Advertisment

ନିର୍ବାଚନ ବୈତରଣୀ ପାର ହେବାକୁ କଳେ-ବଳେ-କୌଶଳେ ଯୁବବର୍ଗଙ୍କୁ ଆକର୍ଷଣ

ନିର୍ବାଚନ ଆସିଲେ ଯେକୌଣସି ସତ୍ତାଧାରୀ ଦଳ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ କଳର ସହାୟତା ନିଅନ୍ତି। ଯୁବକମାନଙ୍କୁ ହାତ ମୁଠାରେ ରଖିବା ନେଇ ବିଭିନ୍ନ ଯୋଜନାରେ ଲାଗି ପଡନ୍ତି। ‘ବିଜୁ ଯୁବ ବାହିନୀ’ ଏହାର ଉଦାହରଣ। ତେବେ ଯୁବକମାନଙ୍କର ବାସ୍ତବିକ ସ୍ଥିତି କ’ଣ ?

author-image
Dilip Sabat
ଅଦ୍ୟତନ ହୋଇଛି
Attracting the youth by hook or crook to win election

Attracting the youth by hook or crook to win election

ଜମୁଛି ଉତ୍ସବର ଆସର... କମ୍ପୁଛି କ୍ୟାମ୍ପସ୍‌ ପରିସର। ନାଚ-ଗୀତ, ଖେଳ-କୁଦରେ ମସ୍‌ଗୁଲ୍‌ ମହାବିଦ୍ୟାଳୟ! କେବେ କୌଣସି ଛାତ୍ର ସଂସଦ ନିର୍ବାଚନରେ ବି ବୋଧେ ଏଭଳି ମାହୋଲ ଦେଖାଯାଇ ନ ଥିବ। ଏବେ କିନ୍ତୁ ଶିକ୍ଷାନୁଷ୍ଠାନଗୁଡିକରେ ଛାଇଯାଇଛି ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଥିବା ପୋଷ୍ଟର ଆଉ ବ୍ୟାନର। ରାଜ୍ୟର ବିଭିନ୍ନ କଲେଜଗୁଡିକରେ ପାଳନ ହେଉଛି ଯୁବ ଉତ୍ସବ କାର୍ଯ୍ୟକ୍ରମ। ଆଉ ଏଥିପାଇଁ ସରକାର ଖର୍ଚ୍ଚ କରୁଛନ୍ତି ୬ ଲକ୍ଷରୁ ୯ଲକ୍ଷ ଟଙ୍କା।

Advertisment

ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ୩୧୪ ବ୍ଲକ୍‌ରେ କ୍ରୀଡା, ସଂସ୍କୃତି ଏବଂ ସାମାଜିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା କରୁଛନ୍ତି ଓଡ଼ିଶା ସରକାର। କାର୍ଯ୍ୟକ୍ରମ ଆରମ୍ଭରୁ ପିଲାଙ୍କ ମଧ୍ୟରେ କାଁ ଭାଁ ଅସନ୍ତୋଷ ସାମ୍ନାକୁ ଆସିଥିଲା। ତେବେ ଏବେ ଉତ୍ସବକୁ ନେଇ ଉତ୍ସାହ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି।

ଏଭଳି ଚିତ୍ର ସେତିକିବେଳେ ସାମ୍ନାକୁ ଆସିଛି ଯେତେବେଳେ ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ଅନ୍ତିମ ଚରଣରେ ପହଞ୍ଚିଛି। କୃଷକ, ବୟସ୍କ, ବୟୋଜ୍ୟେଷ୍ଠ, ମହିଳା ଆଦି ବିଭିନ୍ନ ବର୍ଗଙ୍କୁ ନେଇ କାର୍ଯ୍ୟକ୍ରମ ଓ ଯୋଜନା କରିବା ପରେ ଯୁବ ବର୍ଗଙ୍କ ପାଖରେ ପହଞ୍ଚିଛନ୍ତି ସରକାର।

Advertisment

ସରକାରୀ ଅର୍ଥରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସକ ଦଳ ଏଭଳି ପ୍ରୟାସ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ନିର୍ବାଚନ ପାଖେଇ ଆସିଲେ ଯୁବକମାନଙ୍କ କଥା ମନେପଡେ। ଏହିଭଳି ୨୦୧୯ ନିର୍ବାଚନ ପୂର୍ବରୁ ‘ବିଜୁ ଯୁବ ବାହିନୀ’ ଗଢା ହୋଇଥିଲା ପିଲାଙ୍କୁ ବ୍ୟାଟ୍‌, ବଲ୍‌, ସ୍ପୋର୍ଟସ କିଟ୍ ଆଦି ବିତରଣ କରାଯାଇଥିଲା। ସେ ଯୁବ ବାହିନୀ ଗଲା କୁଆଡେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

କେବଳ ଓଡ଼ିଶାରେ ଥିବା ବିଜେଡି ସରକାର କାହିଁକି; ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋଥିବା ସେଲ୍ଫି ପଏଣ୍ଟ କରିବାକୁ ନେଇ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କୁ ମଧ୍ୟ ସମାଲୋଚନା ଓ ବିରୋଧର ସମ୍ମୁଖିନ ହେବାକୁ ପଡିଛି। ନିର୍ବାଚନ ଆସିଲେ ଯେକୌଣସି ସତ୍ତାଧାରୀ ଦଳ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ କଳର ସହାୟତା ନେବା ସ୍ୱାଭାବିକ କଥା। ତେବେ ଯୁବକମାନଙ୍କର ବାସ୍ତବିକ ସ୍ଥିତି କଣ?

୨୦୧୧ ଜନଗଣନା ଅନୁଯାୟୀ, ପ୍ରତିବର୍ଷ ଦେଶରେ ପ୍ରାୟ ୨ କୋଟି ଯୁବକ ୧୮ ବର୍ଷ ବୟସ ଅତିକ୍ରମ କରିଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କର ଭୋଟ ମଧ୍ୟ କୌଣସି ରାଜନୈତିକ ଦଳର ଭାଗ୍ୟ ବଦଳାଇପାରେ। ନିର୍ବାଚନ ଆୟୋଗର ତଥ୍ୟ ଅନୁସାରେ, ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୧୦ କୋଟି ଭୋଟର ପ୍ରଥମ ଥର ପାଇଁ ଭୋଟ ଦେଇଥିଲେ।

୨୦୨୦ର ଏକ ରିପୋର୍ଟରୁ ଜଣାପଡିଛି ଓଡ଼ିଶା ଜନସଂଖ୍ୟାର ୧କୋଟି ୭୦ ଲକ୍ଷ ହେଉଛନ୍ତି ଯୁବବର୍ଗର। ଆଉ ଏବେ ପ୍ରାୟ ୫ ଲକ୍ଷ ନୂଆ ଭୋଟର ଏଥିରେ ଯୋଡିହୋଇଛନ୍ତି। ଧରି ନିଆଯାଉ ପାଖାପାଖି ୧.୮ କୋଟି ଯୁବବର୍ଗ ଓଡ଼ିଶାରେ ଅଛନ୍ତି। ତେବେ ଏଥିମଧ୍ୟରୁ ଶିକ୍ଷିତ ବେକାରୀ କେତେ? ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଗତ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୯ଲକ୍ଷ ବେକାର ଯୁବକ ଅଛନ୍ତି ଯେଉଁମାନେ ନିଯୁକ୍ତି ପାଇଁ ପଞ୍ଜୀକୃତ କରିଛନ୍ତି।

ତେବେ ଏହା ବାଦ କେତେ ଯୁବକ ପଞ୍ଜୀକୃତ ହୋଇନାହାଁନ୍ତି ତାହାର ତଥ୍ୟ ଜଣାପଡି ନାହିଁ। ଏହା ବାଦ ବି ଅଛନ୍ତି ଅର୍ଦ୍ଧଶିକ୍ଷିତ ଯୁବବର୍ଗ। ସେହିଭଳି ଓଡ଼ିଶା ଶ୍ରମମନ୍ତ୍ରୀଙ୍କ କଥାକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ୪୦ ହଜାର ଓଡ଼ିଆ ବାହାର ରାଜ୍ୟରେ ଶ୍ରମଦାନ କରୁଛନ୍ତି। ତେବେ ମହାମାରୀ କରୋନା ସମୟରେ ପ୍ରାୟ ୧୦ ଲକ୍ଷ ପ୍ରବାସୀ ଓଡ଼ିଶା ଫେରିଥିବା ତଥ୍ୟ ସାମ୍ନାକୁ ଆସିଛି।

କୁହାଯାଏ ଏବେ ନିଶାର ହବ୍ ହେଲାଣି ଓଡ଼ିଶା। ସାମ୍ନାକୁ ଆସିଥିବା କିଛି ସଦ୍ୟ ଘଟଣା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ପାରାଦ୍ୱୀପ ବନ୍ଦରରୁ ପ୍ରାୟ ୨୦୦ କୋଟିର କୋକେନ୍ ନିକଟରେ ଜବତ ହୋଇଥିଲା। ଏହାର ଚେର କେତେ ଆଡକୁ ଲମ୍ବିଛି ଓ କେବେଠୁ ଏଭଳି କାରବାର ହେଉଛି ତା’ରି ଉପରେ ନଜର କେନ୍ଦ୍ରୀଭୂତ ହେବା ବେଳକୁ ଆସିଲା ଦେଶୀମଦ କାରବାରର ‘କରାଳ’ ଚିତ୍ର।

କଂଗ୍ରେସ ସାଂସଦଙ୍କ ବଲାଙ୍ଗୀର ଘରୁ ଆୟକର ବିଭାଗର ଚଢାଉ ବେଳେ ଦେଶୀମଦ କାରବାରରେ ପ୍ରାୟ ୪୦୦ କୋଟି ନଗଦ ଟଙ୍କା ଧରାହେବା ଘଟଣା ସମଗ୍ର ଦେଶରେ ଝଡ ସୃଷ୍ଟିକଲା। ନିର୍ବାଚନ ବେଳେ ଯୁବକଙ୍କ ମଧ୍ୟରେ ଭୋଟର ପରିସଂଖ୍ୟାନ ଖୋଜୁଥିବା ରାଜନୈତିକ ଦଳ ଯଦି ପୁଲିସ କମିଶନରଙ୍କ ମନ୍ତବ୍ୟ ଶୁଣିଥିବେ ତାହେଲେ ନିଶ୍ଚୟ ଚିନ୍ତାଶୀଳ ହେବେ।

ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ‘ନିଶାମୁକ୍ତ ଭାରତ ଅଭିଯାନ’ ବୈଠକରେ ପୁଲିସ କମିଶନର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ଆଗରୁ କେବଳ ସହରଗୁଡିକରେ ଦାମୀ ନିଶା ବା ଡ୍ରଗ୍ସ ମିଳୁଥିଲା। ଆଉ ବର୍ତ୍ତମାନ ଏହା ଉପାନ୍ତ ଆଡକୁ ବ୍ୟାପିଲାଣି। ଆଗରୁ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀ ହିଁ ଡ୍ରଗ୍ସ ନେଉଥିଲେ। ହେଲେ ଏବେ ତାହା ସବୁ କଲେଜକୁ ବ୍ୟାପିଲାଣି।

ଅନ୍‌ଲାଇନରେ ଖାଦ୍ୟ ସାମଗ୍ରୀ ଅଡର କଲାଭଳି ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରାଯାଉଛି। ଭାରତକୁ ନିଶାମୁକ୍ତ କରିବା ପାଇଁ କମିଟିକୁ ଯୁବପିଢ଼ିଙ୍କ ସମେତ ସ୍କୁଲ କଲେଜ ଯାଇ ପିଲାମାନଙ୍କୁ ସଚେତନ କରିବା ଜରୁରୀ ହୋଇପଡିଥିବା ସିପି କହିଛନ୍ତି।

ସେପଟେ ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କର ଏକ ବୟାନ ସାମ୍ନାକୁ ଆସିଛି। ସଂସଦ ଭବନରେ ସୁରକ୍ଷାକୁ ନେଇ ଦେଖାଦେଇଥିବା ତ୍ରୁଟି ପ୍ରସଙ୍ଗରେ ଶ୍ରୀ ଗାନ୍ଧି କହିଛନ୍ତି, “ଏହି ଘଟଣା ବେରୋଜଗାରୀ ଏବଂ ମହଙ୍ଗା ଦରଦାମ କାରଣରୁ ହୋଇଛି।” ପରେ ଏହି ମନ୍ତବ୍ୟକୁ ନେଇ ବିବାଦ ଉଠିଥିଲା।

କୁହାଯାଏ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିର ଭୂମିକା ବେଶୀ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଯୁବକମାନଙ୍କ ମଧ୍ୟରେ ସଂଗଠିତ ଶକ୍ତି, ଭାବଗତ ସମ୍ପର୍କ, ଭାଇଚାରା, ଉଦାରତା ଓ ମାନବିକତା ଭରିରହିଛି। ଏହାର ନିଚ୍ଛକ ଉଦାହରଣ ହେଉଛି, ବାହାନଗା ରେଳ ଦୁର୍ଘଟଣା ସମୟରେ ରାତାରାତି ବାଲେଶ୍ୱର ହସ୍ପିଟାଲରେ ଲମ୍ବା ଧାଡି ଲଗାଇ ଯୁବକମାନେ ଗୁରୁତରଙ୍କୁ ୫୦୦ରୁ ଅଧିକ ୟୁନିଟ୍‌ ରକ୍ତଦାନ କରିବା।

ଏହାକୁ ଅକ୍ଷୁଣ୍ଣ ରଖିବା ସହିତ ହିଂସା, ଅପରାଧମୁକ୍ତ ଯୁବସମାଜ ଗଠନ ଦିଗରେ ଉଦ୍ୟମ ହେବା ଆବଶ୍ୟକ। ଯୁବବର୍ଗଙ୍କ ବାସ୍ତବିକ ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ତଥା କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Politics
Advertisment
Advertisment