Advertisment

Cyclone Dana: ହାଇଆଲର୍ଟରେ ଉପକୂଳ ଓଡ଼ିଶା, ଅଗ୍ନିଶମ ଓ ODRAF ଟିମ୍ ତୟାର

ସମୁଦ୍ରରୁ ଫେରି କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ । ଥୋଡ଼ ପାଚିନଥିଲେ ବି ତରବରିଆ ଧାନ କାଟୁଛନ୍ତି ଚାଷୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Cyclone Dana

ଡଙ୍ଗା ବାହୁଡ଼ିଲାଣି... ବେଳାଭୂମିରେ ନାଲି ପତାକା ଉଡ଼ିଲାଣି... ଘନଘନ ସତର୍କ କଲାଣି ଡାକବାଜି । ବାତ୍ୟା କ୍ଷୟକ୍ଷତି କମାଇବାକୁ ଆକ୍ସନ ମୋଡ୍‌ରେ ସରକାରୀ କଳବଳ । ନିଇତି ସମୁଦ୍ର ଲହଡ଼ି ସହ ବଳ କଷୁଥିବା ମତ୍ସ୍ୟଜୀବୀ ବି ଘରମୁହାଁ ହେଲେଣି ବାତ୍ୟା ଆଲର୍ଟ ପାଇବା ପରେ। ବିଭିନ୍ନ ମୁହାଣ, ଜେଟି ଓ ଚିଲିକା କୂଳରେ ଶହ ଶହ ଡଙ୍ଗା ବନ୍ଧା ସରିଥିବା ବେଳେ, ଆଉ କିଛି ମତ୍ସ୍ୟଜୀବୀ ଏବେବି ସମୁଦ୍ରରୁ ବାହୁଡ଼ୁଥିବା ଦେଖିବାକୁ ମିଳୁଛି।

Advertisment

ଆସନ୍ତାକାଲି ସୁଦ୍ଧା ସମସ୍ତ ଡଙ୍ଗାକୁ କୂଳକୁ ଆଣିବାକୁ କହିଛନ୍ତି ଡଙ୍ଗାମାଲିକ। ଫିସରୀ ଅଫିସର ଓ ମେରାଇନ୍ ଅଫିସରଙ୍କୁ ବି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। କେବଳ ଡଙ୍ଗା ନୁହେଁ, ପବନରେ ଉଡ଼ିଯିବା କିମ୍ବା ଜୁଆରରେ ଭାସିଯିବା ଆଶଙ୍କା ଥିବା ମାଛ କ୍ରେଟ୍, ଜାଲ, ଥର୍ମୋକଲ୍ ଆଇସ୍ ବକ୍ସ ଗୁଡ଼ିକ ମଧ୍ୟ ଭଲ ଭାବେ ବାନ୍ଧି ସୁରକ୍ଷିତ ରଖୁଛନ୍ତି ମତ୍ସ୍ୟଜୀବୀ । 

ତେଣେ ପୁରୀ ବିଚ୍‌ରେ ଆଲର୍ଟ ଜାରି କରାଯିବା ସହ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରୁଛନ୍ତି ଲାଇଫ୍ ଗାର୍ଡ। ଏପଟେ ପୂର୍ବରୁ ବିଭିନ୍ନ ବାତ୍ୟା ମାଡ଼ରେ ଧନଜନ ଓ ଘରଦ୍ୱାର ହରାଇଥିବା ସମୁଦ୍ର କୂଳିଆ ଲୋକ ଆତଙ୍କିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି।

Advertisment

ଖାଲି ସମୁଦ୍ରକୂଳିଆ ଲୋକ ନୁହଁନ୍ତି, ଉପକୂଳିଆ ଚାଷୀଙ୍କ ଛାତିରେ ବି ବାତ୍ୟା ଛନକା । ଧାନଜମିରେ ଅନୁକୂଳ ଥୋଡ଼ ବାହାରୁଛି। କିଆରିରେ ଧରିଛି ଭଳି କି ଭଳି ପନିପରିବା। ଏସବୁ ଦେଖିଲେ ଦିନକ ତଳେ ଚାଷୀକୁ ଯେତିକି ଖୁସି ଲାଗୁଥିଲା, ଏବେ ସେତିକି ଡର ମାଡ଼ୁଛି, ଚିନ୍ତା ବଢ଼ୁଛି। କିଏ ସାହୁକାରଠୁ ଋଣ ଆଣି ଚାଷ କରିଥିଲା, ତ କିଏ ଦେହକୁ ମାଟି କରିଦେଇଥିଲା ମୁଣ୍ଡର ଝାଳ ତୁଣ୍ଡରେ ମାରି। ହେଲେ ଏବେ ବର୍ଷା ଓ ପବନ କଥା ଭାବି ମୁଣ୍ଡରେ ହାତ ଦେଇଛନ୍ତି ଚାଷୀକୂଳ।

ଧାନ ମଞ୍ଜରେ ପାଣି ପଶିଗଲେ ଅଗାଡ଼ି ହୋଇଯିବ, ଥୋଡ଼ ପବନରେ ଶୋଇ କାଦୁଅରେ ମିଶିଗଲେ କଳା ପଡ଼ିଯିବ। ବର୍ଷଯାକର ଆହାର ନଷ୍ଟ ହେବା ଆଗରୁ, ତରବରିଆ ଭାବେ ଜମିରୁ ଧାନ କାଟି ଆଣୁଛନ୍ତି ଅନେକ ଚାଷୀ।

ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଜିଲ୍ଲା ପ୍ରଶାସନ। ଉତ୍ତରରେ ବାଲେଶ୍ୱର ଭଦ୍ରକଠାରୁ ଦକ୍ଷିଣରେ ଗଞ୍ଜାମ ଗଜପତି ଯାଏଁ। ସମୁଦ୍ରରେ ବାତ୍ୟା ପାଖେଇବା ସହ ତାଳ ଦେଇ ଏପଟେ ତଟବର୍ତ୍ତୀ ଅଞ୍ଚଳରେ ବି ଜୋରସୋରରେ ଚାଲିଛି ମୁକାବିଲା ପ୍ରସ୍ତୁତି। ବାଲେଶ୍ୱରରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଏବଂ ଜୀବନଯାତ୍ରା ସ୍ବାଭାବିକ କରିବାକୁ ତୟାର୍ ଅଗ୍ନିଶମ ବାହିନୀ। ସଜଡ଼ା ସରିଲାଣି ସବୁତକ ଯନ୍ତ୍ରପାତି । ବାତ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକ ବି ପ୍ରସ୍ତୁତ ରଖାଯାଇଛି ବିପନ୍ନଙ୍କ ସାମୟିକ ଥଇଥାନ ପାଇଁ। ସେଠାରେ ପାଣି, ବିଜୁଳି, ଖାଦ୍ୟ ସାମଗ୍ରୀ ସହ ଅନ୍ୟ ଆନୁସଙ୍ଗିକ ବନ୍ଦୋବସ୍ତ କରାଯାଇଛି। ଚାଳ ଛପର ଥିବା ଘର ଏବଂ ତଳିଆ ଅଞ୍ଚଳ ବାସିନ୍ଦାଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ । ଆସନ୍ନ ପ୍ରସବା ଓ ଅସୁସ୍ଥଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାସ୍ତରରୁ ବ୍ଲକ୍ କାର୍ଯ୍ୟାଳୟ ଯାଏଁ । ସବୁଠି ସମସ୍ତେ ଆଲର୍ଟରେ ଅଛନ୍ତି । ଜିଲ୍ଲାପାଳମାନେ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କ ସହ ପ୍ରସ୍ତୁତି ସମୀକ୍ଷା ବୈଠକ କରିବା ସହିତ, ବିଡିଓ ଏବଂ ତହସିଲଦାରମାନଙ୍କୁ ସଜାଗ ରହିବାକୁ କହିଛନ୍ତି। ଏପଟେ ବିଭିନ୍ନ ପଞ୍ଚାୟତ ସମିତି ସଭାଗୃହରେ ବିଡିଓ, ତହସିଲଦାର, ଥାନା IICମାନଙ୍କୁ ନେଇ ଜରୁରୀ ବୈଠକ ହୋଇଛି। ଅଗ୍ନିଶମ, ଓଡ୍ରାଫ୍, ପୋଲିସ ଓ ଡାକ୍ତରୀ ଟିମ୍‌କୁ ସଜାଗ ରହିବାକୁ କୁହାଯିବା ସହିତ, ଶୁଖିଲା ଖାଦ୍ୟ, ଗୋଖାଦ୍ୟ, ପାଣି ଓ ଔଷଧ ଆଦି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Weather Update Weather News Cyclone Dana
Advertisment
Advertisment