• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କର୍ମ ଯେମିତି ଫଳ ବି ସେମିତି । ଜୀବନରେ ଭଲ କର୍ମ କରିଥିଲେ, ଦିନେ ନା ଦିନେ ଫଳ ନିଶ୍ଚୟ ମିଳିବ । ଦିନେ ଝିଅର ଚିକିତ୍ସା ପାଇଁ ନିଜର ଜୀବନଯାକର ସମ୍ପତ୍ତି ଅଜାଡ଼ି ଦେଇଥିଲା ମାଆ, ଆଜି ସେହି ମାଆ ଲଟେରୀରେ ଜିତିଛନ୍ତି ୧୬ କୋଟି ଟଙ୍କା । ଝିଅ କ୍ୟାନ୍‌ସର ରୋଗରେ ପୀଡ଼ିତ ଥିବା ବେଳେ ନିଜର ସମସ୍ତ ସମ୍ପତ୍ତିକୁ ଚିକିତ୍ସାରେ ଲଗାଇଦେଇଥିଲେ । ଏହାପରେ ତାଙ୍କ ପାଖରେ ସମ୍ପତ୍ତି ବୋଲି କିଛି ନଥିଲା । ଲଟେରୀରେ କିଣିଥିବା ଟିକେଟ୍‌ କିନ୍ତୁ ଆଜି ତାଙ୍କୁ କୋଟିପତି କରିଦେଇଛି । ଏଭଳି ଘଟଣା ଫ୍ଲୋରିଡ଼ାରେ ଦେଖିବାକୁ ମିଳିଛି ।

ଫ୍ଲୋରିଡ଼ାର ବାସିନ୍ଦା ଗିମ୍‌ବ୍ଲେଟ୍‌ଙ୍କ ମୁଣ୍ତରେ ହାତୀ ସୁନା କଳସ ଢ଼ାଳି ଦେଇଛି । ଜୀବନରେ କରିଥିବା ଭଲ କର୍ମର ଫଳ ଏଭଳି ମିଳିବ ବୋଲି ସେ କେବେ ଆଶା ବି କରିନଥିବେ । ଦୁଃଖ ପରେ ସୁଖ ଏମିତି ବି ଆସେ, ବୋଧ ହୁଏ ଆପଣ ଏଭଳି ଘଟଣା ବହୁତ କମ୍‌ ଦେଖିଥିବେ । ଝିଅ କ୍ୟାନ୍‌ସର ରୋଗରେ ପିଡ଼ୀତ ହୋଇ ଗୁରୁତର ହୋଇପଡ଼ିଥିଲେ । ଝିଅର ଜୀବନକୁ ବଞ୍ଚାଇବା ପାଇଁ ଗିମ୍‌ବ୍ଲେଟ୍‌ ନିଜ ଜୀବନଯାକର ସମ୍ପତ୍ତିକୁ ଚିକିତ୍ସାରେ ଲଗାଇଦେଲେ । ଅପରେସନ୍‌ ପରେ ତାଙ୍କର ସମ୍ପତ୍ତି କହିଲେ ଘର ଖଣ୍ତିକ । ହେଲେ ହଠାତ୍‌ ଜୀବନରେ ମାଡ଼ି ଆସିଲା ଖୁସିର ଲହରୀ । ଲଟେରୀରେ କିଣିଥିବା ଟିକେଟ୍‌ ତାଙ୍କୁ ମାଲାମାଲ୍‌ କରିଦେଲା ।

ଫ୍ଲୋରିଡ଼ା ଲଟେରୀ ପକ୍ଷରୁ ତାଙ୍କର ଏକ ଫଟୋ ଟ୍ୱିଟର୍‌ରେ ସେୟାର କରାଯାଇଛି । ଯେଉଁଥିରେ ସେ ନିଜ ଝିଅ ଓ ନାତୁଣୀ ସହ ୧୬ କୋଟି ଟଙ୍କାର ଚେକ୍‌ ଧରି ଛିଡ଼ା ହୋଇଛନ୍ତି । ଏକ ପ୍ରେସ୍‌ ରିଲିଜିଇରେ ଗିମ୍‌ବ୍ଲେଟ୍‌ କହିଛନ୍ତି ଯେ, ‘ମୁଁ କ୍ରସୱାର୍ଡ ପଜଲ୍ସ ଖେଳିବାକୁ ବେଶ୍‌ ପସନ୍ଦ କରେ । ପ୍ରାୟ ସମୟ ଏନେଇ ଲଟେରୀ ଟିକେଟ୍‌ କିଣେ । ଝିଅ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଥିଲା । ଚିକିତ୍ସା ପାଇଁ ମୋଟା ଅଙ୍କର ଟଙ୍କା ଆବଶ୍ୟକ ରହିଥିଲା । ସମସ୍ତ ସମ୍ପତ୍ତି ବିକ୍ରି କରି ଝିଅର ଅପରେସନ୍‌ କଲି । ଝିଅ ମେଡିକାଲ୍‌ରେ ଆଡମିଟ୍‌ ହେବାର ପୂର୍ବଦିନ ମୁଁ ଏକ ଲଟେରୀ କିଣିଥିଲି, ତାହା ବି ବେଶ୍‌ ସଂଘର୍ଷମୟ ଥିଲା । କାଉଣ୍ଟରରେ ବସିଥିବା କର୍ମଚାରୀ ଟିକେଟ୍‌ ନାହିଁ ବୋଲି ମନାକରୁଥିଲା । ବାରମ୍ବାର ଅନୁରୋଧ କରିବା ପରେ ସେ କହିଲେ କି ଶେଷ ଟିକେଟ୍‌ ବଳିଛି ।  ଆଶ୍ଚର୍ଯ୍ୟର କଥା ହେଲା, ସେହି ଟିକେଟ୍‌କୁ ସ୍କ୍ରାଚ୍‌ କରିବା ପରେ ମୋ ଭାଗ୍ୟ ବଦଳିଗଲା । ଲଟେରୀରେ କିଣିଥିବା ଟିକେଟ୍‌ରେ ୧୬ କୋଟି ଟଙ୍କା ପୁରସ୍କାର ପାଇଲି । ଝିଅର ଅପରେସନ୍‌ର ଠିକ୍‌ ପରଦିନ ମୋ ପାଖରେ ଟଙ୍କାଟିଏ ନଥିବା ବେଳେ ମୋ ପାଖକୁ ଆସିଥିଲା ଏହି ଖୁସି ଖବର । ଏହା ମୋ ପାଇଁ ସ୍ୱପ୍ନ ଭଳି ଲାଗୁଥିଲା’ ।

 

ସୋସିଆଲ୍‌ ମିଡିଆରେ ଏହି ମହିଳାଙ୍କ ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଅନେକ କହିଛନ୍ତି ଯେ, ତାଙ୍କ ଜୀବନର ଭଲ କର୍ମର ଫଳ ସେ ପାଇଛନ୍ତି । ତେବେ ଆମେ ସମସ୍ତେ ଜାଣିଛୁ ଯେ, ଯଦି ଆମେ ଭଲ କର୍ମ କରିବା ଫଳ ବି ନିଶ୍ଚୟ ଭଲ ହିଁ ମିଳିବ । ଏହା ହେଉଛି ତା’ର ଉଦାହରଣ ।