• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋରାପୁଟ ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଗାଁକୁ ଗାଁ ଯୋଡି ହେବ । ପଞ୍ଚାୟତରୁ ସଦର ମହକୁମାକୁ ଯୋଡି ହେବ ସଂପର୍କର ସେତୁ । ଗମନାଗମନର ସୁବିଧା ପାଇଁ ୨୦୧୪ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆରମ୍ଭ କରିଥିଲେ ବିଜୁ ଗାଁ ଗାଡି ଯୋଜନା । ହେଲେ ଯୋଜନା ହେବାର ୭ ବର୍ଷରେ ଛୋଟ ବଡ କରି ୧୨୭ ଗାଡିରୁ ଏବେ ଚାଲିଛି ମାତ୍ର ଗୋଟିଏ । ତେଣୁ ଜୀବନକୁ ବାଜି ଲଗାଇ ଅସୁରକ୍ଷିତ ଅବସ୍ଥାରେ ବିପଦପୂର୍ଣ୍ଣ ଭାବରେ ଗାଡ଼ିରେ ଯିବାଆସିବା କରୁଛନ୍ତି ଲୋକେ ।

କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ବାଧ୍ୟ ହୋଇ ନିୟମ ଉଲଙ୍ଘନ ସହ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଲୋକେ । ନକରିବେ ବା କିପରି ଯେହେତୁ ଗାଁରୁ ସହର ଆସିବା ପାଇଁ ନାହିଁ ବିକଳ୍ପ ବ୍ୟବସ୍ଥା । କୋଉ ଠି ଅଟୋରେ ୨୦ ତ ଅନ୍ୟ କେଉଁଠି କମାଣ୍ଡରରେ ୫୦ , ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

୨୦୧୪ ନିର୍ବାଚନ ପୂର୍ବରୁ ବିଜୁ ଗାଁ ଗାଡି ଯୋଜନା ଆରମ୍ଭ ହୋଇଥିବା ବେଳେ ୧୪ ଟି ବ୍ଲକରେ ୧୨୭ଟି ଗାଡି ଚଳାଚଳ କରୁଥିଲା । ଯାହାକୁ ଜିଲ୍ଲାର ଆରଟିଓ ପରିଚାଳନା କରୁଥିଲେ । ଏବେ ବିଭାଗୀୟ ଉଦାସୀନତା କି ଦୂରଦୃଷ୍ଟିର ଅଭାବ ହେତୁ ଗାଡି ଗୁଡିକ ରାସ୍ତା କଡରେ ପଡି ଖତ ଖାଉଛିଏବଂ ଲୋକେ ଅସୁରକ୍ଷିତ ଭାବରେ ଯାତାୟତ କରୁଛନ୍ତି । ତେବେ କୋରାପୁଟ ଆଂଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସ କହିଛନ୍ତି, ଅସୁରକ୍ଷିତ ଭାବେ ଯିବା ଆସିବା ଗାଡିକୁ ପ୍ରତିଦିନ ଚେକିଂ କରାଯାଉଛି । ବିଜୁ ଗାଁ ଗାଡି ଗୁଡିକର ଗାଡି ମାଲିକ ଋଣ ଶୁଝି ନପାରିବାରୁ ବନ୍ଦ ହୋଇ ଯାଇଥିବା ସଫେଇ ଦେଇଛନ୍ତି ।

ଅନ୍ୟପଟେ କୋରାପୁଟ ଜିଲ୍ଲାରେ ୩ବର୍ଷରେ ସଡକ ଦୁର୍ଘଟଣାରେ ୬୧୦ଜଣ ପ୍ରାଣ ହରାଇଥିବା ବେଳେ ୩୧୭ ଜଣ ଗୁରୁତର ହୋଇଥିଲେ । ଆଉ ପୋଲିସ ଓ ପରିବହନ ବିଭାଗ ରାସ୍ତା କଡ ଓ ଗ୍ରାମାଂଚଳରେ ପଇଁତରା ମାରିବା ଓ ଯାନବାହାନ କଡାକଡି ଚେକିଂ କରିବା ପାଇଁ ଦୁର୍ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଆଇଆରଏଡି ଟିମ । କିନ୍ତୁ ଗ୍ରାମାଂଚଳର ଲୋକେ ବା ଛାତ୍ରଛାତ୍ରୀ ପ୍ରତିଦିନ ସ୍କୁଲ କଲେଜ, କଚେରୀ ଓ ହସ୍ପିଟାଲକୁ ଅସୁରକ୍ଷିତ ଭାବରେ ଆସୁଥିଲେ ହେଁ ବ୍ୟବସ୍ଥା କିପରି ସୁଧୁରିବ ସେଥିପ୍ରତି ନୀରବଦ୍ରଷ୍ଠା ସାଜିଛନ୍ତି ।

ଦିନଥିଲା ବିଜୁ ଗାଁ ଗାଡି ସାଧାରଣ ଲୋକଙ୍କ ଗମନାଗମନରେ ମାଧ୍ୟମ ସାଜିଥିଲା । ହେଲେ ସରକାରକା ମାଲ ଦରିଆମେ ଡାଲ ଭଳି ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ବାଧକ ସାଜିଲା ଟାଳଟୁଳ ନୀତି । ଯେଉଁଥିପାଇଁ ଖତ ଖାଉଛି ଗାଡି, ଦଶା ଭୋଗୁଛନ୍ତି ଯାତ୍ରୀ ।