• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକାଶରୁ ଖସିଲା ମୃତ୍ୟୁ । ମିଆଁମାର (Myanmar)ରେ ସାଧାରଣ ଜନତାଙ୍କ ରକ୍ତରେ ହୋଲି ଖେଳିଲା ସେନା । ମଙ୍ଗଳବାର ଦିନ ମିଆଁମାରରେ ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ମହିଳା ଓ ଅନେକ ଶିଶୁଙ୍କ ସମେତ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ସାମରିକ ଶାସନର ବିରୋଧୀମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେଇ ଜୀବନ ହରାଇଛନ୍ତି । ଏହି ହତ୍ୟାକାଣ୍ଡର କିଛି ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିଚଳିତ କରୁଛି। ଗତକାଲି ମିଆଁମାର ସେନା ଏପରି ଏକ ଅମାନବୀୟ ଘଟଣା ଘଟାଇଥିବା ବେଳେ ଏହାକୁ ଜାତିସଂଘ ତୀବ୍ର ନିନ୍ଦା କରିଛି ।

ସାଗେଙ୍ଗ ପ୍ରାନ୍ତାର କନବାଲୁ ଟାଉନ୍‌ସ୍ଥିତ ପାଜିଗି ଗାଁ (Pazigyi village) ବାହାରେ ଗତକାଲି ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶତାଧିକ ଲୋକଙ୍କ ଭିଡ଼ ହୋଇଥିଲା । ଆଉ ସେହି ସମୟରେ ଆକାଶ ମାର୍ଗରୁ ବୋମା ବର୍ଷା ସହ ହେଲିକପ୍ଟରରୁ ଗୁଳି ବର୍ଷା କରିଥିଲା ମିଆଁମାର ସେନା । ତୁହାକୁ ତୁହା ବମ୍‌ ବର୍ଷା ହେବାରୁ ଜୀବନ ବଞ୍ଚାଇବା ପାଇଁ ଲୋକଙ୍କୁ ସମୟ ମିଳିନଥିଲା । ବୋମା ତଥା ଗୁଳି ବର୍ଷାରେ ଶତାଧିକ ଲୋକ ଘଟଣାସ୍ଥଳରେ ଟଳି ପଡ଼ିଲେ ।

ପ୍ରାରମ୍ଭିକ ରିପୋର୍ଟରେ ମୃତ୍ୟୁସଂଖ୍ୟା ପ୍ରାୟ ୫୦ ବୋଲି କୁହାଯାଇଥିଲା । କିନ୍ତୁ ପରେ ଗଣମାଧ୍ୟମ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୧୦୦ରୁ ଅଧିକ ବୋଲି ଜଣାପଡ଼ିଛି । ତେବେ ବର୍ତ୍ତମାନ ଘଟଣାର ସବିଶେଷ ତଥ୍ୟ ଜାଣିବା ପାଇଁ ନିରପେକ୍ଷ ଭାବରେ ଯାଞ୍ଚ କରିବା ଅସମ୍ଭବ । କାରଣ ସେଠାରେ ସାମରିକ ସରକାର ତଥ୍ୟ ସଂଗ୍ରହ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନିହତ ହୋଇଥିବା ଲୋକଙ୍କ ମଧ୍ୟରେ ମହିଳାଙ୍କ ସମେତ ଛୋଟ ପିଲା ମଧ୍ୟ ଅଛନ୍ତି । ମିଳିତ ଜାତିସଂଘର ମାନବାଧିକାର କମିଶନର ଏକ ବିବୃତ୍ତିରେ କହିଛନ୍ତି, ଏୟାର ଷ୍ଟ୍ରାଇକର ଏହି ରିପୋର୍ଟ ଖୁବ୍‌ ଚିନ୍ତାଜନକ ।

ମିଆଁମାର ସାମରିକ ସରକାରଙ୍କ ମୁଖପାତ୍ର ଏହି ଆକ୍ରମଣ ଘଟଣାକୁ ସ୍ୱୀକାର କରିଛନ୍ତି । ବିଦ୍ରୋହୀ ଗୋଷ୍ଠୀ କାର୍ଯ୍ୟାଳୟର ଉଦଘାଟନ ସମୟରେ ଏହି ଆକ୍ରମଣ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ସରକାର ବିରୋଧୀ ବାହିନୀ ଆତଙ୍କର ଅଭିଯାନ ଚଳାଉଥିବା ବେଳେ ସେନା ଏପରି ଆକ୍ରମଣ କରିଥିବା ସେ ସଫେଇ ଦେଇଛନ୍ତି । ଏହି ସାମରିକ ଆକ୍ରମଣକୁ ବିଶ୍ୱର ବିଭିନ୍ନ ଦେଶ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

ମିଆଁମାରରେ ୧ ଫେବୃଆରୀ ୨୦୨୧ ମସିହାରେ ନିର୍ବାଚିତ ସରକାରକୁ ହଟାଇ ସେନା ନିଜ ହାତକୁ ନେଇଥିଲା ଶାସନ ଭାର । ଏହା ପରେ ନୂଆ ସରକାର ଦ୍ୱାରା ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ କରାଯାଇଥିଲା । ଏହି ସମୟ ମଧ୍ୟରେ ମିଆଁମାରର ନେତା ଅଙ୍ଗ ସାନ ସୁ କି ଏବଂ ନ୍ୟାସନାଲ ଲିଗ୍ ଫର ଡେମୋକ୍ରାସିର ଅନ୍ୟ ନେତାମାନଙ୍କୁ ଗିରଫ କରାଯାଇଥିଲା । ଏହା ପରେ ଗଣତନ୍ତ୍ରର ପୁନରୁଥାନ ପାଇଁ ସାରା ଦେଶରେ ବିଷୋଭ ପ୍ରଦର୍ଶନ କରାଯାଇଥିଲା । ସେବେ ଠାରୁ ସୁରକ୍ଷା ବାହିନୀ ହାତରେ ୩୦୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।