Advertisment

ଆନ୍ଧ୍ରରେ ତୋଡ଼ ଦେଖାଇଲା, ଓଡ଼ିଶାରେ ଅଜାଡ଼ିଦେଲା; ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ବତୁରିଗଲା ବର୍ଷକର ଅମଳ

ଦକ୍ଷିଣ ଆନ୍ଧ୍ରର ବାପଟଲା ଅଂଚଳରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା କ୍ରମେ ଦୁର୍ବଳ ହୋଇଥିଲା ସତ। କିନ୍ତୁ ଲ୍ୟାଣ୍ଡଫଲ ପରର ପ୍ରଭାବ ପଡ଼ିଥିଲା ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମରେ।

author-image
Santosh Kumar Sahoo
undefined

Heavy rains in Odisha

ଭୂସ୍ଖଳନ ସହ ପାହାଡ଼ ଉପରୁ ଧସିଲା ପଥର। କାଲୁଆ ପବନ ସହ ଝିପି ଝିପି ବର୍ଷାରେ କ୍ଷେତରେ ବତୁରିଗଲା ଅମଳ ଧାନ। ଅଦିନିଆ ବର୍ଷାରେ ଉବୁଟୁବୁ ହୋଇଗଲା ସହରୀ ଜୀବନ। ଭୀଷଣ ରୂପ ନେଇ ଆନ୍ଧ୍ରରେ ମାଡ଼ ହୋଇଥିବା ବାତ୍ୟା ମିଗଜୋମ ଓଡ଼ିଶାରେ କେମିତି ତାଉ ଦେଖାଇଥିଲା, ଏ ହେଉଛି ତା’ର ଗୋଟିଏ ଗୋଟିଏ ନମୂନା। କେଉଁଠି ଲଗାଣ ବର୍ଷ ତ ଆଉ କେଉଁଠି କୋହଲା ପବନ। ଏ ଚିତ୍ର ଗଜପତି ଜିଲ୍ଲାର। ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ ପରେ ଦୁର୍ବଳ ହୋଇଥିବା ବାତ୍ୟା ଏଠି ଜବରଦସ୍ତ ପ୍ରଭାବ ପକାଇଥିଲା। ମୋହନା ଅଞ୍ଚଳରେ କଟା ହୋଇ କ୍ଷେତରେ ଥିବା ଧାନ ପାଣିରେ ବତୁରିଯିବା ପରେ ଚାଷୀକୁଳ ଏହାକୁ ନା ଘରକୁ ନେଇପାରୁଛନ୍ତି ନା କ୍ଷେତରେ ଛାଡ଼ିପାରୁଛନ୍ତି।

Advertisment

ଦକ୍ଷିଣ ଆନ୍ଧ୍ରର ବାପଟଲା ଅଂଚଳରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା କ୍ରମେ ଦୁର୍ବଳ ହୋଇଥିଲା ସତ। କିନ୍ତୁ ଲ୍ୟାଣ୍ଡଫଲ ପରର ପ୍ରଭାବ ପଡ଼ିଥିଲା ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମରେ। କୋଟିଆ ପଂଚାୟତ ମାଡକାର ଗାଁକୁ ଯିବା ରାସ୍ତାରେ ଭୁସ୍ଖଳନ ହେବା ସହ ପାହାଡ଼ ଉପରୁ ପଥର ଖସି ଅବରୋଧ ରହିଥିଲା ରାସ୍ତା। ନବରଙ୍ଗପୁର ଝରିଗାଁରେ ଲଗାଣ ବର୍ଷାର ପ୍ରଭାବରେ ପଲିଥିନ ବି ସୁରକ୍ଷା ଦେଇପାରିଲାନି ଉତ୍ପାଦିତ ଫସଲକୁ। କେବଳ ଝରିଗାଁ କାହିଁକି, ବରଗଡ଼ ଅଞ୍ଚଳରେ ଖୋଲା ଆକାଶ ତଳେ ଥିବା ଅମଳ ଧାନ ଭିଜି ନଷ୍ଟ ହୋଇଯାଇଛି।

ମିଗଜୋମ ପ୍ରଭାବରୁ କେବଳ ଆଭ୍ୟନ୍ତରୀଣ କାହିଁକି, ସହର ବଜାର ବି ବାଦ୍ ପଡ଼ିନଥିଲା। ଗତରାତିରୁ ସାରା ଗଞ୍ଜାମ ଜିଲ୍ଲାରେ ଲାଗିରହିଥିବା ବର୍ଷାରେ ଉବୁଟୁବୁ ବ୍ରହ୍ମପୁର ସହର। ଜଳାର୍ଣ୍ଣବ ସ୍ଥିତି ସହ ରାସ୍ତା ଉପରେ ପାଣି ଚାଲିବାରୁ କେଉଁଠି ଅଟୋ ଗଳିପଡ଼ିଲା ଏଭଳି ଭାବେ ତ ଆଉ କେଉଁଠି ଠପ୍ ହୋଇଯାଇଥିଲା ଜନଜୀବନ। ଧର୍ମନଗର, ପ୍ରେମ ନଗର, ଗାନ୍ଧିନଗର ଆଦି ଅଞ୍ଚଳରେ ସୁଅ ଛୁଟିଥିଲା ନାଳ ପାଣି। ଏଭଳି ସମସ୍ୟା ପାଇଁ ଜଳ ନିଷ୍କାସନ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ସହରବାସୀ।

Advertisment

ଦୁର୍ବଳ ହୋଇ ବାତ୍ୟା ଫେରିଯିବା ପରେ ଏବେ ସକ୍ରିୟ ସୁଦୃଶଃ ଲଘୁଚାପର ପ୍ରଭାବ ରହିଛି। ଫଳରେ ରାଜ୍ୟରେ କୋହଲା ପାଗ ସହ କିଛି ଜିଲ୍ଲାରେ ଜାରି ରହିଛି ବର୍ଷା। ସମ୍ଭାବ୍ୟ ବର୍ଷାକୁ ଦେଖି କାଲି ସକାଳ ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେପଟେ ବାତ୍ୟା ‘ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି SRC। ସବୁ ଜିଲ୍ଲାପାଳଙ୍କୁ ଅନୁଧ୍ୟାନ ପାଇଁ ଚିଠି ଲେଖିବା ସହ ରାଜସ୍ୱ ଓ ବିପର୍ଯ୍ୟୟ ମୁକାବିଲା, କୃଷି ବିଭାଗକୁ ମିଳିତ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୨ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଛନ୍ତି SRC। ତେବେ ପୂର୍ବରୁ ବନ୍ୟାଜନିତ ଫସଲ କ୍ଷତି ଅଞ୍ଚଳକୁ ସର୍ଭେରୁ ବାଦ୍ ଦେବାକୁ ପରାମର୍ଶ ଦେଇଛନ୍ତି।

Odisha Heavy Rainfall Cyclones
Advertisment
Advertisment