Advertisment

ଜଙ୍ଗଲ ସଂପଦ ଉପରେ ସମସ୍ତଙ୍କ ଆଖି...ଏ କ୍ଷେତ୍ରରେ ରାଜନୈତିକ ନୀରବତା କାହିଁକି ?

ସଂସଦରେ ଜଙ୍ଗଲ ସଂରକ୍ଷଣ ଆଇନ, ୨୦୨୩ ସଂଶୋଧିତ ଅଧିନିୟମ ପାରିତ ହୋଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବାର ସପ୍ତାହେ ନପୁରୁଣୁ ଓଡିଶା ଜଙ୍ଗଲ ବିଭାଗ ‘ଡିମ୍ଡ ଫରେଷ୍ଟ’କୁ ଅଣଜଙ୍ଗଲ ଜମି କାର୍ଯ୍ୟରେ ଲଗାଇବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲା ଏଥିରେ ଶିଳ୍ପ ପାଇଁ ବିଭାଗୀୟ ‘ବ୍ୟାକୁଳତା’ ସାମ୍ନାକୁ ଆସିଛି । ଏହି ବିବାଦୀୟ ନିଷ୍ପତ୍ତି ନେବାର ୩ ଦିନ ପରେ ପୁଣି ବିଭାଗ ଏହାକୁ ପ୍ରତ୍ୟାହାର କରି ନେଇଛି।

author-image
Dilip Sabat
ଅଦ୍ୟତନ ହୋଇଛି
Why the political urgency for forests

Why the political urgency for forests

ଜଙ୍ଗଲ ହେଉଛି ଓଡ଼ିଶାର ସର୍ବଶ୍ରେଷ୍ଠ ସମ୍ପତ୍ତି ଓ ପରିଚୟ। ଖଣିଜ ସମ୍ପଦ ଖନନ ଏବଂ ବିକାଶ ନାଁରେ ଯେତେ ସବୁ ଛୋଟ ବଡ ଜଙ୍ଗଲ କ୍ଷତି ସହିଛି ସେଥିରେ ଓଡିଶାବାସୀଙ୍କ ଆର୍ଥିକ ସ୍ଥିତିକୁ ବିଶେଷ ବଦଳାଇ ପାରି ନାହିଁ। ଏକ ଶିଳ୍ପ ସମୃଦ୍ଧ ଭାବେ ଗଢି ତୋଳି ରାଜ୍ୟକୁ ଦାଦନମୁକ୍ତ କରାଯାଇ ପାରି ନାହିଁ ବରଂ ଆଦିବାସୀଙ୍କ ଜୀବିକାର ସଙ୍କଟ ଏବଂ ଏକ ପ୍ରଦୂଷିତ ପାଣି, ପବନର ପରିବେଶ ସୃଷ୍ଟି ହୋଇଛି।

Advertisment

ସମଗ୍ର ବିଶ୍ୱ ଆଜି ଗ୍ଲୋବାଲ ୱାମିଂ ଓ ଜଳବାୟୁ ପରିବର୍ତ୍ତନର ସଙ୍କଟକୁ ସାମ୍ନା କରିବାର ଆହ୍ୱାନ ଦେଇଥିବାବେଳେ ଓଡ଼ିଶାରେ ବାତ୍ୟା, ବନାଗ୍ନି ଓ ବିକାଶ ଦ୍ୱାରା ଜଙ୍ଗଲଗୁଡିକର ଅବକ୍ଷୟ ଘଟୁଛି। ଏହାରି ଭିତରେ ରାଜ୍ୟ ସରକାରଙ୍କ ଏକ ନିଷ୍ପତ୍ତି ଓ ପରବର୍ତ୍ତୀ ସମୟରେ ଏଥିରୁ ‘ନିବୃତ୍ତ’ ରହିବା ଘଟଣା ଜଙ୍ଗଲ ସୁରକ୍ଷା ପ୍ରତି ସଂକଟକୁ ଦୃଢିଭୂତ କରୁଛି!

ବାସ୍ତବରେ ଅଗଷ୍ଟ ୧୧ରେ ଓଡିଶାର ଜଙ୍ଗଲ ଏବଂ ପରିବେଶ ବିଭାଗ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏକ ଚିଠି ଲେଖିଲେ । ଜଙ୍ଗଲ ସଂରକ୍ଷଣ ଆଇନ, ୨୦୨୩ ସଂଶୋଧିତ ଅଧିନିୟମ ଅନୁଯାୟୀ ଡିମ୍ଡ ଫରେଷ୍ଟ ବା ବିବେଚିତ ଜଙ୍ଗଲର ଅସ୍ତିତ୍ୱ ନାହିଁ। ଏହି ଚିଠିରେ ସଚିବ ଦର୍ଶାଇଛନ୍ତି ଯେ ୧୨ ଡିସେମ୍ବର ୧୯୯୬ ପୂର୍ବରୁ ସରକାରଙ୍କ ଏକ ପ୍ରାଧିକରଣ / ଏଜେନ୍ସି ଦ୍ୱାରା ଅଣ ଜଙ୍ଗଲ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିବା ସମସ୍ତ ଜଙ୍ଗଲ ଜମି ଏଫ୍‌ସି ଆକ୍ଟର ବ୍ୟବସ୍ଥାକୁ ଆକର୍ଷିତ କରିବ ନାହିଁ। ତେବେ ପରବର୍ତ୍ତୀ ସମୟରେ ଏହି ଚିଠିକୁ ବିଭାଗ ପ୍ରତ୍ୟାହାର କରି ନେଇଥିଲା।”

Advertisment

ଅଗଷ୍ଟ ୧୪ରେ, ଓଡ଼ିଶାର ଜଙ୍ଗଲ ବିଭାଗ ପକ୍ଷରୁ ଅନ୍ୟ ଏକ ଚିଠି ଜାରି କରି କୁହାଯାଇଛି ଯେ ଅଗଷ୍ଟ ୧୧ ଚିଠିର ବିଷୟବସ୍ତୁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବିସ୍ତୃତ ନିୟମ ଏବଂ ନିର୍ଦ୍ଦେଶାଳୀ ପାଇବା ପରେ ପାଳନ କରାଯିବ। ଯେତେବେଳେ ସଂସଦ ଏକ ବିଲ୍‌ ପାଶ୍ କଲା ଏବଂ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଲା, ଏହା ଦେଶର ନିୟମ ହୋଇଗଲା।

ନିକଟରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡିବ। ଆମେ ସେହି ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି କରିଥିଲୁ ଯେହେତୁ ଆମେ ମନ୍ତ୍ରଣାଳୟ ତରଫରୁ କୌଣସି ନିର୍ଦ୍ଦେଶନାମା ଗ୍ରହଣ କରିନାହୁଁ, ତେଣୁ ଜିଲ୍ଲାପାଳଙ୍କୁ ବର୍ତ୍ତମାନ ଅପେକ୍ଷା କରିବାକୁ ଜଙ୍ଗଲ ବିଭାଗ ତରଫରୁ ମତ ପ୍ରକାଶ ପାଇଲା।

୧୯୯୬ ମସିହାରୁ ଓଡ଼ିଶା ସରକାର ଜିଲ୍ଲା ସ୍ତରରେ ବିଶେଷଜ୍ଞ କମିଟି ସହାୟତାରେ ପ୍ରାୟ ୬୬ ଲକ୍ଷ ଏକର ଜମିକୁ 'ବିବେଚିତ ଜଙ୍ଗଲ' ବୋଲି ଚିହ୍ନଟ କରିଥିଲେ କିନ୍ତୁ ସରକାରୀ ରେକର୍ଡରେ ସେପରି ଅନେକଙ୍କୁ ସରକାରୀ ବିଜ୍ଞପ୍ତିରେ ସୂଚିତ କରାଯାଇ ନଥିଲା ବୋଲି କୁହାଯାଏ।

୧୯୯୮ ମସିହାରେ ଓଡିଶା ୨,୮୩୮.୮୭ ବର୍ଗ କିଲୋମିଟର ବିବେଚିତ ଜଙ୍ଗଲ ଜମି ରେକର୍ଡ କରିଥିଲା ବୋଲି ରାଜ୍ୟ ଜଙ୍ଗଲ ବିଭାଗର ସରକାରୀ ସୂତ୍ରରୁ ପ୍ରକାଶ । ଓଡିଶାର ବନବିଭାଗ ସେକ୍ଟର ହାଇଲାଇଟ ଅନୁଯାୟୀ ରାଜ୍ୟର ସମୁଦାୟ ଜଙ୍ଗଲ ଆବରଣ କ୍ଷେତ୍ର ୫୨,୧୫୬ ବର୍ଗ କିଲୋମିଟର ହୋଇଥିବାବେଳେ ବୃକ୍ଷ ଆବରଣ (ବିଜ୍ଞପ୍ତି ଜଙ୍ଗଲ ବାହାରେ) ୫,୦୦୪ ବର୍ଗ କିଲୋମିଟର ବୋଲି ଆକଳନ କରାଯାଇଛି ।

ଅର୍ଥାତ ଏହି ବୁଦାଳିଆ ଜଙ୍ଗଲ ଉପରେ ଏବେ ସରକାରଙ୍କ ନଜର ରହିଛି? ଯେକୌଣସି ସମୟରେ ସରକାର ଏହି ଜଙ୍ଗଲକୁ ଅଣଜଙ୍ଗଲ ବା ଶିଳ୍ପ/ବ୍ୟବସାୟ କ୍ଷେତ୍ରରେ ବ୍ୟବହାର କରିପାରିବେ? ଆଉ ଏଥିପାଇଁ ଆଇନ ବାଟ ଖୋଲିଯାଇଛି?

ଏହି ପ୍ରସଙ୍ଗରେ ଆଂଚଳିକ ଓ ଜାତୀୟ ଗଣମାଧ୍ୟମରେ ଚହଳ ସୃଷ୍ଟି ହୋଇଛି । ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ଓ ପ୍ରତ୍ୟାହାରକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ । ଅଗଷ୍ଟ ୧୭ରେ ଶ୍ରୀ ରମେଶ ଟ୍ୱିଟ କରିଛନ୍ତି, 'ଗତ ସପ୍ତାହରେ ଜଙ୍ଗଲ ସଂରକ୍ଷଣ ଆଇନ, ୧୯୮୦ ବିପଜ୍ଜନକ ସଂଶୋଧନ ପାରିତ ହେବା ପରେ ଓଡିଶା ସରକାର ତୁରନ୍ତ ଏକ ଆଦେଶ ଜାରି କରି ଦେଇଛନ୍ତି ଯେ "ବିବେଚିତ ଜଙ୍ଗଲ'କୁ ଆଉ ଜଙ୍ଗଲ ଭାବରେ ବିବେଚନା କରାଯିବ ନାହିଁ । ଆଉ ପରେ ଏହାକୁ ପ୍ରତ୍ୟାହାର କରାଯାଇଛି । ଏହା ସଂପୂର୍ଣ୍ଣ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ଶ୍ରୀ ରମେଶ କହିଛନ୍ତି ।

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହାକୁ ନେଇ ରାଜନୈତିକ ଓ ପରିବେଶବିତମାନଙ୍କ ମଧ୍ୟରେ ଯେଉଁଭଳି ଆଲୋଚନା, ବିତର୍କ ଓ ଉଦ୍‌ବେଗ ପାଇବା କଥା ସେଭଳି ଦୃଶ୍ୟମାନ ହୋଇ ନାହିଁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Politics Forest In Odisha
Advertisment
Advertisment