Advertisment

ଟିମ୍ ଇଣ୍ଡିଆର ଟ୍ରମ୍ପ୍ କାର୍ଡ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା

ଏକଦା ଟିମ୍ ଇଣ୍ଡିଆ ପାଇଁ ଏକପ୍ରକାର ଅଲୋଡ଼ା ହୋଇଯାଇଥିବା ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏତେ ଲୋଡ଼ା ପଡ଼ିଲେଣି କାହିଁକି? ଟି-୨୦ ବିଶ୍ୱକପ୍ ୨୦୨୨ରେ ସେ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି? ହୋଇପାରନ୍ତି କି ସେ ଭାରତୀୟ ଟିମ୍‌ର ଉପ-ଅଧିନାୟକ? ଜାଣିବା ପାଇଁ ପଢନ୍ତୁ…

author-image
Biswajit Mohanty
ଅଦ୍ୟତନ ହୋଇଛି
Team India's trump card all-rounder Hardik Pandya

Team India's trump card all-rounder Hardik Pandya

ଟି-୨୦ ବିଶ୍ୱକପ୍ ୨୦୨୧ ପୂର୍ବର କଥା। ଜଣେ ଖେଳାଳିଙ୍କ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। ଚର୍ଚ୍ଚା ହେଉଥିଲା ଯେ ଶତପ୍ରତିଶତ ଫିଟ୍‌ନେସ୍, ଏପରିକି ଫର୍ମ ନ ଥିବା ସତ୍ତ୍ୱେ ସେହି ଖେଳାଳିଙ୍କୁ ଭାରତର ବିଶ୍ୱକପ୍ ଟିମ୍‌ରେ ସାମିଲ୍ କରାଯାଇଛି।

Advertisment

ମୁଖ୍ୟ ଚୟନକାରୀ ଚେତନ ଶର୍ମା କହିଥିଲେ ଯେ ସେହି ଖେଳାଳିଙ୍କୁ ଅଲ୍‌ରାଉଣ୍ଡର୍ ଭାବେ ଟିମ୍‌ରେ ନିଆଯାଇଛି, ଯେତେବେଳେ କି ଆଘାତରୁ ସୁସ୍ଥ ହେଉଥିବା ଯୋଗୁଁ ସେ ବୋଲିଂ କରୁ ନ ଥିଲେ ଏବଂ ବ୍ୟାଟିଂରେ ବି ଫର୍ମରେ ନ ଥିଲେ।

କିନ୍ତୁ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ମେଣ୍ଟର୍ ଥିବା ମହେନ୍ଦ୍ର ସିଂହ ଧୋନି ତାଙ୍କୁ ମ୍ୟାଚ୍ ଫିନିଶ୍ ଦକ୍ଷତା ଯୋଗୁଁ ଟିମ୍‌ରେ ନେବାକୁ ଚାହିଁଥିଲେ। ଖୋଦ୍ ଏହି ଖେଳାଳି ପରେ କହିଥିଲେ ଯେ ଅଲ୍‌ରାଉଣ୍ଡର୍ ଭାବେ ନୁହେଁ, ଜଣେ ବ୍ୟାଟର୍ ଭାବେ ତାଙ୍କୁ ଟିମ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା।

Advertisment

ସେ ଟି-୨୦ ବିଶ୍ୱକପ୍‌ରେ ବିଫଳ ହେଲେ। ଟିମ୍ ବି ଆଶାଜନକ ପ୍ରଦର୍ଶନ କରି ନ ପାରି ସେମିଫାଇନାଲ୍‌ରେ ପହଞ୍ଚି ପାରିଲା ନାହିଁ। ସେହି ବର୍ଷ ଆଇପିଏଲ୍‌ରେ ବି ସେ ବ୍ୟାଟିଂରେ ବିଫଳ ହୋଇଥିଲେ। ପେସର୍ ହୋଇଥିବା ସତ୍ତ୍ୱେ ଗୋଟିଏ ଓଭର୍ ବି ବୋଲିଂ କରି ନ ଥିଲେ। ବାସ୍ତବରେ ସେ ବୋଲିଂ କରିପାରି ନ ଥିଲେ। ତାଙ୍କ ଭିତରେ ବୋଲିଂ ଫିଟ୍‌ନେସ୍ ନ ଥିଲ।

ତାଙ୍କ ଭବିଷ୍ୟତକୁ ନେଇ ଅନେକେ ସନ୍ଦିହାନ ହୋଇପଡ଼ିଥିଲେ। ୨୦୧୯ ଅକ୍ଟୋବରରେ ସେ ପିଠିରେ ସର୍ଜରୀ କରାଇଥିଲେ। ଏହାପରେ ତାଙ୍କ ବୋଲିଂ ଦକ୍ଷତା ଉପରେ ଏକପ୍ରକାର ଅଙ୍କୁଶ ଲାଗିଯାଇଥିଲା। ଏକଦା ଅନେକ ଥର ଟିମ୍ ପାଇଁ ଉଭୟ ବ୍ୟାଟ୍ ଓ ବଲ୍‌ରେ ଉପଯୋଗୀ ପ୍ରଦର୍ଶନ କରିଥିବା ଏହି ଖେଳାଳି ଜଣକ ସତେ ଯେମିତି ଟିମ୍ ପାଇଁ ଅଲୋଡ଼ା ହୋଇଯାଇଥିଲେ।

ଆସନ୍ତା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ୨୦୨୨ ହେବାକୁ ଯାଉଛି। କିନ୍ତୁ ଏବେ ସେହି ଅଲୋଡ଼ା ଖେଳାଳି ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏତେ ଲୋଡ଼ା ପଡ଼ିଲେଣି ଯେ ତାଙ୍କ ବିନା ଚୂଡ଼ାନ୍ତ ଏକାଦଶ ମଜଭୁତ ହୋଇପାରୁ ନାହିଁ। ବିଶ୍ୱକପ୍‌ରେ ସେ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ ବୋଲି କୁହାଯାଉଛି। ଏପରିକି ସେଥିରେ ସେ ଭାରତୀୟ ଟିମ୍‌ର ଉପ-ଅଧିନାୟକ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ତାଙ୍କୁ ଟି-୨୦ ଫର୍ମାଟ୍‌ରେ ଭବିଷ୍ୟତର ଅଧିନାୟକ ଦୃଷ୍ଟିରୁ ମଧ୍ୟ ବିଚାର କରାଯାଉଛି।

ଏବେ ୟୁନାଇଟେଡ୍ ଆରବ ଏମିରେଟ୍ସରେ ଚାଲିଥିବା ଏସିଆ କପ୍ ଟି-୨୦ ଟୁର୍ଣ୍ଣାମେଣ୍ଟ୍‌ରେ ବି ହାର୍ଦ୍ଦିକ ଟିମ୍‌ର ମେରୁଦଣ୍ଡ ଭଳି ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ହିଁ ଟିମ୍‌ରେ ତାଙ୍କ ଗୁରୁତ୍ୱ କେତେ, ତାହା ସାବ୍ୟସ୍ତ କରିଛନ୍ତି। ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ କରି ଟିମ୍‌କୁ ଜିତାଇବା ସହ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି। ହଂକଂ ଭଳି ଦୁର୍ବଳ ଟିମ୍ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ବୋଲିଂ ବାହିନୀରେ ତାଙ୍କ ଅନୁପସ୍ଥିତି ଅନୁଭୂତ ହେଉଥିଲା। ପାକିସ୍ତାନ ଭଳି ଟିମ୍‌କୁ ଭାରତୀୟ ବୋଲର୍ ଅଲ୍ଆଉଟ୍ କରିଥିବା ବେଳେ ହଂକଂ ମାତ୍ର ୫ ଓ୍ୱିକେଟ୍ ହରାଇଥିଲା। ଏହାଛଡ଼ା ୧୫୦ ସ୍କୋର୍ ଅତିକ୍ରମ ବି କରିଥିଲା।

ହାର୍ଦ୍ଦିକଙ୍କ ରଙ୍ଗବେରଙ୍ଗ କେଶ, ବାଜୁରେ ଆକର୍ଷଣୀୟ ଟାଟୁ, ବ୍ୟାଟିଂ ଓ ବୋଲିଂରେ ଅଦ୍ଭୁତ ନିର୍ଭୀକତା କାରିବୀୟ କିମ୍ବଦନ୍ତୀ ସାର୍ ଭିଭିଆନ୍ ରିଚାଡର୍ସଙ୍କ ସ୍ମରଣ କରାଏ। ହାର୍ଦ୍ଦିକଙ୍କ ଆକର୍ଷଣୀୟ ଓ ଷ୍ଟାଇଲିସ୍ ବ୍ୟକ୍ତିତ୍ୱର ଝଲକ ତାଙ୍କ କ୍ରିକେଟ୍‌ରେ ବି ଦେଖିବାକୁ ମିଳେ।

Tatoo lover Hardik Pandyaଟାଟୁପ୍ରିୟ ହାର୍ଦ୍ଦିକ ପାଣ୍ଡ୍ୟା

ପାକିସ୍ତାନ ବି ଦେଖିଲା ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ-ଦକ୍ଷତା:

ଟି-୨୦ ବିଶ୍ୱକପ୍ ୨୦୨୧ ଓ ଆଇପିଏଲ୍ ୨୦୨୨ ମଧ୍ୟରେ ହାର୍ଦ୍ଦିକ କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନ ଥିଲେ। ଏହା ପୂର୍ବରୁ ତାଙ୍କ ଫର୍ମ ଓ ଫିଟ୍‌ନେସ୍‌କୁ ନେଇ ପ୍ରଶ୍ନ ଉଠୁଥିଲା। ଏହାସତ୍ତ୍ୱେ ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚାଇଜୀ ତାଙ୍କୁ ଅଧିନାୟକ କରି ବଡ଼ ରିସ୍କ ନେଇଥିଲା। ହାର୍ଦ୍ଦିକ ଅପ୍ରତ୍ୟାଶିତ ଢଙ୍ଗରେ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବୋଲିଂ ଦକ୍ଷତା ବି ଦେଖାଇଥିଲେ। ସେ ନିଜର ପରିବର୍ତ୍ତିତ ସ୍ୱଭାବ ସହିତ ଜଣେ ସୁଦକ୍ଷ ଅଧିନାୟକ ଭାବେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଥିଲେ।

ଲିଗ୍‌ର ପଞ୍ଚଦଶ ସଂସ୍କରଣ ପର ଠାରୁ ଏ ଯାବତ ଭାରତୀୟ କ୍ରିକେଟ୍‌ରେ ତାଙ୍କ ଆବଶ୍ୟକତା କେତେ, ତାହା କୋଚ୍, ଚୟନକାରୀଙ୍କ ଠାରୁ ନେଇ ପୂର୍ବତନ ଖେଳାଳିଙ୍କ ଯାଏଁ ସମସ୍ତେ ବୁଝି ସାରିଲେଣି।

ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ଟିମ୍ ହାର୍ଦ୍ଦିକଙ୍କ ସାମର୍ଥ୍ୟ ଦେଖିଥିଲା। ସେ ବୋଲିଂରେ ତିନି ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍ ନେଇଥିବା ବେଳେ ବ୍ୟାଟିଂରେ କଠିନ ସ୍ଥିତିରେ ୧୭ ବଲ୍‌ରୁ ଅପରାଜିତ ୩୩ ରନ୍ କରିଥିଲେ ଏବଂ ଶେଷ ଓଭର୍‌ରେ ଏକ ଛକା ଲଗାଇ ଭାରତକୁ ଜିତାଇଥିଲେ। ସେ ସର୍ଟ ପିଚ୍ ବଲ୍‌ରେ ହିଁ ତିନିଟିଯାକ ଓ୍ୱିକେଟ୍ ନେଇଥିଲେ। ମ୍ୟାଚ୍ ପରେ ହାର୍ଦ୍ଦିକ କହିଥିଲେ ଯେ ଶେଷ ଓଭର୍‌ରେ ୧୫ ରନ୍ ଆବଶ୍ୟକ ଥିଲେ ବି ସେ ନିଶ୍ଚୟ କରିଥା’ନ୍ତେ।

ବିଜୟ ପୂର୍ବରୁ କମେଣ୍ଟ୍ରି ବକ୍ସରେ ପୂର୍ବତନ ପାକିସ୍ତାନୀ ପେସର୍ ୱାକର ୟୁନୁସ୍ କହିଥିଲେ, "ଯେତେବେଳ ଯାଏଁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇ ନାହାନ୍ତି, ପାକିସ୍ତାନ ମ୍ୟାଚ୍ ଜିତିବା ବିଷୟରେ କଳ୍ପନା କରିପାରିବ ନାହିଁ; ତାଙ୍କ ପାଇଁ କୌଣସି ସ୍କୋର୍ ବଡ଼ ନୁହେଁ।"

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର ଓ୍ୱାସିମ୍‌ ଆକ୍ରମ ମଧ୍ୟ କହିଥିଲେ ଯେ ଏସିଆ କପ୍‌ରେ ଏହି ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ଟିମ୍ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ହିଁ ଫରକ୍ ଥିଲେ। ଷଷ୍ଠ ଓଭର୍‌ରେ ଯିଏ ଏତେ ସଠିକ୍‌ ବୋଲିଂ କରନ୍ତି ଏବଂ ଏହାପରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସି ମ୍ୟାଚ୍ ଜିତାନ୍ତି, ସେମିତି ଦକ୍ଷ ଖେଳାଳି ଖୁବ୍ କମ୍ ଟିମ୍ ପାଖରେ ଥା’ନ୍ତି। ପାକିସ୍ତାନ ପାଖରେ ସେମିତି କେହି ନ ଥିଲେ।

ଟି-୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ହୋଇପାରନ୍ତି ଉପ-ଅଧିନାୟକ:

ଏକଦା ପ୍ରତିଭାଶାଳୀ ବ୍ୟାଟର୍ ଲୋକେଶ ରାହୁଲଙ୍କୁ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ଦୃଷ୍ଟିରୁ ବିଚାର କରାଯାଉଥିଲା। ସେହି କାରଣରୁ ସୀମିତ ଓଭର୍‌ରେ ତାଙ୍କୁ ଟିମ୍‌ର ଉପ-ଅଧିନାୟକ କରାଯାଇଛି। କିନ୍ତୁ ଅଧିକାଂଶ ସମୟରେ ଆଘାତଜନିତ ସମସ୍ୟା ଭୋଗୁଥିବା ଓ ଫର୍ମ ପାଇଁ ସଂଘର୍ଷ କରୁଥିବା ରାହୁଲଙ୍କୁ ଏବେ ଟିମ୍‌ରୁ କାଢ଼ିବା ପାଇଁ ଦାବି ହେଲାଣି।

ଏସିଆ କପ୍ ରାହୁଲଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ। ତାଙ୍କୁ ଏଥିରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ଖାତା ଖୋଲି ପାରି ନ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ହଂକଂ ଭଳି ଟିମ୍ ବିପକ୍ଷରେ ୩୯ ବଲ୍‌ରୁ ୩୬ ରନ୍ କରିଥିଲେ। ଏହା ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ମଧ୍ୟ ସେ ଖାସ୍ ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିଲେ। ଆଘାତରୁ ସୁସ୍ଥ ହୋଇ ସେ ଏହି ଶୃଙ୍ଖଳାରେ ସ୍ଥାନ ପାଇଥିଲେ, ନେତୃତ୍ୱ ବି ନେଇଥିଲେ। ଅବଶ୍ୟ ରାହୁଲଙ୍କ ନେତୃତ୍ୱରେ ଏହା ଭାରତୀୟ ଦିନିକିଆ ଟିମ୍‌ର ପ୍ରଥମ ଶୃଙ୍ଖଳା ବିଜୟ ଥିଲା।

Hardik Pandya wants to win the World Cup for India 'no matter what happens'ଟି-୨୦ ବିଶ୍ୱକପ୍ ୨୦୨୨ରେ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ ହାର୍ଦ୍ଦିକ ପାଣ୍ଡ୍ୟା!

ରାହୁଲଙ୍କୁ ନିରନ୍ତର ଭଲ ପ୍ରଦର୍ଶନ କରିବାକୁ ହେବ। ତା’ ସାଙ୍ଗକୁ ଫିଟ୍ ବି ରହିବାକୁ ହେବ। ଅନ୍ୟଥା ଟିମ୍‌ରେ ଅନ୍ୟ କେହି ତାଙ୍କ ସ୍ଥାନ ଦଖଲ କରିନେବେ, କାରଣ ଅନେକ ପ୍ରତିଭାଶାଳୀ ଖେଳାଳି ଧାଡ଼ିରେ ଅଛନ୍ତି।

ରାହୁଲଙ୍କ ଉପ-ଅଧିନାୟକ ପଦ ବି ସୁରକ୍ଷିତ ନୁହେଁ। ଭଲ ବ୍ୟାଟିଂ କରି ସେ ଟିମ୍‌ରେ ରହିପାରନ୍ତି, ହେଲେ ଉପ-ଅଧିନାୟକ ପଦ ହରାଇ ପାରନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ରାହୁଲଙ୍କ ନେତୃତ୍ୱରେ ଟିମ୍‌ରେ ସେମିତି ଉତ୍ସାହ ଦେଖିବାକୁ ମିଳି ନ ଥିଲା, ଯାହା ହାର୍ଦ୍ଦିକଙ୍କ ନେତୃତ୍ୱରେ ଦେଖିବାକୁ ମିଳିଥିଲା। ଏଥିନେଇ ପରୀକ୍ଷାନିରୀକ୍ଷା ବି କରାସରିଛି।

ଆଇପିଏଲ୍‌ରେ ନବାଗତ ଗୁଜରାଟ ଟାଇଟନ୍ସକୁ ମୁକୁଟ ଜିତାଇ ହାର୍ଦ୍ଦିକ ନିଜ ନେତୃତ୍ୱ ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ଆୟରଲାଣ୍ଡ୍‌ ଗସ୍ତରେ ବି ସେ ଯୁବ ଟିମ୍‌ର ସଫଳ ନେତୃତ୍ୱ ନେଇଥିଲେ।

ଟି-୨୦ ବିଶ୍ୱକପ୍ ପାଇଁ ରାହୁଲଙ୍କ ପରିବର୍ତ୍ତେ ହାର୍ଦ୍ଦିକଙ୍କୁ ଭାରତୀୟ ଟିମ୍‌ର ଉପ-ଅଧିନାୟକ ମନୋନିତ କରାଯାଇପାରେ। ଦୌଡ଼ରେ ଓ୍ୱିକେଟ୍‌କିପର୍-ବ୍ୟାଟର୍ ରିଷଭ ପନ୍ତ ବି ଅଛନ୍ତି, ହେଲେ ହାର୍ଦ୍ଦିକ ଆଗରେ ରହିଛନ୍ତି। ଏଥିରେ ରାହୁଲ ଜଣେ ବ୍ୟାଟର୍ ଭାବେ ସ୍ଥାନ ପାଇପାରନ୍ତି।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Hardik Pandya Cricket Player Hardik Pandya Indian Cricketer Hardik Pandya
Advertisment
Advertisment