ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ପରେ ଦଳରେ କମ୍ପନ । ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜାଙ୍କ ପକେଟରେ ଥିଲେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି । ପାଣ୍ଡିଆନ୍ ଓ ସିଏମଓ ବି ଏନେଇ ଅବଗତ ଥିଲେ । ଆଉ ବଦ୍ରିଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିଜେଡିକୁ ଘେରି ଶାସକ ବିଜେପି ଓ କଂଗ୍ରେସ କରିଛନ୍ତି ଜୋରଦାର ହମଲା । ରାଜା ଚକ୍ରର କଳା ସାମ୍ରାଜ୍ୟ, ପ୍ରଚ୍ଛଦ ପଟ୍ଟରେ ରହିଥିଲେ କି ତତ୍କାଳୀନ ନବୀନ ସରକାର ?
ସବୁ ଜାଣି ଚୁପ୍ ଥିଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର । ଭି.କେ. ପାଣ୍ଡିଆନଙ୍କୁ ଅଭିଯୋଗ ପରେ ବି ନିଆଯାଇ ନ ଥିଲା କାର୍ଯ୍ୟାନୁଷ୍ଠାନ । ଥାର୍ଡ ଫ୍ଲୋର୍ ଦେଇ ଥିଲା କି ଗ୍ରୀନ୍ ସିଗନାଲ୍ ? ପ୍ରୋତ୍ସାହନ ଦେଉଥିଲେ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ର? ରାଜା ଚକ୍ରର ଗିରଫଦାରି ପରେ ଖୋଦ୍ ବିଜେଡିର କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଏଭଳି ବିସ୍ଫୋରକ ବୟାନ ହଲଚଲ୍ ସୃଷ୍ଟି କରିଛି ।
Also Read
ବଦ୍ରି, ତତ୍କାଳୀନ ନବୀନ ସରକାର ଏହି ଗୁମର ଖୋଲିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ବଢିଛି । ରାଜା ଚକ୍ର କେନ୍ଦୁଝର ପ୍ରଶାସନର ଅସ୍ତ୍ର ଭାବେ କାମ କରୁଥିଲା। ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ରଙ୍କ ପ୍ରୋତ୍ସାହନରେ ରାଜା ଚକ୍ର କେନ୍ଦୁଝର ଜିଲ୍ଲାରେ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଥିଲା ।
ଅଧିକ ପଢ଼ନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଯୁକ୍ତ ଦୁଇ ପରେ ପଢ଼ିପାରିବେ ବିଏଡ୍
ଖଣି ଖାଦାନ ଲୁଟ୍ ପଛରେ ତତ୍କାଳୀନ ଏସପି ଓ କଲେକ୍ଟରଙ୍କ ବଡ ହାତ ରହିଛି । ବଦ୍ରି ଅଭିଯୋଗ କରିଛନ୍ତି ଯେ, ରାଜା ଚକ୍ରର ବିଜିନେସ୍ ପାର୍ଟନର ଥିଲେ ଏସପି ମିତ୍ରଭାନୁ ମହାପାତ୍ରଙ୍କ ସଂପର୍କୀୟ । ତେଣୁ କ୍ରାଇମବ୍ରାଞ୍ଚ ତତ୍କାଳୀନ ଏସପି ଓ ଜିଲ୍ଲାପାଳଙ୍କୁ ତଦନ୍ତ ପରିସର ଭୁକ୍ତ କରି ତଦନ୍ତ ଆଗକୁ ନେଉ । ଅନେକ ଖୁଲାସା ହେବ ।
ବିଜେଡ଼ି ପାଇଁ ଯେ ରାଜା ଚକ୍ର ଆଗକୁ ବଡ ବିପଦ ଆଣିବ ସେନେଇ ବଦ୍ରି ନିଜେ ଭି.କେ ପାଣ୍ଡିଆନଙ୍କୁ ବିସ୍ତୃତ ରିପୋର୍ଟ ଦେଇଥିଲେ । ତା'ସହ ରାଜା ଚକ୍ରର କଳା ସାମ୍ରାଜ୍ୟ ବିଷୟରେ ବି ଅବଗତ କରିଥିଲେ । ମାତ୍ର କେହି ଶୁଣିଲେନି ବୋଲି ଆଜି ଦଳର ବିପର୍ଯ୍ୟୟ ହେଲା । ଲୋକେ ବୁଝିଲେ କେମିତି ଦୁର୍ନୀତିକୁ ବିଜେଡି ସରକାର ପ୍ରୋତ୍ସାହନ ଦେଉଛି ଆଉ ଅନେକ ନେତା ଅସନ୍ତୁଷ୍ଟ ହୋଇ ଦଳର ହାତ ଛାଡିଲେ ।
ଅନ୍ୟପଟେ ମୋହନ ସରକାର ଏହି ଦୁର୍ନୀତିର ପେଡ଼ି ଖୋଲି ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବଦ୍ରି । ତେବେ ବଦ୍ରି ପାତ୍ରଙ୍କ ଅଭିଯୋଗ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମିତ୍ରଭାନୁ ମହାପାତ୍ର କିମ୍ବା ଆଶିଷ ଠାକରେଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ସେପଟେ ବଦ୍ରି ପାତ୍ରଙ୍କ ଖୁଲାସା ପରେ ତେଜିଛି ରାଜ୍ୟ ରାଜନୀତି। ବିଜେପି ପାଟଣା ବିଧାୟକ କହିଛନ୍ତି ପୂର୍ବତନ ଜିଲ୍ଲାପାଳ ଓ ଏସପିଙ୍କୁ ଧରିଲେ ସବୁ ଖୁଲାସା ହେବ। ତୃତୀୟ ମହଲାରୁ ହିଁ ସବୁ ନିର୍ଦ୍ଦେଶ ଯାଉଥିଲା । କଂଗ୍ରେସ କହିଛିି ନବୀନ ସରକାରରେ ତୃତୀୟ ମହଲାରୁ ଅନେକ ରାଜା ଚକ୍ର ଜନ୍ମ ନେଇଛନ୍ତି ।
ବିଜେଡିର ଅଜବ ଯୁକ୍ତି ହେଲା ଏହା ମନଗଢ଼ା କାହାଣୀ। ରାଜା ଚକ୍ରକୁ କିଛି ବ୍ୟକ୍ତିଙ୍କ ନାଁ କହିବାକୁ ଚାପ ପ୍ରୟୋଗ କରାଯାଉଛି । ବଦ୍ରିଙ୍କ ବିସ୍ଫୋରଣରୁ ଏତିକି ସ୍ପଷ୍ଟ ଯେ ରାଜା ଚକ୍ର ବିଜେଡ଼ି ସରକାରର ପ୍ରୋତ୍ସାହନରେ ହିଁ ଦୁର୍ନୀତି ଆରମ୍ଭ କରିଥିଲା । ତେବେ ଏହି ଘଟଣାରେ ଆଗକୁ କ୍ରାଇମବ୍ରାଞ୍ଚ ଆଉ କି ଗୁମର ଖୋଲୁଛି ତା'ଉପରେ ସମସ୍ତଙ୍କ ନଜର ।
ଅଧିକ ପଢ଼ନ୍ତୁ: ପାଗଳ କଲା ମୋବାଇଲ୍ ନିଶା; ବାପା-ମା’ଙ୍କୁ ହାଣିଦେଲା ଝିଅ
- Reported by:
- JAGDISH DAS , SOUMYA RANJAN SAHOO