ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ଭାରତର ୪୭ ବର୍ଷର ମୁକୁଟ-ପ୍ରତୀକ୍ଷା ପ୍ରତୀକ୍ଷାରେ ରହିଗଲା। ଘରୋଇ ପରିବେଶ, ଦର୍ଶକଙ୍କ ବିପୁଳ ସମର୍ଥନ, ଅଭିଜ୍ଞ ବିଦେଶୀ କୋଚ୍ଙ୍କ ମାର୍ଗଦର୍ଶନ, ସ୍ୱତନ୍ତ୍ର ଡ୍ରାଗ୍-ଫ୍ଲିକିଂ ଶିବିର - ସବୁ କିଛି ସତେଯେମିତି ମୂଲ୍ୟହୀନ ହୋଇଗଲା।
ହକି ବିଶ୍ୱକପ୍ରେ କ୍ୱାର୍ଟର-ଫାଇନାଲ୍କୁ ବି ଯାଇପାରିଲାନି ଆୟୋଜକ ଭାରତ। ଟିମ୍ ଅନ୍ତତଃ କୌଣସି ପଦକ ଜିତିବ ବୋଲି ଆଶା ଥିଲା, ଯେତେବେଳେ କି କେହି କେହି ହର୍ମନ୍ପ୍ରୀତ ସିଂହଙ୍କ ଟିମ୍କୁ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ୍ କରିଥିଲେ।
ପୂର୍ଣ୍ଣ ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଟିମ୍ ପାଖରେ ନିଶ୍ଚିତରୂପେ ପଦକ ଜିତିବାର ସୁଯୋଗ ଥିଲା, ତାହା ସ୍ୱର୍ଣ୍ଣ ନ ହେଉ ପଛେ । ନିଜ ଦେଶରେ ଓ ଦର୍ଶକ-ଭର୍ତ୍ତି ଷ୍ଟାଡିୟମ୍ରେ ଖେଳିବା ସୌଭାଗ୍ୟର ବିଷୟ; କିନ୍ତୁ ଟିମ୍ ସେହି ସୁଯୋଗରୁ ଫାଇଦା ଉଠାଇପାରିଲାନି ବରଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଚାପଗ୍ରସ୍ତ ହୋଇଗଲା।
୧୯୭୫ ପରଠାରୁ ଭାରତ ବିଶ୍ୱକପ୍ରେ କେବେ ପଦକ ଜିତିପାରି ନାହିଁ। ବିଫଳତାର ସେହି ଧାରା ଅବ୍ୟାହତ ରହିଲା। ଏବେ ବଡ଼ ପ୍ରଶ୍ନ ହେଉଛି ଯେ ଟିମ୍ କାହିଁକି ବିଫଳ ହେଲା? ଭୁଲ୍ ରହିଲା କେଉଁଠି? ଏଥିପାଇଁ ଦାୟୀ କିଏ?
Also Read
ଦୀର୍ଘ ବର୍ଷ ପରେ ଭାରତ ଠାରୁ ପଦକ ଆଶା କରାଯିବାରେ ଅସ୍ୱାଭାବିକତା ନ ଥିଲା। କାରଣ କିଛି ବର୍ଷ ହେଲା ଭାରତୀୟ ହକିର ସ୍ଥିତି ଓ ଟିମ୍ର ପ୍ରଦର୍ଶନରେ ଯଥେଷ୍ଟ ସୁଧାର ଆସିଛି।
ଭାରତୀୟ ହକି ଟିମ୍କୁ ଓଡ଼ିଶା ଭଳି ଏକ ଦୀର୍ଘସ୍ଥାୟୀ ପ୍ରାୟୋଜକ ମିଳିଛି। ବଡ଼ ପ୍ରତିଯୋଗିତା ଲାଗି ନିଜକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ଟିମ୍ ସହ ଅଛନ୍ତି ଗ୍ରାହମ୍ ରୀଡ୍ଙ୍କ ଭଳି ଅଭିଜ୍ଞ କୋଚ୍। ଦେଶରେ ତୃଣମୂଳ ସ୍ତରରୁ ହକିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଆସୁଛି।
ପରିଣାମସ୍ୱରୂପ, ୨୦୨୧ରେ ଆୟୋଜିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ କାଂସ୍ୟ ପଦକ ହାସଲ କରିଥିଲା। ୪୧ ବର୍ଷ ପରେ କ୍ରୀଡ଼ା ମହାକୁମ୍ଭରେ ଭାରତୀୟ ହକି ଟିମକୁ ପଦକ ମିଳିଥିଲା। ଏହାଛଡ଼ା ଟିମ୍ ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୦-୨୧ରେ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ରୌପ୍ୟ ପଦକ ଜିତିଥିଲା।
ଭାରତୀୟ ଟିମ୍ ତା’ର ସ୍ୱର୍ଣ୍ଣିମ କାଳକୁ ପ୍ରତ୍ୟାବର୍ତ୍ତନ ଦିଗରେ ଅଗ୍ରସର ହେଉଛି - ତାହାର ହିଁ ସଙ୍କେତ ମିଳୁଥିଲା। କିନ୍ତୁ ପୁନର୍ବାର ବିଶ୍ୱକପ୍ ବିଫଳତା ସେହି ସମସ୍ତ ଆଶା-ଆକାଂକ୍ଷା-ଆକଳନରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଭାରତ କ’ଣ ଟୋକିଓ ଅଲିମ୍ପିକ୍ସ ପୂର୍ବ ସ୍ଥିତିକୁ ଫେରିଆସିଲା, ଏବେ ସେମିତି ସନ୍ଦେହ ଜାତ ହୋଇଛି।
ପୁଲ୍ ପର୍ଯ୍ୟାୟରେ ଭାରତୀୟ ଟିମ୍ ସ୍ପେନ୍କୁ ୨-୦ ଓ ୱେଲ୍ସକୁ ୪-୨ରେ ହରାଇଥିବା ବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍କୁ ଗୋଲ୍ଶୂନ୍ୟ ଡ୍ର’ ରଖିଥିଲା। ଇଂଲଣ୍ଡ ମଧ୍ୟ ସମାନ ସଫଳତା ପାଇଥିଲା। ତେବେ ଉଭୟ ଟିମ୍ ୭ ପଏଣ୍ଟ ପାଇବା ସତ୍ତ୍ୱେ ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ଇଂଲଣ୍ଡ ପୁଲ୍-ଡି ଟପ୍ପର ହୋଇ ସିଧାସଳଖ କ୍ୱାର୍ଟର୍-ଫାଇନାଲ୍କୁ ଉନ୍ନୀତ ହୋଇଥିଲା।
ପୁଲ୍ରେ ଇଂଲଣ୍ଡ ମୋଟ୍ ୯ ଗୋଲ୍ କରିଥିବା ବେଳେ କୌଣସି ଗୋଲ୍ ଖାଇ ନ ଥିଲା। କିନ୍ତୁ ଭାରତ ମୋଟ୍ ୬ ଗୋଲ୍ ଦେଇଥିବା ବେଳେ ୨ ଗୋଲ୍ ଖାଇଥିଲା। ଭାରତ ପାଇଁ ସମସ୍ୟା ଏଠାରୁ ଆରମ୍ଭ ହୋଇଥିଲା। ଟିମ୍ ଅଧିକ ଗୋଲ୍ ଦେବାର ଆବଶ୍ୟକ ଥିଲା।
ଦ୍ୱିତୀୟ ସ୍ଥାନରେ ରହିବା ଯୋଗୁଁ ଭାରତକୁ କ୍ରସ୍ଓଭର୍ ମ୍ୟାଚ୍ ଖେଳିବାକୁ ପଡ଼ିଥିଲା। ଅନ୍ୟପଟେ ତା’ର କ୍ରସ୍ଓଭର୍ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡ୍ ମାତ୍ର ଗୋଟିଏ ମ୍ୟାଚ୍ ଜିତି ୩ ପଏଣ୍ଟ ସହ ପୁଲ୍-ସି’ରେ ତୃତୀୟ ସ୍ଥାନରେ ରହିଥିଲା।
ପୁଲ୍ ପର୍ଯ୍ୟାୟ ପ୍ରଦର୍ଶନ, ବିଶ୍ୱ ମାନ୍ୟତା ଓ ଅତୀତର ଜୟ-ପରାଜୟ ରେକର୍ଡ - ସବୁଥିରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ଠାରୁ ଆଗରେ ଥିଲା। ଏହା ସହିତ ଘରୋଇ ଦର୍ଶକଙ୍କ ସମର୍ଥନ ଥିଲା। କିନ୍ତୁ ଜାନୁଆରୀ ୨୨ରେ ଖେଳାଯାଇଥିବା କ୍ରସ୍ଓଭର୍ ମ୍ୟାଚ୍ରେ ଭଉୟ ଟିମ୍ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଗୋଟିଏ ସମୟରେ ଭାରତୀୟ ଟିମ୍ ୩-୧ରେ ଆଗରେ ଥିଲା । କିନ୍ତୁ କିୱି ଟିମ୍ ପ୍ରତ୍ୟାବର୍ତ୍ତନ କରି ମୁକାବିଲାକୁ ୩-୩ ସମାନ ସ୍ଥିତିକୁ ଆଣିଥିଲା।
ଏହାପରେ ଫଳାଫଳ ପାଇଁ ପେନାଲ୍ଟି ସୁଟ୍ଆଉଟ୍ ହୋଇଥିଲା। ଏଥିରେ ଆୟୋଜକ ଟିମ୍ ଚାପଗ୍ରସ୍ତ ଜଣାପଡ଼ୁଥିଲା। ୫-୫ ସଟ୍ରେ ମଧ୍ୟ ସ୍କୋର୍ ୩-୩ ରହିଥିଲା। ଏହାପରେ ସଡନ୍ ଡେଥ୍ ହୋଇଥିଲା। ଏଥିରେ ଚତୁର୍ଥ ପ୍ରୟାସରେ ଫଳାଫଳ ବାହାରିଥିଲା ଏବଂ ୪-୫ ହାରିଯାଇଥିଲା ଭାରତ। ଏହି ପରାଜୟ ଅପ୍ରତ୍ୟାଶିତ ଥିଲା ଭାରତୀୟ ହକିପ୍ରେମୀଙ୍କ ପାଇଁ।
ପିସି ଗୋଲ୍ର ଅଭାବ ଓ ହରମନପ୍ରୀତଙ୍କ ବିଫଳତା:
ବିଶ୍ୱକପ୍ରେ ଭାରତୀୟ ଟିମ୍ର ବିଫଳତାର ସବୁଠାରୁ ବଡ଼ କାରଣ ଥିଲା ପେନାଲ୍ଟି କର୍ଣ୍ଣର ଗୋଲ୍ର ଅଭାବ। ଆକ୍ରମଣାତ୍ମକ ପ୍ରଦର୍ଶନ ଯୋଗୁଁ ଟିମ୍ ଯଥେଷ୍ଟ ପିସି ହାସଲ କରିଥିଲା; ହେଲେ ଅଧିକାଂଶ କାମରେ ଆସି ନ ଥିଲା।
ଭାରତ ଖେଳିଥିବା ଚାରି ମ୍ୟାଚ୍ରେ ମୋଟ୍ ୨୬ ପିସି ଜିତିଥିଲା। ସେଥିରୁ ମାତ୍ର ପାଞ୍ଚଟିରୁ ଗୋଲ୍ ହୋଇଥିଲା। କ୍ରସ୍ଓଭର୍ ମ୍ୟାଚ୍ରେ ତ ଭାରତକୁ ମିଳିଥିବା ୧୦ ପିସିରୁ ମାତ୍ର ଦୁଇଟିର ସଦୁପଯୋଗ ହୋଇଥିଲା।
ଟିମ୍ର ପ୍ରମୁଖ ଡ୍ରାଗ୍-ଫ୍ଲିକ୍ ବିଶେଷଜ୍ଞ ହରମନପ୍ରୀତ ସିଂହଙ୍କ ଉପରେ ସର୍ବାଧିକ ଭରସା ଥିଲା; କିନ୍ତୁ ସେ ବିଫଳ ହୋଇଥିଲେ। ହରମନପ୍ରୀତ ଫର୍ମ ହରାଇବା ଟିମ୍ ପାଇଁ ଚିନ୍ତାର ବିଷୟ ହୋଇଥିଲା। ସେ ୨୦୨୨ରେ ପିସିରୁ ୨୮ ଗୋଲ୍ ସ୍କୋର୍ କରିଥିଲେ। ତେବେ ପିସି ଗୋଲ୍ ପାଇଁ ତାଙ୍କ ଉପରେ ଅଧିକ ନିର୍ଭରଶୀଳତା ମଧ୍ୟ ବିଫଳତାର ଅନ୍ୟତମ କାରଣ ଥିଲା।
ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ‘କର ବା ମର’ ମ୍ୟାଚ୍ରେ ପେନାଲ୍ଟି ସୁଟ୍ଆଉଟ୍ ବେଳେ ଅଭିଜ୍ଞ ଖେଳାଳି ଥାଉ ଥାଉ ଯୁବ ଖେଳାଳିଙ୍କୁ ସଟ୍ ମାରିବାକୁ ଦିଆଯାଇଥିଲା। ଅଭିଜ୍ଞ ଖେଳାଳି ସୁଯୋଗ ପାଇଥିଲେ, ହୁଏତ ସଡନ୍ ଡେଥ୍ ଯାଏଁ ଯିବାକୁ ପଡ଼ି ନ ଥା’ନ୍ତା।
ବିଶ୍ୱକପ୍ ପୂର୍ବରୁ ଭାରତୀୟ ଡ୍ରାଗ୍-ଫ୍ଲିକରଙ୍କ ପାଇଁ ପୂର୍ବତନ ଡଚ୍ ଖେଳାଳି ବ୍ରାମ୍ ଲୋମାନ୍ସଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହାସତ୍ତ୍ୱେ ପିସି ଗୋଲ୍ର ଅଭାବ ବଳବତ୍ତର ରହିଥିଲା।
ମେଣ୍ଟାଲ୍ କଣ୍ଡିସନିଂ କୋଚ୍ ଆବଶ୍ୟକ:
କ୍ରସ୍ଓଭର୍ ମ୍ୟାଚ୍ରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ୍ ଠାରୁ ହାରି ପଦକ ଦୌଡ଼ରୁ ବାଦ୍ ପଡ଼ିବା ପରେ ମୁଖ୍ୟ କୋଚ୍ ଗ୍ରାହମ୍ ରୀଡ୍ କହିଥିଲେ ଯେ ଆଗକୁ ବଢ଼ିବା ଲାଗି ଟିମ୍ ପାଇଁ ଜଣେ ମେଣ୍ଟାଲ୍ କଣ୍ଡିସନିଂ କୋଚ୍ ଆବଶ୍ୟକ। ଟିମ୍ର୍ ଖେଳାଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ଗୁଡ଼ିକରେ ଚାପ ସହ୍ୟ କରିପାରୁ ନାହାନ୍ତି।
ରୀଡ୍ଙ୍କ କହିବାନୁଯାୟୀ, ଅନ୍ୟ ଟିମ୍ ଭଳି ଭାରତୀୟ ଟିମ୍ର ଖେଳାଳିମାନଙ୍କର ଟ୍ରେନିଂ ଓ ଡ୍ରିଲ୍ କରାଯାଉଛି। ସେ ଏହି ଖେଳରେ ଦୀର୍ଘ ଦିନ ହେଲା ଅଛନ୍ତି ଏବଂ ଜାଣନ୍ତି ଯେ ଅନ୍ୟ ଟିମ୍ କ’ଣ କରୁଛନ୍ତି। ତାଙ୍କ ବିଚାରରେ ଟିମ୍ ମାନସିକଭାବେ ମଜଭୁତ ହେବା ଆବଶ୍ୟକ।
ମୁଖ୍ୟ କୋଚ୍ଙ୍କ ଏହି ମନ୍ତବ୍ୟ ପରେ ଏକ ପ୍ରଶ୍ନର ଉତ୍ତରରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ ଟିମ୍ ଯାହା ଆବଶ୍ୟକ କରୁଛି, ତାହା ଦେବା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି। କେତେକ ଖେଳାଳି ଆଘାତ ଯୋଗୁଁ ଟିମ୍ରେ ନାହାନ୍ତି। କେତେକ ଖେଳାଳି ଚାପ ଯୋଗୁଁ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି। ଟିମ୍କୁ ଜଣେ ମେଣ୍ଟାଲ୍ କଣ୍ଡିସନିଂ କୋଚ୍ ଦିଆଯିବ, ତା’ପରେ ଦେଖାଯିବ କ’ଣ ହେଉଛି।
ଟିମ୍କୁ ମେଣ୍ଟାଲ୍ କଣ୍ଡିସନିଂ କୋଚ୍ ଆସିବା ପରେ ସ୍ଥିତିରେ ସୁଧାର ହୋଇପାରେ। ଚଳିତ ବର୍ଷ ଏସିଆନ୍ ଗେମ୍ସ ହେବ ଆଉ ଆସନ୍ତା ବର୍ଷ ଅଲିମ୍ପିକ୍ସ। ଭାରତୀୟ ଟିମ୍କୁ ସବୁ ଦିଗରୁ ପ୍ରସ୍ତୁତ ହେବାକୁ ପଡ଼ିବ। ବିଶ୍ୱକପ୍ ବିଫଳତାକୁ ଅତିକ୍ରମ କରି ଆଗକୁ ବଢ଼ିବାକୁ ହେବ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)