• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ସରକାରୀ ସ୍କୁଲରେ ପାଠ ପଢା ଠପ୍! ଲକ୍ଷ ଲକ୍ଷ ପିଲା ରାସ୍ତାରେ.. ଶିକ୍ଷକ ଆନ୍ଦୋଳନରେ..। ଡାକ୍ତର ଅଭାବ ଓ ଅନେକ ଅବ୍ୟବସ୍ଥାରେ ରୁଗ୍‌ଣ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମ୍ଭାଳିବାକୁ ସରକାର ଫାର୍ମାସିଷ୍ଟ୍‌ମାନଙ୍କ ଉପରେ ଦାୟିତ୍ୱ ଲଦିଲେ; ହେଲେ ସେମାନଙ୍କର ମଧ୍ୟ ଅନେକ ସମସ୍ୟା। ଏବେ ସେମାନେ ବି ଆନ୍ଦୋଳନରେ।

ଗାଁ’ ଲୋକଙ୍କ ଦାୟିତ୍ୱ ତଥା ପଞ୍ଚାୟତର ଭଲମନ୍ଦ ସବୁ ସରପଞ୍ଚ ହାତରେ। ସରକାର ଏ କଥାକୁ ହୃଦବୋଧ କରି ମହାମାରୀ କରୋନା କାଳରେ ସେମାନଙ୍କୁ କଲେକ୍ଟର କ୍ଷମତା ଦେଇଥିଲେ। ଏବେ ସେମାନେ ବି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ‘ଟ୍ରେଲର’ ଦେଖାଇଛନ୍ତି। ସେହିଭଳି ଅଙ୍ଗନୱାଡିକର୍ମୀ, ଅମଲା ସଂଘ ଆଦି ନିଜ ନିଜ ଦାବିଗୁଡିକ ସରକାରଙ୍କ ସମ୍ମୁଖକୁ ଆଣୁଛନ୍ତି।

ସେପଟେ ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତ୍ତି ବିରୋଧରେ ବିଭିନ୍ନ ଛାତ୍ର ସଂଗଠନଗୁଡିକ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ ତେଜିବାରେ ଲାଗିଛି। ଦୀର୍ଘ ବର୍ଷ ଧରି କ୍ୟାମ୍ପସ ନିର୍ବାଚନ ହେଉ ନ ଥିବାରୁ ଏହାକୁ ଅଗଣତାନ୍ତ୍ରିକ ଓ ନେତୃତ୍ୱ ସୃଷ୍ଟିର ଏନ୍ତୁଡିଶାଳକୁ ବନ୍ଦ କରିବାର ଷଡଯନ୍ତ୍ର ହେଉଥିବା ଅଭିଯୋଗମାନ ଆସିଛି। ଏନେଇ ଓଡିଶା ହାଇକୋର୍ଟରେ ପିଆଇଏଲ୍ ମଧ୍ୟ ଦାଖଲ ହୋଇଥିବା ଜଣାପଡିଛି।

ଏହି ସମସ୍ତ ଘଟଣାକୁ ଅବଲୋକନ କଲେ ଲାଗୁଛି ରାଜ୍ୟରେ ଯେଭଳି ଏକ ଅସ୍ଥିର ବାତାବରଣ ଦେଖାଦେଇଛି। ସାଧାରଣ ନିର୍ବାଚନ ଯେତିକି ନିକଟତର ହେଉଛି; ଲାଗୁଛି ରାଜ୍ୟର ସ୍ଥିତି ମଧ୍ୟ ସେଭଳି ଜଟିଳ ଓ ଗମ୍ଭୀର ଆଡକୁ ଗତି କରୁଛି। ତେବେ ଏଭଳି ପରିସ୍ଥିତି କାହିଁକି? ଏସବୁ ସତ୍ତ୍ୱେ ସରକାର ନିଜର ନିର୍ମଳ ଓ ସ୍ୱଚ୍ଛ ଭାବମୂର୍ତ୍ତିକୁ ଅକ୍ଷୁଣ୍ଣ ଓ ଅତୁଟ ରଖିବା ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଖବରକାଗଜରେ ବିଜ୍ଞାପନ ମାଧ୍ୟମରେ ବିକାଶର ପ୍ରଚାର କରୁଛନ୍ତି ।

ବ୍ୟବସ୍ଥାଗତ ବିଭ୍ରାଟ ଏବଂ ରାଜନୈତିକ ହଟଚମଟ ଏକ ସଙ୍କଟଜନକ ପରିସ୍ଥିତି ପରିଲକ୍ଷିତ ହେଉଛି। ଉପରୋକ୍ତ ଘଟଣା ବ୍ୟତୀତ ‘ଚିରାଚରିତ’ ରାସ୍ତା, ଡ୍ରେନେଜ୍‌, ଟ୍ରାଫିକ୍‌, ପାଣି, କୃଷି ଆଦି ସମସ୍ୟା ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି। ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏକଥା ସରକାର ମଧ୍ୟ ଜାଣନ୍ତି ଯେ, ଏସବୁର ଯଦି ସମାଧାନ ନହୁଏ ତେବେ ତାଙ୍କ ବିପକ୍ଷରେ ଭୋଟ ଯାଇପାରେ।

ସରକାରୀ ବିରୋଧୀ ସ୍ୱର ମଧ୍ୟ ତୀବ୍ର ହୋଇପାରେ। ଆଉ ବିରୋଧୀ ଦଳମାନେ ମଧ୍ୟ ଏହାକୁ ଅସ୍ତ୍ର କରି ଏହାର ଫାଇଦା ଉଠାଇ ପାରନ୍ତି ବୋଲି ସରକାର କ’ଣ ଜାଣିନି? ତା’ହେଲେ କାହିଁକି ଏଭଳି ସ୍ଥିତି? ପ୍ରକୃତରେ ଶାସକ ଦଳର ଏହା ହେଉଛି ରାଜନୈତିକ ରଣକୌଶଳ, ‘ଡାହାଣୀ ହୋଇ ଲାଗିବା ଆଉ ଗୁଣିଆ ହୋଇ ଝାଡିବା’।

ରାଜନୀତି ସମୀକ୍ଷକଙ୍କ ମତ ଅନୁସାରେ ନିର୍ବାଚନର ଠିକ କିଛି ମାସ ପୂର୍ବରୁ ବ୍ୟବସ୍ଥାରେ ଏଭଳି ସମସ୍ୟା ଓ ସଙ୍କଟ ସୃଷ୍ଟି ହୋଇଥାଏ। ଯାହାକୁ ନେଇ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବିରୋଧରେ ଆନ୍ଦୋଳନ, ପ୍ରତିବାଦ ଓ ଅସନ୍ତୋଷ ଦେଖାଦିଏ। ସେ ଶିକ୍ଷକ ଆନ୍ଦୋଳନ ହେଉ କି କର୍ମଚାରୀ, ଶ୍ରମିକ, ଚାଷୀ ବା ବସ୍ତି ଆନ୍ଦୋଳନ। ଆଉ ଏହାକୁ ମୁଦ୍ଦା କରି ବିରୋଧୀ ଦଳମାନେ ରାସ୍ତାକୁ ଓହ୍ଲାଇଥାନ୍ତି ଏବଂ ସରକାରଙ୍କୁ ଶାଣୀତ ପ୍ରଶ୍ନ କରନ୍ତି।

ଗଣମାଧ୍ୟମରେ ପ୍ରକାଶ, ପ୍ରସାର, ଚର୍ଚ୍ଚା, ବିତର୍କ ଲାଗି ରହେ। ମଝିରେ ମଝିରେ ସରକାରୀ ଦଳର ନେତା ଆସି ମାପିଚୁପି (ଡିଫେନ୍ସ ଖେଳାଳୀ ଭଳି) ବୟାନ ଦିଅନ୍ତି। ଆଉ ନିର୍ଦ୍ଧାରିତ ସମୟରେ ଅର୍ଥାତ ନିର୍ବାଚନ ସମୟ ପୂରା ପାଖେଇ ଆସିଲେ ସରକରାକଙ୍କ ଘୋଷଣା ଆରମ୍ଭ ହୁଏ, ଯେମିତି ପୂଜା ପାର୍ବଣରେ ବଜାରକୁ ବିଭିନ୍ନ ବମ୍ପର୍ ଅଫର୍ ସବୁ ଆସେ! ନିର୍ବାଚନୀ ପର୍ବରେ ସରକାର ସବୁ କ୍ଷେତ୍ରକୁ ସନ୍ତୁଷ୍ଟ କରିବାର ପ୍ରୟାସ କରନ୍ତି। ଲୋକେ ଖୁସ୍; ଆଉ ସରକାରୀ ଦଳର ବିରୋଧୀଙ୍କୁ ବ୍ୟସ୍ତ ରଖିବାର କୌଶଳ କାମ କରିଯାଏ!

ରାଜ୍ୟରେ ଏବେ ଅନେକ ସମସ୍ୟା, ଯାହାକୁ ନେଇ ଅନେକ ଆନ୍ଦୋଳନ ମଧ୍ୟ ତେଜିବାରେ ଲାଗିଛି। ଆଗକୁ ନିର୍ବାଚନ ମଧ୍ୟ ଅଛି। ତେବେ ଦେଖାଯାଉ ରାଜନୈତିକ ସମୀକ୍ଷକଙ୍କର ଏହି ସୂତ୍ର କେତେ ସତ ହେଉଛି, ଆଉ ସରକାର କି ପଦକ୍ଷେପ ନେଉଛନ୍ତି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)