• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଓଡ଼ିଶାର ବିଭିନ୍ନ ଗାଁ’କୁ ଗାଁ’ ଗସ୍ତ କରି ତ୍ରୁଣମୂଳସ୍ତରରୁ ରାଜ୍ୟବାସୀଙ୍କ ହାଲ୍‌ଚାଲ୍ ବୁଝୁଛନ୍ତି ରାଜ୍ୟପାଳ ରଘୁବର ଦାସ। ଖାଲି ସେତିକି ନୁହେଁ, ରାଜ୍ୟପାଳ ଲୋକଙ୍କ ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କୁ ଚିଠିଲେଖି ଅବଗତ କରାଉଛନ୍ତି। ଛାତ୍ରଛାତ୍ରୀ, ଶିକ୍ଷକ, ଅଙ୍ଗନବାଡିକର୍ମୀ, ଆଶାକର୍ମୀ, ଚାଷୀ, ମଜଦୁର ଆଦି ବିଭିନ୍ନ କ୍ଷେତ୍ରର ଲୋକଙ୍କ ପାଖରେ ପହଞ୍ଚି ରାଜ୍ୟପାଳ ସିଧାସଳଖ ଆଲୋଚନା କରୁଛନ୍ତି।

ସ୍ୱୟଂ ରାଜ୍ୟପାଳଙ୍କୁ ପାଖରେ ପାଇ ଲୋକଙ୍କ ଖୁସି କାହିଁରେ କ’ଣ! କାରଣ ରାଜ୍ୟବାସୀ ଏଭଳି ଜଣେ ରାଜ୍ୟପାଳଙ୍କୁ କେବେ ଦେଖି ନ ଥିଲେ ଯେ’କି ଲୋକଙ୍କ ଗହଣରେ ଯାଇ ପହଞ୍ଚି ଆଲୋଚନା କରୁଛନ୍ତି। ତେଣୁ ତାଙ୍କୁ ‘ଲୋକଙ୍କ ରାଜ୍ୟପାଳ’ ଭାବେ ଲୋକେ ସମ୍ବୋଧିତ କଲେଣି।

ରାଜ୍ୟପାଳଙ୍କ ଜିଲ୍ଲା ଗସ୍ତ, ଲୋକଙ୍କ ଅଭିଯୋଗ ଶୁଣିବା, ଆଲୋଚନା ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ସମସ୍ୟା ନେଇ ଚିଠି ଲେଖିବା, ଏ ସମସ୍ତ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି। ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାବେଳେ ଏହି ଚର୍ଚ୍ଚା ଦେଖାଦେଇଛି।

ସେପଟେ ଏହି ଘଟଣାରେ ବିରୋଧୀ ଦଳଗୁଡିକର ବେଶ୍ ତତ୍ପରତା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଲେଖିଥିବା ଚିଠିକୁ ନେଇ ରାଜ୍ୟ ବିଜେପି ଓଡ଼ିଶାର ବିକାଶକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି। ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଲ କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାର ବିକାଶକୁ ଅଣଦେଖା କରୁଛନ୍ତି।

ସେ ଏକ ବିବୃତ୍ତିରେ କହିଛନ୍ତି, ରାଜ୍ୟପାଳ ରଘୁବର ଦାସ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଯୋରନ୍ଦାରେ ବୃଦ୍ଧାଶ୍ରମ ଚଳାଇଥିବା ମିଶନକୁ ଜମି ହସ୍ତାନ୍ତର, ଗତ ୨ ବର୍ଷ ହେଲା ଆର୍‌ପିଡିଏସି ବୈଠକ ନ ବସିବା ସହ ଅନ୍ୟାନ୍ୟ ବିଷୟ ସମାଧାନ ପାଇଁ ଚିଠିରେ ଉଲ୍ଲେଖ କରିଥିଲେ। ଏହା ଉପରେ ରାଜ୍ୟ ସରକାର ଉତ୍ତର କେବେ ରଖିବେ ବୋଲି ପ୍ରଶ୍ନ କରି ବିଜେପି ମୁଖପାତ୍ର ଶ୍ରୀ ବିଶ୍ୱାଳ ବିଜେଡି ସରକାରଙ୍କୁ ଘେରିଥିଲେ।

ସେହିଭଳି ରାଜ୍ୟପାଳଙ୍କ ଦୁଇଦିନିଆ ଅବିଭକ୍ତ ସମ୍ବଲପୁର ଗସ୍ତରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଅମଳ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ରାଜ୍ୟପାଳ ରଘୁବର ଦାସ ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ। ତେବେ ଏହାକୁ ନେଇ ମଧ୍ୟ ଶାସକ ଦଳ ଓ ବିରୋଧୀ ମଧ୍ୟରେ କଥା କଟାକଟି ସାମ୍ନାକୁ ଆସିଛି।

ରାଜ୍ୟପାଳ ଭାବେ ରଘୁବର ଦାସ ୩୧ ଅକ୍ଟୋବରରେ ଶପଥ ଗ୍ରହଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତକୁ ନେଇ ରାଜନୈତିକ ବୟାନବାଜି ଦେଖାଦେଇଛି। ରାଜଭବନରୁ ନବୀନନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଘଟଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ରାଜ୍ୟପାଳ ନିଜ ପଦମର୍ଯ୍ୟାଦା ବା ପ୍ରୋଟୋକଲ୍‌ ଭାଙ୍ଗିବା ନେଇ ଆପତ୍ତି ଉଠାଇଥିଲା।

ଗତ କିଛି ବର୍ଷ ଧରି ଦେଶର ଅଧିକାଂଶ ଅଣବିଜେପି ରାଜ୍ୟଗୁଡିକରେ ସରକାର ଏବଂ ରାଜ୍ୟପାଳଙ୍କ ବିବାଦ ଘନିଭୂତ ହୋଇ ମାମଲା ସୁପ୍ରିମକୋର୍ଟ ଯାଏଁ ପହଞ୍ଚିଛି। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ନେତୃତ୍ୱାଧୀନ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଅନେକ ଲେଫ୍ଟନାଣ୍ଟ ଗଭର୍ନର (ଏଲ୍‌ଜି) ବଦଳିଛନ୍ତି, କିନ୍ତୁ ସରକାରଙ୍କ ସହ ସେମାନଙ୍କ ବିବାଦ ଜାରିରହିଛି। କେଜ୍ରିୱାଲଙ୍କ ଅଭିଯୋଗ ରହିଛି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକରେ ଏଲ୍‌ଜି ବାଧା ସୃଷ୍ଟି କରୁଛନ୍ତି।

ସେପଟେ ଏଲ୍‌ଜି ସରକାରଙ୍କ ଉପରେ ‘ବ୍ୟର୍ଥ ବ୍ୟୟ’ ଅଭିଯୋଗ ଆଣିଥିଲେ। ଆପ୍ ସରକାର ଏହି ଟଙ୍କା ଦଳୀୟ ପ୍ରଚାରରେ ଲଗାଇଛନ୍ତି ଏବଂ ଖର୍ଚ୍ଚ ଅର୍ଥର ଭରଣା କରିବାକୁ ଦାବି କରିଥିଲେ। ସେହିଭଳି ମ୍ୟୁନିସିପାଲିଟି ନିର୍ବାଚନ, ଆପ୍ ସରକାର ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଫିନ୍‌ଲ୍ୟାଣ୍ଡ୍‌ ପଠାଇବା ଘଟଣାରେ ସରକାର- ଏଲ୍‌ଜି ବିବାଦ ସାମ୍ନାକୁ ଆସିଛି। ଅନେକ ବିବାଦରେ ମାମଲା କୋର୍ଟରେ ମଧ୍ୟ ପହଞ୍ଚିଛି।

ସେହିଭଳି ପଞ୍ଜାବ, କେରଳ, ତାମିଲନାଡୁ ଆଦି ରାଜ୍ୟରେ ବିଧାନସଭାରେ ପାରିତ ବିଲ୍‌ଗୁଡିକୁ ରାଜ୍ୟପାଳ ଅନୁମୋଦନ କରୁ ନ ଥିବା ମାମଲା ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ଜାଦବପୁର ବିଶ୍ୱବିଦ୍ୟାଳୟରୁ କୁଳପତିଙ୍କୁ ହଟାଇବା ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଟକ୍କର ଜାରି ରହିଛି।

ତେବେ ଓଡ଼ିଶା ଅଣବିଜେପି ଶାସିତ ରାଜ୍ୟ ହେଲେ ମଧ୍ୟ କେନ୍ଦ୍ରରେ ମୋଦି ସରକାରଙ୍କ ସହିତ ନବୀନ ସରକାରଙ୍କର ‘ସୁସମ୍ପର୍କ’ ଯୋଗୁଁ ଅନ୍ୟ ରାଜ୍ୟ ଭଳି ବିବାଦୀୟ ସ୍ଥିତି ହେବ ନାହିଁ ବୋଲି ଆଲୋଚନା ହେଉଛି। ପୂର୍ବରୁ ରାଜ୍ୟପାଳ ଥିବା ପ୍ରଫେସର ଗଣେଶୀଲାଲ ରାଜ୍ୟ ବିଧାନସଭାରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିଥିବା ଦେଖାଯାଇଛି।

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରହିଥିବା ରଘୁବର ଦାସ ପ୍ରଥମଥର ପାଇଁ ସାମ୍ବିଧାନିକ ଆସନରେ ବିରାଜମାନ ହୋଇଛନ୍ତି ଏବଂ ଦୀର୍ଘ ୨୩ ବର୍ଷ ଧରି ନିରବଛିନ୍ନ ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଓଡ଼ିଶାରେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ଡିସେମ୍ବର ଶେଷ ସୁଦ୍ଧା ମାଲକାନଗିରିରୁ ଢେଙ୍କାନାଳ, ସମ୍ବଲପୁରରୁ କୋରାପୁଟ, ରାୟଗଡା, ଜଗତସିଂପୁର ଆଦି ପ୍ରାୟ ୧୩ଟି ଜିଲ୍ଲା ଗସ୍ତ କରିସାରିବେଣି।

ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର ଏଭଳି କି କାରାଗାରରେ ଅନ୍ତେବାସୀଙ୍କ ସହିତ ବସି ରାଜ୍ୟପାଳ ଆଲୋଚନା କରିବା ଭଳି ନିଆରା ଘଟଣା ସବୁ ସାମ୍ନାକୁ ଆସିଛି। ଏସବୁ ଓଡ଼ିଶା ସରକାରଙ୍କୁ ଅନେକ ଘଟଣାରେ ଅଡୁଆ ହୋଇପାରେ କିନ୍ତୁ ଅନ୍ୟ ରାଜ୍ୟ ଭଳି ସରକାର-ରାଜ୍ୟପାଳ ‘ବିବାଦ’ ସୃଷ୍ଟି ହୋଇ ନ ପାରେ ବୋଲି ଅନେକଙ୍କ ମତ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)