ଭାରତର ଆଇସିସି ଦିନିକିଆ ବିଶ୍ୱକପ୍ ବିଜୟକୁ ଏକ ଦଶନ୍ଧିରୁ ଅଧିକ ସମୟ ଅତିକ୍ରମ କଲାଣି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି । ଏପରିସ୍ଥଳେ ପ୍ରଶ୍ନ ଉଠୁଛି - ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ର ବିଜୟର ୧୨ ବର୍ଷ ପରେ ଟିମ୍ ଇଣ୍ଡିଆ ପୁନର୍ବାର ଘରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି? ଏହାକୁ ନେଇ ଏବେଠୁ ଚର୍ଚ୍ଚା ହେଉଛି ।
କୁହାଯାଉଛି ଯେ ଭାରତୀୟ କ୍ରିକେଟ୍ ଏବେ ପରିବର୍ତ୍ତନର ସମୟ ଦେଇ ଗତି କରୁଛି। ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଶ୍ରୀଲଙ୍କା ବିପକ୍ଷରେ ବର୍ଷର ପ୍ରଥମ ଦିନିକିଆ ସିରିଜ୍ ଜିତି ଭାରତ ନିଜ ବିଶ୍ୱକପ୍ ଆଭିମୁଖ୍ୟ ସ୍ପଷ୍ଟ କରିଛି।
ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତ ୧୨ ଦିନିକିଆ (ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍କୁ ମିଶାଇ) ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ଦୁଇଟି ମ୍ୟାଚ୍ ସରିଲାଣି । ଆଉ ୧୦ ମ୍ୟାଚ୍ ଖେଳାଯିବ । ଏହାଛଡ଼ା ଏସିଆ କପ୍ ମଧ୍ୟ ରହିଛି, ଯାହା ନିଜ ମୂଳ ସ୍ୱରୂପ ୫୦-ଓଭର୍ ଫର୍ମାଟ୍କୁ ଫେରିବ।
ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର୍ ସିରିଜ୍ ପରେ ଭାରତୀୟ ଟିମ୍ ଜାନୁଆରୀ-ଫେବ୍ରୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଦିନିକିଆ ଓ ତିନି ଟି-୨୦; ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଦିନିକିଆ ଓ ଚାରି ଟେଷ୍ଟ; ଜୁଲାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ଦିନିକିଆ, ଦୁଇ ଟେଷ୍ଟ ଓ ତିନି ଟି-୨୦; ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଦିନିକିଆ ମ୍ୟାଚ୍ ଖେଳିବ ।
Also Read
ଅଧିକ ପଢ଼ନ୍ତୁ: ୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପୂର୍ବ ସମୀକ୍ଷା ବୈଠକରେ ମିଶନ୍ ବିଶ୍ୱକପ୍ ୨୦୨୩ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛି । ବୋର୍ଡ କହିଥିଲା ଯେ ଦିନିକିଆ ବିଶ୍ୱକପ୍ ପାଇଁ ୨୦ ଖେଳାଳିଙ୍କୁ ଚୟନ କରାଯାଇଛି, ଯେଉଁମାନଙ୍କୁ ରୋଟେଟ୍ କରାଯିବ ।
ଏହା ସହିତ ଖେଳାଳିଙ୍କ ୱାର୍କଲୋଡ୍ ମ୍ୟାନେଜ୍ମେଣ୍ଟ ଉପରେ ଜାତୀୟ କ୍ରିକେଟ୍ ଏକାଡେମୀ ଚୟନକାରୀମାନଙ୍କ ସହ ମିଶିକି କାମ କରିବ । ବୋର୍ଡ ସେହି ଖେଳାଳିମାନଙ୍କ ନାମୋଲ୍ଲେଖ କରି ନାହିଁ । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ବଢ଼ିପାରେ ।
ବ୍ୟାଟିଂ ଲାଇନ୍ଅପ୍ରେ କେଉଁମାନେ ରହିବେ:
ଓପନର୍ ଭାବେ ଅଧିନାୟକ ରୋହିତ ଶର୍ମା, ଶୁଭମନ ଗିଲ୍, ଈଶାନ କିଶନ ଓ ଋତୁରାଜ ଗାଏକୱାଡ଼ ରହିପାରନ୍ତି । ଅଭିଜ୍ଞ ଶିଖର ଧାବନଙ୍କୁ ନିଆଯିବାର ସମ୍ଭାବନା କମ୍ । ଶୁଭମନ ଓ ଈଶାନ ଉତ୍ତମ ଫର୍ମରେ ଅଛନ୍ତି ଏବଂ ଋତୁରାଜ ଉଦୀୟମାନ ବ୍ୟାଟର୍; ଏପରିସ୍ଥଳେ ଅଭିଜ୍ଞ ଶିଖର ଧାବନଙ୍କୁ ନିଆଯିବାର ସମ୍ଭାବନା କମ୍ । ଧାବନଙ୍କ ପ୍ରଦର୍ଶନରେ ନିରନ୍ତରତା ରହୁ ନାହିଁ ।
ମଧ୍ୟକ୍ରମରେ ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ ଓ ୱିକେଟ୍କିପର୍-ବ୍ୟାଟର୍ ଲୋକେଶ ରାହୁଲ ଦଳରେ ରହିବା ପ୍ରାୟତଃ ନିଶ୍ଚିତ । ଏହାଛଡ଼ା ୱିକେଟ୍କିପର୍-ବ୍ୟାଟର୍ ସଞ୍ଜୁ ସାମ୍ସନଙ୍କ ଉପରେ ବି ଚୟନକାରୀଙ୍କ ନଜର ରହିବ । ରିଷଭ ପନ୍ତ ଆହତ, ସେତେବେଳକୁ ସେ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ହୋଇଥିବେ କି ନାହିଁ ସନ୍ଦେହ।
ଫିନିଶର୍ ଓ ଅଲ୍ରାଉଣ୍ଡର୍ ଯେକୌଣସି ଟିମ୍ ପାଇଁ ଜରୁରୀ । ଭାରତ ୨୦୧୧ ବିଶ୍ୱକପ୍ ଜିତିବାର ଗୋଟିଏ କାରଣ ଥିଲା ଟିମ୍ ପାଖରେ ବୋଲିଂର ଅନେକ ବିକଳ୍ପ ରହିଥିଲା । ଭାରତର ନିମ୍ନକ୍ରମରେ ଏଭଳି ଅଲ୍ରାଉଣ୍ଡର୍ଙ୍କ ଆବଶ୍ୟକତା ଅଛି, ଯେଉଁମାନେ ବଡ଼ ସଟ୍ ଲଗାଇପାରିବେ । ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ଅକ୍ଷର ପଟେଲଙ୍କ ନାମ ରହିବା ନିଶ୍ଚିତ ।
ହାର୍ଦ୍ଦିକ ଉପ-ଅଧିନାୟକ ରହିପାରନ୍ତି । ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
ଗତ ବର୍ଷ ସେପ୍ଟେମ୍ବରରୁ ଟିମ୍ ଇଣ୍ଡିଆରୁ ବାହାରେ ଥିବା ରବୀନ୍ଦ୍ର ଜାଡ଼େଜାଙ୍କ ପ୍ରତ୍ୟାବର୍ତ୍ତନ ଓ ଫର୍ମ ଉପରେ ନଜର ରହିବ । ସେ ଭାରତର ଶ୍ରେଷ୍ଠ ଅଲ୍ରାଉଣ୍ଡର୍ଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି । ଏହି ତିନି ଜଣଙ୍କ ଛଡ଼ା ୱାଶିଂଟନ୍ ସୁନ୍ଦର ଓ ଦୀପକ ହୁଡ଼ା ମଧ୍ୟ ଅଲ୍ରାଉଣ୍ଡର୍ ଭାବେ ଚୟନକାରୀଙ୍କ ନଜରରେ ରହିବେ । ଉଭୟ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ।
ବୋଲିଂ ଲାଇନ୍ଅପ୍ରେ କେଉଁମାନେ ରହିବେ:
ଏତଦ୍ଭିନ୍ନ, ଭାରତୀୟ ଟିମ୍ ଗତ କିଛି ବର୍ଷ ହେଲା ପେସ୍ ବ୍ୟାଟେରୀର ଏକ ଗୋଷ୍ଠୀ ପ୍ରସ୍ତୁତ କରିଛି । ଯଶପ୍ରୀତ ବୁମରା ଓ ଅନ୍ୟ ପ୍ରମୁଖ ପେସର୍ ଆହତ ହେବା ଦ୍ୱାରା ଅନ୍ୟ ପେସର୍ଙ୍କୁ ଫାଇଦା ହେଉଛି । ଏହି ସମୟରେ ମହମ୍ମଦ ସିରାଜ୍, ଅର୍ଶଦୀପ ସିଂହ, ଉମରାନ୍ ମଲିକଙ୍କ ଭଳି ବୋଲର୍ଙ୍କ ଅଭ୍ୟୁଦୟ ହୋଇଛି ।
ବୁମ୍ରା ଯଦି ଫିଟ୍ ଥାଆନ୍ତି, ତା’ହେଲେ ତାଙ୍କ ସହିତ ଶାମୀ, ସିରାଜ୍ ରହିବା ନିଶ୍ଚିତ । ଏତଦ୍ଭିନ୍ନ, ଅର୍ଶଦୀପ, ଉମରାନ୍, ଦୀପକ ଚାହର, ଶାର୍ଦ୍ଦୂଳ ଠାକୁର, କୁଲଦୀପ ସେନ୍ଙ୍କ ମଧ୍ୟରୁ ଜଣଙ୍କୁ ନିଆଯାଇପାରେ ।
ଏଥର ବିଶ୍ୱକପ୍ ଭାରତରେ ହେଉଛି । ତେଣୁ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଏପରିସ୍ଥଳେ ଦୁଇ ରିଷ୍ଟ୍ ସ୍ପିନର୍ ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଚୟନ ପ୍ରାୟତଃ ନିଶ୍ଚିତ । ରବି ବିଷ୍ଣୋଇ ମଧ୍ୟ ଚୟନକାରୀଙ୍କ ନଜରରେ ରହିବେ ।
ଭାରତ ୧୯୮୩ରେ କପିଳ ଦେବଙ୍କ ନେତୃତ୍ୱରେ ପ୍ରଥମ ଥର ଦିନିକିଆ ବିଶ୍ୱକପ୍ ଜିତିଥିଲା । ଏହାପରେ ୨୮ ବର୍ଷ ପରେ ୨୦୧୧ରେ ଦ୍ୱିତୀୟ ଥର ବିଶ୍ୱକପ୍ ଟ୍ରଫି ଉଠାଇଥିଲା । ସେଥର ପ୍ରତିଯୋଗିତା ମିଳିତ ଭାବେ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶରେ ଆୟୋଜିତ ହୋଇଥିଲା । ଏଥର କେବଳ ଭାରତ ହିଁ ଆୟୋଜକ ।
ନିଜ ଦେଶରେ ବିଶ୍ୱକପ୍ ହେଉଥିବାରୁ ଟିମ୍ ଇଣ୍ଡିଆ ଉପରେ କୋଟି କୋଟି କ୍ରିକେଟ୍ପ୍ରେମୀଙ୍କ ଆଶା ନିବଦ୍ଧ ରହିଛି । ୨୦୨୨ରେ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ ବିଫଳତାକୁ ପଛରେ ପକାଇ ରୋହିତ ସେନା ମୁକୁଟ-ବିଜୟର ପ୍ରତୀକ୍ଷିତ ସ୍ୱପ୍ନକୁ ସାକାର କରିବାକୁ ମଇଦାନକୁ ଓହ୍ଲାଇବ ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)