• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଘୁ ଘୁ ଗର୍ଜନ କରି ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା । ଭୟଙ୍କର ପବନ । ସାମ୍ନାରେ ଯାହା ଆସୁଛି ଉଡାଇ ନେଉଛି । ପ୍ରଚଣ୍ଡ ବେଗରେ ଝଡ଼ ବାତ୍ୟା ତାଣ୍ଡବ ରଚିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିନ ପ୍ରାୟ ୧୨ଟା ୩୦ରେ ଦକ୍ଷିଣ ଆନ୍ଧ୍ରର ବାପଟଲା ଅଂଚଳରେ ବାତ୍ୟା ମିଗଜୋମ୍‌ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସମୟରେ ପବନର ବେଗ ଘଂଟାପ୍ରତି ୯୦ରୁ ୧୦୦ କିମି ରହିଥିଲା । ପାଖାପାଖି ୩ ଘଂଟା ଯାଏଁ ଜାରି ରହିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା।

ଭୀଷଣ ବାତ୍ୟା ପ୍ରଭାବରେ ମଛଲିପଟନମ ଏବଂ ନେଲୋର ଅଂଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି । ମାଟିରେ ଲୋଟି ପଡିଛି ବିରାଟକାୟ ଗଛ । ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା କ୍ରମଶ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ବାତ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରଭାବିତ ହୋଇଛି ବିମାନ ଓ ରେଳ ସେବା । ୫୦ରୁ ଅଧିକ ବିମାନ ଏବଂ ୧୦୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି ।

ଆହୁରି ୨୪ ଘଂଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ନେଲୋର, ପ୍ରକାଶମ, ବାପଟଲା, ତିରୁପତି, କ୍ରିଷ୍ଣା, ପଶ୍ଚିମ ଗୋଦାବରୀ, କୋନାସୀମା ଏବଂ କାକିନାଡାକୁ ରେଡ ଆଲର୍ଟ ଜାରି ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ ହୋଇଛନ୍ତି NDRFର ୨୧ଟି ଟିମ୍ ।

ଏପଟେ ତାମିଲନାଡୁରେ ବାତ୍ୟାର ପ୍ରଭାବରେ ଜଳପ୍ରଳୟ । ପୁରା ରାଜ୍ୟରେ ଦି ଦିନ ହେଲା ଲାଗିରହିଛି ଅବିଶ୍ରାନ୍ତ ବର୍ଷା । ଏଯାଏଁ ପାଖାପାଖି ୫ଶହ ମିଲିମିଟର ବର୍ଷା ରେକର୍ଡ ହେଲାଣି । ଚେନ୍ନାଇ ପାଲମ ଅଂଚଳଏରେ ରାସ୍ତାରେ ଚାଲିଛି ଅଣ୍ଟାଏ ପାଣି । ଆପାର୍ଟମେଣ୍ଟର ତଳ ମହଲା ବୁଡିଯାଇଛି । ପାଣି ଏତେ ଯେ ସାହି ଭିତରେ ଡଙ୍ଗା ଚାଲିଛି । ଅନେକ ଅଂଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଯିଏ ଯେଉଁଠି ଥିଲେ ସେଇଠି ଜଳବନ୍ଦୀ । କ୍ରିଷ୍ଣାନଗରରେ ପାୱାର ବୋଟରେ ବୁଲି ବୁଲି ବିପନ୍ନଙ୍କୁ ଉଦ୍ଧାର କରିବା ସହ ରିଲିଫ୍ ପହଁଚାଉଛି ଏନଡିଆରଏଫ୍ ।  ସେପଟେ ଚେନ୍ନାଇ ଅଦିୟାର ନଦୀର ବନ୍ୟାଜଳରେ ବୁଡି ରହିଛି ଏକାଧିକ ଗାଁ । ରାସ୍ତାଘାଟ ଓ ଦୋକାନ ବଜାର ଉବୁଟୁବୁ ହେଉଥିବା ବେଳେ, ବହୁ ସ୍ଥାନରେ ବସ୍, ଆମ୍ବୁଲାନ୍ସ ଓ ଅନ୍ୟ ଯାନବାହାନ ପାଣି ଭିତରେ ଅଟକି ରହିଛି ।

ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତାକାଲି ମଧ୍ୟ ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବର୍ଷାର ପ୍ରଭାବ ଆଗାମୀ ୩୬ ଘଂଟା ଯାଏଁ ରହିବ । ବାତ୍ୟା ‘ମିଗଜୋମ’ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାରେ ଆସନ୍ତାକାଲି ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି ।