• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତି । ପ୍ରାୟ ତିନି ବର୍ଷ ବିନା ଜନ ପ୍ରତିନିଧିରେ ପୌର ସଂସ୍ଥାଗୁଡ଼ିକ ପରିଚାଳନା ହେବା ପରେ ଏବେ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ପଂଚାୟତ ଭୋଟ୍ ପରେ ପରେ ହେବ ପୌର ନିର୍ବାଚନ । ୧୦୭ ପୌର ସଂସ୍ଥା ଏବଂ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚନ କରାଇବାକୁ ଚାଲିଛି କସରତ । ଗୋଟିଏ ପଟେ ସରକାରୀ ସ୍ତରରେ ପ୍ରକ୍ରିୟା, ଅନ୍ୟପଟେ ରାଜ୍ୟ ନିର୍ବାଚନ ଆୟୋଗ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଫିସ୍‌ରେ ପୌର ନିର୍ବାଚନ ପାଇଁ ଇଭିଏମ୍ ଓ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ପଠାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ଯିବ । ଏଥର ଭୋଟରମାନେ ସିଧାସଳଖ ମେୟର ଓ ପୌରାଧ୍ୟକ୍ଷଙ୍କୁ ବାଛିବେ । ତେଣୁ ପ୍ରତି ଓ୍ୱାର୍ଡରେ କାଉନ୍‌ସିଲର୍ କିମ୍ବା କର୍ପୋରେଟର ପାଇଁ ଗୋଟିଏ ଏବଂ ମେୟର କିମ୍ବା ପୌରାଧ୍ୟକ୍ଷ ପାଇଁ ଆଉ ଗୋଟିଏ ଇଭିଏମ୍ ଆବଶ୍ୟକ ପଡ଼ିବ । ପାଖାପାଖି ୫ ହଜାର ବୁଥ୍‌ରେ ନିର୍ବାଚନ ହେବାକୁ ଥିବାରୁ ପ୍ରାୟ ୧୧ ହଜାର ଇଭିଏମ୍ ଆବଶ୍ୟକ ହେବ ।

ଗୋଟିଏ ପଟେ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ପଂଚାୟତ ଭଳି ପୌର ନିର୍ବାଚନରେ ଆସନ ସଂରକ୍ଷଣକୁ ନେଇ ଉପୁଜିଲାଣି ବିବାଦ । ଓ୍ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇବା ପରେ ବିବାଦ ବଢ଼ିବାରେ ଲାଗିଛି । ମୋଟ୍ ୧୦୭ ପୌର ସଂସ୍ଥା ପାଇଁ ଡିସେମ୍ବର ୧୩ ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ ସରିଛି । ମହାନଗର ନିଗମ ପାଇଁ ୧୯ ତାରିଖ ଭିତରେ ଅଭିଯୋଗ ଦାଖଲ କରିହେବ ।

 

ତେବେ ଏହା ପୂର୍ବରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ସୃଷ୍ଟି ହେଲାଣି ତୀବ୍ର ଅସନ୍ତୋଷ । ଭୁବନେଶ୍ୱରର ଓ୍ୱାର୍ଡ ନମ୍ବର ୬୭ ଗତଥର ଅଣସଂରକ୍ଷିତ ଥିଲା । ଏଥର ଏହା ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ଏଠାରୁ କର୍ପୋରେଟର୍ ନିର୍ବାଚନ ଲଢ଼ିବାକୁ ଗ୍ରାଉଣ୍ଡ ଓ୍ୱାର୍କ କରିଥିବା ଦେବୀପ୍ରସାଦ ନନ୍ଦଙ୍କୁ ନିରାଶ ହେବାକୁ ପଡିଛି । ଠିକ୍ ସେହିଭଳି ୪୬ ନମ୍ବର ଓ୍ୱାର୍ଡ ଗତଥର ପଛୁଆ ବର୍ଗ ଲାଗି ସଂରକ୍ଷିତ ଥିବାବେଳେ ଏଥର ଏହା ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଭୁବନେଶ୍ୱର ଭଳି ଅନ୍ୟ ପୌର ସଂସ୍ଥାଗୁଡ଼ିକରେ ବି ସମାନ ଅବସ୍ଥା । 

ଜାନୁଆରୀ ୧୦ ତାରିଖ ପରେ ଓ୍ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ନେଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ତେବେ କୋର୍ଟରେ ମାମଲା ଥିବାରୁ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଏବଂ ଓଡ଼ଗାଁ ପୌରସଂସ୍ଥା ପାଇଁ ନିର୍ବାଚନ ହେବନାହିଁ । ସେହିପରି ହିନ୍ଦୋଳ ଓ ଅତାବିରା ପୌର ପରିଷଦର କାର୍ଯ୍ୟକାଳ ଶେଷ ହୋଇନଥିବାରୁ ସେଠାରେ ଏବେ ଭୋଟ୍ ହେବ ନାହିଁ ।