• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

୨୦୨୪ ନିର୍ବାଚନ ପ୍ରଚାରର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ରାଜ୍ୟକୁ ବିଜେପିର ରାଷ୍ଟ୍ରୀୟ ନେତା ମନ୍ତ୍ରୀଙ୍କର ସମାଗମ ଆରମ୍ଭ ହୋଇଛି। ଶାସକ ବିଜୁ ଜନତା ଦଳ(ବିଜେଡି)ର ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂସ୍ଥା ଦ୍ୱାରା ‘ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ଆୱାର୍ଡ’ (ଜୀବନବ୍ୟାପୀ ସଫଳତା ପୁରସ୍କାର) ପାଇବା ଏବଂ ଏହାକୁ ନେଇ ରାଜଧାନୀରେ ବିଶାଳ ସମ୍ବର୍ଦ୍ଧନା ସମାବେଶର ‘ଶୋ’ ରାଜ୍ୟରେ ଏବେ ଚହଳ ସୃଷ୍ଟି କରିଛି।

ରାଜ୍ୟ ରାଜନୀତିରେ ଆଗକୁ ଆହୁରି କେତେ କ’ଣ ନିର୍ବାଚନୀ ପର୍ବ ହେବ। ହେଲେ ଏସବୁ କୋଳାହଳ ଭିତରେ କିନ୍ତୁ ଲୁଚିଯାଇଛି ଦୀର୍ଘ ୫ ବର୍ଷ ହେଲା ବାରମ୍ବାର ନିଯୁକ୍ତିକୁ ନେଇ ନିର୍ଯାତନାର ଶୀକାର ହେଉଥିବା ରାଜ୍ୟର ହଜାର ହଜାର ପିଲାଙ୍କ ଭବିଷ୍ୟତ!

୨୦୧୯ ନିର୍ବାଚନ ଯାଇ ୨୦୨୪ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି ଅଥଚ ୫ ବର୍ଷ ମଧ୍ୟରେ ୨୮୩ଟି ପୋଲିସ ଏସ୍ଆଇ ପଦବୀ ପାଇଁ ପରୀକ୍ଷା ହୋଇପାରୁ ନାହିଁ। ପିଲା ବାରମ୍ବାର ପରୀକ୍ଷା ଦେବାକୁ ସେଣ୍ଟର୍‌ରେ ପହଞ୍ଚୁଛନ୍ତି ଆଉ ବୋର୍ଡର ଅବ୍ୟବସ୍ଥା, ଅବହେଳା, ତ୍ରୁଟି ଯୋଗୁଁ ବାରମ୍ବାର ପରୀକ୍ଷା ବାତିଲ ହେଉଛି।

୨୦୧୯ ନିର୍ବାଚନ ବହୁ ପୂର୍ବରୁ ରାଜ୍ୟରେ ଶାସନାଧୀନ ବିଜେଡି ପ୍ରଚାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ନିର୍ବାଚନକୁ ଆଖିଆଗରେ ରଖି ସରକାର ଅନେକ ଯୋଜନା, ପ୍ରକଳ୍ପ ଓ ପଦକ୍ଷେପ ପାଇଁ ପ୍ରତିଶ୍ରୁତିର ଘୋଷଣା କରିଥିଲା। ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଘୋଷଣା ମଧ୍ୟ ଏଥିରେ ରହିଥିଲା। ଏହି କ୍ରମରେ ୨୦୧୮ ଡିସେମ୍ବରରେ ୨୮୩ଟି ପୋଲିସ ଏସ୍ଆଇ ପଦବୀ ପାଇଁ (ସିପିଏସ୍ଇ-୨୦୧୮) ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୫୦ ହଜାରରୁ ଅଧିକ (ସିପିଏସ୍ଇ-୨୦୧୮ ଓ ୨୦୧୯ ମିଶି) ଆଶାୟୀ ଏଥିପାଇଁ ଆବେଦନ କଲେ। ହେଲେ ୨୦୧୯ ନିର୍ବାଚନ ସରି ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି, କିନ୍ତୁ ଦୀର୍ଘ ୫ ବର୍ଷ ହେଲା ପିଲାଙ୍କ ପରୀକ୍ଷା ହେଇପାରୁନି।

୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱ ଓଡିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ୍‌ (ଓଏସ୍ଏସ୍‌ସି) ପାଖରେ ଥିଲା। ଏହାପରେ ସରକାର ଓ ପୁଲିସର ପ୍ରସ୍ତାବରେ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ଓଡିଶା ପୁଲିସ୍‌ ରିକ୍ରୁଟ୍‌ମେଣ୍ଟ୍ ବାର୍ଡ (ଓପିଆର୍‌ବି) ଗଠନ କରି ପରୀକ୍ଷା ପରିଚାଳନା ଦାୟିତ୍ୱ ହାତକୁ ନିଆଗଲା। ଓପିଆର୍‌ବି ଏକ ପିଏସ୍ୟୁ ସଂସ୍ଥା ମାଧ୍ୟମରେ ପରୀକ୍ଷା ପରିଚାଳନା କଲା। ହେଲେ ଆଜି ସୁଦ୍ଧା ପୁଲିସ୍‌ ଏସ୍ଆଇ ପରୀକ୍ଷା ହୋଇପାରିଲା ନାହି।

ଇତିମଧ୍ୟରେ ତିନି ତିନିଥର ପରୀକ୍ଷା ବାତିଲ ହେଲାଣି। ପିଲା ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି ହେଲେ କମ୍ପ୍ୟୁଟରରେ ତ୍ରୁଟି, ପ୍ରଶ୍ନ ପତ୍ରରେ ବିଭ୍ରାଟ, ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ଘରକୁ ଫେରୁଛନ୍ତି। ଏଥିପାଇଁ ସମୟ ବ୍ୟୟ ସହିତ ବାରମ୍ବାର ଆର୍ଥିକ ଓ ମାନସିକସ୍ତରରେ ନିର୍ଯାତିତ ହେଉଥିବା ଆଶାୟୀ ଗତ ୨୦ ଡିସେମ୍ବରରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ଆସନ୍ତା ୧୧ ସେପ୍ଟେମ୍ବରରେ ଏହି ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।

ତେବେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ ହେଉଛି, ଏତେ ସବୁ ଘଟଣା ପରେ ଥରୁଟିଏ ବି ସରକାର କିମ୍ବା ଶାସକ ଦଳର ନେତା ମନ୍ତ୍ରୀ ଘଟଣା ସମ୍ପର୍କରେ ହସ୍ତକ୍ଷେପ କରିଥିବା ସାମ୍ନାକୁ ଆସି ନାହାନ୍ତି। ଏଭଳି କି ଛାତ୍ର ସଂଗଠନ, ବିରୋଧୀ ମଧ୍ୟ ଏ ବିଷୟରେ ପଦୁଟିଏ କହିଲେ ନାହିଁ। ଓପିଆର୍‌ବି ନିଜକୁ ଦୁଃଖ ବୋଲି କହି କାମ ସାରିଦେଲା ପଛେ ସମ୍ପୃକ୍ତ ପିଏସ୍ୟୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ।

ଓଡିଶାରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣର ଠିକ ଦିନକ ପୂର୍ବରୁ ଏକ ସଂସ୍ଥା (ସିଏମ୍ଆଇଇ)ର ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଚହଳ ସୃଷ୍ଟି ହୋଇଥିଲା। ‘ରାଜ୍ୟରେ ବେରୋଜଗାର ହାର ମାତ୍ର ୧ ପ୍ରତିଶତ’ ବିଷୟଟି ଏଭଳି ଭାଇରାଲ୍‌ ହେଲା ଯେ, ତା’ ପରବିନ ରାଜନୈତିକ ଆଲୋଡନ ସୃଷ୍ଟି ହେଲା ଏବଂ ପ୍ରମୁଖ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା।

ଏବେ ବେକାରୀର ବିକଳ ଚିତ୍ର ସାମ୍ନାକୁ ଆସିଛି। ୨୩ ଲକ୍ଷ ଚାକିରି ଆଶାୟୀ ଏବେ ବି ଓଡିଶା ସରକାରଙ୍କ କୃପା ଦୃଷ୍ଟିକୁ ଚାହିଁ ବସିଛନ୍ତି। ଦିନ ରାତି ଏକ କରି ପରୀକ୍ଷା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ହେଉଛନ୍ତି। ଘରର ଦୁର୍ବଳ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଖଣ୍ଡେ ଚାକିରି ପାଇବା ଆଶାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଫର୍ମ ଉପରେ ଫର୍ମ ପକାଇ ଚାଲିଛନ୍ତି। ଏହାରି ଭିତରେ ଅନେକ ଆଶାୟୀ ଠକାମୀର ଶୀକାର ମଧ୍ୟ ହେଉଥିବାର ଅନେକ ଘଟଣା ସାମ୍ନାକୁ ଆସିଲାଣି।

୭୩ ହଜାର ସରକାରୀ ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଥିଲେ ହେଁ ସେଗୁଡିକ ପୂରଣ ହୋଇପାରୁ ନାହିଁ। ନିକଟରେ ହୋଇଥିବା ଏଏସ୍ଓ (ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର୍‌) ପରୀକ୍ଷା ବେକାରି ସ୍ଥିତିର ବାସ୍ତବିକ ବିଷୟ ବର୍ଣ୍ଣନା କରିଛି।

(ବି.ଦ୍ର : ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ନାଲ୍‌କୋ ଛକ, ଦୂରଭାଷ: ୯୮୬୧୨୪୦୨୨୮