Advertisment

ମହାମାରୀରେ କ୍ଷତାକ୍ତ ଜୀବିକା ଉପରେ ‘ପ୍ରଶାସନିକ ବୁଲ୍‌ଡୋଜର୍‌’

ମହାମାରୀ କରୋନା ଓ ତାଲାବନ୍ଦ ଦ୍ୱାରା ଦୀର୍ଘ ଦୁଇ ବର୍ଷ ଧରି କ୍ଷତାହତ ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରଶାସନ ପ୍ରତିବନ୍ଧକ ହୋଇ ଛିଡାହେଉଛି। ଲୋକେ ଛୋଟମୋଟ ଦୋକାନକୁ ନେଇ ଆର୍ଥିକ ମେରୁଦଣ୍ଡକୁ ସଳଖ କରି ଠିଆହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଶାସନର ବୁଲ୍‌ଡୋଜର୍‌ ମାଡ ଲୋକଙ୍କ ଜୀବନ ଜୀବିକାକୁ ଅନ୍ଧାରକୁ ଠେଲି ଦେଉଛି। ସେମାନେ ବଞ୍ଚିବେ ତ?

author-image
Dilip Sabat
ଅଦ୍ୟତନ ହୋଇଛି
Why the administration hit bulldozer on small shops

Why the administration hit bulldozer on small shops

କାଲି ଯେଉଁଠି କୋଳାହଳର ମାହୋଲ୍ ଥିଲା ଆଜି ସେଠି ଶୂନଶନ୍! ସେ ରାସ୍ତା ଆଜି ସମ୍ପୂର୍ଣ୍ଣ ସଫା; ଆଉ ଭିଡ ଜମୁନି। ଦୀର୍ଘ ଦୁଇ ଦଶନ୍ଧି ଧରି ଖାଦ୍ୟକୁ ନେଇ ଚର୍ଚ୍ଚା ସୃଷ୍ଟି କରିଥିବା ‘କିଶୋର ହୋଟେଲ’ ଆଜି ମାଟିରେ ମିଶିଯାଇଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ନିକଟରେ ଥିଲା ଏହି ଅସ୍ଥାୟୀ ହୋଟେଲ।

Advertisment

ଯେଉଁ ମାଂସ ତରକାରୀର ମହକରେ ରାଜ୍ୟର କୋଣାନୁକୋଣରୁ ଦିନକୁ ଶହ ଶହ ଲୋକଙ୍କୁ ଟାଣି ଆଣୁଥିଲା ଆଉ ଲୋକେ ଶସ୍ତାରେ ସ୍ୱାଦିଷ୍ଟ ମଟନ ଭାତ ଖାଇ ତୃପ୍ତି ଲାଭ କରୁଥିଲ୍, ସେ ହୋଟେଲ ଆଉ ସେଠାରେ ନାହିଁ। ତା' ଉପରେ ଚଢିଯାଇଛି ‘ପ୍ରଶାସନିକ ବୁଲ୍‌ଡୋଜର୍‌’!

ଖାଦ୍ୟର ମାନ ନିରୀକ୍ଷକଙ୍କ କହିବା କଥା କିଶୋର ମାଂସ ତରକାରୀରେ ନକଲି ସାମଗ୍ରୀ ବ୍ୟବହାର କରୁଥିଲେ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ଓ ଖାଇବା ପରସୁଥିଲେ। ଅନ୍ୟପକ୍ଷରେ ଖାଇବାକୁ ଆସୁଥିବା ଲୋକଙ୍କ ଭିଡ ଯୋଗୁଁ ରାସ୍ତା ଜାମ୍‌ ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିବା ବିଏମ୍‌ସି କର୍ତ୍ତୃପକ୍ଷ ଅଭିଯୋଗ ଆଣିଲେ।

Advertisment

ତେବେ ହୋଟେଲ ଭାଙ୍ଗିବା ପରେ ବିଭିନ୍ନ ମାଧ୍ୟମରେ ଯେଉଁ ପ୍ରତିକ୍ରିୟା ସବୁ ସାମ୍ନାକୁ ଆସିଲା। ସେଗୁଡିକ ହେଲା- କିଶୋରଙ୍କ କୌଶଳକୁ ବ୍ୟବହାର କରି ସରକାର ଅନେକ ବେକାରୀଙ୍କୁ ଜିବୀକା ଯୋଗାଇ ପାରିଥାନ୍ତେ। ତାଙ୍କୁ ଉଚିତ ଭିତ୍ତିଭୂମି ଦେଇ ମତ୍ସ୍ୟ ଓ ପଶୁ ସମ୍ପଦ କ୍ଷେତ୍ରରେ ବିକାଶ କରିପାରିଥାନ୍ତେ। ଏହାଦ୍ୱାରା ହୋଟେଲ ଶିଳ୍ପର ବିକାଶ ମଧ୍ୟ କରାଯାଇ ପାରିଥାନ୍ତା। ଏ ଦିଗରେ ସରକାର ଚିନ୍ତାଶୀଳ ହେବା ବଦଳରେ ୨୦ ବର୍ଷର ଖ୍ୟାତ ଅର୍ଜନ କରିଥିବା ହୋଟେଲକୁ ଭାଙ୍ଗିଦେଲେ। ତା’ ସହିତ ଅନେକ ପାନ, ଚାହା ଆଦି ଦୋକାନ ଜୀବିକା ହରେଇଲେ।

ତେବେ ଏଟି ପ୍ରଶ୍ନ ଉଠୁଛି, କ’ଣ ଏତେ ଦିନ ଧରି ପ୍ରଶାସନ, କର୍ତ୍ତୃପକ୍ଷ ଏ ବିଷୟରେ ଖବର ପାଇ ନ ଥିଲେ? କଥା ଏଭଳି ମଧ୍ୟ ଆସୁଛି ଯେ, କିଶୋର ଏକ ବିପକ୍ଷବାଦୀ ଦଳର ସମର୍ଥକ ଥିଲେ। ସେଥିପାଇଁ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡିଲା।

ହୋଟେଲ ଭଙ୍ଗାଯିବାର ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ସେହି ରାସ୍ତା ଦେଇ ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାକୁ ଦେଖିଲେ ଏଠାରେ ପ୍ରଶ୍ନ ଉଙ୍କିମାରେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସେଠାକାର ଦୋକାନ ସବୁ ଉଚ୍ଛେଦ କରାଯାଇ ନାହିଁ ତ?

ଅସ୍ଥାୟୀ ଦୋକାନକୁ ବାରମ୍ବାର ଉଚ୍ଛେଦ ନ କରିବା ପାଇଁ ଭୁବନେଶ୍ୱର ସୈନିକ ସ୍କୁଲ୍‌ ନିକଟରୁ ଏକ ନୂଆ ଫର୍ମୁଲା ସାମ୍ନାକୁ ଆସିଛି। ଏଠାରେ ଉଚ୍ଛେଦ କରାଯାଇଥିବା ଲୋକଙ୍କୁ ‘ହ୍ୱିଲ୍‌ କେବିନ’ ବ୍ୟବହାର ପାଇଁ କୁହାଯାଇଛି। କିଛି କେବିନ୍‌ ଆସିଗଲାଣି ଆଉ କିଛି ଆସିବା ବାକି ରହିଛି। କୁହାଯାଉଛି, ଆଗକୁ ନିର୍ବାଚନ ଥିବାରୁ ମୁଖିଆ ଏହି ରାସ୍ତା ଦେଇ ପ୍ରଚାର ପରିକ୍ରମା କରିବେ। ତେବେ ପରିକ୍ରମାର କିଛି ସମୟ ପୂର୍ବରୁ ‘ହ୍ୱିଲ୍‌ କେବି୍‌ନ’କୁ ଗଡେଇ ଗଡେଇ ସ୍ଥାନାନ୍ତର କରାଯିବ ଏବଂ ପରେ ପୁଣି ପୂର୍ବ ସ୍ଥାନକୁ ଅଣାଯିବ।

ଜୀବନ ଓ ଜୀବିକା ଉପରେ ପ୍ରଶାସନର ବୁଲ୍‌ଡୋଜର୍‌ କେବଳ ଏତିକିରେ ସୀମିତ ନାହିଁ! ରାଜଧାନୀ ସମେତ କଟକ ବିଡାନାସୀ ନୂଆସାହି, କୋଣାର୍କ ରିଙ୍ଗ୍‌ରୋଡ୍‌ ନିର୍ମାଣ ସ୍ଥଳୀ, ଜୟପୁର ହାଟପଦା, କେନ୍ଦ୍ରାପଡାର ରାଜକନିକା ଅନ୍ତର୍ଗତ ବାଘବୁଦା ଓ ମାର୍ଶାଘାଇ, ସମ୍ବଲପୁର ସମଲେଶ୍ୱରୀ ଉନ୍ନତିକରଣ ଅଞ୍ଚଳ, ଭଦ୍ରକ ବନ୍ତଛକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। କେଉଁଠି ବିକାଶ, ଉନ୍ନତିକରଣ ଆଉ କେଉଁଠି ଟ୍ରାଫିକ୍‌ ସମସ୍ୟା ପାଇଁ ଦୋକାନ ବଜାର ଉପରେ ବୁଲ୍‌ଡୋଜର୍‌ ଚାଲୁଛି।

ଉଚ୍ଛେଦ ବେଳେ ଅନେକ ସ୍ଥାନରେ ବ୍ୟାପକ ଅସନ୍ତୋଷ, ଭଙ୍ଗାରୁଜା, କ୍ଷୟକ୍ଷତି ଓ ଅପ୍ରିତିକର ପରିସ୍ଥିତି ଉପୁଜିବା ସହିତ ୧୪୪ ଧାରା ଲଗାଯାଇଛି ଏବଂ ଗିରଫଦାରି ମଧ୍ୟ ହୋଇଛି। ତେବେ ବିକାଶ କାର୍ଯ୍ୟରେ ବାଧାଦେବା ନୁହେଁ ବରଂ ଉଚ୍ଛେଦ ପୂର୍ବରୁ ପ୍ରଥମେ ଥଇଥାନ ଦାବିକୁ ନେଇ ଆନ୍ଦୋଳନ ଦେଖାଦେଇଛି।

ବିଶ୍ୱ ବ୍ୟାଧୀ ମହାମାରୀ ଓ ତାଲାବନ୍ଦ ଦ୍ୱାରା ଦୀର୍ଘ ଦୁଇ ବର୍ଷ ଧରି ଜୀବୀକା ଜଞ୍ଜାଳରେ କ୍ଷତାହତ ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଉଦ୍ୟମ କରୁଛନ୍ତି। ଛୋଟ ମୋଟ ଦୋକାନକୁ ନେଇ ଆର୍ଥିକ ମେରୁଦଣ୍ଡକୁ ସଳଖ କରି ଠିଆହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଶାସନର ଏମିତି ବୁଲ୍‌ଡୋଜର୍‌ ମାଡ ଲୋକଙ୍କ ଜୀବନ ଜୀବିକାକୁ ଅନ୍ଧାରକୁ ଠେଲି ଦେଉଛି। ସେମାନେ ବଞ୍ଚିବେ କେମିତି?

(ବି.ଦ୍ର : ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ନାଲ୍‌କୋ ଛକ, ଦୂରଭାଷ: ୯୮୬୧୨୪୦୨୨୮

Eviction Drive Kishor Mutton Hotel
Advertisment
Advertisment