• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକାଶରୁ ଖରା ନୁହେଁ ତ, ନିଆଁଝୁଲ ଖସୁଛି । ସତେ ଯେମିତି ଭାଜି ହେଉଛି ସହର, ସିଝି ଯାଉଛି ଦେହ । କେବଳ ଓଡ଼ିଶା ନୁହେଁ, ଦେଶର ଅର୍ଦ୍ଧାଧିକ ରାଜ୍ୟରେ ଏଇ ସ୍ଥିତି, କିନ୍ତୁ କାହିଁକି ? ଏପ୍ରିଲ ମାସରେ ଏଭଳି ଅସ୍ୱାଭାବିକ ଭାବେ କାହିଁକି ବଢ଼ୁଛି ତାତି ? ପାଣିପାଗ ବିଜ୍ଞାନୀ କହିଛନ୍ତି, ପାକିସ୍ତାନ ଆଡ଼ୁ ଗରମ ପବନ ବହିବାରୁ ତାର ପ୍ରଭାବ ଉତ୍ତର ଭାରତ ସହ ଓଡ଼ିଶା ଉପରେ ବି ପଡ଼ୁଛି ।

ରାଜସ୍ଥାନ ଚଣ୍ଡିଗଡ଼ରୁ ଦିଲ୍ଲୀ, ଉତ୍ତରପ୍ରଦେଶ ମଧ୍ୟପ୍ରଦେଶରୁ ଓଡ଼ିଶା,ପ୍ରଚଣ୍ଡ ରୌଦ୍ରତାପ କବଳରେ ଭାରତର ପ୍ରାୟ ୭୦ ପ୍ରତିଶତ ଇଲାକା । ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗୋଟିକ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ତାତି । ଦୁଇ ଦିନ ପୂର୍ବରୁ ଦିଲ୍ଲୀର ୪୩.୫ ଡିଗ୍ରୀ ତାପମାତ୍ରା ୧୨ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ହରିୟାଣା ଗୁରୁଗ୍ରାମ ୪୫.୬ ଡିଗ୍ରୀ ସହ ୪୩ ବର୍ଷର ରେକର୍ଡ ଭାଙ୍ଗିଛି । ଏପ୍ରିଲ ମାସରେ କେବେ ଏତେ ଉତ୍ତାପ ସହିନଥିଲା ଏହି ୨ ସହର । ତେବେ ଗତକାଲି ଉତ୍ତରପ୍ରଦେଶ ପ୍ରୟାଗରାଜରେ ପାରଦ ଛୁଇଁଛି ଅବିଶ୍ୱସନୀୟ ୪୭ ଡିଗ୍ରୀ ସେଲସିୟସ । ଯାହାକି ଏପ୍ରିଲ ମାସରେ ଗତ ୨୦ ବର୍ଷର ସର୍ବାଧିକ ତାପମାତ୍ରା । ଦେଶର ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ଆହୁରି ୫ ଦିନ ଏବଂ ପୂର୍ବରେ ଆହୁରି ୨ ଦିନ ତାପମାତ୍ରା ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିସହ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳକୁ ୪ ଦିନ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

ମାର୍ଚ୍ଚ ମାସ ସରୁ ସରୁ ବଢ଼ିବା ଆରମ୍ଭ ହୋଇଥିବା ତାତି ଏପ୍ରିଲ ମାସରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ପ୍ରାୟ ୭୬ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ, ୪୫ ଡିଗ୍ରୀ ଉପରେ ରହୁଛି ୨୦ ସହରର ତାପମାତ୍ରା । କିନ୍ତୁ କାହିଁକି ଏଭଳି ଅସହ୍ୟ ସ୍ଥିତି? ଏପ୍ରିଲରେ କାହିଁକି ଅସ୍ୱାଭାବିକ ତାତି? ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍.କେ. ଜେନାମଣିଙ୍କ କହିବା ଅନୁସାରେ, ତାତି ବଢ଼ାଉଛି ପଶ୍ଚିମା ପବନ ।

ଆଫଗାନିସ୍ତାନ ଓ ପାକିସ୍ତାନ ଆଡ଼ୁ ରାଜସ୍ଥାନ, ମଧ୍ୟପ୍ରଦେଶ ଦେଇ ଗ୍ରୀଷ୍ମ ପ୍ରବାହ ଓଡ଼ିଶା ଯାଏଁ ଆସୁଛି । ଏଥିସହ କାଳବୈଶାଖୀ ବର୍ଷାରେ ବିଳମ୍ବ ଏବଂ ସ୍ଥାନୀୟ ଭୌଗଳିକ ସ୍ଥିତି ବି ତାପମାତ୍ରା ବୃଦ୍ଧି ପଛର କାରଣ । ତେବେ ଓଡ଼ିଶାରେ ୨ ଦିନ ଭିତରେ ସ୍ଥିତି ସୁଧୁରିବ ବୋଲି ସେ ଆକଳନ କରିଛନ୍ତି ।