/odishatv-khabar/media/post_attachments/uploadimage/library/16_9/16_9_0/assembly_1742999446.jpg)
assembly
ବିଧାନସଭା ଇତିହାସରେ ସୃଷ୍ଟି ହେଲା ଅଲୋଡ଼ା ଅଧ୍ୟାୟ। ବିଶୃଙ୍ଖଳିତ ଆଚରଣ ପାଇଁ ଏକାବେଳେ ନିଲମ୍ବିତ ହେଲେ କଂଗ୍ରେସ ଦଳର ସମସ୍ତ ୧୪ ବିଧାୟକ। ଗତକାଲି ଦିନ ସାରା ଏବଂ ରାତି ତମାମ ଯେଭଳି ବିରୋଧୀଙ୍କ ହାଇଡ୍ରାମା ଚାଲିଲା, ସାରା ରାଜ୍ୟ ଦେଖିଲା। କେବଳ ସେତିକି ନୁହେଁ, ଲୋୟର ପିଏମଜି ଓ ଆସେମ୍ବ୍ଲି ଆଗରେ ବି ନେତା ଓ କର୍ମୀଙ୍କ ଉଗ୍ର ଆଚରଣ, ଓଡ଼ିଶା ରାଜନୀତି ଇତିହାସରେ କେବେ ଦେଖିବାକୁ ମିଳିନଥିଲା। ଏସବୁ ଭିତରେ ଆସନ୍ତାକାଲି ପୁଣି ବିଧାନସଭା ଘେରାଉ ପାଇଁ ଅଣ୍ଟାଭିଡ଼ିଛି କଂଗ୍ରେସ।
ବିଧାନସଭାରେ ହାଇଡ୍ରାମା। ପ୍ରଥମ ଥର ପାଇଁ ଗୋଟିଏ ଦଳର ସମସ୍ତ ବିଧାୟକ ହେଲେ ବିଧାନସଭାରୁ ସସପେଣ୍ଡ। ଓଡ଼ିଶା ବିଧାନସଭା ଇତିହାସରେ ସୃଷ୍ଟି ହେଲା ଅଲୋଡା ଅଧ୍ୟାୟ। ରାଜ୍ୟ ରାଜନୀତିରେ ପ୍ରଥମ ଥର ଘଟିଛି ଏଭଳି ଘଟଣା। ବିଶୃଙ୍ଖଳିତ ଆଚରଣ ପାଇଁ ଏକା ସାଙ୍ଗରେ କଂଗ୍ରେସର ସବୁ ବିଧାୟକ ଗୃହରୁ ହୋଇଛନ୍ତି ନିଲମ୍ବିତ। ବିଧାନସଭାରେ ଘଣ୍ଟ, ଗିନି ବଜାଇ ବିଶୃଙ୍ଖଳା କରିବା ପରେ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ 12 ବିଧାୟକଙ୍କୁ ନିଲମ୍ବନ କରିଥିଲେ ବାଚସ୍ପତି। ହେଲେ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ବି ଗୃହ ଛାଡ଼ି ନଥିଲେ କଂଗ୍ରେସ ବିଧାୟକ। ଗୃହ ମୁଲତବୀ ପରେ ବି ବାଚସ୍ପତିଙ୍କ ପୋଡିୟମ୍ ତଳେ ବସି ରହିଥିଲେ। ସ୍ଥିତି ଏମିତି ହେଲା ବିଧାନସଭା ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଧାୟକ।
ଏହା ପରେ ବଦଳି ଯାଇଥିଲା ବିଧାନସଭା ବାହାର ଚିତ୍ର। ବିଳମ୍ବିତ ରାତିରେ ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ଶରତ ରାଉତ ବିଧାନସଭା ଗେଟ୍ ନିକଟରେ ପହଞ୍ଚି ଗୃହ ଭିତରକୁ ଯିବା ପାଇଁ ପୋଲିସ ସହ କରିଥିଲେ ଯୁକ୍ତିତର୍କ। ସେପଟେ ବିଧାନସଭା ଗେଟ୍ ନିକଟରେ ଧାରଣା ଦେଇଥିଲେ କଂଗ୍ରେସ ନେତା ଓ କର୍ମୀ। ବହୁ ସମୟ ଧରି ଏହି ଡ୍ରାମା ଚାଲିବା ପରେ ଶେଷରେ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇନେଇଥିଲା ପୋଲିସ।
ଅଧିକ ପଢ଼ନ୍ତୁ; ଅତିରିକ୍ତ ସିପିଙ୍କୁ ଆକ୍ରମଣ; କଲର ଭିଡ଼ି ଆଣିଲେ, ଟୋପି ଖସାଇଦେଲେ
ରାତି ପ୍ରାୟ ୨ଟାରେ ଗୃହ ଭିତରେ ଧାରଣାରତ କଂଗ୍ରେସ ବିଧାୟକଙ୍କୁ ବାହାରେ ଛାଡିଥିଲେ ବିଧାନସଭା ସୁରକ୍ଷା କର୍ମୀ। ପରେ ପୋଲିସ୍ ସମସ୍ତ ବିଧାୟକଙ୍କୁ ନେଇ କଂଗ୍ରେସ ଭବନ ନିକଟରେ ଛାଡ଼ିଥିଲା। ହେଲେ କଥା ସେତିକିରେ ସରିନଥିଲା, ବରଂ ସେଠୁ ଆହୁରି ବଢ଼ିଥିଲା। ରାତିରେ ରାଜରାସ୍ତାରେ ସୋଇଥିଲେ କଂଗ୍ରେସ ବିଧାୟକ।
ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଘଣ୍ଟ ବାଡ଼େଇ, ହୁଳହୁଳି ପକାଇ କଂଗ୍ରେସ ବିଧାୟକ ଓ କର୍ମୀମାନେ ବାହାରିଥିଲେ କଂଗ୍ରେସ ଭବନରୁ। ଲୋୟର ପିଏମ୍ଜିରେ ଗୋଟିଏ ପରେ ଗୋଟିଏ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଭିତରେ ପଶିବାକୁ ଉଦ୍ୟମ କରିଥିଲେ ଏହାପରେ ବିଧାନସଭା ମୁଖ୍ୟ ଫାଟକ ନିକଟରେ ଆରମ୍ଭ ହୋଇଥିଲା ପୋଲିସ ସହ ଧସ୍ତା ଧସ୍ତି, ଠେଲାପେଲା.. କଂଗ୍ରେସ ବିଧାୟକ ସାଗର ଦାସ ଏକ ଘଣ୍ଟ ସାହାଯ୍ୟରେ ବିଧାନସଭା ଗେଟର ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ।
କଂଗ୍ରେସ୍ ବିଧାୟକ ଓ କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ବେଳେ କେବଳ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଥିଲା। ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ପୁଣି ଘଣ୍ଟ ପିଟିଥିଲେ। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟଙ୍କୁ ୭ ଦିନ ପାଇଁ ସସପେଣ୍ଡ କରିଥିଲେ ବାଚସ୍ପତି। ଏଣେ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ଅଗଣତାନ୍ତ୍ରିକ କହିବା ସହ କାଲି ବିଧାନସଭା ଘେରାଉରେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)