁଖ୍ୟାଳୟ। କୁହାଯାଉଛି, ସେଠାରେ ବହୁ ବଡ଼ବଡ଼ିଆଙ୍କୁ ନେଇ ପ୍ରସ୍ତୁତ ତାଲିକାକୁ ଧରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ଭୁବନେଶ୍ୱର ଟିମ୍।

Advertisment

ଇଡ଼ିର ଦିଲ୍ଲୀ ଅଫିସ ଏବଂ କୋଲାକାତା ଜୋନ୍‌ରୁ ଇନପୁଟ ପାଇବା ପରେ ଆସନ୍ତା ସପ୍ତାହରେ ଓଡ଼ିଶାରେ ଘାଣ୍ଟିବ ଇଡ଼ି। କାରଣ ପ୍ରାଥମିକ ଖୋଳତାଡ଼ ଭିତରେ ଅର୍ଚ୍ଚନା ଓ ଜଗବନ୍ଧୁ ସହ ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ର ମଧ୍ୟରେ ୩୭ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥିବା ଇଡ଼ି ତଥ୍ୟ ପାଇଛି। ଖଗେଶ୍ୱର ପାତ୍ରକୁ ତୃତୀୟ ଥର ପାଇଁ ରିମାଣ୍ଡ ଆବେଦନ ପିଟିସନ୍‌ରେ ଏକଥା ଦର୍ଶାଇଥିଲା ଇଡ଼ି। ତେଣୁ ଆସନ୍ତା ସପ୍ତାହରେ ନାଗ-ଚାନ୍ଦକୁ ରିମାଣ୍ଡରେ ଆଣିବାର ଯୋଜନା ଥିବାରୁ ଏହି ଆର୍ଥିକ କାରବାର ସହ ୫ ବର୍ଷରେ ଅଢ଼େଇ କୋଟିର ସଂପତି ଅର୍ଜନର ଇଡ଼ି ସତ ଉଗାଳିବ ବୋଲି କୁହାଯାଉଛି।

ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦ। ସେଭଳି କୌଣସି ଆଖିଦୃଶିଆ ଆୟ ନଥାଇ ପରଧନରେ କେମିତି ଛିଡ଼ା କରାଇଥିଲେ କଳା ସାମ୍ରାଜ୍ୟ। ତାର ନୂଆ ନୂଆ ତଥ୍ୟ ସବୁ ଏବେ ସାମ୍ନାକୁ ଆସୁଛି। ଲ୍ୟାଣ୍ଡ ରୋଭରର ଭେଲାର୍ କାର୍ କିଣିବାକୁ ଯୋଜନା କରିଥିଲେ ନାଗ-ଚାନ୍ଦ ଦଂପତି। ଯାହାର ଦାମ୍ ୮୩ ଲକ୍ଷ ଟଙ୍କା। ଏଥିପାଇଁ ୩୫ ଲକ୍ଷ ୧୧ ହଜାର ଟଙ୍କା ପୈଠ କରି ବୁକିଂ ବି କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବୁକିଂ କ୍ୟାନସଲ୍ କରିଦେଲେ। ଏହି ବ୍ୟୟବହୁଳ କାର୍ କିଣା ଡିଲ୍ ସଂପର୍କରେ ଇଡ଼ିରେ ହାଜର ହୋଇ ତଥ୍ୟ ରଖିଥିବା ସୋ ରୁମ୍ ମାଲିକ ଗଙ୍ଗାଧର ସାମଲ ଆଜି ଏହି ସୂଚନା ଦେଇଛନ୍ତି। କହିଛନ୍ତି, କୌଣସି ପ୍ରକାର କ୍ୟାସ୍ ଟ୍ରାଞ୍ଜାକ୍ସନ ହୋଇନି। ବ୍ୟାଙ୍କ ଏବଂ ଚେକ୍ ଜରିଆରେ କାରବାର ହୋଇଛି।

Advertisment

ଏଭଳି ଏକାଧିକ ସୌଖିନ୍ ଗାଡ଼ିର ମାଲିକ ବନିଛନ୍ତି ନାଗ-ଚାନ୍ଦ ଦଂପତି। ତେବେ କେଉଁଠୁ ଏତେ ପରିମାଣର ଟଙ୍କା ପାଇଥିଲେ ନାଗ-ଚାନ୍ଦ ? ପାହାଡ଼ ଭଳି ସଂପତି ଅର୍ଜନ ପଛର ସତ କଣ ? ଏସବୁ ଦିଗକୁ ଧରି ଆସନ୍ତା ସପ୍ତାହରେ ରିମାଣ୍ଡରେ ଆଣିବା ପରେ ଅର୍ଚ୍ଚନା ଏବଂ ଜଗବନ୍ଧୁଠୁ ଅନେକ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି।
(ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ ଏବଂ ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ)

Archana Nag
Advertisment
Advertisment