• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୃଷ୍ଣ ସାଗରରେ ରୁଷୀୟ ଯୁଦ୍ଧପୋତ ଜଗୁଛନ୍ତି ଡଲଫିନ୍ । ପାଣି ତଳେ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ ଡଲଫିନଙ୍କ ମୁତୟନ କରାଯାଇଛି । ଆମେରୀୟ ନାଭାଲ ଇନଷ୍ଟିଚ୍ୟୁଟର ସାଟେଲାଇଟ ଚିତ୍ର ବିଶ୍ଳେଷଣରୁ ଏହି ତଥ୍ୟ ମିଳିଛି । ରୁଷୀୟ ନୌସେନାର ବହୁ ଜାହାଜର ରହଣୀସ୍ଥଳ ସେବାଷ୍ଟୋପୋଲ ନାଭାଲ ବେସରେ ଚତୁର ଡଲଫିନ ମାନଙ୍କୁ ରଖିଛି ରୁଷୀୟ ନେଭି । ଫେବ୍ରୁଆରୀ ୨୪ରେ ୟୁକ୍ରେନ ବିରୁଦ୍ଧରେ ପୁଟିନଙ୍କ ଯୁଦ୍ଧ ଘୋଷଣା ପୂର୍ବରୁ ମିଲିଟାରୀ ଟ୍ରେନିଂ ନେଇଥିବା ଡଲଫିନମାନଙ୍କୁ ମୁତୟନ କରାଯାଇଥିଲା ।

ଯୁଦ୍ଧ ପୋତକୁ ସମ୍ଭାବ୍ୟ ଅଣ୍ଡର୍ ଓ୍ୱାଟର୍ ବା ସମୁଦ୍ର ତଳ ଆକ୍ରମଣରୁ ସୁରକ୍ଷା ପ୍ରଦାନ ଲାଗି, ଋଷର ନୂଆ କୌଶଳ । ଶତ୍ରୁପକ୍ଷଙ୍କ ମାରଣାସ୍ତ୍ର ଉପରେ ନଜର ରଖିଛନ୍ତି ଡଲଫିନ୍ । ବିବାଦୀୟ କ୍ରିମିଆ ଅଞ୍ଚଳର ଦକ୍ଷିଣରେ ଅବସ୍ଥିତ ସେବାଷ୍ଟୋପୋଲ ନାଭାଲ ବେସରେ ସାମରିକ ଟ୍ରେନିଂ ନେଇଥିବା ଡଲଫିନ ମାନଙ୍କୁ ମୁତୟନ କରାଯାଇଛି । ପ୍ରତିରକ୍ଷା ଦୃଷ୍ଟିରୁ ଏହି ନୌସେନା କେନ୍ଦ୍ର ଋଷିଆ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ, ତାଛଡ଼ା ଏହା ଋଷିଆର ଅନେକ ଯୁଦ୍ଧପୋତର ରହଣୀସ୍ଥଳ । ତେଣୁ ଶତ୍ରୁପକ୍ଷ ଏହାକୁ ଟାର୍ଗେଟ କରିବା ସ୍ୱାଭାବିକ ।

୨୦୧୪ରେ ଋଷିଆ କ୍ରିମିଆ ଦଖଲ କରିବା ପରେ ଏହି ନାଭାଲ ବେସ୍ ପ୍ରତି ବିପଦ ବଢିଛି । ତେବେ ଏଠାରେ ଆକାଶ ମାର୍ଗରୁ କ୍ଷେପଣାସ୍ତ୍ର ଆକ୍ରମଣ ଭୟ ନାହିଁ କହିଲେ ଚଳେ । ହେଲେ ଶତ୍ରୁ ସମୁଦ୍ର ତଳୁ ଆକ୍ରମଣ କରିବା ଆଶଙ୍କା ରହିଛି । ସେଦୃଷ୍ଟିରୁ ପ୍ରଶିକ୍ଷଣ ପ୍ରାପ୍ତ ଡଲଫିନଙ୍କୁ ସେଠାରେ ମୁତୟନ କରାଯାଇଛି । ଡଲଫିନ ମାନେ ପ୍ରାକୃତିକ ଭାବେ ଚଳପ୍ରଚଳ କରିବା ପାଇଁ ଓ ଖାଦ୍ୟ ସଂଗ୍ରହ ପାଇଁ ଇକୋ ଲୋକେସନ୍ ବା ପ୍ରତିଧ୍ୱନୀକୁ ବାରିବାର କ୍ଷମତା ବ୍ୟବହରା କରନ୍ତି । ଏହାକୁ ନିଜ ଲାଭ ପାଇଁ ବ୍ୟବହାର କରୁଛନ୍ତି ପୁତିନ ।

ସମୁଦ୍ର ତଳେ ଥିବା ମାଇନ୍ସ କିମ୍ବା ଅନ୍ୟ ସନ୍ଦିଗ୍ଧ ବସ୍ତୁଙ୍କୁ ଚିହ୍ନଟ ପାଇଁ ଡଲଫିନକୁ ତାଲିମ ଦିଆଯାଇଛି । ତାସହିତ କୌଣସି ବସ୍ତୁ ସେମାନଙ୍କ ଠାରୁ କେତେ ଦୂରରେ ରହିଛି । ସୋନାର୍ ଡିଟେକସନ କ୍ଷମତା ଦ୍ୱାରା ଡଲଫିନ୍ ତାହା ବି ଠଉରେଇ ପାରୁଛନ୍ତି । ଡଲଫିନର ସିଗନାଲକୁ କଂମ୍ପ୍ୟୁଟର୍ ସିଗନାଲରେ ପରିଣତ କରି ଏଭଳି ସନ୍ଦିଗ୍ଧ ବସ୍ତୁକୁ ଠାବ ପାଇଁ ଋଷ ନୌସେନା ଜ୍ଞାନକୌଶଳ ବି ବିକଶିତ କରିଛି ।

ଡଲଫିନଙ୍କୁ ସାମରିକ କାର୍ଯ୍ୟରେ ବ୍ୟବହାର କରିବା କ୍ଷେତ୍ରରେ ୟୁକ୍ରେନ୍ ବି ପୁରୁଣା ଖେଳାଳି । ସୋଭିଏତ୍ ସଂଘରୁ ପୃଥକ ହେବା ପରେ ୟୁକ୍ରେନ ସେବାଷ୍ଟୋପୋଲ ନିକଟ ଏକ ଆକ୍ୱାରିୟମରେ ଡଲଫିନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲା । ତେବେ ପର୍ଯ୍ୟାପ୍ତ ଅର୍ଥ ଅଭାବରୁ ଏହା ବେଶୀ ଆଗେଇ ପରିନଥିଲା । ମାତ୍ର ୨୦୧୨ରେ ୟୁକ୍ରେନ ଏହି ପ୍ରକଳ୍ପ ଉପରେ ପୁଣି କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ୨୦୧୪ରେ ଋଷିଆ କ୍ରିମିଆ ଅଧିକାର କରିବା ପରେ ଡଲଫିନ୍ ପ୍ରକଳ୍ପ ଋଷ ନିୟନ୍ତ୍ରଣକୁ ଚାଲିଯାଇଥିଲା ।

ଡଲଫିନ ମାନଙ୍କୁ ଫେରାଇ ଦେବା ଲାଗି ଋଷିଆ ନିକଟରେ ୟୁକ୍ରେନ୍ ଦାବି ରଖିଥିଲେ ବି ଏଥିପ୍ରତି କର୍ଣ୍ଣପାତ କରିନଥିଲେ ପୁତିନ । ୨୦୧୭ରେ ଋଷିଆ ଆଉ ୫ଟି ଡଲଫିନ୍ କିଣିବା ଲାଗି ଟେଣ୍ଡର ଡାକିଥିଲା । ସେବାସ୍ଟୋପୋଲରେ ମୁତୟନ ଡଲଫିନ୍, ସେହି ଡଲଫିନ୍ କି ନୁହେଁ ତାହା ସ୍ପଷ୍ଟ ହୋଇନି । ଅନ୍ୟପକ୍ଷରେ ୨୦୧୮ ସିରିଆ ଯୁଦ୍ଧବେଳେ ଟାର୍ଟସ୍ ନାଭାଲ ବେସରେ ଋଷିଆ ଡଲଫିନଙ୍କୁ ବ୍ୟବହାର କରିଥିଲା । ତେବେ କେବଳ ଡଲଫିନ୍ ନୁହେଁ, ଋଷିଆ ନୌସେନା ବେଲୁଗା ତିମିକୁ ବି ପ୍ରଶିକ୍ଷଣ ଦେଇଥିବା କୁହାଯାଉଛି ।

୨୦୧୯ରେ ନରେଓ୍ୱ ଉପକୂଳରେ ଏଭଳି ଏକ ତିମିକୁ ଦେଖିବାକୁ ମିଳିଥିଲା, ଯାହା ଦେହରେ ବିଭିନ୍ନ ବୈଦୁତିକ ଉପକରଣ ଖଞ୍ଜା ଯାଇଥିବା ମତ୍ସ୍ୟଜୀବୀ ଦେଖିବାକୁ ପାଇଥିଲେ । ଅନ୍ୟପକ୍ଷରେ ଏହି ତିମିଟି ଉଦ୍ଦେଶ୍ୟମୂଳକ ଭାବେ ମତ୍ସ୍ୟଜୀବୀଙ୍କ ବୋଟ୍ ଓ ଜାଲକୁ ଟାଣିବା ସହ ସେମାନଙ୍କୁ ସମୁଦ୍ର ମଧ୍ୟରେ ନାକେଦମ୍ କରିଥିଲା ।

ତେବେ କେବଳ ଋଷିଆ ନୁହେଁ, ଶୀତଳ ଯୁଦ୍ଧ ସମୟରେ ଆମେରିକା ମଧ୍ୟ ଡଲଫିନଙ୍କୁ ସାମରିକ ପ୍ରଶିକ୍ଷଣ ଦେଉଥିଲା । ନିଜ ଡଲଫିନ୍ ସେନା ଲାଗି ଆମେରିକାକୁ ୨୮ ମିଲିୟନ ଡଲାର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଛି । ଆମେରିକା ନୌସେନା ସାମରିକ ବ୍ୟବହାର ଲାଗି ସିଲ୍ ମାନଙ୍କୁ ବି ପ୍ରଶିକ୍ଷଣ ଦେଉଥିବା ଚର୍ଚ୍ଚା ହୁଏ ।