• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ନିକଟରେ ଶେଷ ହୋଇଛି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଆନ୍ତର୍ଜାତିକ ସିରିଜ୍। ଚଳିତ ବର୍ଷ ଶ୍ରୀଲଙ୍କା ସିରିଜ୍ ଭଳି ନ୍ୟୁଜିଲାଣ୍ଡ୍‌ ସିରିଜ୍‌ରେ ମଧ୍ୟ ଟିମ୍ ଇଣ୍ଡିଆ ସମାନ ୨-୧ ବ୍ୟବଧାନରେ ବିଜୟ ହାସଲ କରିଛି।

ଶ୍ରୀଲଙ୍କା ଏସିଆ କପ୍ ବିଜେତା ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ କ୍ଷୁଦ୍ରତମ ଫର୍ମାଟ୍‌ରେ ଅନ୍ୟତମ ମଜଭୁତ ଟିମ। କିନ୍ତୁ ଭାରତ ମାଟିରେ ଏହି ଦୁଇ ଟିମ୍‌ର ଫ୍ଲପ୍ ଶୋ’, ବିଶେଷକରି ଶେଷ ଟି-୨୦ ମ୍ୟାଚ୍‌ରେ କିୱି ଟିମ୍‌ର ୧୬୮ ରନ୍‌ରେ ପରାଜୟ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ଭାରତ ଏହି ଫର୍ମାଟ୍‌ରେ ତା’ର ସର୍ବବୃହତ୍ ବିଜୟ ହାସଲ କରିଥିଲା ଯେତେବେଳେକି ନ୍ୟୁଜିଲାଣ୍ଡ ପାଇଁ ଏହା ଥିଲା ସର୍ବବୃହତ୍ ପରାଜୟ।

ପ୍ରଥମ ମ୍ୟାଚ୍‌ରେ ପରାଜୟ ଓ ଏହାପରେ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ବିଜୟରୁ ସିରିଜ୍ କବ୍‌ଜା - ଏଭଳି ପ୍ରତ୍ୟାବର୍ତ୍ତନ ଏକ ଦମଦାର ନେତୃତ୍ୱରେ ହିଁ ସମ୍ଭବ ହୋଇଥାଏ। ବ୍ୟାଟର୍ ବା ବୋଲର୍ ଉତ୍ତମ ପ୍ରଦର୍ଶନ କରି ଏଥିରେ ଯୋଗଦାନ ଦେଇପାରନ୍ତି, କିନ୍ତୁ ପ୍ରକୃତ ଶ୍ରେୟ ଯାଏ ଅଧିନାୟକଙ୍କ ପାଖକୁ।

ଅଧିନାୟକ ଟିମ୍‌କୁ ଶୃଙ୍ଖଳିତ ରଖିବା ସହ ଫ୍ରଣ୍ଟ୍‌ଫୁଟ୍‌ରେ ରହି ଖେଳାଳିମାନଙ୍କର ନେତୃତ୍ୱ ନିଅନ୍ତି। ନିଜ ପ୍ରଦର୍ଶନ ସମୟରେ ଏ କଥା ଖେଳାଳିଙ୍କ ମନରେ ଥାଏ ଯେ ଆମ ଅଧିନାୟକ ଆଗରେ ଅଛନ୍ତି, ଆମକୁ ଆଗକୁ ବଢ଼ିବାକୁ ହେବ।

ପ୍ରତିକୂଳ ପରିସ୍ଥିତିରେ ଟିମ୍‌କୁ ଆହ୍ୱାନର ମୁକାବିଲା କରିବାର ଶିକ୍ଷା ଦେବା ଅଧିନାୟକଙ୍କ କର୍ତ୍ତବ୍ୟ। ସେହି କର୍ତ୍ତବ୍ୟକୁ ସୂଚାରୁରୂପେ ନିର୍ବାହ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେଥିପାଇଁ ସେ ହିଁ ନ୍ୟୁଜିଲାଣ୍ଡ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏବେ ତାଙ୍କ ନେତୃତ୍ୱକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି।

ଭାରତର କ୍ରମାଗତ ସିରିଜ୍ ବିଜୟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ଟିମ୍‌ର ଅଭିଜ୍ଞ ଖେଳାଳିମାନଙ୍କୁ ନିଆ ନ ଯାଇ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦିଆଯାଇଥିଲା। ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ଶାମୀ ପ୍ରମୁଖ ଟିମ୍‌ରେ ନ ଥିଲେ; ଅଥଚ ଯୁବ ଖେଳାଳିଙ୍କୁ ନେଇ ହାର୍ଦ୍ଦିକ ଟିମ୍‌କୁ ତୁଙ୍ଗ ଶିଖରରେ ପହଞ୍ଚାଇଥିଲେ। ଅବଶ୍ୟ ନ୍ୟୁଜିଲାଣ୍ଡ୍‌ ଟିମ୍‌ରେ ମଧ୍ୟ ନିୟମିତ ଅଧିନାୟକ କେନ୍ ଉଇଲିୟମ୍ସନ୍ ନ ଥିଲେ।

ହାର୍ଦ୍ଦିକଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ର ଏହା କ୍ରମାଗତ (ମୋଟ୍ ମଧ୍ୟ) ଚତୁର୍ଥ ଟି-୨୦ ସିରିଜ୍ ବିଜୟ। ପ୍ରଥମେ ଆୟର୍‌ଲାଣ୍ଡ୍‌ ଗସ୍ତରେ ସେ ଟିମ୍‌ର ସଫଳ ନେତୃତ୍ୱ ନେଇଥିଲେ। ଟି-୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଯାଇ ଟିମ୍‌କୁ ଜିତାଇଥିଲେ। ଏହାପରେ ଚଳିତ ବର୍ଷ ଘରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ୍‌କୁ ହରାଇ ସିରିଜ୍ କବ୍ଜା କରିଥିଲା ହାର୍ଦ୍ଦିକ ସେନା।

ହାର୍ଦ୍ଦିକ ଏ ଯାବତ ୧୧ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରେ ଟିମ୍ ୮ ମ୍ୟାଚ୍ ଜିତିଥିବା ବେଳେ ୨ ମ୍ୟାଚ୍ ହାରିଛି ଏବଂ ଅନ୍ୟ ଏକ ମ୍ୟାଚ୍ ଟାଇ ରହିଛି। ଅଧିନାୟକ ଭାବେ ତାଙ୍କ ବିଜୟ ପ୍ରତିଶତ ୭୭.୨୭। ବର୍ତ୍ତମାନ ଟି-୨୦ ଟିମ୍‌ର ସେ ସବୁଠାରୁ ଅଭିଜ୍ଞ ଖେଳାଳି। ୨୯ବର୍ଷୀୟ ହାର୍ଦ୍ଦିକ ଅଦ୍ୟାବଧି ୮୭ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି।

କ୍ୟାରିଅରରେ ଗୋଟିଏ ସମୟରେ ଦୁର୍ଦ୍ଦିନ ଦେଇ ଗତି କରିଥିବା ହାର୍ଦ୍ଦିକ ସର୍ଜରୀ ପରେ ଗତ ବର୍ଷ ଆଇପିଏଲ୍ ଜରିଆରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ନବାଗତ ଗୁଜରାଟ ଟାଇଟନ୍ସ ଟିମ୍‌କୁ ଅପ୍ରତ୍ୟାଶିତ ଭାବେ ମୁକୁଟ ଜିତାଇଥିଲେ। ଏହିଠାରେ ହିଁ ତାଙ୍କ ଅଧିନାୟକତ୍ୱର ମୂଳଦୁଆ ପଡ଼ିଥିଲା।

ଏଠାରେ ସ୍ମରଣ କରାଯାଇପାରେ ଯେ ଗତ ବର୍ଷ ଟିମ୍ ଇଣ୍ଡିଆ ନା ଏସିଆ କପ୍ ଜିତିପାରିଥିଲା ନା ଟି-୨୦ ବିଶ୍ୱକପ୍। ଏସିଆ କପ୍‌ରେ ଭାରତ ଫାଇନାଲ୍‌କୁ ଯାଇପାରି ନ ଥିବା ବେଳେ ବିଶ୍ୱକପ୍‌ରେ କ୍ୱାର୍ଟର୍-ଫାଇନାଲ୍‌ରେ ଅଟକିଥିଲା। ଏହି ଦୁଇ ପ୍ରଦର୍ଶନକୁ ନେଇ ଅଧିନାୟକ ରୋହିତ ଶର୍ମା ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ସମାଲୋଚନାର ଶରବ୍ୟ ହୋଇଥିଲେ। ଟି-୨୦ ବିଶ୍ୱକପ୍ ବିଫଳତା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବରିଷ୍ଠ ଚୟନ କମିଟିକୁ ବରଖାସ୍ତ କରିବା ସହ ପରାଜୟର ସମୀକ୍ଷା କରିଥିଲା।

ଏହାପରେ ଯାହା ଚର୍ଚ୍ଚା ହେଉଥିଲା, ତାହା ହିଁ ହେଲା। ହାର୍ଦ୍ଦିକ କ୍ଷୁଦ୍ରତମ ଫର୍ମାଟ୍‌ରେ ଟିମ୍‌ର ନେତୃତ୍ୱ ନେଲେ ଏବଂ ବରିଷ୍ଠ ଖେଳାଳିଙ୍କୁ ବସାଇ ଦିଆଗଲା। ଏଭଳି ନିଷ୍ପତ୍ତି ନିଆଯିବା ପଛରେ ଅନ୍ୟ ଏକ କାରଣ ବି ରହିଛି। ତାହା ହେଲା ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍। ସବୁ ଫୋକସ୍ ଏହା ଉପରେ। ତେଣୁ ଟିମ୍ ଏ ବର୍ଷ ବେଶୀ ଦିନିକିଆ ଖେଳିବ।

ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ହେବ। ଏଥିପାଇଁ ଏବେଠାରୁ ଟିମ୍ ଗଢ଼ାଯାଉଛି, ଯେଉଁଥିରେ ଯୁବ ଖେଳାଳିମାନଙ୍କୁ ହିଁ ଅଗ୍ରାଧିକାର ଦିଆଯିବ ଏବଂ ଏହି ଅବଧି ମଧ୍ୟରେ ଖେଳାଳିଙ୍କୁ ନେଇ ପରୀକ୍ଷାନିରୀକ୍ଷା ବି ଚାଲିବ। ରୋହିତ, କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ପାଇଁ ବାଟ ଆପାତତଃ ବନ୍ଦ।

ଧୋନିଙ୍କ ପଥରେ ଯିବାକୁ ପ୍ରସ୍ତୁତ:

ସଫଳତାର ରଥରେ ସବାର ହାର୍ଦ୍ଦିକ ୨୦୦୭ ଟି-୨୦ ବିଶ୍ୱକପ୍ ବିଜେତା ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପଥରେ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି। ମ୍ୟାଚ୍ ଫିନିଶର୍ ଭାବେ ନିଜ ଭୂମିକା ସମ୍ପର୍କରେ ହାର୍ଦ୍ଦିକ କହିଛନ୍ତି ଯେ ଏବେ ତାଙ୍କ ଦାୟିତ୍ୱ ହେଉଛି ଧୋନିଙ୍କ ଭୂମିକାରେ ଉପଯୋଜିତ ହେବା। ସେଥିପାଇଁ ସେ ନିଜ ଷ୍ଟ୍ରାଇକ୍‌ରେଟ୍‌କୁ ବି ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ହାର୍ଦ୍ଦିକ କହିଥିଲେ, “ସେହି ଭୂମିକା ତୁଲାଇବାରେ ମୋର କୌଣସି ଅସୁବିଧା ନାହିଁ, ଯାହା ଧୋନି ତୁଲାଉଥିଲେ। ସେତେବେଳେ ମୁଁ ଯୁବକ ଥିଲି ଏବଂ ପଡ଼ିଆର ଚାରିପଟକୁ ବଡ଼ ସଟ୍ ଖେଳୁଥିଲି। କିନ୍ତୁ ଯେବେ ଠାରୁ ଧୋନି ଗଲେ, ଅଚାନକ ଏହି ଦାୟିତ୍ୱ ମୋ ଉପରକୁ ଆସିଥିଲା। ମୋର ଏହାକୁ ନେଇ କୌଣସି ଆପତ୍ତି ନାହିଁ। ଆମକୁ ଫଳାଫଳ ମିଳୁଛି। ଯଦି ମୋତେ ଟିକେ ଧୀମା ଖେଳିବାକୁ ପଡ଼େ, ତା’ହେଲେ ବି କିଛି କଥା ନାହିଁ।”

ଏବେ ହ୍ୱାଇଟ୍ ବଲ୍ କ୍ରିକେଟ୍‌କୁ ଅଗ୍ରାଧିକାର ଦେବା ପାଇଁ ମନସ୍ଥ କରିଥିବା ହାର୍ଦ୍ଦିକଙ୍କୁ ଟି-୨୦ ଟିମ୍‌ର ଅଧିନାୟକ ଦାୟିତ୍ୱ ଦେଇ ରୋଜର ବିନ୍ନିଙ୍କ ନେତୃତ୍ୱାଧୀନ ବିସିସିଆଇ ଯେ ଏକ ଉଚିତ ନିଷ୍ପତ୍ତି ନେଇଛି, ଏଥିରେ ସନ୍ଦେହ ନାହିଁ। ହାର୍ଦ୍ଦିକ ଏହି ଫର୍ମାଟ୍‌ରେ ଟିମ୍‌ର ନେତୃତ୍ୱ ନେବା ପାଇଁ ଫିଟ୍; ତେବେ ସେ ବେଶୀ ଦୂର ଯାଇ ନାହାନ୍ତି। ଆଗକୁ ସେ ଅନେକ ପରୀକ୍ଷାର ସମ୍ମୁଖୀନ ହେବେ। ତାଙ୍କୁ ନେତୃତ୍ୱ ଦକ୍ଷତା ସହିତ ନିଜ ଫିଟ୍‌ନେସ୍ ଓ ଫର୍ମ ବି ବଜାୟ ରଖିବାକୁ ହେବ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)