Advertisment

New Pandemic Fear: WHOର ସତର୍କବାଣୀ...ଆସୁଛି ଆଉ ଏକ ମହାମାରୀ, କୋଭିଡ-୧୯ ଠାରୁ ହେବ ଆହୁରି ଭୟଙ୍କର !

ଚୀନକୁ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିଲେ ସୁଦ୍ଧା ଅଦୃଶ୍ୟ ମହାମାରୀର ଉତ୍ପତ୍ତି କେଉଁଠୁ ହେଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ଏଭଳି ସ୍ଥିତିରେ ଆଗାମୀ ମହାମାରୀ କେଉଁଠାରୁ ଉତ୍ପତ୍ତି ହୋଇପାରେ ଏବଂ ମାନବ ଜାତିକୁ ସଂକ୍ରମିତ କରିପାରେ, ତାକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି । ପରବର୍ତ୍ତୀ ମହାମାରୀ ହୁଏତ ଇବୋଲା ଓ କୋଭିଡ୍ ଭଳି ହୋଇପାରେ ବୋଲି ଅନୁମାନ କରୁଛନ୍ତି ବହୁ ବିଶେଷଜ୍ଞ । ଅର୍ଥାତ୍ ଏହା କୌଣସି ଅନ୍ୟ ଜୀବଜନ୍ତୁ ଠାରୁ ମଣିଷକୁ ବ୍ୟାପିପାରେ ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଆସୁଛି ଆଉ ଏକ ମହାମାରୀ

ଆସୁଛି ଆଉ ଏକ ମହାମାରୀ

ଅଦୃଶ୍ୟ ଭାଇରସ.. ମୁହଁରେ ମାସ୍କ.. ଶୂନଶାନ ରାସ୍ତାଘାଟ.. ଲକଡାଉନ.. ମୃତ୍ୟୁର ସେହି କୋକୁଆ ଭୟ.. କରୋନାର କହର ଲୋକଙ୍କ ମନରେ ଅଲିଭା ଦାଗ ଛାଡ଼ିଯାଇଛି । କିଛି ବର୍ଷ ପୂର୍ବେ କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିଲା । ଚୀନରୁ ଉତ୍ପତ୍ତି ହୋଇଥିବା ଅଦୃଶ୍ୟ ଭାଇରସର କବଳରେ ପଡ଼ି ସମସ୍ତେ ତ୍ରାହି ତ୍ରାହି ଡାକ ଛାଡ଼ୁଥିଲେ । ଏହି ସମୟରେ କେତେ ଯେ ପିଲା ବାପାମା’ ଛେଉଣ୍ଡ ହୋଇଗଲେ ହିସାବ କରିହେବ ନାହିଁ, ଅନେକଙ୍କର ତ ବଂଶ ବୁଡ଼ିଗଲା.. ସମସ୍ତେ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ।

Advertisment

ମୃତ୍ ଶରୀର ପୋଡ଼ିବାକୁ ଶ୍ମଶାନ ଘାଟରେ ଜାଗା ମିଳୁନଥିଲା । ଭାଇରସ ଭୟ ଏପରି ଥିଲା ଯେ ଆପଣାର ଲୋକ ମଧ୍ୟ ପାଖ ମାଡ଼ୁନଥିଲେ । ଚୀନର ଗୋଟିଏ ଭୁଲ୍ ପାଇଁ ଦଣ୍ଡ ଭୋଗିଥିଲା ପୁରା ଦୁନିଆ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ଚାରିଆଡ଼େ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଥିଲା । ସେସମୟର କଥା ମନେ ପଡ଼ିଲେ ଏବେ ବି ଦେହ ଶୀତେଇ ଯାଏ । ଏହାରି ମଧ୍ୟରେ ଡବ୍ଲୁଏଚଓ ମୁଖିଆ କରୋନା ଭୂତାଣୁ ପରବର୍ତ୍ତୀ ମହାମାରୀକୁ ନେଇ ଚେତାବନୀ ଜାରି କରିଛନ୍ତି ।

କରୋନା କିପରି ବ୍ୟାପିଥିଲା ?

• ୫ ବର୍ଷ ପୂର୍ବେ ଚୀନର ଉହାନରୁ ବ୍ୟାପିଥିଲା କରୋନା ଭାଇରସ
• ୩୦ ଜାନୁଆରୀ ୨୦୨୦ ରେ ଭାରତର କେରଳରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା
• ୨୦୨୧ ମସିହା ଏପ୍ରିଲ ୧ ରୁ ମେ ୩୧ ପର୍ଯ୍ୟନ୍ତ କରୋନା ଭାଇରସର ଦ୍ୱିତୀୟ ଲହରୀ ବିପର୍ଯ୍ୟୟ ସୃଷ୍ଟି କରିଥିଲା।
• ୨୭ ଡିସେମ୍ବର ୨୦୨୧ରେ ଆରମ୍ଭ ହୋଇଥିଲା କରୋନାର ତୃତୀୟ ଲହରୀ
• ଭାଇରସର ଆତଙ୍କ ଯୋଗୁଁ ସାରା ବିଶ୍ୱରେ ଲକଡାଉନ୍ ଲାଗୁ କରାଯାଇଥିଲା
• ବିଶ୍ୱରେ କରୋନା ଭାଇରସ ଯୋଗୁଁ ପ୍ରାୟ ୭୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା

Advertisment

ଆସିବ ଆଉ ଏକ ମହାମାରୀ

ସାରା ବିଶ୍ୱକୁ କୋଭିଡ ୧୯ ପରି ଆଉ ଏକ ମହାମାରୀ ଗ୍ରାସ କରିବ । ଆଗକୁ ଘନେଇ ଆସୁଛି ମହାବିଭୀଷିକା । ଆଗାମୀ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ କୌଣସି ବି ମୁହୂର୍ତ୍ତରେ ଆସିପାରେ । ତେବେ ଆସନ୍ତାକାଲି ହେଉ କିମ୍ବା ୨୦ ବର୍ଷ ମଧ୍ୟରେ ହେଉ, ମହାମାରୀ ଆସିବ ନିଶ୍ଚିତ । ଏହାର ମୁକାବିଲା ପାଇଁ ଯେକୌଣସି ପ୍ରକାରେ ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଏହା କୌଣସି ତାତ୍ତ୍ୱିକ ବିପଦ ନୁହେଁ; ଏହା ଏକ ମହାମାରୀ ନିଶ୍ଚିତତା । ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ୱ ପ୍ରସ୍ତୁତ ରହିବା ଦରକାର ଏବଂ ତାହା କୋଭିଡ୍-୧୯ ଠାରୁ ମଧ୍ୟ ଅଧିକ ଘାତକ ହୋଇପାରେ ବୋଲି ସତର୍କ କରିଛନ୍ତି ଡବ୍ଲୁଏଚଓ ମୁଖ୍ୟ ଟେଡ୍ରସ୍ ଆଧାନମ୍ ।

କୋଭିଡ୍-୧୯ ମହାମାରୀ ବେଳେ ତ୍ୱରିତ୍ ନିଦାନ, ଟିକା ଏବଂ ଚିକିତ୍ସା ଯୋଗୁ ଏହାକୁ ରୋକା ଯାଇପାରିଥିଲା । ସେଥିପାଇଁ ଆଗାମୀ ପ୍ରସ୍ତୁତି ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ମହାମାରୀ ପ୍ରସ୍ତୁତିରେ ଦେଶଗୁଡ଼ିକ ପରସ୍ପରକୁ ସହଯୋଗ କରିବା ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଉଦ୍ୟମ ଚଳାଇଛି। ସେଥିପାଇଁ ବିଶ୍ୱକୁ ଡବ୍ଲ୍ୟୁଏଚ୍ଓ ମହାମାରୀ ଚୁକ୍ତିନାମାକୁ ଶେଷ ସୀମାରେଖାରେ ପହଞ୍ଚାଇବା ପାଇଁ ସମସ୍ତଙ୍କର ନେତୃତ୍ୱର ଆବଶ୍ୟକତା ଅଛି। ଏହା ଏକ ସକାରାତ୍ମକ ପଦକ୍ଷେପ ହେଲେ ମଧ୍ୟ ଯଥେଷ୍ଟ ନୁହେଁ।

କୋଭିଡ୍-୧୯ ମହାମାରୀ କ'ଣ କରିଥିଲା ତାହା ସମସ୍ତେ ଦେଖିଛନ୍ତି। ସରକାରୀ ଭାବରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା କହୁଥିଲେ ସୁଦ୍ଧା ପ୍ରକୃତ ସଂଖ୍ୟା ୨୦ ମିଲିୟନ ବୋଲି ଆକଳନ କରାଯାଉଛି । ମାନବ ମୂଲ୍ୟ ବ୍ୟତୀତ ଏହି ମହାମାରୀ ବିଶ୍ୱ ଅର୍ଥନୀତିରୁ ୧୦ ଟ୍ରିଲିୟନ ଆମେରିକୀୟ ଡଲାରରୁ ଅଧିକ ନଷ୍ଟ କରିଦେଇଥିବା ସେ ଉଲ୍ଲେଖ କରିଛନ୍ତି । ଡବ୍ଲୁଏଚଓ ମୁଖ୍ୟ ଆଶା ପ୍ରକାଶ କରିଛନ୍ତି, ଡବ୍ଲୁଏଚଓର ମହାମାରୀ ଚୁକ୍ତିନାମା ଉପରେ ଆଲୋଚନା ସମୟରେ ସହମତି ସମ୍ଭାବନା ରହିଛି । ସେ ଆଶ୍ୱାସନା ଦେଇ କହିଛନ୍ତି, ଏହି ଚୁକ୍ତିନାମା କୌଣସି ପ୍ରକାରେ କୌଣସି ସଦସ୍ୟ ରାଷ୍ଟ୍ରର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିବ ନାହିଁ। ଏହା ଜାତୀୟ ସାର୍ବଭୌମତ୍ୱ ଏବଂ ଅନ୍ତର୍ଜାତୀୟ କାର୍ଯ୍ୟକୁ ସୁଦୃଢ଼ କରିବ।"

ନୂଆ ମହାମାରୀକୁ ନେଇ ଗବେଷଣା

ଚୀନକୁ କରୋନାର ଉତ୍ପତ୍ତିସ୍ଥଳ କୁହଯାଉଥିଲେ ସୁଦ୍ଧା ଅଦୃଶ୍ୟ ମହାମାରୀର ଉତ୍ପତ୍ତି କେଉଁଠୁ ହେଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ଏଭଳି ସ୍ଥିତିରେ ଆଗାମୀ ମହାମାରୀ କେଉଁଠାରୁ ଉତ୍ପତ୍ତି ହୋଇପାରେ ଏବଂ ମାନବ ଜାତିକୁ ସଂକ୍ରମିତ କରିପାରେ, ତାକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି । ପରବର୍ତ୍ତୀ ମହାମାରୀ ହୁଏତ ଇବୋଲା ଓ କୋଭିଡ୍ ଭଳି ହୋଇପାରେ ବୋଲି ଅନୁମାନ କରୁଛନ୍ତି ବହୁ ବିଶେଷଜ୍ଞ । ଅର୍ଥାତ୍ ଏହା କୌଣସି ଅନ୍ୟ ଜୀବଜନ୍ତୁ ଠାରୁ ମଣିଷକୁ ବ୍ୟାପିପାରେ । ଆଉ କେହି କେହି ଆଶଙ୍କା କରୁଛନ୍ତି, ମଣିଷ ଦ୍ୱାରା ପରୀକ୍ଷାଗାରରେ ତିଆରି କରାଯାଇଥିବା ପାଥୋଜେନ୍ ଯୋଗୁଁ ପରବର୍ତ୍ତୀ ମହାମାରୀ ଚାରିଆଡ଼େ ବ୍ୟାପିପାରେ ।

କେବଳ ଏତିକି ନୁହେଁ ବାୟୋୱିପନର ପ୍ରୟୋଗ, ବାୟୋ ଟେରରିଜିମ୍ ବା ଜୈବିକ ଆତଙ୍କବାଦ, ପରୀକ୍ଷାଗାରରେ ଦୁର୍ଘଟଣାରୁ ମଧ୍ୟ ଏଭଳି ସଂକ୍ରାମକ ରୋଗ ସୃଷ୍ଟି ହୋଇପାରେ । ପ୍ରାଚୀନ କାଳରୁ ବରଫାବୃତ ଅଞ୍ଚଳରେ ବରଫ ତଳେ ନିଷ୍କ୍ରିୟ ଅବସ୍ଥାରେ ଦବି ରହିଥିବା କୌଣସି ଜୋମ୍ବି ଭାଇରସ ବିଶ୍ୱ ତାପନ ପ୍ରଭାବରେ ପୁଣି ବାହାରକୁ ଆସି ମହାମାରୀ ସୃଷ୍ଟି କରିପାରେ ବୋଲି ମଧ୍ୟ ଆଶଙ୍କା କରୁଛନ୍ତି ଅନେକ ଗବେଷକ ।

ବିଶ୍ୱରେ ବହୁ ମଣିଷ ବିଭିନ୍ନ ପଶୁକୁ ବଧକରି ଭକ୍ଷଣ କରୁଛନ୍ତି। ଏବେ ପଶୁମାନଙ୍କ ରୋଗ ମଣିଷ ଦେହରେ ପ୍ରବେଶ କରୁଛି। ଭାରତରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଡେଙ୍ଗୁ, ନିପା ପ୍ରମୁଖ ରୋଗ ଦେଖାଯାଉଛି। ଅନ୍ୟପକ୍ଷରେ ମହାମାରୀଙ୍କ ସଂଖ୍ୟା କାହିଁକି ବଢ଼ୁଛି ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ସହରୀକରଣ ଯୋଗୁ ଅଧିକରୁ ଅଧିକ ଲୋକ ସହରରେ ପ୍ରବେଶ କରୁଛନ୍ତି, ଯେଉଁଠାରେ ସେମାନେ ଅନ୍ୟମାନଙ୍କ ସହ ଘନିଷ୍ଠ ସମ୍ପର୍କରେ ଆସୁଛନ୍ତି। ରୋଗ ସଂକ୍ରମଣର ଏହା ଗୋଟିଏ ବଡ଼ କାରଣ। ବିଶ୍ବତାପନ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ହେବା, ଆଧୁନିକ କୃଷି ପ୍ରଣାଳୀ ଏବଂ ଆର୍ଦ୍ରଭୂମି ନଷ୍ଟ ହେବା ହେତୁ ଭୂତାଣୁ ଗୋଟିଏ ପ୍ରଜାତିରୁ ଅନ୍ୟ ପ୍ରଜାତିକୁ ସଂକ୍ରମିତ ହୁଅନ୍ତି।

Coronavirus COVID-19 Pandemic WHO Pandemic
Advertisment
Advertisment