କମନ୍ୱେଲଥ୍ ଗେମ୍ସ-୨୦୨୨ର ସେଇଦିନ (ଅଗଷ୍ଟ ୨ ତାରିଖ), ସେଇ ସମୟ ଥିଲା ଆମ ଦେଶ ପାଇଁ ବାସ୍ତବରେ ଅତ୍ୟନ୍ତ ଗୌରବପୂର୍ଣ୍ଣ। ଲଭ୍ଲି ଚୌବେ(ଲିଡ୍), ପିଙ୍କି କୌଶିକ ସିଂହ(ସେକେଣ୍ଡ୍), ନୟନମୋନି ସାଇକିଆ(ଥର୍ଡ୍) ଓ ରୂପାରାଣୀ ତିର୍କି(ସ୍ଲିପ୍)ଙ୍କ ୪ଜଣିଆ ଟିମ୍ ସେଦିନ ଲନ୍ ବୋଲ୍ସ (Lawn bowls)ଗେମ୍ ର ଫାଇନାଲ୍ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ହରାଇ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଥିଲେ।
ଏହା ଥିଲା ସମ୍ପୃକ୍ତ ଗେମ୍ର ଫାଇନାଲ୍ରେ ଭାରତର ପ୍ରଥମ ପ୍ରବେଶ। ଭାରତରେ ଏ ପର୍ଯ୍ୟନ୍ତ ଅଧିକାଂଶ ଲୋକ ଜାଣି ନଥିବା ଲନ୍ ବୋଲ୍ସ ଗେମ୍ର ୱିମେନ୍ସ ଫୋରସ୍ (women's fours) ଫର୍ମାଟ୍ରେ ପ୍ରଥମଥର ଲାଗି ପଦକ ଜିତି ଏଇ ମହିଳାମାନେ ଇତିହାସ ରଚନା କରିଥିଲେ। ବର୍ମି°ହାମ୍ ଗେମ୍ସରେ ଭାରତ ମୋଟ୍ ୬୧ଟି ପଦକ (୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ୍ ) ହାସଲ କରିଥିଲେ ମଧ୍ୟ ଏଇ ମେଡାଲ୍ଟିକୁ ଜିତିବାର ଆନନ୍ଦ ଥିଲା ଭିନ୍ନ।
ଅଧିକ ପଢ଼ନ୍ତୁ: ଅଗଷ୍ଟ ୨୬କୁ ବିଶ୍ୱ କାହିଁକି ପାଳନ କରୁଛି ‘ମହିଳା ସମାନତା ଦିବସ’
Also Read
ଭିକ୍ଟୋରିଆ ଟର୍ଫ୍ ଠାରେ ଅନେକଙ୍କ ଆଖି ସେଦିନ ଆଶ୍ଚର୍ଯ୍ୟରେ ବିସ୍ଫାରିତ ହୋଇଯାଇଥିଲା ଏଇ ଚାରି ମହିଳାଙ୍କ ସଫଳତା ଦେଖି। ଆଉ ବିଜୟୀ ଦଳର ସଦସ୍ୟମାନଙ୍କ ଆଖିରେ ଥିଲା ଖୁସି ଓ ଅବିଶ୍ୱାସର ଲୁହ। ସେମାନେ ପରସ୍ପରକୁ ଆଲିଙ୍ଗନ କରୁକରୁ ଖୁସିରେ ହସୁଥିଲେ। ପରସ୍ପରର ପିଠି ଥାପୁଡ଼େଇ ସାବାସୀ ଦେଉଥିଲେ।
ପୁଣି ପର ମୁହୂର୍ତ୍ତରେ ଆଖିରେ ସେମାନଙ୍କର ଭରିଯାଉଥିଲା ଭାବାବେଗର ଲୁହ। 'ଭାରତମାତା କି ଜୟ' ଧ୍ୱନିରେ ଭରିଯାଇଥିଲା ବାତାବରଣ। ତେବେ ସମ୍ପୃକ୍ତ ଖେଳରେ ସେମାନଙ୍କ ସଫଳତାର ଏଇ ଯାତ୍ରା ଆଦୌ ସହଜ ନଥିଲା। ଏଇ ସଫଳତା ପଛରେ ଥିଲା ସେମାନଙ୍କ ୧୦/୧୫ ବର୍ଷର ସଂଘର୍ଷ ଓ ଅସହାୟତା। ଏଥିପାଇଁ ଖାଲି ସେମାନଙ୍କୁ ବାରମ୍ବାର ବିଫଳତା ନୁହେଁ, ବହୁ ସମୟରେ ଲିଙ୍ଗଗତ ବୈଷମ୍ୟଭିତ୍ତିକ ଅଶାଳୀନ ମନ୍ତବ୍ୟ ଓ ନିର୍ଯାତନାର ମଧ୍ୟ ଶିକାର ହେବାକୁ ପଡ଼ିଥିଲା।
ଅନ୍ୟ ଖେଳ ଗୁଡ଼ିକ ତୁଳନାରେ ଅପରିଚିତ ଏଇ ଖେଳଟି ପାଇଁ କେହି ସହଜରେ ସାହାଯ୍ୟର ହାତ ବଢ଼ାଇ ଦେଇ ନଥିଲେ। ପ୍ରଥମେ କୋଲକାତାର ଏକ ହକି ଷ୍ଟାଡିୟମ୍ କୋଣରେ ଥିବା ଗୋଟିଏ ଛୋଟ ଜାଗାରେ ସେମାନେ ଅଭ୍ୟାସ ଆରମ୍ଭ କରିଥିଲେ। ୨୦୧୪ ମସିହାରେ ଏଇ ଟିମ୍ କ୍ୱାର୍ଟର୍ ଫାଇନାଲ ଯାଏ ଖେଳିଥିଲା। କିନ୍ତୁ ଶେଷ ପର୍ଯ୍ୟନ୍ତ ଖେଳରେ ରହି ପାରି ନଥିଲା।
୨୦୧୮ରେ ମଧ୍ୟ ସଫଳତା ମିଳି ନଥିଲା ଟିମ୍କୁ। ତେଣୁ ୨୦୨୨ର ଗେମ୍ ପୂର୍ବରୁ ଏଇ ଖେଳାଳିମାନଙ୍କ ଉପରେ ମାନସିକ ଚାପ ବହୁତ ଅଧିକ ଥିଲା। ଅନେକ ସମୟରେ ସେମାନେ ଭାବୁଥିଲେ ଯେ, ଆଉ ପ୍ରାକ୍ଟିସ୍ କରିବାକୁ କି ଖେଳିବାକୁ ଯିବେନି। ବହୁ ଜଣ ସେମାନଙ୍କ ପୂର୍ବ ବିଫଳତାକୁ ନେଇ କମେଣ୍ଟ୍ କରିବା ସହ ଆଶଙ୍କା ବି କରୁଥିଲେ ଯେ, ଏଥର ମଧ୍ୟ ଏମାନେ ଖାଲି ହାତରେ ଫେରିବେ।
ଏପରିକି ଶେଷ ଯାଏଁ କୋଚ୍ ଅଭାବ ସମସ୍ୟା ବି ଲାଗି ରହିଥିଲା। କିନ୍ତୁ ପରିବାରର ସହଯୋଗ ଓ ବିଶ୍ୱାସ ହିଁ ମୁଖ୍ୟତଃ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ଖେଳ ନ ଛାଡିବା ପାଇଁ ପ୍ରବର୍ତ୍ତାଇ ଥିଲା। ଆଉ ସେମାନେ ସଫଳତା ହାସଲ କରି ସମାଲୋଚକମାନଙ୍କୁ ଭୁଲ୍ ପ୍ରମାଣିତ କରିପାରିଲେ।
ଟିମ୍ର ଲିଡ୍ ଲଭ୍ଲି ଝାଡ଼ଖଣ୍ଡ ପୋଲିସ୍ରେ ଜଣେ କନଷ୍ଟେବଲ୍ ହୋଇଥିବା ବେଳେ ରାଞ୍ଚିର ରୁପା ଷ୍ଟେଟ୍ ସ୍ପୋର୍ଟସ୍ ଡିପାର୍ଟମେଣ୍ଟରେ କାମ କରନ୍ତି। ସେଇଭଳି ପିଙ୍କି ଦିଲ୍ଲୀର ଡିପିଏସ୍, ଆର୍.କେ. ପୁରମ୍ ଠାରେ କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ କାମକରନ୍ତି। ୨୦୧୦ରେ ଦିଲ୍ଲୀ କମନ୍ୱେଲଥ୍ ଗେମ୍ସ ସମୟରେ ସ°ଯୋଗବଶତଃ ଏଇ ଖେଳରେ ପ୍ରବେଶ କରିଥିଲେ। ଆସାମର ଏକ କୃଷକ ପରିବାରରେ ଜନ୍ମିତ ନୟନମୋନି ରାଜ୍ୟ ବନ ବିଭାଗରେ କାର୍ଯ୍ୟ କରନ୍ତି।
ଲନ୍ ବୋଲ୍ସ ଗେମ୍ ୪୦/୪୦ ମିଟରର ଏକ ଗ୍ରାଉଣ୍ଡ୍ରେ ଖେଳାଯାଏ। ଗ୍ରାଉଣ୍ଡ୍ଟି ଏକ କାର୍ପେଟ୍ ଭଳି ହୋଇଥାଏ (ହକି ଗ୍ରାଉଣ୍ଡ୍ ସହ ଏହାର ସମାନତା ଥାଏ)। ଘାସ ଉପରେ ମଧ୍ୟ ଏହାକୁ ଖେଳା ଯାଇଥାଏ। ଏଇ ଖେଳର ମୁଖ୍ୟ ଉଦ୍ଦେଶ୍ୟ ଥାଏ, ବୋଲ୍/ବଲ୍(bowl)କୁ ଗଡାଇବା। ଏଥିପାଇଁ ଦୁଇ ପ୍ରକାରର ବଲ୍ ବ୍ୟବହାର କରାଯାଇଥାଏ। ଏହା ମଧ୍ୟରୁ ଛୋଟ ବଲ୍ଟିକୁ ଜ୍ୟାକ୍ (jack)ବା କିଟ୍ଟି (kitty) କୁହାଯାଏ, ଯାହା ସାଧାରଣତଃ ଧଳା କିମ୍ବା ହଳଦିଆ ରଙ୍ଗର ହୋଇଥାଏ। ଆଉ ଯେଉଁ ବଡ଼ ବଲ୍ ବ୍ୟବହାର କରାଯାଇଥାଏ ତାହା ମଧ୍ୟ ସାଧାରଣ ବଲ୍ ଭଳି ହୋଇ ନଥାଏ।
ଏହାର ଗୋଟିଏ ପାଖ ଭାରୀ ଓ ଅନ୍ୟ ପାଖଟି ହାଲୁକା ହୋଇଥାଏ। ପ୍ରଥମେ ଜ୍ୟାକ୍କୁ ଟର୍ଫର ତଳ ଆଡ଼କୁ ଅନ୍ତତଃ ୨୩ ମିଟର ଯାଏ ରୋଲ୍ କରାଯାଏ ବା ଗଡ଼େଇ ଦିଆଯାଏ। ତା' ପରେ ଭାଗ ନେଇଥିବା ଦଳଗୁଡ଼ିକର ସଦସ୍ୟମାନଙ୍କୁ ବଡ଼ ବଲ୍ ଦିଆଯାଏ।
ଏହା ପରେ ପ୍ରତି ଦଳର ଖେଳାଳିମାନେ ପାଳି କରି ନିଜ ନିଜ ବଲ୍ ରୋଲ୍ କରି ଜ୍ୟାକ୍ ନିକଟରେ ପହଞ୍ଚିବାକୁ ଉଦ୍ୟମ କରନ୍ତି। ଯେଉଁ ଦଳର ବୋଲ୍ ତା'ର ପ୍ରତିଦ୍ୱନ୍ଦୀ ଦଳଠାରୁ ଯେତେ ଅଧିକ ଥର ଜ୍ୟାକର ନିକଟରେ ପହଞ୍ଚିଥାଏ, ତାହା ହିସାବ କରାଯାଇ ପଏଣ୍ଟ୍ ଦିଆଯାଇଥାଏ।
ଶେଷରେ ଅଧିକ ପଏଣ୍ଟ୍ ହାସଲକାରୀ ଦଳ ବିଜେତା ଘୋଷିତ ହୋଇଥାଏ। ଏଇ ଅତି ସୁନ୍ଦର ଖେଳଟିର ବିଶେଷତ୍ୱ ହେଲା, ଏଥିରେ କମ୍ ବୟସ କିମ୍ବା ଗୋଟିଏ ଟୋନ୍ଡ୍ ବା ସୁଗଠିତ ବଡିର ଆବଶ୍ୟକତା ନଥାଏ। ବରଂ ଏହା ଆବଶ୍ୟକ କରିଥାଏ ଏକ ସୁସ°ଯତ ହାତ।
ସେଦିନ ଏଇ ଲନ୍ ବୋଲ୍ସ ଗେମ୍ ସ୍ୱର୍ଣ୍ଣ ବିଜୟୀ ଭାରତୀୟ:
ମହିଳା ଟିମ୍ ପ୍ରମାଣିତ କରିଦେଇଥିଲା ଯେ, ଯେତେବେଳେ କେତେକ ଅତି ସାଧାରଣ ପ୍ରତୀୟମାନ ହେଉଥିବା ମହିଳା ଏକାଠି ଏକ ଦୃଢ଼ ମନୋବଳ ନେଇ କିଛି ବୃହତ୍ ଲକ୍ଷ୍ୟ ହାସଲ କରିବାକୁ ଚାହାନ୍ତି, ତାହା ସେମାନେ ଯେମିତି ହେଲେ କରି ଦେଖାଇପାରନ୍ତି।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)
ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com