• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ତେଜିଲା କ୍ଷୀର ରାଜନୀତି । ରାଜ୍ୟରେ ଅମୂଲର ଏଣ୍ଟ୍ରି ଖବର ଆସିବା ପରେ ଆରମ୍ଭ ହୋଇଯାଇଛି ମିଲ୍କ ୱାର । ଲୋକାଲ ବ୍ରାଣ୍ଡ ନନ୍ଦିନୀକୁ ବଂଚାଇବାକୁ ଚାଲିଛି ବଡ ଧରଣର ଅଭିଯାନ । ନନ୍ଦିନୀ ସପକ୍ଷରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଜୋର ଧରିଛି ଅମୂଲ ବିରୋଧୀ ଏବଂ ନନ୍ଦିନୀ ସପକ୍ଷରେ ସ୍ଲୋଗାନ । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି - ସେଭ୍ ନନ୍ଦିନୀ ଏବଂ ଗୋ ବ୍ୟାକ୍ ଅମୂଲର ନାରା । ଏପରିକି ବୃହତ ବେଙ୍ଗାଳୁରୁ ହୋଟେଲ୍ସ ଆସୋସିଏସନ୍ ପକ୍ଷରୁ ଅମୂଲର ଉତ୍ପାଦ ବହିଷ୍କାର କରିବାକୁ ଘୋଷଣା ବି କରାଯାଇଛି। ଆସୋସିଏସନ୍ ଏଥିରେ ଚାଷୀଙ୍କ ସହଯୋଗ ଲୋଡିଛି।

ଏପଟେ ଦୁଗ୍ଧକୁ ନେଇ ତେଜିଲାଣି ତୁତୁ ମେମେ । ରାଜନୀତି ବି ସରଗରମ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଏବେ କ୍ଷୀର ବିବାଦ ମୁଖ୍ୟ ମୁଦ୍ଦା ପାଲଟିଯାଇଛି । ରାଜ୍ୟରେ ଅମୂଲ ବ୍ରାଣ୍ଡ ଜରିଆରେ ସ୍ଥାନୀୟ ତଥା ଲୋକପ୍ରିୟ ବ୍ରାଣ୍ଡ ନନ୍ଦିନୀକୁ ବୁଡାଇଦେବାକୁ ଷଡଯନ୍ତ୍ର କରାଯାଉଥିବା କଂଗ୍ରେସ ଏବଂ ଜେଡିଏସ୍ ଅଭିଯୋଗ କରିଛନ୍ତି । ତେବେ ସବୁ ପ୍ରସଙ୍ଗରେ କଂଗ୍ରେସ ରାଜନୀତି ନକରୁ ବୋଲି କହିଛି ବିଜେପି।

ଅମୂଲ ବନାମ ନନ୍ଦିନୀ (Amul vs Nandini) । ଅମୂଲ ତୁଳନାରେ ନନ୍ଦିନୀର ପ୍ରଡକ୍ଟ ଅପେକ୍ଷାକୃତ ଶସ୍ତା । ଅମୂଲ ଦୁଗ୍ଧ ପ୍ରତି ଲିଟର ପିଛା ୫୪ ଟଙ୍କା ଥିବା ବେଳେ ନନ୍ଦିନୀ କ୍ଷୀର ଲିଟର ପିଛା ୩୯ ଟଙ୍କା । ଅର୍ଥାତ୍ ନନ୍ଦିନୀ ଠାରୁ ଅମୂଲ କ୍ଷୀର ଲିଟର ପିଛା ୧୫ଟଙ୍କା ଅଧିକ । ସେହିପରି ଅମୂଲ ଦହି ଲିଟର ପିଛା ୬୬ ଟଙ୍କା ଥିବା ବେଳେ ନନ୍ଦିନୀ ଦହି ୪୭ ଟଙ୍କାରେ ମିଳୁଛି । ଦେଶର ୨୮ଟି ଜିଲ୍ଲାରେ ଅମୂଲର ଉପସ୍ଥିତି ରହିଛି । ସେପଟେ ମାତ୍ର ୭ଟି ରାଜ୍ୟରେ ମିଳୁଛି ନନ୍ଦିନୀ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ । କର୍ଣ୍ଣାଟକ ସରକାର ନନ୍ଦିନୀର ପ୍ରଡକ୍ଟ ଉପରେ ସବସିଡି ଦେଉଥିବାରୁ ଏହା ବଜାରରେ ଶସ୍ତାରେ ଉପଲବ୍ଧ ହେଉଛି।

ତେବେ ଅମୂଲ ଭଳି ଘରେ ଘରେ ପରିଚିତ ତଥା ସର୍ବାଧିକ ଲୋକପ୍ରିୟ ବ୍ରାଣ୍ଡକୁ କର୍ଣ୍ଣାଟକରେ ବିରୋଧ କାହିଁକି କରାଯାଉଛି? ଲୋକାଲ ବ୍ରାଣ୍ଡ ନନ୍ଦିନୀ ଓ ଅମୂଲ ମଧ୍ୟରେ କାହିଁକି ହେଉଛି ତୁଳନା? ଆସନ୍ତୁ ଜାଣିବା କର୍ଣ୍ଣାଟକ ବାସିନ୍ଦା କାହିଁକି ନନ୍ଦିନୀ ସପକ୍ଷରେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ନନ୍ଦିନୀ ଏତେ ଲୋକପ୍ରିୟ କାହିଁକି?

କର୍ଣ୍ଣାଟକର ଏକ ପପୁଲାର ବ୍ରାଣ୍ଡ ହେଉଛି ନନ୍ଦିନୀ । କମ୍ପାନୀର ମାଲିକାନା କର୍ଣ୍ଣାଟକ କୋଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡରେସନ୍ ଲିମିଟେଡ୍ ହାତରେ ରହିଛି । ଏହା ଦେଶର ଦ୍ୱିତୀୟ ଏବଂ ଦକ୍ଷିଣ ଭାରତର ସବୁଠୁ ବଡ଼ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତକାରୀ କମ୍ପାନୀ । ଦକ୍ଷିଣ ଭାରତରେ ନନ୍ଦିନୀର ବିଭିନ୍ନ ଦୁଗ୍ଧଜାତ ଉତ୍ପାଦର ଚାହିଦା କାହିଁରେ କଣ।

୧୯୫୫ରେ କର୍ଣ୍ଣାଟକର କୋଡଗୁ ଜିଲ୍ଲାରେ ପ୍ରଥମ ଦୁଗ୍ଧ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଥିଲା । ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ୧୯୬୫ରେ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍ ଲଗାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଦିନକୁ ଏହାର କ୍ଷମତା ୫୦ ହଜାର ଲିଟର ରହିଥିଲା। ୧୯୭୪ରେ କର୍ଣ୍ଣାଟକ ଡେୟରୀ ଡେଭଲପମେଣ୍ଟ ପ୍ରୋଜେକ୍ଟର ଶୁଭାରମ୍ଭ ହେବା ପରେ ରାଜ୍ୟ ସରକାର କ୍ଷମତା ବଢାଇଥିଲେ । ଧିରେ ଧିରେ ଦୁଗ୍ଧ ଏବଂ ଦୁଗ୍ଧଜାତ ଉତ୍ପାଦର ବଢୁଥିବା ଚାହିଦାକୁ ଦେଖି କମ୍ପାନୀର ବ୍ରାଣ୍ଡ ନାଁ ରଖିବାକୁ ସ୍ଥିର କରାଗଲା । ସର୍ଭେ ପରେ ୧୯୮୩ରେ କମ୍ପାନୀର ନାଁ ରଖାଯାଇଥିଲା ନନ୍ଦିନୀ।

ଦେଖୁ ଦେଖୁ ନନ୍ଦିନୀ ରାଜ୍ୟର ସବୁଠୁ ବଡ ବ୍ରାଣ୍ଡ ପାଲଟିଯାଇଥିଲା । ୨୨ ହଜାର ଗାଁ ଏବଂ ୨୫ଲକ୍ଷରୁ ଅଧିକ ଚାଷୀ ଏବଂ ପଶୁପାଳକ ନନ୍ଦିନୀ ସହ ଯୋଡି ହୋଇଗଲେ । କମ୍ପାନୀ ପ୍ରତିଦିନ ୮୪ ଲକ୍ଷ ଲିଟର ଦୁଗ୍ଧ କିଣୁଛି। ବର୍ତ୍ତମାନ କମ୍ପାନୀର ୬୫ରୁ ଅଧିକ ପ୍ରଡକ୍ଟ ରହିଛି।

OTV is now on Whatsapp

Join and get latest news update delivered to you via whatsapp

Join Now