Advertisment

କ୍ଷେତରେ ନେତ୍ରୀ, ଭୋଟ୍ ପାଇଁ ହାଇ ଡ୍ରାମା ନୁହେଁ କି

ନେତାଙ୍କୁ ଘାରିଛି ଚାଷୀଙ୍କ ଭୋଟ୍ ମୋହ। ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ମହିଳା ନେତୃତ୍ୱଙ୍କୁ ଚାଷୀମାନଙ୍କ ଗହଣରେ କ୍ଷେତରେ ଦେଖିବାକୁ ମିଳୁଛି। ନିର୍ବାଚନ ସମୟ ଆସିଗଲେ ଏମିତି ଲୋକ ଦେଖାଣିଆ ଭାବ ହାଇଡ୍ରାମା ନୁହେଁ କି…

author-image
Dilip Sabat
ଅଦ୍ୟତନ ହୋଇଛି
Woman leader in farmer field

Woman leader in farmer field

ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରସ୍ତୁତି, ପ୍ରଚାର କିମ୍ବା ଅକ୍ଷୟ ତୃତୀୟା ଭଳି କୌଣସି ପର୍ବ ପର୍ବାଣି; କ୍ଷେତରେ ନେତା, ମନ୍ତ୍ରୀଙ୍କ ଉପସ୍ଥିତି ଚାଷୀ ପାଇଁ ନିହାତି ଏକ ସର୍‌ପ୍ରାଇଜ୍‌ ସଦୃଶ! ସାର, ବୀହନ, ପାଣି, ମରୁଡି ଆଦି ସମସ୍ୟାର କାଦୁଅରେ ଲତପତ ବର୍ଷ ତମାମ ଚାଷୀ ସହାୟତା ପାଇଁ ଦୌଡି ଦୌଡି ଚପଲ ଛିଣ୍ଡିଗଲେ ବି ଯାହାର ଦର୍ଶନ ମିଳିବା ମୁସ୍କିଲ୍‌; ସେ ଖୋଦ୍ ଆସି ତା’ କ୍ଷେତରେ ହାଜର! ହଳ, ଲଙ୍ଗଳ, ତଳି, ଦାଆ ଧରି ଖରା କାଦୁଅରେ ଚାଷୀ ଗହଣରେ ଠିଆ ହୋଇଛନ୍ତି।

Advertisment

ବିଭିନ୍ନ ଭଙ୍ଗୀରେ ଉଠୁଥିବା ଫଟୋରୁ ଧୂଳି ମଳିର ଦେହ ଭିତରେ ଧୋବ ଫରଫର ନେତା/ନେତ୍ରୀଙ୍କ ଚେହେରା ବେଶ ବାରି ହୋଇପଡୁଛି । ରାଜନୀତିରେ ନେତାଙ୍କ ଏଭଳି ଚିତ୍ର ଅନେକ ସାମ୍ନାକୁ ଆସେ । କାରଣ ସେମାନେ ଜାଣନ୍ତି ଯେ, ଚାଷୀଙ୍କ ସେହି ଭୋଟ୍‌ ଖଣ୍ଡିକ ତାଙ୍କୁ କ୍ଷମତା ଗାଦିରେ ବସାଇଥାଏ । କେବଳ ନେତା ନୁହଁନ୍ତି, ଏ କ୍ଷେତ୍ରରେ ଗତ କିଛିଦିନ ହେବ ଏବେ ନେତ୍ରୀମାନଙ୍କୁ ମଧ୍ୟ ଦେଖିବାକୁ ମିଳେ । ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ମହିଳା ନେତୃତ୍ୱଙ୍କୁ ଚାଷୀମାନଙ୍କ ଗହଣରେ କ୍ଷେତରେ ଦେଖିବାକୁ ମିଳୁଛି।

ରାଜନୀତିରେ ଏହି ଫର୍ମୁଲା ୨୦୧୯ ନିର୍ବାଚନ ପରଠାରୁ ବଢିଥିବା ନେଇ ଚର୍ଚ୍ଚା ହେଉଛି । ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାରେ ରହିଆସୁଥିବା ବିଜେପିର ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତଳିରୁଆ ଫଟୋ ନିକଟରେ ଦେଖିବାକୁ ମିଳିଛି । ଫଟୋରେ ଅପରାଜିତା ହାତରେ ତଳି ଧରି କିଛି ମହିଳା ଚାଷୀମାନଙ୍କ ସହିତ ମିଶି ଧାନ ରୋଇବା ଦେଖାଯାଇଛି।

Advertisment

ଟାଣ ଖରାକୁ କାଦୁଅ ପଚ ପଚ ଚାଷ ଜମିରେ ପଶି ଚାଷୀମାନଙ୍କ ସହିତ ତାଳଦେଇ ଧାନ ରୋଇବା ଫଟୋକୁ ସାଂସଦ ନିଜେ ଟ୍ୱିଟ୍‌ କରିଥିଲେ । ନିଜ ସାଂସଦୀୟ କ୍ଷେତ୍ର ପରିଦର୍ଶନ କରିବା ସମୟରେ କ୍ଷେତରେ ମହିଳାମାନଙ୍କୁ ଦେଖି ତାଙ୍କ ସହିତ ସାମିଲ ହେବାକୁ ନେଇ ସେ ଭାରି ଉତ୍ସାହିତ ଥିବା ଟ୍ୱିଟ୍‌ରେ ଦର୍ଶାଇଛନ୍ତି ।

ଏହି ଅବସରରେ ଚାଷୀମାନଙ୍କ ସହିତ ବିଭିନ୍ନ ବିଷୟରେ ସେ ଆଲୋଚନା କରିଥିବା ମଧ୍ୟ ସାଂସଦ ଦର୍ଶାଇଛନ୍ତି । ତାଙ୍କ ଟ୍ୱିଟ୍‌କୁ ଅନେକ ପସନ୍ଦ କରିଛନ୍ତି ଓ ତାଙ୍କ ସପକ୍ଷରେ ମତ ମଧ୍ୟ ରଖିଛନ୍ତି । ତେବେ କିଛି ସମାଲୋଚନା ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛନ୍ତି ।

ଲଗାଣ ବର୍ଷାଜନିତ ରାଜ୍ୟରେ ବନ୍ୟା ସ୍ଥିତି ଯୋଗୁଁ ଲୋକେ ପାଣି ଘେରରେ ଥିବାବେଳେ ଅପରାଜିତାଙ୍କ ଫଟୋ ସୁଟ୍‌କୁ ସମାଲୋଚକମାନେ ଆଦୌ ଗ୍ରହଣ କରିପାରି ନାହାନ୍ତି । ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡିଶା ଗସ୍ତରେ ଆସି ଓଡିଶାରେ ୨୦୨୪ ନିର୍ବାଚନ ଜିତିବାର ନକ୍ସା ଦେଇ ଫେରିଥିଲେ ।

ଓଡିଶାରେ ଏବେ ଅମୃତ କାଳ ଚାଲିଛି; ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭଳି ସମ୍ମାନସ୍ପଦ ଆସନରେ ଓଡିଆଙ୍କୁ ସ୍ଥାନ ମିଳିଛି । ତେଣୁ ଆଗାମୀ ନିର୍ବାଚନରେ ଓଡିଶାରେ ବିଜେପି ସରକାର ଗଢିବ ବୋଲି ଗସ୍ତ ସମୟରେ ଶ୍ରୀ ଶାହା ଦୃଢୋକ୍ତି ପ୍ରକାଶ କରିଥିଲେ । ଅଗଷ୍ଟ ୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡିଶା ଗସ୍ତରେ ଆସି ୨୦୨୪ ନିର୍ବାଚନ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାର ୧୦ ଦିନ ପରେ ସାଂସଦ ଅପରାଜିତାଙ୍କ ଚାଷ ଜମିରେ ଧାନ ରୁଆ ଫଟୋ ସାମ୍ନାକୁ ଆସିଲା ।

ଏହାର ଠିକ ଦିନକ ପରେ ସେପଟେ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା କୋଟପାଡ ବିଧାୟିକା ପଦ୍ମିନୀ ଦିଆନଙ୍କ ତଳି ରୋଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା । ଶ୍ରୀମତୀ ଦିଆନ ଏକ ଗାଆଁ ଚାଷ ଜମିରେ ମହିଳା ଚାଷୀମାନଙ୍କ ଗହଣରେ ଚାଷକାମ କରିବା ଭିଡିଓରେ ଦେଖିବାକୁ ମିଳେ ।

ଅବଶ୍ୟ ଏହା ପୂର୍ବରୁ ମଧ୍ୟ ବିଧାୟିକା ଚାଷବାସ କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ୨୦୧୯ ନିର୍ବାଚନ ପୂର୍ବରୁ ଏବଂ ମନ୍ତ୍ରୀ ହେବା ପରେ ୨୦୨୦ରେ ମଧ୍ୟ ସେ ଅନେକ ବାର ଚାଷକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଶ୍ରୀମତୀ ଦିଆନ ଏଭଳି ଜଣେ ଦକ୍ଷ ଓ ଜନପ୍ରିୟ ନେତ୍ରୀ ଯାହାଙ୍କ ଦ୍ୱାରା ବିଜେଡି କୋଟପାଡର କଂଗ୍ରେସ ଗଡକୁ ଭାଙ୍ଗିପାରିଥିଲା।

୧୯୯୦ରେ ଜନତା ଦଳ ପରଠାରୁ କଂଗ୍ରେସ ଏହି ବିଧାନସଭା ଆସନ ଏକଚାଟିଆ ଦଖଲ କରି ଆସିଥିଲା । ୨୦୧୯ ନିର୍ବାଚନରେ ୨୬ ଶହ ଭୋଟ୍‌ ବ୍ୟବଧାନରେ ଶ୍ରୀମତୀ ଦିଆନ କୋଟପାଡ ଆସନ ଦଖଲ କରିଥିଲେ । ଏଥିରେ ଅତି ପ୍ରସନ୍ନ ଲାଭକରି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବୟନଶିଳ୍ପ ମନ୍ତ୍ରୀ କରିଥିଲେ ।

ମହିଳା ନେତ୍ରୀଙ୍କୁ କେବଳ ଓଡିଶା ଚାଷ କ୍ଷେତରେ ଦେଖିବାକୁ ମିଳେ ତା’ ନୁହେଁ, ଏଭଳି ଚିତ୍ର ଅନ୍ୟ ରାଜ୍ୟରେ ଏବଂ ଜାତୀୟ ରାଜନୀତିରେ ଚହଳ ସୃଷ୍ଟି କରିଛି । ୨୦୧୯ ନିର୍ବାଚନ ପ୍ରଚାର ସମୟରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଜେପିର ସାଂସଦଙ୍କୁ ଗହମ କ୍ଷେତରେ ଦେଖିବାକୁ ମିଲିଥିଲା। ଗୋବର୍ଦ୍ଧନ କ୍ଷେତ୍ର ମଥୁରାରେ ନିର୍ବାଚନୀ ପ୍ରଚାର ବେଳେ ହେମା ହାତରେ ଦାଆ ଧରି ଗହମ ଫସଲ କାଟିବା ଚିତ୍ର ଚର୍ଚ୍ଚାକୁ ଆସିଥିଲା । ହେମାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ କିଛି ବାଦ ବିବାଦ ସାମ୍ନାକୁ ଆସିଥିଲା ।

ସମାଲୋଚକମାନେ ପ୍ରଶ୍ନ କରିଥିଲେ, ଗତ ୫ବର୍ଷ ମଧ୍ୟରେ ମଥୁରା ଚାଷୀଙ୍କ ପାଇଁ ହେମା କରିଛନ୍ତି କ’ଣ? ଅନ୍ୟପକ୍ଷରେ ହେମାଙ୍କ ସମର୍ଥନରେ ଏକ ପୋଷ୍ଟ୍‌ ସାମ୍ନାକୁ ଆସିଥିଲା ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ବିରଳ ଚିତ୍ର ରହିଛି। ହାତରେ କଟା ଗହମ ମଧ୍ୟ ଧରି ଶ୍ରୀମତୀ ଗାନ୍ଧୀ ଠିଆ ହୋଇଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଏହି ଫଟୋ ହେମା ମାଳିନୀଙ୍କ ପକ୍ଷକୁ ନେଇ ଏହି ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଯେଉଁମାନେ ହେମା ମାଳିନୀଙ୍କୁ ଉପହାସ କରନ୍ତି ସେମାନେ ଇନ୍ଦିରା ଗାନ୍ଧୀଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେବେ କି?

ଫେସ୍‌ବୁକ୍‌-ଟ୍ୱିଟର୍‌ରେ ଏହିପରି ଅନେକ ପ୍ରଶ୍ନ କିମ୍ବା ବ୍ୟଙ୍ଗାତ୍ମକ ମନ୍ତବ୍ୟ ସହଜରେ ମିଳିପାରିବ । ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ସହ ଆଲୋଚନା କରି ହେମା କହିଛନ୍ତି, “ଯେତେବେଳେ ମୁଁ ନିର୍ବାଚନ ପ୍ରଚାର ପାଇଁ ଗାଁକୁ ଯାଏ, ସେତେବେଳେ ମୋତେ ଏହି ପ୍ରକାର ପରିବେଶ ମିଳିଥାଏ । ମୁଁ ଜଣେ ଅଭିନେତ୍ରୀ। ଯଦି ମୁଁ ଫସଲ ଅମଳ କ୍ଷେତ୍ରରେ କାମ କରିଛି, ତେବେ ଏଥିରେ ଖରାପ କଥା କ'ଣ? ମୁଁ ବହୁତ ମଜା କଲି।”

ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ପ୍ରଚାର ପ୍ରତିଯୋଗୀତାର ପର୍ବ ଆରମ୍ଭ ହୋଇଯାଏ। ନ୍ୟୁଜ୍ ହେଡ୍‌ଲାଇନ୍‌ ପାଇଁ ଅଭିନବ ଅଭିଯାନ ପ୍ରସ୍ତୁତି ହୁଏ । ସେହିଭଳି ୨୦୨୧ ଆସାମ ବିଧାନସଭା ନିର୍ବାଚନ ପ୍ରଚାରରେ ଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପିଠିରେ ଟୋକେଇ ଧରି ଚାହା ବଗିଚାରେ ଦେଖିବାକୁ ମିଳିଥିଲା । ଜୁଲାଇ ୨୦୨୦ରେ ଛତିଶଗଡ କଂଗ୍ରେସର ରାଜ୍ୟସଭା ସାଂସଦ ତଥା ଆଦିବାସୀ ନେତ୍ରୀ ଫୁଲୋ ଦେବୀ ନେତାମଙ୍କ କ୍ଷେତର କାଦୁଅ ଭିତରେ ଥିବା ଫଟୋକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ଏ କ୍ଷେତ୍ରରେ ଆମକୁ ବୁଝିବାକୁ ହେବ ଯେ ଯଦି କୌଣସି ବ୍ୟକ୍ତି କିମ୍ବା ନେତା ନିଜକୁ କୃଷକ (କିମ୍ବା ଅନ୍ୟ କୌଣସି ଶ୍ରେଣୀର) ହିତକାରୀ ବୋଲି କହୁଛନ୍ତି, ତେବେ ସେ ଏଥିପାଇଁ କ'ଣ କରିଛନ୍ତି, ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହେବା ସ୍ୱାଭାବିକ । ଯଦି ନେତା ବା ନେତ୍ରୀ ଚାଷୀଙ୍କ ପାଇଁ କାମ କରିଥାନ୍ତେ, ତେବେ ସେମାନଙ୍କ ସହ ଫଟୋ ନ ଉଠାଇ ମଧ୍ୟ ପ୍ରଶଂସା ସାଉଁଟି ପାରନ୍ତେ । କିନ୍ତୁ ନିର୍ବାଚନ ସମୟରେ କୃଷକଙ୍କ ଯତ୍ନ ନେବା ଏବଂ କ୍ଷେତରେ ସାଙ୍କେତିକ ଭାବରେ କାର୍ଯ୍ୟ କରୁଥିବା ଫଟୋ ଉଠାଇବା, ବିରୋଧୀଙ୍କ ଟାର୍ଗେଟ୍‌କୁ ଆସିବା ସ୍ୱାଭାବିକ।

(ବି.ଦ୍ର : ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ନାଲ୍‌କୋ ଛକ, ଦୂରଭାଷ: ୯୮୬୧୨୪୦୨୨୮

Aparajita Sarangi MP Aparajita Sarangi
Advertisment
Advertisment