Advertisment

ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ନେଇ ଚାଷୀ କୂଳ ଖପ୍ପା

ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ।

author-image
Chandan Shishu
ଅଦ୍ୟତନ ହୋଇଛି
Farmers oppose new norms in paddy procurement in Odisha

Farmers oppose new norms in paddy procurement in Odisha

ରବି ଧାନ ସଂଗ୍ରହର ଠିକ୍ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ନେଇ ଚାଷୀ କୂଳ ଖପ୍ପା। ସେବା ସମବାୟ ସମିତିରେ ଧାନ ସଂଗ୍ରହ ବେଳେ ଟ୍ରାନଜିଟ୍ ପାସ ସହ ଚାଷୀଙ୍କ ଆଧାର ଲିଙ୍କ ବାଧ୍ୟତାମୂଳକ କରାଯାଇଥିବାରୁ ଏଣିକି କେବଳ ଅଧିକୃତ ଚାଷୀଙ୍କ ବ୍ୟତୀତ ସେମାନଙ୍କ ସମ୍ପର୍କୀୟ ଧାନ ବିକି ପାରିବେ ନାହିଁ। ତା ସହ ସୋସାଇଟିକୁ ଚାଷୀଙ୍କ ଟୋକନ ବାତିଲ କ୍ଷମତା ମଧ୍ୟ ମିଳିଛି। ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବାକୁ ସରକାର ଏଭଳି ସଂଶୋଧିତ ନିୟମ କାର୍ଯ୍ୟକାରୀ କରିଥିବା ବେଳେ ଏପଟେ ଚାଷୀଙ୍କୁ ଅଡୁଆରେ ପକାଇବ ବୋଲି କୁହାଯାଉଛି। ଏପରିକି ଏହା ଚାଷୀଙ୍କୁ କ୍ଷତି ଆଉ ମିଲର୍ସଙ୍କୁ ଲାଭ ଦେବ କହି ବର୍ଷିଛନ୍ତି ବିରୋଧୀ।

Advertisment

ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ। ରାଜ୍ୟରେ ରବି ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ଭିତରେ ମଣ୍ଡିରେ ଧାନ ବିକ୍ରି ନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପି-ପାସ୍ ବ୍ୟବସ୍ଥାରେ ଆଣିଛି ସଂଶୋଧିତ ନିୟମ। ଏହି ନିୟମ ଅନୁସାରେ ଏଣିକି ପ୍ୟାକ୍ସରେ ଧାନ ବିକ୍ରି ବେଳେ ଟ୍ରାନଜିଟ୍ ପାସ୍ ତଥା ଏସି ନୋଟକୁ ଅଧିକୃତ ଚାଷୀଙ୍କ ଆଧାର ସହ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ମଣ୍ଡିରେ ଚାଷୀଙ୍କ ବିନା ଉପସ୍ଥିତିରେ ଆଉ ସେମାନଙ୍କ ସମ୍ପର୍କୀୟ ଧାନ ବିକି ପାରିବେ ନାହିଁ।

ଧାନ ବିକିବାକୁ ହେଲେ ଚାଷୀ ନିଜେ ମଣ୍ଡିକୁ ଆସିବେ। ସେହିଭଳି ସ୍ୱାସ୍ଥ୍ୟଗତ କାରଣ, ଚାଷୀଙ୍କ ଅନୁପସ୍ଥିତି କିମ୍ବା ଚାଷୀଙ୍କ ଆଖି ସ୍କାନିଂରେ ସମସ୍ୟା ହେଲେ ମଣ୍ଡିକୁ ଆସିଥିଲେ ବି ଚାଷୀଙ୍କ ଟୋକନକୁ ହୋଲ୍ଡ୍ ବା ସ୍ଥଗିତ ରଖାଯିବ। ଟୋକନ ଅବଧି ଭିତରେ ସୋସାଇଟିକୁ ଟୋକନ ଫେରାଇ ନେବାର କ୍ଷମତା ବି ଦିଆଯାଇଛି। ଚାଷୀ ଯଦି ମଣ୍ଡିରୁ ଧାନ ଫେରାଇ ନିଏ କିମ୍ବା ଚାଷୀ ପାଖରେ ଧାନ ଉପଲବ୍ଧ ନଥାଏ, ତେବେ ସୋସାଇଟି ଟୋକନ୍ ବାତିଲ କରିପାରିବ। ଫଳରେ ଟୋକନ୍ ସବୁଦିନ ପାଇଁ ବାତିଲ ହେବା ସହ ଚାଷୀ ଆଉ ଧାନ ବିକ୍ରି କରିପାରିବ ନାହିଁ। ଏଣେ ଯୋଗାଣ ବିଭାଗର ଏ ନୂଆ ନିୟମକୁ କିନ୍ତୁ ସହଜରେ ଗ୍ରହଣ କରିପାରୁନି ଚାଷୀ।

Advertisment

ଏପଟେ ରବି ଧାନ କିଣା ପୂର୍ବରୁ ହଠାତ ଏଭଳି ସଂଶୋଧିତ ନିୟଣ ଆଣି ସରକାର କାହାର ଲାଭ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ବିଜେପି କହିଛି, ଆଧାର କାର୍ଡ ଲିଙ୍କ କରିନପାରି ଚାଷୀ ମଣ୍ଡିରୁ ଫେରିଗଲେ, ସେ ଧାନ କିଣିବ କିଏ ? ସମବାୟ ସମିତିକୁ ଟୋକନ୍ ବାତିଲ କ୍ଷମତା ମିଳିଲେ, ମିଲର୍ସମାନେ ମାଲେମାଲ ହେବେ, ଆଉ ଚାଷୀ ଲୁଟର ଶିକାର ହେବେ। ସେହିଭଳି ସରକାରଙ୍କ ପାଇଁ ଏ କଟକଣା ଯୋଗୁଁ ଚାଷୀ ଅଧିକ ଶୋଷଣର ଶିକାର ହେବେ ବୋଲି ଅଭିଯୋଗ କରିଛି କଂଗ୍ରେସ।

ଆଜି ବରଗଡ଼ ସମେତ ରାଜ୍ୟର ଆଉ କିଛି ଜିଲ୍ଲାରୁ ଆରମ୍ଭ ହୋଇଛି ରବି ଧାନ ସଂଗ୍ରହ ପ୍ରକ୍ରିୟା। ତେବେ ଯୋଗାଣ ବିଭାଗର ସଂଶୋଧିତ ନିୟମ ଏବେ ଅନେକ ଚାଷୀଙ୍କ ବେକରେ କଣ୍ଟା ସଦୃଶ ହେବାକୁ ଯାଉଥିବାରୁ ଆଗକୁ ଏହା କି ରୂପ ନେବ, ତାକୁ ଅପେକ୍ଷା।

Paddy Procurement Farmers
Advertisment
Advertisment